ଘଡିସନ୍ଧି ମୁହୂର୍ତ୍ତରେ ଭାରତ-ଆମେରିକା କଥାବାର୍ତ୍ତା

ଭାରତ ଏବଂ ଆମେରିକା ମଧ୍ୟରେ ନିରାପତ୍ତା ଓ ସାମରିକ କଥାବାର୍ତ୍ତାର ନବମ ପର୍ଯ୍ୟାୟ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ଅପେକ୍ଷାରେ ଥିବା ସମୟରେ ଅନୁଷ୍ଠିତ ହୋଇଛି | ଇରାନ ଏବଂ ରୁଷ ବିରୁଦ୍ଧରେ ଆମେରିକାର କଟକଣା ତଥା ଟ୍ରମ୍ଫ ପ୍ରଶାସନ ଦ୍ଵାରା ଭାରତକୁ କୋହଳ ବ୍ୟବସ୍ଥା ପ୍ରଦାନ, ଭେନେଜୁଏଲା ଠାରୁ ତୈଳ କ୍ରୟ ନ କରିବାକୁ ଆମେରିକାର ଭାରତକୁ ପ୍ରସ୍ତାବ ଓ ବାକିରହିଥିବା H1B ଭିସା ପ୍ରସଙ୍ଗର ସମାଧାନ ଇତ୍ୟାଦି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ରହିଛି |  

ଉଭୟ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ନିରାପତ୍ତା ଓ ସାମରିକ କଥାବାର୍ତ୍ତାରେ ଆମେରିକୀୟ ପ୍ରତିପକ୍ଷଙ୍କ ସହ ବୈଠକ କରିବାକୁ ଭାରତୀୟ ବୈଦେଶିକ ଶଚିବ ବିଜୟ ଗୋଖେଲ ସମ୍ପ୍ରତି ୱାଶିଂଟନ ଡିସି ଗସ୍ତ କରିଥିଲେ | ସେଭଳି ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରିକରଣ ଓ ଆଭ୍ୟନ୍ତରୀଣ ବିଭାଗ ଅତିରିକ୍ତ ଶଚିବ ଇନ୍ଦ୍ରମଣି ପାଣ୍ଡେ ମଧ୍ୟ ଆମେରିକା ଗସ୍ତରେ ଯାଇଥିଲେ |  

ଭାରତ ଏବଂ ଆମେରିକା ମଧ୍ୟରେ ନବମ ପର୍ଯ୍ୟାୟ କଥାବାର୍ତ୍ତା ଏକ ବନ୍ଧୁତ୍ତ୍ୱପୂର୍ଣ୍ଣ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଛି | ପରମାଣୁ ନିରସ୍ତ୍ରିକରଣ, ଆଣବିକ ଅସ୍ତ୍ର ଯେଭଳି କୌଣସି ସନ୍ତ୍ରାସବାଦୀ ସଙ୍ଗଠନ ହାତରେ ନପଡେ, ଭାରତରେ ଆମେରିକାର ଆଣବିକ ରିଆକ୍ଟର ସ୍ଥାପନ ସହ ବେସାମରିକ ପରମାଣୁ ସହଯୋଗ ବୃଦ୍ଧି ଏବଂ ପରମାଣୁ ଯୋଗାଣକାରୀ ଗୋଷ୍ଠୀ (NSG) ରେ ଭାରତର ସଦସ୍ୟତାକୁ ଆମେରିକାର ସମର୍ଥନ ପ୍ରଭୃତି ପ୍ରସଙ୍ଗ ମଧ୍ୟ ଏହି କଥାବାର୍ତ୍ତରେ ଆଲୋଚନାର ବିଷୟ ବସ୍ତୁ ଥିଲା | ଉଭୟ ଦେଶ ମଧ୍ୟରେ ମହାକାଶ ସଙ୍କ୍ରାନ୍ତିୟ ଦ୍ଵିପକ୍ଷୀୟ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି |

ଜାମୁ ଓ କାଶ୍ମୀରର ପୁଲୱାମାରେ ପାକିସ୍ତାନ ଭିତ୍ତିକ ଜୈସେ ମହମ୍ମଦ ସନ୍ତ୍ରାସବାଦୀ ଗୋଷ୍ଠୀର ସିଆରପିଏଫ ଯବାନ ମାନଙ୍କ ଗାଡି ଉପରକୁ ଏକ ଜଘନ୍ୟ ଆତ୍ମଘାତି ଆକ୍ରମଣ ପରିପ୍ରେକ୍ଷୀରେ ଏହି କଥାବାର୍ତ୍ତା ଅନୁଷ୍ଠିତ ହୋଇଛି | ଟ୍ରମ୍ଫ ପ୍ରଶାସନ ଏହି ସନ୍ତ୍ରାସବାଦୀ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ଏବଂ ପାକିସ୍ତାନ ସମସ୍ତ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ଭାରତ ବିରୁଦ୍ଧରେ ଆମେରିକା ଦ୍ଵାରା ଯୋଗାଇ ଦିଆଯାଇଥିବା F-16 ବିମାନର ପାକିସ୍ତାନ ଅପବ୍ୟବହାର ସନ୍ଦର୍ଭରେ ମଧ୍ୟ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି |

ଏହି କଥାବାର୍ତ୍ତା ପରେ ଜାରି ଏକ ଇସ୍ତାହାରରେ ସବିସ୍ତୃତ ତଥ୍ୟ ଉଲ୍ଲେଖ କରାଯାଇନଥିଲେ ମଧ୍ୟ ଭାରତୀୟ ବୈଦେଶିକ ଶଚିବ F-16 ବିମାନର ପାକିସ୍ତାନ ଅପବ୍ୟବହାର କରିଥିବାର ପ୍ରମାଣ ଉପସ୍ଥାପନ କରିଥିବା ଅନୁମାନ କରାଯାଉଛି | ସନ୍ତ୍ରାସବାଦ ବିରୁଦ୍ଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଟ୍ରମ୍ଫ ପ୍ରଶାସନ ଏହାର ଆଭିମୂଖ୍ୟରେ କଠୋର ନୀତି ଅବଲମ୍ବନ କରୁଛନ୍ତି |

ଆମେରିକାର ବାସନ୍ଦ ବ୍ୟବସ୍ଥା ପାକିସ୍ତାନରେ ଥିବା ବିଭିନ୍ନ ସନ୍ତ୍ରାସବାଦୀ ଗୋଷ୍ଠୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସକାଶେ ପାକିସ୍ତାନର ଅସଫଳ ପ୍ରଚେଷ୍ଟା ପାଇଁ ଯଥେଷ୍ଟ ନୁହେଁ |  ପୁଲୱାମାରେ ସନ୍ତ୍ରାସବାଦୀ ଆକ୍ରମଣ ଏବଂ ଆଫଗାନିସ୍ତାନରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୃଦ୍ଧି ଏଥିରୁ ପାକିସ୍ତାନର ଆଭିମୁଖ୍ୟର ସ୍ପଷ୍ଟ ଅନୁମେୟ ହେଉଛି |

ଦକ୍ଷିଣ ଏସିଆରେ ସନ୍ତ୍ରାସବାଦକୁ ମୁକାବିଲାରେ ଚୀନର ଅସହଯୋଗକୁ ଭାରତ ପରିପ୍ରକାଶ କରିଛି | ସିଞ୍ଜିଆଙ୍ଗ ପ୍ରଦେଶ ସନ୍ତ୍ରାସବାଦର କବଳରେ ଥିବାବେଳେ ଜାତିସଂଘ ନିରାପତ୍ତା ପରିଷଦରେ ମସୁଦ ଆଝାରକୁ ଏକ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବା ପ୍ରସଙ୍ଗରେ ବେଜିଙ୍ଗ ବାରଣ କରିଦେଇଛି |

ଅନ୍ୟ ଏକ ପ୍ରସଙ୍ଗ ଯାହାର ସମାଧାନର ଆବଶ୍ୟକ ରହିଛି ତାହାହେଲା ଭାରତ-ଆମେରିକା ବାଣିଜ୍ୟ ପ୍ରସଙ୍ଗ | ଉଭୟ ଦେଶ ମଧ୍ୟରେ ରହିଥିବା ବାଣିଜ୍ୟ ବିବାଦର ସମାଧାନ କରିବାର ନିହାତି ଆବଶ୍ୟକତା ରହିଛି | ଟ୍ରମ୍ଫ ପ୍ରଶାସନ ଏକ ତରଫା ଭାବେ ଇସ୍ପାତ ଏବଂ ଆଲୁମିନିୟମ ଉପରେ ଶୁଳ୍କ ବଢାଇଦେଇଛନ୍ତି | ପୁଣି H1B ଭିସା ପ୍ରସଙ୍ଗ ବାକି ଥିବାବେଳେ GSP ତାଲିକାରୁ ଭାରତକୁ ବାଦ ଦେବା ଧମକ ଦେଇଛନ୍ତି |

ଏହି ସବୁ ପ୍ରସଙ୍ଗ ଗୁଡିକର ସମୟାନୁଯାୟୀ ସମାଧାନ ସକାଶେ ପରିପକ୍ଵ କଥାବାର୍ତ୍ତାର ଆବଶ୍ୟକତା ରହିଛି | ସମଗ୍ର ବିଶ୍ବରେ ଅର୍ଥନୀତି ଏବଂ ନିରାପତ୍ତା ପ୍ରସଙ୍ଗ କ୍ରମଶଃ ଗୁରୁତ୍ତ୍ୱପୂର୍ଣ୍ଣ ହେଉଥିବାବେଳେ ଭାରତ-ଆମେରିକା ନିରାପତ୍ତା ଓ ସାମରିକ କଥାବାର୍ତ୍ତାପରେ ଏକ ଅର୍ଥନୈତିକ ଏବଂ ନିରାପତ୍ତା କଥାବାର୍ତ୍ତାର  ନିହାତି ଆବଶ୍ୟକ ରହିଛି |

 

ମୂଳ ଲେଖା :  ପ୍ରଫେସର ଚିନ୍ତାମଣି ମହାପାତ୍ର, JNU

ଅନୁବାଦ     : ଅନୀଲ କୁମାର ପଟ୍ଟନାୟକ