ଚତୁର୍ଥ ରାଇସୀନା ଡାଏଲଗ

ପ୍ରମୁଖ ଆନ୍ତର୍ଜାତୀୟ ନୀତି ନିୀର୍ଦ୍ଧାରକ, ଶିକ୍ଷାବିଦ ଏବଂ ରାଜନୈତିଜ୍ଞ ବିଶେଷଜ୍ଞମାନଙ୍କ ଯୋଗଦାନ ସହିତ ଚତୁର୍ଥ ରାଇସୀନା ଡାଏଲଗ ନୂଆଦିଲ୍ଲୀରେ ସଂପନ୍ନ ହୋଇଛି । ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କ ଉପସ୍ଥିତି ପରବର୍ତ୍ତି ଦୁଇଦିନର ଆଲୋଚନାକୁ ଖୋରାକ ଯୋଗାଇଲା । ଅବଜର୍ଭର ରିସର୍ଚ୍ଚ ଫାଉଣ୍ତେସନ ଏବଂ ବୈଦେଶିକ ମନ୍ତ୍ରଣାଳୟର ସମନ୍ବୟରେ ଆୟୋଜିତ ରାଇସୀନା ଡାଏଲଗ ଏକ ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମ ଭାବରେ ଉଭା ହୋଇଛି ।
ନରୱେର ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଲେ ଯେ ସାମୁଦ୍ରିକ ଅର୍ଥ ବ୍ୟବସ୍ଥା କିମ୍ବା ଅନ୍ୟ ବ୍ୟବସ୍ଥାଗୁଡିକର ସଂଚାଳନର ସିଦ୍ଧାନ୍ତ ସର୍ବଦା ସଠିକ ଏହା କୁହାଯାଇ ନପାରେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କ ଅଭିଭାଷଣରେ କହିଲେ ଯେ ଭାରତ ଏକ ଗଣତାନ୍ତ୍ରୀକ ଏବଂ ନିୟମ ଉପରେ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥାର ପକ୍ଷଧର, ଯେଉଁଥିରେ ସବୁ ଦେଶର ସମାନ ଭାଗିଦାରୀ ରହିବ । ଏହି ମନ୍ତବ୍ୟ ପରୋକ୍ଷରେ ଦକ୍ଷିଣ ଚୀନ ସାଗରରେ ଚୀନର ବିସ୍ତାରବାଦି କାର୍ଯ୍ୟକଳାପ ପରିପ୍ରେକ୍ଷିରେ ଥିବା ପ୍ରତିତ ହେଉଛି । ଏହି ବିଷୟ ବିଭିନ୍ନ ପ୍ୟାନେଲରେ ଆଲୋଚନାର ବିଷୟ ମଧ୍ୟ ହେଲା ।
ରାଇସୀନା ଡାଏଲଗ ଏକ ଏପରି ବହୁପକ୍ଷୀୟ ସମ୍ମିଳନୀ ଯେଉଁଥିରେ ସାଂପ୍ରତିକ ବିଶ୍ବର ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରତିବଦ୍ଧତା ଥିବା ପରିଲକ୍ଷିତ ହୁଏ । ରାଇସୀନା ଡାଏଲଗରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଗୋଟିଏ ମଞ୍ଚରେ ସାମିଲ ହୋଇଥାନ୍ତି, ଯେଉଁଥିରେ ରାଜ୍ୟର ମୁଖ୍ୟ, କ୍ୟାବିନେଟ ମନ୍ତ୍ରୀ ଏବଂ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସମେତ ଘରୋଇ କଂପାନୀଗୁଡିକର ପ୍ରମୁଖ ଅଧିକାରୀ ମଧ୍ୟ ସାମିଲ ଥାଆନ୍ତି । ଏହି ସମ୍ମିଳନୀର ଉଦଯାପନ ମ୍ୟାଲେସିଆ ନେତା ଅନୱର ଇବ୍ରାହିମଙ୍କ ଏକ ବୈଧାନିକ ଭାଷଣ ମଧ୍ୟରେ ହେଲା ଯାହାଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ଉତ୍ତରାଧିକାରୀ ଭାବେ କୁହାଯାଉଛି । ଅବଜର୍ଭର ରିସର୍ଚ୍ଚ ଫାଉଣ୍ତେସନର ଅଧ୍ୟକ୍ଷ ସୁଜୋୟ ଯୋଶୀଙ୍କ ମତରେ ଏହି ଆଲୋଚନା ପୁରୁଣା ବ୍ୟବସ୍ଥାକୁ ପୁନର୍ବାର ସ୍ଥାପିତ କରିବା ଏବଂ ଏହି ଶତାବ୍ଦି ପାଇଁ ମାନବୀୟ ଆକାଂକ୍ଷାକୁ ରୂପ ଦେବା ପାଇଁ ନିୟମକୁ ପୁନଃଲେଖନ ପାଇଁ ସୁଯୋଗ ଦେଇଥାଏ । ସଂଗଠନର ଅଧ୍ୟକ୍ଷ ସମୀର ଶରନଙ୍କ ମତରେ ରାଇସୀନା ଡାଏଲଗ ଚଳିତ ବର୍ଷ ମୁଖ୍ୟତଃ ୟୁରୋପ ଏବଂ ୟୁରେସୀଆ ଉପରେ କେନ୍ଦ୍ରିତ ରହିଥିଲା ।
ଏହାବ୍ୟତିତ ରାଇସୀନା ଡାଏଲଗରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବିଷୟ ଉପରେ ଗହନ ଆଲୋଚନା ହୋଇଛି, ଯେଉଁଥିରେ ଭାରତୀୟ ନୌବାହିନୀ ମୁଖ୍ୟ ଆଡମିରାଲ ସୁନିଲ ଲାମ୍ବାଙ୍କ ସହିତ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଆଦି ଦେଶର ସାମରିକ ଅଧିକାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ସମ୍ମିଳନୀରେ ଉଦବୋଧନ ଦେଇ ପଡୋଶୀ ଦେଶ ସହିତ ଭାରତର ବିଦେଶ ନୀତି ସମ୍ମୁଖରେ ବର୍ତ୍ତମାନ ରହିଥିବା ଚ୍ୟାଲେଞ୍ଜଗୁଡିକର ଅବତାରଣା କରିଥିଲେ ।
2019ରେ ଆୟୋଜିତ ଏହି ଚତୁର୍ଥ ରାଇସୀନା ଡାଏଲଗରେ 92ରୁ ଉର୍ଦ୍ଧ ଦେଶର ପ୍ରାୟ 600 ପ୍ରତିନିଧି ଏବଂ ବକ୍ତାଙ୍କ ସମେତ 2000ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ । ଚଳିତ ବର୍ଷର ଏହି ସମ୍ମିଳନୀରେ ପୂର୍ବତନ ବ୍ରିଟେନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ଇଟାଲିର ପୂର୍ବ ପ୍ରଧାନମନ୍ତ୍ରୀ ପାଓଲୋ ଜେଣ୍ଟିଲୋନି, କାନାଡାର ପୂର୍ବ ପ୍ରଧାନମନ୍ତ୍ରୀ ଷ୍ଟିଫନ ହାର୍ପର, ସ୍ବେଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଡ୍ଟ, ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇଙ୍କ ପରି ବିଶ୍ବ ନେତାମାନଙ୍କ ବ୍ୟତିତ ଇରାନ, ଅଷ୍ଟ୍ରେଲିଆ, ସ୍ପେନ, ମଙ୍ଗୋଲିଆ ଏବଂ ନେପାଳର ବିଦେଶ ମନ୍ତ୍ରୀମାନେ ଯୋଗ ଦେଇଥିଲେ।
ସିଙ୍ଗାପୁରେ ଆୟୋଜିତ ହେଉଥିବା ବାର୍ଷିକ ସଙ୍ଗ୍ରିଲା ଡାଏଲଗ ପରେ ରାଇସୀନା ଡାଏଲଗ ମଧ୍ୟ ଉଚ୍ଚସ୍ତରୀୟ ଭାଗିଦାରୀସଂପନ୍ନ ଏସିଆର ଅନ୍ୟ ଏକ ପ୍ରତିଷ୍ଠିତ ମଞ୍ଚ ଭାବରେ ପ୍ରତିଷ୍ଠା ଅର୍ଜନ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ଗତ ବର୍ଷ ସଙ୍ଗ୍ରିଲା ଡାଏଲଗରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ରାଇସୀନା ଡାଏଲଗରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବିଶ୍ବ ସହିତ ଭାରତର ସକ୍ରୀୟ ଭାଗିଦାରୀ ଉପରେ ମତ ରଖିଥିଲେ ଯାହାକି ଆମର ସିଦ୍ଧାନ୍ତ ହେଉଛି ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ।

ମୂଳ ଲେଖା: ରଣଜୀତ କୁମାର
ଅନୁବାଦ: ରାମଚଂଦ୍ର ନାଥ