ପାକିସ୍ତାନ ପୁଣିଥରେ ସ୍ଵରୂପରେ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ନିଜର ଅସଲି ରୂପ  ପ୍ରମାଣ କରିଛନ୍ତି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁ ମାନଙ୍କ ରହଣି ଶୈଳୀ ଉପରେ ମନ୍ତବ୍ୟ ଦେଇଛନ୍ତି | ଏପରି ନିରର୍ଥକ ଅଭିଯୋଗ ପ୍ରତ୍ଯେକ ଭାରତୀୟ ଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ  | ସର୍ବୋପରି ଏହି ମନ୍ତବ୍ୟ ଏପରି ଜଣେ ବ୍ୟକ୍ତି ଦେଇଛନ୍ତି ଯିଏକି ଏକ ରାଷ୍ଟ୍ର ମୁଖ୍ୟ ଅଛନ୍ତି |

ଭାରତ ସରକାର ଓ ସବୁ ଭାରତୀୟ ମାନେ ଶ୍ରୀ ଖାଁ ଙ୍କ ମନ୍ତବ୍ୟ ପ୍ରତି ତୀବ୍ର ସମାଲୋଚନା କରିଛନ୍ତି | ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଣିଥରେ ଭାରତର ଧର୍ମନିରପେକ୍ଷ ରାଜନୀତି ଓ ଆଦର୍ଶ ବିଷୟରେ ହୃଦୟଙ୍ଗମ କରିବାରେ ଅସମର୍ଥ ହୋଇଛନ୍ତି | ଗଣତାନ୍ତ୍ରିକ ରାଜନୀତି  ଓ ପ୍ରଗତିଶୀଳ ଭାରତ ର ସମ୍ବିଧାନ ଅଧୀନରେ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ସଂପ୍ରଦାୟର ଲୋକମାନେ ଭାରତରେ ବସବାସ କରିବାର ବାସ୍ତବତା କୁ ସେ ଅଣଦେଖା କରୁଛନ୍ତି | ଭାରତ ଆହୁରି ମଧ୍ୟ କହିଛି ଯେ ଅନ୍ୟ ପ୍ରସଙ୍ଗ ଉପରେ ନିଜର ଧ୍ୟାନ ହଟେଇବା ପରିବର୍ତ୍ତେ ଦେଶର ନାଗରିକ ମାନଙ୍କ ସ୍ଥିତି ରେ ସୁଧାର ଆଣିବା ଓ ତାର ଦେଶୀୟ ଚାଲେଞ୍ଜ ଗୁଡିକୁ ମୁକାବିଲା କରିବା ଦିଗରେ  ପାକିସ୍ତାନ ମୁଖ୍ଯତଃ କାର୍ଯ୍ୟ କରିବା ଉଚିତ |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଏପରି  ମନ୍ତବ୍ୟ ଭାରତ ବିଷୟରେ ତାଙ୍କ ଅନଭିଜ୍ଞତା ଦର୍ଶାଉଛି | ଶ୍ରୀ ଇମ୍ରାନ ଖାଁ ବୁଝିବାରେ କେତେ ଅସମର୍ଥ ତାହା ଏଥିରୁ ସ୍ପଷ୍ଟ ଅନୁମେଯ ହେଉଛି  |ଇମ୍ରାନ ଖାଁ ଜଣେ ଖ୍ୟାତିନାମା କ୍ରିକେଟ ଖେଳାଳୀ ଭାବେ ଭାରତରେ ବେଶ ପରିଚିତ | କ୍ରିକେଟ ଖେଳୁଥିବା ସମୟରେ ସେ ବହୁବାର ଭାରତ ଗସ୍ତ ରେ ଆସିଥିଲେ ଓ ଦେଶ ବ୍ୟାପୀ ଅନେକ ସ୍ଥାନରେ ଖେଳିଥିଲେ | କ୍ରୀଡାବିତ ମାନଙ୍କ ଜାତୀୟତା ନିର୍ବିଶେଷ ରେ ସେମାନଙ୍କ ପ୍ରତି ଭାରତୀୟ ମାନଙ୍କ ଯଥେଷ୍ଟ ସମ୍ମାନ ରହିଛି | ତେଣୁ ଶ୍ରୀ ଖାଁ ଙ୍କ ଏହି ଅବାନ୍ତର ଅଭିଯୋଗ  ଅବଶ୍ୟ କୋଟି କୋଟି ଭାରତୀୟ ଙ୍କ ମନରେ ଆଘାତ ଦେଇଛି |

ପାକିସ୍ତାନ ରେ ସଂଖ୍ୟା ଲଘୁ ସମ୍ପ୍ରଦାୟ `ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟ  ର ନୀତି ଅନୁସରଣ କରିବା ଲାଗି ବାଧ୍ୟ ହୋଇଥାନ୍ତି ବୋଲି ସର୍ବପରିଚିତ | ନଚେତ ସେହି ଦେଶର ସମାଜ ରେ ସେମାନଙ୍କ ସ୍ଥାନ ନାହିଁ  ବୋଲି ମଧ୍ୟ କାହାକୁ ଅଜଣା ନୁହେଁ | ପାକିସ୍ତାନ ରେ ‘ସଂଖ୍ୟାଲଘୁ’ ର ଅର୍ଥ ଅନେକ ରହିଛି | ଏହା ଧାର୍ମିକ, ଭାଷାଗତ ଓ ଜାତିଗତ ତଥା ଲୋକମାନଙ୍କ ପୋଷାକ ପରିଧାନ ଉପରେ ଆଧାରିତ |

ଶ୍ରୀ ଖାଁ ମଧ୍ୟ ଏହା ସ୍ମରଣ କରିବା ଉଚିତ ଯେ ତାଙ୍କ ର ଜଣେ ମହାନ ପ୍ରଶଂସକ ଜେନେରାଲ ଜିଆ ଉଲ ହକ ପାକିସ୍ତାନୀ ମହିଳା ମାନଙ୍କୁ ଶାଢୀ ପରିଧାନରୁ ବାରଣ କରିଥିଲେ | ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଇଥିଲା କାରଣ ପାକିସ୍ତାନ ର ତତ୍କାଳୀନ ରାଷ୍ଟ୍ରପତି ଶାଢୀ କୁ ବିଦେଶୀ ପୋଷାକ ଭାବେ ବିବେଚନା କରୁଥିଲେ | ଏନେଇ  ଫତ୍ଵା ଜାରୀ କରାଯିବା ପରେ ପାକିସ୍ତାନ ରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା |

ସିନ୍ଧି ଓ ବାଲୁଚି ଭାଷାଭାଷୀ ସଂଖ୍ୟାଲଘୁ ଶ୍ରେଣୀର ଲୋକଙ୍କୁ ଦେଶର ବିକାଶମୂଳକ କାର୍ଯ୍ୟସୂଚୀ ପରିଧିରେ ସାମିଲ କରାଯାଉନାହିଁ  | ପଞ୍ଜାବ-ସିନ୍ଧ ମଧ୍ୟରେ ଚିରଶତ୍ରୁତା ଲାଗି ରହିଛି | ବିଶ୍ଵର ସର୍ବପୁରାତନ ଭାଷା ମଧ୍ୟରେ ଅନ୍ଯତମ ସିନ୍ଧି ଭାଷାର ବକ୍ତା ମାନଙ୍କ ପ୍ରତି ପାତର ଅନ୍ତର ଆଚରଣ ପ୍ରଦର୍ଶନ କରାଯାଉଛି | ବାଲୁଚ ମାନଙ୍କ ପ୍ରତି ମଧ୍ୟ ଏହି ସମାନ ଆଚରଣ କରାଯାଉଛି |  ବାଲୁଚି ମାନେ ନିଜକୁ ପାକିସ୍ତାନୀ ବୋଲି ବିବେଚନା କରୁନାହାନ୍ତି ତେଣୁ ପାକିସ୍ତାନ ସରକାର ସେମାନଙ୍କ ପ୍ରତି ଘୃଣା ମନୋଭାବ ପ୍ରଦର୍ଶନ କରୁଛନ୍ତି |

ଶ୍ରୀ ଖାଁ ଙ୍କୁ ସମଗ୍ର ବିଶ୍ଵ କୁ ଜଣେଇବାକୁ ପଡିବ ଯେ ତାଙ୍କ ସରକାର ‘ତେହେରିକ-ଇ-ଲାବାଇକ-ପାକିସ୍ତାନ’ ଭଳି କଠୋରପନ୍ଥୀ ସଂଗଠନ ସମ୍ମୁଖରେ କିପରି ମୁଣ୍ଡ ନୂଆଁଇଲା | ଧର୍ମକୁ ଅପମାନ କରିଥିବା ମାମଲାରେ ଏକ ଦଶନ୍ଧି ଧରି ଜେଲ ଦଣ୍ଡ ଭୋଗ କରିବା ପରେ ଖ୍ରୀଷ୍ଟିୟାନ ମହିଳା ଆସିଆ ବିବିଙ୍କୁ ଗତ ବର୍ଷ ଦୋଷମୁକ୍ତ କରାଯିବା ପରେ ଏହି ସଂଗଠନ ପକ୍ଷରୁ ଦ୍ଵେତ ସହର ଇସଲାମାବାଦ- ରାୱାଲପିଣ୍ଡିର ସବୁ ମାର୍ଗକୁ  ଅବରୋଧ କରାଯାଇଥିଲା | ଗତ କିଛି ସପ୍ତାହ ପୂର୍ବରୁ ଆସିଆ ଙ୍କୁ ଦୋଷମୁକ୍ତ କରିବା ରାୟ ବିରୁଦ୍ଧରେ ପୁନର୍ବିଚାର ଲାଗି ଆଗତ ପିଟିସନ କୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ | ତେଣେ ପାକିସ୍ଥାନ ତାଙ୍କୁ ଯଥେଷ୍ଟ ସୁରକ୍ଷା ପ୍ରଦାନ କରିନଥିବାରୁ ସେ ଓ ତାଙ୍କ ପରିବାର ଅନ୍ୟ କୌଣସି ଦେଶରେ ଶରଣ ନେଇଥିବାର ଖବର ମିଳିଛି | ଆସିଆ ବିବିଙ୍କ ଓକିଲ ତାଙ୍କ ସପକ୍ଷରେ ଯୁକ୍ତି ବାଢିଥିବାରୁ କଠୋରପନ୍ଥୀ ମାନଙ୍କ ଭୟରେ ସେ ଗତବର୍ଷରୁ ନେଦର୍ଲାଣ୍ଡ ରେ ଆଶ୍ରୟ ନେଇଛନ୍ତି |

ତେଣୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ଏଭଳି ଅଯାଚିତ ମନ୍ତବ୍ୟ କୁ ପ୍ରତ୍ୟାକ୍ଷାନ କରିବା ଉଚିତ | ଭାରତ ହେଉଛି ଏପରି ଏକ ଦେଶ ଯାହାକି ଗଣତାନ୍ତ୍ରିକ, ସମାନତା ଓ ଭାତୃତ୍ୱଭାବ ଉପରେ ପର୍ଜ୍ୟବେଶିତ | ଭାରତ ର ସମ୍ବିଧାନ ଉପରେ ପ୍ରତୀଟି  ଭାରତୀୟ ଙ୍କ ପ୍ରଗାଢ ବିଶ୍ଵାସ ରହିଛି | ଭାଷା , ଖାଦ୍ୟ ତଥା ପୋଷାକ ପରିଧାନ କୁ ଆଧାର କରି କୌଣସି ଭାରତୀୟ ଙ୍କ ମଧ୍ୟରେ ଭେଦ ଭାବ କରାଯାଏ ନାହିଁ | ଶ୍ରୀ ଖାଁ ଏବିଷୟ ନେଇ ସମ୍ପୁର୍ଣ୍ଣ ଅବଗତ ଅଛନ୍ତି କିନ୍ତୁ ପାକିସ୍ତାନୀ ରାଜନୀତି ତାଙ୍କୁ ଭାରତ ବିରୁଦ୍ଧରେ ଏପରି ନିନ୍ଦନୀୟ ମନ୍ତବ୍ୟ ଦେବାକୁ ବାଧ୍ୟ କରୁଛି |

ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଭାବେ ପଦ ଭାର ଗ୍ରହଣ କରିବାର ପ୍ରାୟ ବର୍ଷେ ସମୟ ହୋଇଥିବା ବେଳେ ଏକ ନୂତନ ପାକିସ୍ତାନ ଗଠନ ଲାଗି ତାଙ୍କ ପ୍ରତିଶୃତି ଅଧୋଗତି ଆଡକୁ ମୁହାଁଇଛି | ଆମେରିକା ଭଳି ଦେଶ ପାକିସ୍ତାନ କୁ ଅର୍ଥ ସହାୟତା ବନ୍ଦ କରି  ଦେଇଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାଉଦି ଆରବ , ଇଉଏଇ ଓ ଚୀନ ଭଳି ଦେଶ ଠାରୁ ପାକିସ୍ତାନ ସାହାଯ୍ୟ ଲୋଡୁଛି | ତେବେ ଭାରତ ବିରୁଦ୍ଧରେ ରାଜନୀତି ଅବ୍ୟାହତ ରଖିଛି |

ଶ୍ରୀ ଇମ୍ରାନ ଖାଁ ଏକଥା ମନେରଖିବା  ଉଚିତ ଯେ ‘କାଚ ଘରେ ରହିବା ଲୋକ ଅନ୍ୟ ମାନଙ୍କ ଉପରେ ପଥର ଫିଙ୍ଗନ୍ତି ନାହିଁ’ |

ମୂଳ ଲେଖା : କୌଶିକ ରାୟ , ଆକାଶବାଣୀ : ସାମରିକ ବ୍ୟାପାରୀୟ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ