ନାଇଜେରିଆରେ ଏକ ସ୍କୁଲ କୋଠା ଭୁଷୁଡିପଡିବାରୁ 12 ଜଣ ମୃତ

ନାଇଜେରିଆରେ ଏକ ସ୍କୁଲ କୋଠା ଭୁଷୁଡିପଡିବାରୁ ମୃତ୍ୟୁ ସଂଖ୍ୟା  12 କୁ ବୃଦ୍ଧି ପାଇଛି | ଏକ ଭଗ୍ନ ପ୍ରାୟ କୋଠାରେ ଏକ ପ୍ରାଥମିକ ଓ ନର୍ସରୀ ସ୍କୁଲ ରହିଥିଲା | ଏହି କୋଠା ଭୁଷୁଡିପଡିବାରୁ ବହୁ ଜଣ ସେହି ଭଗ୍ନାଂଶ ତଳେ  ଏବେ ମଧ୍ୟ ଚାପି ହୋଇ ରହିଛନ୍ତି ବୋଲି ରାଜ୍ୟ ଜରୁରୀ କାଳୀନ ପରିଚାଳନା ସଂସ୍ଥା ଜଣାଇଛି | ଏମାନଙ୍କ ମଧ୍ୟରେ ପ୍ରାୟ 20 ଜଣ ପିଲା ଥିବା କଥା ମଧ୍ୟ ଏହି ସଂସ୍ଥା ଜଣାଇଛି | ତେବେ ଏହି ଦୁର୍ଘଟଣାର କାରଣ ଏଯାଏଁ ଜଣା ପଡିନାହିଁ |

ଲାଗୋସ ଷ୍ଟେଟ ଗଭର୍ଣ୍ଣର ଆକିନଉନାମୀ କହିଛନ୍ତି ଯେ ଭାଙ୍ଗି ଦେବା ଲାଗି ଚିହ୍ନଟ କରାଯାଇଥିବା  ଏକ କୋଠା ରେ ଲୋକ ମାନେ ରହୁଥିବା ବେଳେ ଏହାର ଉପର ଦୁଇଟି ମହଲା ରେ ଅବୈଧ ଭାବେ ସ୍କୁଲ ପରିଚାଳନା କରାଯାଉଥିଲା |

ତେବେ ଏହି ଘଟଣାର ପୁଙ୍କାନୁପୁଙ୍ଖ ତଦନ୍ତ କରାଯାଇ ଏଥିପାଇଁ ଦାୟୀ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି |