ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତି ଲାଗୁ ; ସିରିଜ ବିସ୍ଫୋରଣରେ 8 ଭାରତୀୟ ମୃତ

 

ଶ୍ରୀଲଙ୍କା ସରକାର,  ଚର୍ଚ୍ଚ ଓ ପଞ୍ଚ ତାରକ ହୋଟେଲ ଗୁଡିକରେ ସିରିଜ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଗତରାତିରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି | ସର୍ବସାଧାରଣ ସୁରକ୍ଷା ନିଶ୍ଚିତ କରିବା ଲାଗି ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକରେ ଜରୁରୀକାଳିନ ସ୍ଥିତି ଲାଗୁ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା |ଆଜି ଜାତୀୟ ଶୋକ ଦିବସ ପାଳନ କରିବା ଲାଗି ମଧ୍ୟ ଏହି ବୈଠକ ରେ ସ୍ଥିର କରାଯାଇଥିଲା |

ଏହି ସନ୍ତ୍ରାସବାଦୀ ଆକ୍ରମଣ ରେ ମୃତକ 31 ଜଣ ବିଦେଶୀ ନାଗରିକଙ୍କ ମଧ୍ୟରେ 8 ଜଣ  ଭାରତୀୟ ନାଗରିକ ଥିବା ଜଣାପଡିଛି |ଏହି ଦ୍ଵିପ ଦେଶରେ ଘଟିଥିବା କ୍ରମାଗତ ବୋମା ବିସ୍ଫୋରଣରେ 300 ଜଣ ଙ୍କ ପ୍ରାଣହାନୀ ଘଟିଥିବା ବେଳେ 500 ରୁ ଅଧିକ ଜଣ ଆହତ ହୋଇଛନ୍ତି | ଏହି ଆକ୍ରମଣ ଘଟଣାରେ ଆନ୍ତର୍ଜାତୀୟ ସଙ୍ଗଠନର ସମ୍ପୃକ୍ତି ଥିବା  ନେଇ ତଦନ୍ତ କରିବା ଲାଗି ଆନ୍ତର୍ଜାତୀୟ ପୋଲିସ ସଙ୍ଗଠନ (ଇଣ୍ଟରପୋଲ ) ଏକ ଟିମ ମୁତୟନ କରିଛି |

ଶ୍ରୀଲଙ୍କା ସରକାର, ଏହି ଆକ୍ରମଣ ପଛରେ ଏକ ସ୍ଥାନୀୟ ଧାର୍ମିକ ଗୋଷ୍ଠୀ ନେସନାଲ ତାୱାହିଦ ଜମାଥ ସମ୍ପୃକ୍ତ ଥିବା ବିଷୟ ଜଣାଇଥିବା ବେଳେ ଏହି ଆକ୍ରମଣ ରେ ଆନ୍ତର୍ଜାତୀୟ ସଙ୍ଗଠନ ର ସମ୍ପୃକ୍ତି ଥିବା ନେଇ ତଦନ୍ତ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟର ସହାୟତା ଲୋଡିଛି |