ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହେବାକୁ ଆଉ ଦୁଇ ଦିନ ବାକି ଥିବାବେଳେ ପ୍ରଚାର କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି । 12ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର 97ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ଗୁରୁବାର ଦିନ ଭୋଟ ନିଆଯିବ । ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜମ୍ମୁର କଠୁଆ ଏବଂ ଉତ୍ତର ପ୍ରଦେଶର ଅଲ୍ଲିଗଡ ଏବଂ ମୋରାଦାବାଦରେ ନିର୍ବାଚନ ପ୍ରଚାର କରିଥିଲେ। ସେ କହିଥିଲେ ଯେ ତାଙ୍କ ସରକାର ସନ୍ତ୍ରାସବାଦ, ଦୁର୍ନୀତି ଏବଂ ଦାରିଦ୍ରତା ଦୂର କରିବାକୁ ପ୍ରତିଜ୍ଞାବଦ୍ଧ ଥିବାବେଳେ ବିରୋଧିଦଳ ସେମାନଙ୍କୁ ହଟାଇବାକୁ ଚାହୁଁଛନ୍ତି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗତକାଲି ଆସାମର ସିଲଚରରେ ଏକ ରୋଡଶୋ କରିଥିଲେ। ସେ କହିଥିଲେ କଂଗ୍ରେସ ଆସାମକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲା କିନ୍ତୁ ବିଜେପି ସରକାରକୁ ଆସିବା ପରେ ଏହାକୁ ହଟାଇ ଦେଇଥିଲା। 543ଟି ଆସନ ବିଶିଷ୍ଟ ଲୋକସଭା ପାଇଁ ସାତଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି।