ପାକିସ୍ତାନ ସମର୍ଥିତ ସନ୍ତ୍ରାସବାଦି ସଂଗଠନ ଜୈସେ ମହମ୍ମଦ ଦ୍ବାରା ଜମ୍ମୁ କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ଚାଳିଶରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ଯବାନ ଶହିଦ ହୋଇଛନ୍ତି । 2016ରେ ଉରିରେ ବିଏସଏଫ ଶିବିର ଉପରେ ହୋଇଥିବା ଆକ୍ରମଣ ପରେ ଏହା ଥିଲା ସବୁଠୁ ବଡ ଆତ୍ମଘାତୀ ଆକ୍ରମଣ। ଏହି ଭିରୁତାପୂର୍ଣ୍ଣ କାର୍ଯ୍ୟରେ ଭାରତର ପଡୋଶୀ ଦେଶ ପାକିସ୍ତାନର ସ୍ପଷ୍ଟ ଭାବରେ ହାତ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ଏବଂ ଶହିଦ ପରିବାର ମାନଙ୍କ ପ୍ରତି ଗଭିର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯବାନମାନଙ୍କର ବଳିଦାନ ବୃଥା ଯିବ ନାହିଁ। ବିଶ୍ବର ପ୍ରାୟ ସବୁ ରାଜନୈତିକ ନେତା ମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଆମେରିକା ଏକ ବିବୃତ୍ତିରେ କହିଛି ଯେ ସନ୍ତ୍ରାସବାଦ ମୁକାବିଲା କ୍ଷେତ୍ରରେ ସେ ଭାରତର ସମର୍ଥନ କରୁଛି ଏବଂ ଏହାକୁ ପରାଜିତ କରି ଛାଡିବ। ରୁଷ, ଫ୍ରାନ୍ସ, ଶ୍ରୀଲଙ୍କା, ନେପାଳ, ମାଳଦ୍ବୀପ ଏବଂ ବାଙ୍ଗଲାଦେଶ ମଧ୍ୟ ଏହି ଆକ୍ରମଣର ଦୃଢ ନିନ୍ଦା କରିଛି।
ଭାରତରେ ହୋଇଥିବା ଅନେକ ସନ୍ତ୍ରାସବାଦି ଆକ୍ରମଣରେ ଜୈସେ ମହମ୍ମଦର ହାତ ରହିଛି। ଏହି ସଂଗଠନର ନେତା ମୌଲାନା ମସୁଦ ଅଝର ହେଉଛି ଜଣେ ଆନ୍ତର୍ଜାତୀୟ ସନ୍ତ୍ରାସବାଦି ଯିଏ ପାକିସ୍ତାନରେ ରହି ସରକାରୀ ପୃଷ୍ଠପୋଷକତା ଅର୍ଜନ କରୁଛି। 2008ର ମୁମ୍ବାଇ ସନ୍ତ୍ରାସବାଦି ଆକ୍ରମଣ ପଛରେ ମଧ୍ୟ ଅଝରର ହାତ ଥିଲା। ତାସତ୍ତ୍ବେ ମଧ୍ୟ ପାକିସ୍ତାନ ଆଖି ବୁଜି ଦେଇଛି।
ଭାରତ ଜମ୍ମୁ କଶ୍ମୀରରେ ବିକାଶର ନୀତି ଉପରେ କାର୍ଯ୍ୟ କରୁଛି। ଭାରତ ଚାହୁଁଛି ଏହି ରାଜ୍ୟ ଦେଶର ଏକ ଆଦର୍ଶ ରାଜ୍ୟ ଭାବରେ ଉଭା ହେଉ। କିନ୍ତୁ ସେଠାରେ ଏପର୍ଯ୍ୟନ୍ତ ସନ୍ତ୍ରାସବାଦି କାର୍ଯ୍ୟକଳାପକୁ ଭାରତ ନିୟନ୍ତ୍ରଣ ପୂର୍ଣ୍ଣ ଭାବରେ କରିନାହିଁ। ବାରତର ନିରାପତ୍ତା ବାହିନୀ ସନ୍ତ୍ରାସବାଦିମାନଙ୍କ ବିରୁଦ୍ଧରେ ସଫଳତାର ସହିତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
ଏବେ ସମୟ ଆସିଛି ପାକିସ୍ତାନର ଏହି ଘୃଣିତ କାର୍ଯ୍ୟ ପାଇଁ ଆନ୍ତର୍ଜାତୀକ ସଂପ୍ରଦାୟ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ଜାତିସଂଘ ମଧ୍ୟ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଉଚିତ । 2018ରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ସନ୍ତ୍ରାସବାଦ ଉପରେ ପାକିସ୍ତାନର ଦୋମୁହାଁ ନୀତି ଉପରେ ବିଶ୍ବର ଧ୍ୟାନ ଆକର୍ଷଣ କରିଥିଲେ ।
ପାକିସ୍ତାନ ଯଦିଓ ଏପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ସେମିତି କିଛି ବାଧାର ସମ୍ମୁଖୀନ ହୋଇନାହିଁ କିନ୍ତୁ ସେଦିନ ଦୂର ନୁହେଁ ଯେତେବେଳେ ସେ ଆନ୍ତର୍ଜାତୀୟ କଟକଣାର ସମ୍ମୁଖୀନ ହେବ । ପାକିସ୍ତାନରେ ଘରୋଇ ସମସ୍ୟା ଅନେକ ରହିଛି ଏବଂ ସନ୍ତ୍ରାସବାଦ ପ୍ରତି ତାଙ୍କର କୌଣସି ସ୍ପଷ୍ଟ ନୀତି ମଧ୍ୟ ନାହିଁ। ଏହାବି ସତ ଯେ ସନ୍ତ୍ରାସବାଦି ସଂଗଠନଗୁଡିକ ପାକିସ୍ତାନରେ ନିରାପଦ ଆସ୍ଥାନ ଜମେଇ ବସିଛନ୍ତି। ସରକାର ସେମାନଙ୍କୁ ସହଯୋଗ ମଧ୍ୟ କରୁଛି।
କିଛି ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ କେତେକ ସନ୍ତ୍ରାସବାଦି ଗୋଷ୍ଠି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହିଁ ଥିଲେ ମଧ୍ୟ ସେନାବାହିନୀ ତାହା କରାଇ ଦେଇନଥିଲା। ଏହା ଅଛପା ନାହିଁ ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସନ୍ତ୍ରାସବାଦିମାନଙ୍କୁ ପ୍ରଶିକ୍ଷଣ ଦେଉଛି । ଭାରତରେ ହୋଇଥିବା ପ୍ରାୟ ସବୁ ସନ୍ତ୍ରାସବାଦି ଆକ୍ରମଣର ଦୋଷୀମାନଙ୍କୁ ପାକିସ୍ତାନ ସେନା ତାଲିମ ଦେଇଥିଲା।
ଭାରତ ପାକିସ୍ତାନକୁ କଡା ଜବାବ ଦେଉଛି। ଉରି ଆକ୍ରମଣ ପରେ ଭାରତୀୟ ସେନା ଦ୍ବାରା ସର୍ଜିକାଲ ଆକ୍ରମଣ ମାଧ୍ୟମରେ କଡା ଜବାବ ଦିଆଯାଇଛି, କିନ୍ତୁ ପାକିସ୍ତାନ ଭାରତ ସହିତ ସମକକ୍ଷ ନୁହେଁ ଏହା ସେ ଭଲ ଭାବରେ ଜାଣେ। ଏଣୁ ସନ୍ତ୍ରାସବାଦିମାନଙ୍କ ଦ୍ବାରା ଭାରତରେ ଆକ୍ରମଣ କରାଉଛି।
ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସହିତ ବାରତ ସଂପର୍କରେ ଆହୁରି କଟୁତା ଆସିଛି । ଉଚ୍ଚ ସ୍ତରରେ ଆଜିକୁ 4 ବର୍ଷ ହେଲା ପାକିସ୍ତାନ ସହିତ କୌଣସି ଆଲୋଚନା ହୋଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015ରେ ଲାହୋରକୁ ଅଚାନକ ଗସ୍ତ କରିଥିଲେ ମଧ୍ୟ ଏହାର ସପ୍ତାହ ପରେ ପାକିସ୍ତାନ ସମର୍ଥିତ ସନ୍ତ୍ରାସବାଦିମାନେ ପଠାନକୋଟ ବିମାନ ଘାଟି ଉପରେ ଆକ୍ରମଣ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ 1999ରେ ଦିଲ୍ଲୀ ଲାହୋର ବସ ସେବା ଆରମ୍ଭ କରିଥିଲେ ମଧ୍ୟ ସେହି ବର୍ଷ ପାକିସ୍ତାନ କାରଗୀଲ ଯୁଦ୍ଧ ଆରମ୍ଭ କରିଥିଲା । ଏଣୁ ସବୁ ସମୟରେ ପାକିସ୍ତାନ ଦ୍ବାରା ହିଁ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଖରାପ କରୁଛି ।
ଭାରତ ପାକିସ୍ତାନକୁ ଦୀର୍ଘ ଦିନ ଧରି ସୁଯୋଗ ଦେଇ ଆସିଛି କିନ୍ତୁ ଭାରତର ଧର୍ଯ୍ୟର ମଧ୍ୟ ସୀମା ଅଛି। ପାକିସ୍ତାନକୁ ଭାରତୀୟ ଯବାନମାନଙ୍କୁ ଆକ୍ରମଣ କରିଥିବା ଦୋଷୀମାନଙ୍କୁ ଦଣ୍ତ ଦେବା ଆବଶ୍ୟକ। ପାକିସ୍ତାନ ସନ୍ତ୍ରାସବାଦି ସଂଗଠନଗୁଡିକୁ ମୂଳପୋଛ କରିବା ଦରକାର ଯାହା 2004ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ତାପରେ ଯାଇ ପାକିସ୍ତାନ ଭାରତର ବିଶ୍ବାସଭାଜନ ହୋଇପାରିବ।
ମୂଳଲେଖା: କୌଶୀକ ରାୟ
ଅନୁବାଦ: ରାମଚଂଦ୍ର ନାଥ