ନୂଆ ଶକ୍ତିର ଅନ୍ୱେଷଣରେ ଭାରତର ନେତୃତ୍ୱ

ନୂତନ ଏବଂ ପୁନଃବ୍ୟବହାର କ୍ଷମ ଶକ୍ତି ମନ୍ତ୍ରଣାଳୟ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ପ୍ରଥମ ବୈଠକ, ଦ୍ଵିତୀୟ ଭାରତ ମହାସାଗର ରିମ ସଂଘ (IORA) ଶକ୍ତି ମନ୍ତ୍ରୀ ସ୍ତରୀୟ ବୈଠକ ଏବଂ ଦ୍ଵିତୀୟ ଆନ୍ତର୍ଜାତୀୟ RE-ପୁଞ୍ଜିନିବେଶ ବୈଠକ ଓ ପ୍ରଦର୍ଶନୀର ଆୟୋଜନ କରିଥିଲା | ତିନୋଟି ଯାକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ | ପୁନଃବ୍ୟବହାର କ୍ଷମ ଶକ୍ତିର ବହୁଳ ଉପଯୋଗ ସକାଶେ ବିଶ୍ୱ ସ୍ତରୀୟ ଉଦ୍ୟମକୁ ପ୍ରୋତ୍ସାହନ ଦେବା ଏବଂ ବିଶ୍ୱ ସ୍ତରୀୟ ପୁଞ୍ଜିନିବେଶ ସମ୍ପ୍ରଦାୟ ସହ ଶକ୍ତି କ୍ଷେତ୍ରର ଭାରତୀୟ ଅଂଶୀଦାର ମାନଙ୍କ ସହ ସଂଯୋଗ କରିବା ଉଦ୍ଦେଶ୍ୟରେ ସେହି ବୈଠକ ଗୁଡିକର ଆୟୋଜନ କରାଯାଇଛି |

ଦ୍ଵିତୀୟ ଆନ୍ତର୍ଜାତୀୟ ରି-ଇନଭେଷ୍ଟ ଭାରତ-ISA ଭାଗିଦାରୀ ପୁନଃବ୍ୟବହାର କ୍ଷମ ଶକ୍ତି ପୁଞ୍ଜିନିବେଶ ବୈଠକ ଏବଂ ପ୍ରଦର୍ଶନୀରେ 77 ଟି ଦେଶରୁ 20,000ରୁ ଅଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ଏବଂ ସେଥି ମଧ୍ୟରୁ 40 ଜଣ ମନ୍ତ୍ରୀ ସ୍ତରୀୟ ପ୍ରତିନିଧି ଥିଲେ | ଜାତିସଂଘ, ବହୁମୁଖୀ ଉନ୍ନୟନ ବ୍ୟାଙ୍କ, ଆନ୍ତର୍ଜାତିୟ ପାଣ୍ଠି, ଆନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନ ତଥା ଉଦ୍ୟୋଗ ଜଗତର ପ୍ରମୁଖ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ | ରି-ଇନଭେଷ୍ଟ 2018ରେ ଫ୍ରାନ୍ସ, ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ୟୁରୋପୀୟ ସଂଘ ଭଳି ପୁନଃବ୍ୟବହାର କ୍ଷମ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଗୁଡିକ ଦ୍ୱାରା ନଅଟି ଅଧିବେଶନ ଆୟୋଜନ କରାଯାଇଥିଲା |

ଆନ୍ତର୍ଜାତୀୟ ସ୍ତରରେ ସୌର ଶକ୍ତି କ୍ଷେତ୍ରରେ ISAର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉଦବୋଧନରେ କହିଥିଲେ ସଠିକ ଜଳବାୟୁ ପ୍ରଦାନରେ ISA ଏକ ଉପଯୁକ୍ତ ମଞ୍ଚ | ଭବିଷ୍ୟତ ପୀଢ଼ି ପାଇଁ ଏହା ଏକ ଉପହାର ସଦୃଶ କହିଥିଲେ ପ୍ରଧାନମନ୍ତ୍ରୀ | ବର୍ତ୍ତମାନ ବିଶ୍ୱରେ OPECର ଯେଉଁ ଭୂମିକା ରହିଛି ଭବିଷ୍ୟତରେ ସେହି ଦାୟିତ୍ୱ ସୌର ମେଣ୍ଟ ବହନ କରିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉଦବୋଧନରେ କହିଥିଲେ ଆଜି ତୈଳ ଖଣି ଗୁଡିକ ଯେଉଁ ଭୂମିକା ନିଭାଉଛନ୍ତି ସୌର ଶକ୍ତି ସେହି ଭୂମିକା ନିଭାଇବ | ସମ୍ମିଳନୀରେ ଜାତିସଂଘ ସେକ୍ରେଟାରୀ ଜେନେରାଲଙ୍କ ଉପସ୍ଥିତି, ଜାତିସଂଘରେ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ମହତ୍ତ୍ୱ ସଦ୍ୟ ପ୍ରତୀୟମାନ ହୋଇଛି | 2030 ମସିହା ସୁଦ୍ଧା ଭାରତ ଶତକଡା 40 ଭାଗ ଶକ୍ତି ଅଣ-ଜୈବ ଇନ୍ଧନ ସ୍ରୋତରୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି | ପ୍ରଧାନମନ୍ତ୍ରୀ ସମ୍ମିଳନୀର ଉଦଘାଟନ କରି “ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ ଏବଂ ଗୋଟିଏ ଗ୍ରୀଡ଼” ଶୀର୍ଷକ ଏକ ପ୍ରମୁଖ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି |

ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟରେସ ତାଙ୍କ ଉଦବୋଧନରେ ଜଳବାୟୁ ପରିବର୍ତ୍ତନ ଏକ ପ୍ରତ୍ୟେକ୍ଷ ବିପଦ ଭାବେ ଉଭା ହେଉଥିବା ବିଷୟ ଉଲ୍ଲେଖ କରିଛନ୍ତି | ଏହା ସ୍ପଷ୍ଟ ଯେ ଆମେ ଏକ ପୁନଃବ୍ୟବହାର କ୍ଷମ ଶକ୍ତି ବିପ୍ଳବ ଆନ୍ତର୍ଜାତୀୟ ସ୍ତରରେ ଦୃଶ୍ୟମାନ ହେଉଥିବା ଜାଣିପାରୁଛେ ବୋଲି ସେ ମତବ୍ୟକ୍ତ କରିଛନ୍ତି | ତେବେ ଲକ୍ଷ୍ୟ ହାସଲ ପାଇଁ ରାଜନୈତିକ ପ୍ରତିଜ୍ଞାବଦ୍ଧତ୍ତାର ଅଭାବ ରହିଛି ଏବଂ ଏଥି ପାଇଁ ଅଧିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି |

ପୁନଃବ୍ୟବହାର କ୍ଷମ ଶକ୍ତି ବିଭାଗରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାଜ କୁମାର ସିଂ କହିଛନ୍ତି ଆମ ପ୍ରଧାନମନ୍ତ୍ରୀ “ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ ଏବଂ ଗୋଟିଏ ଗ୍ରୀଡ଼” ର ଆଉ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିଛନ୍ତି | ଏହା ସମ୍ଭବ ଏବଂ ଆମେ ଏହାକୁ ହାସଲ ମଧ୍ୟ କରିବୁ ବୋଲି ସେ କହିଛନ୍ତି |

ଭାରତର ଭିଜନ 2022 ପୂରଣ କରିବାକୁ ହେଲେ ପ୍ରାୟ 76 ବିଲିୟନ ଆମେରିକୀୟ ଡ଼ଲାର ପୁଞ୍ଜିନିବେଶର ଆବଶ୍ୟକତା ରହିଛି; କେବଳ ସରକାରୀ ପାଣ୍ଠି ଏଥି ପାଇଁ ଯଥେଷ୍ଟ ହେବ ନାହିଁ | ସେଥିପାଇଁ ଅଭିନବ ଓ ସଦ୍ୟ ନୂତନ ଘରୋଇ ପୁଞ୍ଜିନିବେଶର ଆବଶ୍ୟକତା ରହିଛି ଯଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଵପ୍ନ ବାସ୍ତବରେ ରୂପାନ୍ତରିତ ହୋଇପାରିବ | ପୁନଃବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରରେ ପ୍ରଦୂଷଣ ରହିତ ଶକ୍ତି ମାନକ, ଯଥାଶୀଘ୍ର ଦେୟ ସକାଶେ ଦେୟ ସୁରକ୍ଷା ପଦ୍ଧତି ସ୍ଥାପନ ପାଇଁ ଆନ୍ତର୍ଜାତୀୟ ରଣନୀତି ଭାଗିଦାରୀ ଦ୍ୱାରା ସୁଗମ ହୋଇପାରିବ | ପୁନଃବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରର ଅଭିବୃଦ୍ଧିରେ କ୍ଷୀପ୍ରତା ଆଣିବା ଲାଗି ରାଜନୈତିକ ନିଷ୍ପତି ଏବଂ ଆଫ୍ରିକା ସମେତ ମହାଦେଶ ମାନଙ୍କ ସହଯୋଗ ନିତାନ୍ତ ଅପରିହାର୍ଯ୍ୟ | ଉପଯୁକ୍ତ ପରିବେଶ ଓ ସ୍ଵସ୍ଥ ଜଳବାୟୁ ପାଇଁ ଉଦ୍ୟମରେ ଭାରତ ଗତ ତିନି ବର୍ଷ 2015 ରୁ 2018 ମଧ୍ୟରେ ପୁନଃବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରରେ ଶତକଡା 81 ଭାଗ ଅଭିବୃଦ୍ଧି ହାସଲ କରିପାରିଛି | 2030 ମସିହା ସୁଦ୍ଧା ଶତକଡା 40 ଭାଗ ଶକ୍ତି ଅଣ-ଜୈବ ଇନ୍ଧନ ସ୍ରୋତରୁ ଉତ୍ପାଦନ କରିବାକୁ ଭାରତର ଲକ୍ଷ୍ୟ ଏବଂ 2022 ମସିହା ସୁଦ୍ଧା 175 GW ପୁନଃବ୍ୟବହାର କ୍ଷମ ଶକ୍ତି ଉତ୍ପାଦନ ଲକ୍ଷ୍ୟ କେବଳ ମାହାତ୍ତ୍ୱାକାଂକ୍ଷୀ ନୁହେଁ ଏହା ସମ୍ଭବ ମଧ୍ୟ | ପୁନଃବ୍ୟବହାର କ୍ଷମ ଶକ୍ତି କ୍ଷେତ୍ରରେ ଭାରତରେ ଅପୂର୍ବ ସୁଯୋଗ ରହିଛି ଏବଂ ସମଗ୍ର ବିଶ୍ୱର କମ୍ପାନୀ ଆସି ଭାରତରେ ପୁଞ୍ଜିନିବେଶ କରି ଲାଭାନ୍ଵିତ ହୋଇପାରିବେ |

ମୂଳ ଲେଖା : ଯୋଗେଶ ସୁଦ, ସାମ୍ବାଦିକ

ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ