ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଷ୍ଠିତ ହେଉଛି | ଗତକାଲି ସାଧାରଣ ନିର୍ବାଚନ ଆରମ୍ଭ ହେବା ସହ ଏହି ନିର୍ବାଚନୀ ପ୍ରକ୍ରିୟାରେ ଶହେ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗଣତନ୍ତ୍ରରେ ମତଦାତାଙ୍କ ମତଦାନ ଅଧିକାର ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | 18 ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ 91 ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୁରୁବାରଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି | କିଛି ସ୍ଥାନରେ କେତୋଟି ହିଂସାକାଣ୍ଡ ଘଟଣାକୁ ଛାଡିଦେଲେ ଗତକାଲି ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି | ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 1,279 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟିଙ୍ଗ ମେସିନ ଭିତରେ ବନ୍ଦ ହୋଇରହିଛି |
ଏହି ବିଶାଳ ନିର୍ବାଚନ ପ୍ରକ୍ରିୟାକୁ ଗୌରବର ସହ ଭାରତର ଗଣତନ୍ତ୍ରର ଉତ୍ସବ ଭାବେ ଅଭିହିତ କରାଯାଇଥାଏ | ମୋଟ 90 କୋଟି ଯୋଗ୍ୟ ଭୋଟର ମାନଙ୍କ ମଧ୍ୟରୁ କେବଳ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 14 କୋଟି ଯୋଗ୍ୟ ଭୋଟର ରହିଛନ୍ତି | 90 କୋଟି ମତଦାତା ସଂଖ୍ୟା ହେଉଛି ଆମେରିକା ଜନସଂଖ୍ୟାର ତିନିଗୁଣ ସଂଖ୍ୟାରେ ମତଦାତା | ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଓଡିଶାରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି | ପଶ୍ଚିମ ବଙ୍ଗରେ ସର୍ବାଧିକ ଶତକଡା 81 ଭାଗ ମତଦାନ ହୋଇଛି, ସେଠାରେ ଶାସକ ତୃଣମୂଳ କଂଗ୍ରେସ (TMC) ଏବଂ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେଉଛି |
543 ଟି ଲୋକସଭା ଆସନ ପାଇଁ ମତଦାନ ଆହୁରି 6 ଟି ପର୍ଯ୍ୟାୟରେ ହେବାକୁ ବାକି ରହିଛି | ଏପ୍ରିଲ 18, ଏପ୍ରିଲ 23, ଏପ୍ରିଲ 29, ମେ 6, ମେ 12 ଏବଂ ମେ 19 ତାରିଖରେ ଆଉ 6 ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ | ଗତକାଲି ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ମଧ୍ୟରେ ନାଗପୁରରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଅନ୍ୟତମ | ନାଗପୁରରେ କଂଗ୍ରେସର ନାନା ପାଟୋଲେଙ୍କ ସହ ତାଙ୍କର ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି | ଅନ୍ୟ ପ୍ରମୁଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଗାଜିଆବାଦରୁ କେନ୍ଦ୍ର ମନ୍ତ୍ରୀ ଭି କେ ସିଂ, ଗୌତମ ବୁଦ୍ଧ ନଗରରୁ ମହେଶ ଶର୍ମା ଏବଂ ବାଗପତରୁ ସତ୍ୟପାଲ ସିଂ ପ୍ରତିଦ୍ବନ୍ଦିତା କରୁଛନ୍ତି | ଏହି ତିନିଜଣ ଭାରତର ସର୍ବବୃହତ ଏବଂ ରାଜନୈତିକ ଭାବେ ମୁଖ୍ୟ ରାଜ୍ୟ ଉତ୍ତରପ୍ରଦେଶରୁ ନିର୍ବାଚନ ଲଢ଼ୁଛନ୍ତି |
ପାର୍ଲାମେଣ୍ଟର ନିମ୍ନ ସଦନ ସପ୍ତଦଶ ଲୋକସଭା ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି | ଭାରତ ଏକ ସାଧରଣତନ୍ତ୍ରରେ ପରିଣତ ହେବାର ଦୁଇ ବର୍ଷ ପରେ ଏବଂ ବ୍ରିଟିଶ ଶାସନରୁ ସ୍ୱାଧୀନତା ମିଳିବାର ପାଞ୍ଚ ବର୍ଷ ପରେ, 1952 ମସିହାରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା | ଭାରତ ଏକ ବିଶାଳ ଦେଶ ହୋଇଥିବା ଦୃଷ୍ଟିରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରାଇବା ସକାଶେ ଅନେକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥାଏ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ତୁଳନାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରାୟ ଦୁଇଗୁଣ ରାଜ୍ୟରେ ତାଙ୍କର ନିର୍ବାଚନ ପ୍ରଚାର କରିଛନ୍ତି | ଉଭୟ ଶ୍ରୀ ମୋଦି ଏବଂ ଶ୍ରୀ ଗାନ୍ଧୀ ଉତ୍ତର ପ୍ରଦେଶରୁ ପ୍ରତିଦ୍ବନ୍ଦିତା କରୁଛନ୍ତି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାଇନାଡ଼ରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି | ବିଗତ ଦଶନ୍ଧିରେ ଦେଶର ନିର୍ବାଚନ ପ୍ରକ୍ରିୟାରେ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଜଣେ ନାଗରିକ ତାଙ୍କ ମତଦାନ ଅଧିକାର ସାବ୍ୟସ୍ତ ବେଳେ EVMରେ ନୋଟା (NOTA) କିମ୍ବା ଉପରୋକ୍ତ କୌଣସି ବ୍ୟକ୍ତି ନୁହଁନ୍ତି ( ନନ ଅଫ ଦି ଏବୋଭ – NOTA) ବିକଳ୍ପ ଥିବା ଶେଷ ବଟନ ଦବାଇପାରିବେ | ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କୌଣସି ପ୍ରାର୍ଥୀଙ୍କୁ ଯଦି ଜଣେ ମତଦାତା ପସନ୍ଦ କରୁ ନଥିବେ ତେବେ ସେ ଏହି ବିକଳ୍ପ ବାଛିପାରିବେ |
ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଲୋକସଭା ନିର୍ବାଚନକୁ ବିଶ୍ବର ସର୍ବବୃହତ ସୋସିଆଲ ମିଡିଆ ନିର୍ବାଚନ ଭାବେ ମଧ୍ୟ ବିବେଚନା କରାଯାଉଛି | କାରଣ ଆସନ୍ତା ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ବାହାରର ଉତ୍ତପ୍ତ ଓ ଗରମ ପାଣିପାଗ ସହ ହ୍ବାଟସଆପ, ଫେସବୁକ, ଟ୍ୱିଟର, ଟିକଟକ ଏବଂ ଇନ୍ସଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ମଞ୍ଚରେ ମଧ୍ୟ ନିର୍ବାଚନ ବାତାବରଣ ସରଗରମ ହୋଇପଡିଛି | ତେବେ ସୋସିଆଲ ମିଡ଼ିଆର ଅପବ୍ୟବହାରକୁ ରୋକିବା ଲାଗି ନିର୍ବାଚନ କମିଶନ ଅନେକ ନିୟମାବଳୀ ଜାରି କରିବା ସହ ଏହା ଉପରେ ନଜର ରଖିଛି |
ପରବର୍ତ୍ତୀ ସରକାର କେଉଁ ଦଳ ବା ମେଣ୍ଟ ଗଠନ କରିବେ ତାହା ମେ 23 ତାରିଖ ଦିନ ଯେତେବେଳେ ଭୋଟ ଗଣନା ହେବ ସେତେବେଳେ ଜଣାପଡିବ | ଜାତୀୟ ନିରାପତ୍ତା, ଚାକିରୀ, କୃଷକ ଓ କୃଷି ଭିତ୍ତିକ ସମସ୍ୟା ଏବଂ ଗରିବ ଲୋକମାନଙ୍କ କଲ୍ୟାଣ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଚଳିତ ନିର୍ବାଚନରେ ତୁମୁଳ ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହେଉଛି |
ମୂଳ ଲେଖା : ସୁନୀଲ ଗତାଡେ, ରାଜନୈତିକ ଭାଷ୍ୟକାର
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ