ରୁଷ-ଭାରତ-ଚୀନ ଫର୍ମାଟ  ଜି-20 ଶିଖର ସମ୍ମିଳନୀରେ ସକ୍ରିୟ

Buenos Aires ରେ ଜି-20 ଶିଖର ସମ୍ମିଳନୀ ଅବସରରେ ଦୀର୍ଘ 12 ବର୍ଷ ବ୍ୟବଧାନ ପରେ  ଭାରତ, ରୁଷ ଓ ଚୀନ (ଆରଆଇସି) ର ନେତା ମାନେ ସାକ୍ଷାତ ଆଲୋଚନା କରିଥିଲେ | ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନ ଙ୍କ ଉଦ୍ୟମ ବଳରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |

ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରାଷ୍ଟ୍ରପତି ପୂତିନ  ବିଭିନ୍ନ କ୍ଷେତ୍ରରେ ତିନି ଦେଶ ମଧ୍ୟରେ ସହଯୋଗ ସଙ୍କ୍ରାନ୍ତରେ ବ୍ୟାପକ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାକୁ  ‘ଏକ ଉତ୍କୃଷ୍ଟ ବୈଠକ’ ବୋଲି ଅଭିହିତ କରି ଏହା ବିଶ୍ଵ ଶାନ୍ତି ସ୍ଥାପନାରେ ବୃଦ୍ଧି କରିବା ସହ ତିନି ଦେଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ  ଆହୁରି ନିବିଡ କରିବ ବୋଲି ମତବ୍ୟକ୍ତ କରିଛନ୍ତି | ତିନି ଦେଶ ମଧ୍ୟରେ ଆପୋଷ ସହଯୋଗ ଆନ୍ତର୍ଜାତୀୟ ଫୋରମ କୁ ଆହୁରି ମଜବୁତ କରିବା ସହିତ ସେମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ ଲାଗି ପ୍ରୋତ୍ସାହନ କରିବ ବୋଲି ମଧ୍ୟ  ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି |

ଜାତିସଂଘ, ବିଶ୍ଵ ବାଣିଜ୍ୟ ସଂଗଠନ (ଡ଼ବଲଇଉଟିଓ) ଓ ଏସୀୟ ବିକାଶ  ବ୍ୟାଙ୍କ (ଏଡ଼ିବି) ଭଳି ବିଶ୍ଵ ଆର୍ଥିକ ଅନୁଷ୍ଠାନ ଆଦି ସମେତ ଅନ୍ୟାନ୍ୟ  ବହୁପକ୍ଷୀୟ ପ୍ରତିଷ୍ଠାନ ଗୁଡିକରେ ସଂସ୍କାର ଆଣିବା ସହ ଏହାକୁ ଆହୁରି ମଜବୁତ କରିବା ଉପରେ ପ୍ରାଥମିକତା ଦେବା ଲାଗି ସେମାନେ ଏକମତ ହୋଇଛନ୍ତି | ଏହି ବହୁପକ୍ଷୀୟ ପ୍ରତିଷ୍ଠାନ ଗୁଡିକ ସମଗ୍ର  ବିଶ୍ଵ କୁ ଫାଇଦା ପହଞ୍ଚାଉଛି ବୋଲି ତିନି ନେତା ବିଶ୍ଵାସ ପ୍ରକଟ କରିଛନ୍ତି || ସେମାନେ ଏକ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ସ୍ଥାପନା ଉପରେ ଗୁରୁତ୍ଵାରୋପ କରି ବିଶ୍ଵ ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ ଏକ ମୁକ୍ତ  ବିଶ୍ଵ ଅର୍ଥନୀତି ଉପରେ ମଧ୍ୟ ଜୋର ଦେଇଛନ୍ତି |

ବିଆରଆଇସିଏସ (ବ୍ରାଜିଲ,ରୁଷ , ଭାରତ,ଚୀନ ଓ ଦକ୍ଷିଣ ଆଫ୍ରିକା ),ଏସସିଓ (ସାଙ୍ଘାଇ ସହଯୋଗ ସଂଗଠନ) ଓ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ) ବ୍ୟବସ୍ଥା ଭଳି ବହୁପକ୍ଷୀୟ ସଂଗଠନ ଜରିଆରେ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ଶାନ୍ତି ଓ  ସ୍ଥିରତା ଏବଂ ସହଯୋଗକୁ ମଜବୁତ କରିବା ଲାଗି ତିନି ନେତା ସହଯୋଗ ବୃଦ୍ଧି କରିବା ପାଇଁ ମିଳିତ ନିୟମିତ ବିଚାର ବିମର୍ଶ କରିବା ସକାଶେ ସହମତି ପ୍ରକାଶ କରିଛନ୍ତି |ଏହି ବ୍ୟବସ୍ଥା ସେମାନଙ୍କୁ ସନ୍ତ୍ରାସବାଦୀ ଓ ଜଳବାୟୁ  ପରିବର୍ତ୍ତନ ଭଳି ସମଗ୍ର ବିଶ୍ଵରେ ଉଭା ହୋଇଥିବା ଚାଲେଞ୍ଜ ଗୁଡିକର ମୁକାବିଲା କରିବା ଓ ସବୁ ମତଭେଦ ଗୁଡିକର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ବାହାର କରିବା ଏବଂ ଦୁର୍ବିପାକ ସମୟରେ ରିଲିଫ ଓ ଊଦ୍ଧାର କାର୍ଯ୍ୟ ସହ ମାନବୀୟତା ସହାୟତା ଆଦିରେ ଯୋଗଦାନ କରିବା ଦିଗରେ ମଧ୍ୟ ସାହାଯ୍ୟ  କରିବ ବୋଲି ଏହି ତିନି ନେତା ଆସ୍ଥା ପ୍ରକଟ କରିଛନ୍ତି | ବିଶେଷତଃ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବିକଶିତ ଦେଶ ଗୁଡିକ ନିଜର ପ୍ରତିଶୃତିବଦ୍ଧତା ଠିକରେ ପାଳନ କରୁନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନିରନ୍ତର ବିକାଶ ଲକ୍ଷ (ଏସଡ଼ିଜିଏସ)କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି |

ପଶ୍ଚିମ ରାଷ୍ଟ୍ର ବିଶେଷକରି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଗୁଡିକର କୌଣସି ବି ସନ୍ଦେହ କୁ ଦୂର କରିବାପାଇଁ ତିନି ଦେଶ କହିଛନ୍ତି ଯେ ସେମାନେ ଐକ୍ୟବଦ୍ଧ ହେବା ଅର୍ଥ କୌଣସି ତୃତୀୟ ଦେଶ ର ବିରୁଦ୍ଧରେ ନୁହେଁ ବରଂ ବିଶ୍ୱସ୍ତରରେ  ହିତ ସାଧନ ଲାଗି ଅବଦାନ ଦେବା ହେଉଛି ତାଙ୍କର ମୂଳ ଲକ୍ଷ |ଆରଆଇସି ର ଏକାଠି ହେବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ | ଏହି ତିନି ନେତା ବିଶ୍ଵାସ କରନ୍ତି ଯେ ସେମାନଙ୍କ ଦେଶର ଅଭିନ୍ନ ଶକ୍ତି ଆନ୍ତର୍ଜାତୀୟ ସ୍ଥିରତା ସ୍ଥାପନ ଦିଗରେ ସହାୟତା କରିବ | ସେମାନଙ୍କ ଉଦ୍ୟମ ବଳରେ  ବୈଶ୍ଵିକ ଅର୍ଥନୈତିକ ପ୍ରବନ୍ଧନ ଆହୁରି ମଜବୁତ ହେବ ଯାହାକି ଆନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ବୋଲି ମଧ୍ୟ ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି |

ଅନେକ କାରଣରୁ ରାଷ୍ଟ୍ର ତଥା ସରକାରୀ ମୁଖ୍ୟ ମାନଙ୍କ ମଧ୍ୟରେ ଆରଆଇସି ଫର୍ମାଟ ସକ୍ରିୟ ନଥିବା ବେଳେ ବୈଦେଶିକ ମନ୍ତ୍ରୀ ମାନେ ରୀତିମତ ସାକ୍ଷାତ ଆଲୋଚନା କରୁଥିଲେ |  ସେମାନଙ୍କ ମଧ୍ୟରେ ଅନ୍ତିମ ବୈଠକ 2018 ରେ ଆୟୋଜନ କରାଯାଇଥିଲା |

ଆରଆଇସି  ମଞ୍ଚ ଗଠନ ଏହି  ତିନି ଦେଶ ପାଇଁ ବୈଶ୍ଵିକ ଅର୍ଥନୀତି ସମେତ  ବିଶ୍ଵ କୁ ପ୍ରଭାବିତ କରିବା ଲାଗି ଏକ ମହତ୍ବପୂର୍ଣ୍ଣ ଫର୍ମାଟ ଯାହାକି ଅନିଶ୍ଚିତତା ଦେଇ ଗତି କରୁଛି | ତିନି ନେତା ଆରଆଇସି ଫର୍ମାଟ ରେ  ସହଯୋଗ ଉପରେ ଗୁରୁତ୍ଵାରୋପ କରିଛନ୍ତି ଓ ବହୁପକ୍ଷୀୟ ଶିଖର ସମ୍ମିଳନୀରେ ଏପରି ତ୍ରିପକ୍ଷୀୟ ବୈଠକ ଆୟୋଜନ କରିବା ଲାଗି ଏକମତ ହୋଇଛନ୍ତି | ସେମାନେ ବିଶ୍ଵ ଶାନ୍ତି, ସ୍ଥିରତା ଓ ବିକାଶ କ୍ଷେତ୍ରରେ ମିଳିତ ଭାବେ ଯୋଗଦାନ କରିବା ପାଇଁ ସମନ୍ଵୟ ବୃଦ୍ଧି କରିବା, ସର୍ବସମ୍ମତି  ସ୍ଥାପନ କରିବା ଓ ତ୍ରିପକ୍ଷୀୟ ସହଯୋଗ କୁ ଆହୁରି ମଜବୁତ କରିବା ଲାଗି ମଧ୍ୟ ସହମତି ପ୍ରକାଶ କରିଛନ୍ତି |

ଜି-20 ଶିଖର ସମ୍ମିଳନୀ ସମୟରେ ଆରଆଇସି ରାଷ୍ଟ୍ର ସମୂହ ର ଏକତ୍ରୀକରଣ  ହେବା ଏକତରଫାବାଦ, ଜାତିସଂଘ ର ସହମତି ବିନା ଲାଗୁକରାଯାଇଥିବା ପ୍ରତିବନ୍ଧକ,  କ୍ଷୁଦ୍ର ଗୋଷ୍ଠୀ ଓ ସଂରକ୍ଷଣବାଦ ବିରୁଦ୍ଧରେ ଏକ ସ୍ପଷ୍ଟ ସଂକେତ ସଦୃଶ ଥିଲା | ଏହି ତିନି ନେତା ବହୁପକ୍ଷବାଦର ସମର୍ଥନ କରନ୍ତି ଓ ଆନ୍ତର୍ଜାତୀୟ ଆଇନ, ଅନୁଷ୍ଠାନ ତଥା  ନ୍ୟାୟ ବ୍ୟବସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି |

ଜି-20 ଶିଖର ସମ୍ମିଳନୀ ଅବସରରେ ଭାରତ, ଜାପାନ ଓ ଆମେରିକା ସହ ମଧ୍ୟ  ପ୍ରଥମ ଥର ଲାଗି ଆୟୋଜିତ ତ୍ରିପକ୍ଷୀୟ ବୈଠକ ସମୟରେ ବୈଶ୍ଵିକ ଓ ବହୁପକ୍ଷୀୟ  ସ୍ଵାର୍ଥ ବିଜଡିତ ବିଭିନ୍ନ ପ୍ରସଙ୍ଗ ନେଇ ବିସ୍ତ୍ରୁତ ଆଲୋଚନା କରିଥିଲା | ଭାରତ –ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ର ବୃଦ୍ଧି ପାଉଥିବା ଆଧିପତ୍ୟ ପରିପ୍ରେକ୍ଷୀରେ ଏହି ବୈଠକ କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି |ଏହି ବୈଠକରେ ଭାରତ , ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କୁ ଏକ ମିଳିତ ଆର୍ଥିକ ବିକାଶ ର କ୍ଷେତ୍ର ରେ ପରିଣତ କରିବାଲାଗି ନିଜର ପ୍ରତିଶୃତିବଦ୍ଧତା ଦୋହୋରାଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସ୍ଥିତି ଓ ଦୁରଦୃଷ୍ଟି  ବିଷୟ ଜଣାଇ କହିଥିଲେ ଯେ ସମସ୍ତଙ୍କ ହିତ ସାଧନ ନିମନ୍ତେ ଭାରତ ମିଳିମିଶି କାମ କରିବା ଜାରି ରଖିବ | ଶ୍ରୀ ମୋଦୀ ଜାପାନ,ଆମେରିକା ଓ ଭାରତ ଆଦି ତିନୋଟି ଦେଶକୁ ‘ଜୟ’ ନାମରେ ନାମିତ କରିଛନ୍ତି |

ଦ୍ରୁତ ଗତିରେ ପରିବର୍ତ୍ତନଶୀଳ  ବୈଶ୍ଵିକ ଅର୍ଥନୈତିକ ଓ ରାଜନୈତିକ ପରିଦୃଶ୍ୟରେ  ସବୁ ପ୍ରମୁଖ ଶକ୍ତି ସହ ଏକ ଦୃଢ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ  ଅତ୍ୟନ୍ତ ମହତ୍ବପୂର୍ଣ୍ଣ |

ମୂଳଲେଖା : ଡଃ ଇନ୍ଦ୍ରାଣୀ ତାଲୁକଦାର , ରୁଷ  ସାମରିକ ମାମଲାର ବିଶ୍ଲେଷିକା

ଅନୁବାଦ : ରୀତା ଜୋଶୀ