ବ୍ରିଟେନ ସଂସଦ, ସୁଶ୍ରୀ ଥେରେସା ମେ ଙ୍କ ବ୍ରେକଜିଟ ବୁଝାମଣାକୁ ତିନି ଥର ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ବ୍ରିଟେନ ନେତା ବ୍ରେକଜିଟ ଚୁକ୍ତିରୁ ଓହରିବା ନେଇ ତାଙ୍କ ଅନ୍ତିମ ଚାଲେଞ୍ଜ ର ସମ୍ମୁଖୀନ ହେଉଛନ୍ତି | ଯଦି ପୁଣି ଥରେ ଏହାକୁ ପ୍ରତ୍ୟାଖ୍ୟାନ କରିଦିଆଯିବ ତେବେ ଏହାର ପରିଣାମ ଉଭୟ ବୁଝାମଣା ପାଇଁ ଓ ବର୍ତ୍ତମାନର ସରକାର ପାଇଁ ସଂକଟପୂର୍ଣ୍ଣ ହେବ | ୟୁରୋପୀୟ ସଂଘରୁ ଓହରିବା ସଙ୍କ୍ରାନ୍ତୀୟ ବୈଦେଶିକ ସଚିବ ଷ୍ଟିଫନ ବାର୍କଲେ ଏକଥା ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ଏକ୍ଷେତ୍ରରେ ବୁଝାମଣା ଯଦି ବିଫଳ ହୁଏ ତେବେ ବ୍ରେକଜିଟ ଚୁକ୍ତି ପ୍ରାୟତଃ ସମାପ୍ତ ହୋଇଯିବ | ଥେରେସା ମେ ଏବେ ଘଡି ସନ୍ଧି ମୂହୁର୍ତ୍ତ ରେ ଅଛନ୍ତି ଓ ସେ ଖୁବ ଶୀଘ୍ର ସଂସଦର ଅନୁମୋଦନ ଲାଭ ପାଇଁ ଏହି ଚୁକ୍ତିକୁ ସଦନରେ ଉପସ୍ଥାପନା କରିବେ | ତେବେ ଏହାକୁ ବିରୋଧ କରୁଥିବା ସାଂସଦ ମାନଙ୍କର ସବୁଠୁ ବଡ ଉଦବେଗ ହେଲା କଥାବାର୍ତ୍ତାର ଏହି 6 ସପ୍ତାହ ମଧ୍ୟରେ ଏଦିଗରେ କୌଣସି ନୂତନ ପରିବର୍ତ୍ତନ କରାଯାଇଛି ନା ନାହିଁ |
ତାଙ୍କ ନିଜ କଞ୍ଜରଭେଟିଭ ପାର୍ଟିର ୟୁରୋସଂଶୟବାଦୀ ମାନେ କହିଛନ୍ତି ଯେ ଏହି ବୁଝାମଣା ଦ୍ଵାରା ବ୍ରିଟେନ କଷ୍ଟମ ୟୁନିଅନ ମଧ୍ୟରେ ରହିଯିବ ଯାହାକି ଏକ ବ୍ୟାପାରିକ ଅବରୋଧ ଅଟେ | ତେଣେ ଡେମୋକ୍ରାଟିକ ୟୁନିଅନିଷ୍ଟ ପାର୍ଟି (DUP) ବିବୃତ୍ତି ଦେଇଛି ଯେ ଏହି ବୁଝାମଣା ସେତେବେଳେ ଯାଇଁ ସଫଳ ହେବ ଯେତେବେଳେ ବ୍ରିଟେନ ର ଆର୍ଥିକ ଓ ସାମ୍ବିଧାନିକ ଅଖଣ୍ଡତାର ରକ୍ଷା ପାଇଁ ଏଥିରେ ପରିବର୍ତ୍ତନ କରାଯିବ ଓ ଗ୍ରେଟବ୍ରିଟେନ ଏବଂ ଉତ୍ତର ଆୟାରଲାଣ୍ଡ ମଧ୍ୟରେ ଦୃଢ ସୀମା ନିର୍ମାଣ କରାନଯିବ| କର୍ମଚାରୀ ମାନଙ୍କ ଅଧିକାର, ବ୍ରିଟେନ ରେ ବସ ବାସ କରୁଥିବା ୟୁରୋପୀୟ ସଂଘ ର ନାଗରିକ ଓ ଇୟୁ ରେ ଥିବା ବ୍ରିଟେନ ନାଗରିକ ମାନଙ୍କ ଅଧିକାରର ରକ୍ଷା ପାଇଁ ଲେବର ପାର୍ଟି ଏହି ବୁଝାମଣା ର ବିରୋଧ କରିଆସୁଛି | ସେମାନେ ଇୟୁ ସଦସ୍ୟତା ଲାଗି ଦ୍ଵିତୀୟ ଜନମତ ସଂଗ୍ରହ ପାଇଁ ଦାବି କରୁଛନ୍ତି | ଲେବର ପାର୍ଟି ଚତୁର୍ଥ ଥର ଲାଗି ମତଦାନରେ ଅଂଶ ଗ୍ରହଣ ନକରିବାର ସମ୍ଭାବନା ରହିଛି ଯଦ୍ୱାରା ଥେରେସା ମେ ଙ୍କ ପ୍ରତ୍ୟାହାର ଚୁକ୍ତି ସଂସଦ ଅନୁମୋଦନର ପ୍ରଥମ ପର୍ଯ୍ୟାୟରେ ଗୃହିତ ହୋଇଯାଇପାରେ | ଗ୍ରୀନ ପାର୍ଟି, ଲିବରେଲ ଡେମୋକ୍ରେଟ୍ସ ଓ ସ୍କଟିଶ ନେସନାଲ ପାର୍ଟି ଆଦି ସମସ୍ତେ ବେକଜିଟକୁ ସମ୍ପୁର୍ଣ୍ଣ ଭାବେ ବିରୋଧ କରୁଛନ୍ତି |
ଆଗାମୀ ଦିନ ଗୁଡିକରେ କଞ୍ଜରଭେଟିଭ ପାର୍ଟି କୁ କଡା ଚାଲେଞ୍ଜ ର ସମ୍ମୁଖୀନ ହେବାକୁ ପଡିବ | ସଂସଦରେ ସ୍ଥିତି ଜଟିଳ ହୋଇପଡିଥିବା ବେଳେ ‘ବୁଝାମଣା ନାହିଁ’ (ନୋ ଡିଲ) ବା ‘ବ୍ରେକଜିଟ ନାହିଁ’ (ନୋ ବ୍ରେକଜିଟ) ମଧ୍ୟରେ ମତଦାନ ର ସ୍ଥିତି ଉଭା ହୋଇଛି | ବ୍ରେକଜିଟ ଅଶାନ୍ତି ବ୍ୟତୀତ ଏହି ପାର୍ଟି ଚଳିତ ମାସ ସ୍ଥାନୀୟ ନିର୍ବାଚନରେ ମଧ୍ୟ ଶୋଚନୀୟ ଭାବେ ପରାଜୟ ଲାଭ କରିଛି | ଏହି ପାର୍ଟି 1334 ପରିଷଦର ସଭ୍ଯ (କାଉନସିଲର) ହରେଇଥିବା ବେଳେ ଇୟୁର ଦୃଢ ସମର୍ଥକ ଲିବରାଲ ଡେମୋକ୍ରାଟ୍ସ ପାର୍ଟି 703 ଟି ଆସନ ଲାଭ କରିଥିଲା | 23 ମେ 2019 ରେ ହେବାକୁ ଥିବା ଇୟୁ ସଂସଦୀୟ ନିର୍ବାଚନରେ ସବିଶେଷ ମତଦାନ ହାର ରିପୋର୍ଟ ଅନୁଯାୟୀ ଦୁଇଟି ପ୍ରମୁଖ ପାର୍ଟି ଯଥା ଲେବର ପାର୍ଟି କୁ 21 ପ୍ରତିଶତ ଓ ଟୋରିସ କୁ 12 ପ୍ରତିଶତ ମିଳିବାକୁ ଥିବା ବେଳେ ନିଜେଲ ଫାରାଜ ର ବ୍ରେକଶିଟ ପାର୍ଟିକୁ ସର୍ବାଧିକ 30 ପ୍ରତିଶତ ମିଳିବାର ଆକଳନ କରାଯାଇଛି |
ପ୍ରଧାନମନ୍ତ୍ରୀ ସୁଶ୍ରୀ ମେ ପ୍ରତି ଥର ଏହି ଚୁକ୍ତି ରେ ପରାଜିତ ହେବା ପରେ ଇସ୍ତଫା ଦେବା ବିଷୟକୁ ଏଡେଇଦେଇଆସିଛନ୍ତି | ସେ କହିଛନ୍ତି ଯେ ଏହି ଚୁକ୍ତି ଯଦି ଚତୁର୍ଥ ଥର ମଧ୍ୟ ପରାଜିତ ହୁଏ ତେବେ ବି ସେ ଚାହିଁବେ ଯେ ସାଂସଦ ମାନେ ଜନମତ ସଂଗ୍ରହର ଫଳାଫଳକୁ ସମ୍ମାନ କରନ୍ତୁ | ଯଦି ସୁଶ୍ରୀ ମେ କଳେ ବଳେ କୌଶଳେ ଏହି ଚୁକ୍ତି କୁ ଗୃହିତ କରିଦିଅନ୍ତି ବା ଏହାର କୌଣସି ସମାଧାନ ର ପନ୍ଥା ବାହାର କରିଦିଅନ୍ତି ତେବେ ତାଙ୍କୁ ଓ ତାଙ୍କ ସରକାରଙ୍କୁ ଏହାର ପୂର୍ଣ୍ଣ ଶ୍ରେୟ ଯିବ | ଆଉ ଯଦି ଏପରି ସମ୍ଭବ ନ ହୁଏ, ତେବେ ବାସ୍ତବିକ ଆର୍ଥିକ ଓ ସାମ୍ବିଧାନିକ ଅଖଣ୍ଡତା ସ୍ଥାପିତ ହେବା ପୂର୍ବରୁ ବ୍ରିଟେନ କୁ ବହୁ ଜଟିଳ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡିବ | କୌଣସି ବି ପରିସ୍ଥିତି ହେଉନା କାହିଁକି ବ୍ରିଟେନ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ସୁଦ୍ଧା ୟୁରୋପୀୟ ସଂଘ ରୁ ଓହରିଯିବା ପାଇଁ ପ୍ରସ୍ତୁତ ଅଛି | ଏହା ପୂର୍ବରୁ ଇୟୁର ଅବଶିଷ୍ଟ 27 ସଦସ୍ୟ ବ୍ରିଟେନକୁ ଓହରିଯିବା ଚୁକ୍ତି ଉପରେ ପୁଣି ଥରେ ବିଚାର ବିମର୍ଶ କରିବା ଲାଗି 6 ମାସ ସମୟ ଦେଇଥିଲେ |
ଭାରତରେ ଏହି ପ୍ରସଙ୍ଗ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ଯେ “ବୁଝାମଣା” ବା “ବୁଝାମଣା ନାହିଁ” ସ୍ଥିତିରେ ବ୍ରିଟେନ ସହ ଭାରତ ର ବାଣିଜ୍ୟ କାରବାର ଓ ନିବେଶ ଉପରେ କଣ ପ୍ରଭାବ ପଡିବ | ଭାରତର ରିଜର୍ବ ବ୍ୟାଙ୍କ ର ଫେବ୍ରୁଆରି 2019 ର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ 2019 ରେ ବ୍ରେକଜିଟ ସମ୍ଭବ ହେଲେ ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ରାଜିନାମା ଉପରେ ପୁଣି ଥରେ କଥାବାର୍ତ୍ତା ଆରମ୍ଭ କରାଯିବ ତେବେ ଭାରତୀୟ ରପ୍ତାନିକାରୀ ମାନଙ୍କୁ ବହୁ ସୁଯୋଗର ଅବସର ମିଳିପାରିବ | ଅନ୍ୟ ପକ୍ଷରେ ବ୍ରେକଜିଟକୁ ଏକ ଏପରି ପ୍ରସଙ୍ଗ ଭାବେ ଦେଖାଯାଉଛି ଯାହାର ଦୃଢ ନିବେଶ ସମ୍ପର୍କ ଯୋଗୁଁ ଭାରତ ର ବାହ୍ୟ କ୍ଷେତ୍ର ଉପରେ ଅତ୍ୟଧିକ ପ୍ରଭାବ ପଡିବ | ବୁଝାମଣା ନହେବା ସ୍ଥଳେ ପ୍ରଥମେ ବ୍ରିଟେନ ର ମୁଦ୍ରା ପାଉଣ୍ଡ ଉପରେ ଏହାର ପ୍ରଭାବ ପଡିପାରେ ଓ ଏହାପରେ ବର୍ତ୍ତମାନ ଉଭା ହେଉଥିବା ବଜାର ଉପରେ ଏହାର ପ୍ରଭାବ ପଡିବ | ଯଦି ଏପରି ହୁଏ ତେବେ ବ୍ରିଟେନର ତିକ୍ତତାପୂର୍ଣ୍ଣ ଆର୍ଥିକ ବଜାର ଉପରେ ପଡିଥିବା ପ୍ରଭାବ ତଥା ଏହାର କୁପ୍ରଭାବ ଗୁଡିକରୁ ମୁକୁଳିବା ଲାଗି ବାସ୍ତବିକ ଭାବେ ଅତ୍ୟଧିକ ସମୟ ଲାଗିବ |
ମୂଳ ଲେଖା : ଡଃ ସଙ୍ଘମିତ୍ରା ଶର୍ମା, ୟୁରୋପୀୟ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ