କାଠମାଣ୍ଡୁ – ବୋଧଗୟା ବସ ସେବାର ଶୁଭାରମ୍ଭ

ନେପାଳ ରାଜଧାନୀ କାଠମାଣ୍ଡୁ ଓ ବିହାରର ବୋଧଗୟା ମଧ୍ୟରେ ଏକ ବସ ସେବାର ଶୁଭାରମ୍ଭ ହୋଇଛି |

ନେପାଳର  ମୌଳିକଢାଞ୍ଚା ଓ ପରିବହନ ମନ୍ତ୍ରୀ ରଘୁବୀର ମହାସେଠ ଓ ଭାରତୀୟ ରାଷ୍ଟ୍ରଦୂତ ମାନଯିବସିଙ୍ଗ ପୁରୀ ଗତ ସନ୍ଧ୍ୟାରେ କାଠମାଣ୍ଡୁ ଠାରେ ପତାକା ଦେଖାଇ ନେପାଳ ଓ ବିହାର ମଧ୍ୟରେ ଏହି ପ୍ରଥମ ବସ ସେବାର ଶୁଭାରମ୍ଭ କରିଥିଲେ |

45 ଆସନ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଏହି  ଡିଲକ୍ସ ବସଟି  କାଠମାଣ୍ଡୁ ଓ ବୋଧଗୟା ମଧ୍ୟରେ ଥିବା 660 କିଲୋମିଟର ଦୂରତାକୁ 16 ଘଣ୍ଟା ମଧ୍ୟରେ ଯାତ୍ରା ଶେଷ କରିବ | ଏହି ବସ କାଠମାଣ୍ଡୁ ରୁ ପ୍ରତିଦିନ ସନ୍ଧ୍ଯା 7 ଟାରେ ଯାତ୍ରା ଆରମ୍ଭ କରି ବୋଧଗୟାରେ ପରବର୍ତ୍ତୀ ଦିନ ସକାଳ ପାଖାପାଖି 11ଟା  ସମୟରେ ପହଞ୍ଚିବ |

ଏହି ବସରେ ଯାତ୍ରା ଟିକଟ 1,250 ଟଙ୍କା ଧାର୍ଯ୍ୟ କରାଯାଇଛି | ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ବୃଦ୍ଧି କରିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଏବଂ ଉଭୟ ଦେଶ ମଧ୍ୟରେ ଗମନାଗମନକୁ ସୁଗମ କରିବା  ଲକ୍ଷରେ 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେପାଳ ଗସ୍ତ ସମୟରେ ଯାତ୍ରୀ ଟ୍ରାଫିକ ପାଇଁ ଏକ ମୋଟର ଯାନ ଚୁକ୍ତି  ସ୍ବାକ୍ଷରିତ ହୋଇଥିଲା |

କାଠମାଣ୍ଡୁ – ବୋଧଗୟା ବସ ସେବା  ନେପାଳ ପକ୍ଷରୁ ପଞ୍ଚମ ବସ ସେବା ହୋଇଥିବା ବେଳେ କାଠମାଣ୍ଡୁରୁ ଦିଲ୍ଲୀ ଓ  ବାରାଣାସି, ମହେନ୍ଦ୍ରନଗର ରୁ ଦିଲ୍ଲୀ ଏବଂ  ପୋଖରା ରୁ ଦିଲ୍ଲୀ ବସ ସେବା ପୂର୍ବରୁ ଚାଲିଛି |ଜନକପୁର ଓ ପାଟନା ମଧ୍ୟରେ ଷଷ୍ଠ ବସ ସେବା ରବିବାର ଦିନ ଠାରୁ ଆରମ୍ଭ ହେବ |