ବାଲଟିକ ରାଷ୍ଟ୍ର ସହ ଭାରତର ସମ୍ପର୍କ

ବାଲଟିକ ଦେଶ ଗୁଡିକ ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷରେ ଉପରାଷ୍ଟ୍ରପତି ଏମ ଭେଙ୍କୟାନାଈଡୂ ଇଷ୍ଟୋନିଆ, ଲାଟଭିଆ ଓ ଲିଥୁଆନିଆ ଗସ୍ତ କରିଥିଲେ | ବାଲଟିକ ଦେଶ ଗୁଡିକ ସହ ଆଜି ମଧ୍ୟରେ ଏହା ଥିଲା ସର୍ବୋଚ୍ଚ ଭାରତୀୟ କୂଟନୈତିକ ସ୍ତରୀୟ ଯାତ୍ରା | ଶ୍ରୀ ନାଇଡୂ ସେଠାକାର ଶୀର୍ଷ ନେତା ମାନଙ୍କ ସହ ଆଳାପ ଆଲୋଚନା କରିବା ସହିତ ବ୍ୟବସାୟ ଫୋରମ ବୈଠକ ଗୁଡିକରେ ଅଧ୍ୟକ୍ଷତା କରିଥିଲେ ଓ ଭାରତୀୟ ସମ୍ପ୍ରଦାୟ ସହ ବାର୍ତ୍ତାଳାପ କରିଥିଲେ| ତାଙ୍କର ଏହି ଗସ୍ତ କାଳରେ ସେ କୃଷି, ସାଇବର ସୁରକ୍ଷା, ଇ-ପ୍ରଶାସନ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଅନେକ ବୁଝାମଣା ପତ୍ରରେ ସ୍ବାକ୍ଷରିତ କରିଥିଲେ | ଭାରତର ଉପରାଷ୍ଟ୍ରପତି ମଧ୍ୟ ଇଷ୍ଟୋନିଆ ର ମିଶନ ସମ୍ମିଳନୀର ମୁଖ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ | ଏହି କଥାବାର୍ତ୍ତାର ମୁଖ୍ୟ ଶୀର୍ଷକ ଥିଲା ଭାରତୀୟ ସଭ୍ୟତାର ସଂସ୍କୃତ, ଯୋଗ ଓ ଆୟୁର୍ବେଦ ସହ ପ୍ରଗାଢ ସମ୍ପର୍କ ଯାହାକି ବାଲଟିକ ଜାତୀୟ ଭାବନା ସହ ଅନ୍ତର୍ନିହିତ ରହିଛି | ଏହି ସଂଯୋଗ ସ୍ଥାପନା ଐତିହାସିକ ଭାବେ ଦ୍ଵିପକ୍ଷୀୟ ସଂପର୍କକୁ ନିବିଡ କରିବାରେ ସହାୟତା କରିଛି ଓ ଯାହା ବାସ୍ତବରେ ‘ ବସୁଦେବ କୁଟୁମ୍ବକମ’ ସୂତ୍ର ର ଭାବନା କୁ ପ୍ରତିଫଳିତ କରିଥାଏ, ସଂସ୍କୃତ ଭାଷାରେ ଏହାର ଅର୍ଥ ହେଉଛି “ ସମଗ୍ର ବିଶ୍ଵ ଏକ ପରିବାର “ ଅଟେ | ସୂଚନା ଯୋଗ୍ୟ ଯେ ସମସ୍ତ ତିନୋଟି ଯାକ ବାଲଟିକ ଦେଶରେ ହିନ୍ଦୀ ଭାଷା ପାଇଁ ବିଶେଷ ପ୍ରାବଧାନ ରହିଛି |

ଉପରାଷ୍ଟ୍ରପତି ଏହି ଦେଶ ଗୁଡିକର ରାଜଧାନୀ ବ୍ୟତୀତ ଅନ୍ୟ ସହର ସହ ସମ୍ପର୍କ ସୁଦୃଢ କରିବାର ମହତ୍ଵ ଉପରେ ଆଲୋକପାତ କରିଥିଲେ ଓ ସେ ଲିଥୁଆନିଆ ର ଦ୍ଵିତୀୟ ସର୍ବବୃହତ ସହର କାଉନାଶ ସହର ଗସ୍ତ କରିଥିଲେ | ଉଭୟ ଭାରତ ଓ ବାଲଟିକ ରାଷ୍ଟ୍ର ଗୁଡିକ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ବେଳେ ସେମାନଙ୍କ ରାଜ୍ୟ ଓ ପ୍ରଦେଶ ଗୁଡିକ ମଧ୍ୟରେ ଉତ୍ତମ ବୁଝାମଣା ରହିବାର ନିହାତି ଆବଶ୍ୟକତା ଅଛି |

ଭୌଗୋଳିକ ସ୍ଥିତି ଯୋଗୁଁ ବାଲଟିକ ଦେଶ ଗୁଡିକର ମହତ୍ଵ ବୃଦ୍ଧି ପାଇଛି କାରଣ ଏହା ନୋରଡିକ୍ସ, ରୁଷ ଓ ସିଆଇଏସ ଦେଶ ଗୁଡିକର ପ୍ରବେଶ ଦ୍ଵାର ଅଟେ ଯାହା ସବୁଦିନିଆ ପାଗ ସମୟରେ ରିଗା ବନ୍ଦର ଦେଇ ରାସ୍ତା ସୁଗମ କରିଥାଏ | ୟୁରୋପୀୟ ସଂଘର ସଦସ୍ୟ ଭାବେ ମଧ୍ୟ ଭାରତକୁ ଏହି ତିନି ଦେଶ ସହ ସମ୍ପର୍କ ମଜବୁତ କରିବାର ଆବଶ୍ୟକତା ରହିଛି ଯାହା ପାରମ୍ପରିକ ଓ ଶକ୍ତିଶାଳୀ ୟୁରୋପୀୟ ଦେଶ ଠାରୁ ଭିନ୍ନ ଅଟେ | ୟୁରୋପୀୟ ଦେଶରେ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ବାଲଟିକ ଦେଶ ଏହାର ପ୍ରଭାବଶାଳୀ ଆର୍ଥିକ ବିକାଶ ଜାରି ରଖିବ | ଭୌଗୋଳିକ ଆକାରରେ ଛୋଟ ହୋଇଥିବା ସତ୍ତ୍ୱେ ଏହି ତିନି ବାଲଟିକ ଦେଶ ଅଭିନବତା ଓ ବିକାଶ ର ନୂତନ ଜ୍ଞାନକୌଶଳ ସହ ପ୍ରଗତି ପଥରେ ଅଗ୍ରସର ହେଉଛି |

ଭାରତ ଓ ବାଲଟିକ ଦେଶ ଗୁଡିକ ମଧ୍ୟରେ ଆପୋଷ ସ୍ଵାର୍ଥ ସମ୍ବଳିତ ବୈଶ୍ଵିକ ଓ ଦ୍ଵିପକ୍ଷୀୟ ପ୍ରସଙ୍ଗ ରହିଛି | ବିଶ୍ଵ ଏବେ ଅନିଶ୍ଚିତତା ଦେଇ ଗତି କରୁଛି | ଶକ୍ତିଶାଳୀ ଦେଶ ଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା, ଅନ୍ତର୍ନିହିତ ପ୍ରଭୁତ୍ଵ, ଭୂ ଆର୍ଥିକ ଓ ଭୂ – ରଣନୀତିକ ଓ ସନ୍ତ୍ରାସବାଦ, ସାଇବର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମେତ ବୃଦ୍ଧି ପାଉଥିବା ପାରମ୍ପରିକ ଓ ଅଣପାରମ୍ପରିକ ସୁରକ୍ଷା ଜନିତ ଚାଲେଞ୍ଜ ଗୁଡିକ ଏବେ ଆନ୍ତର୍ଜାତୀୟ ରଣନୀତିକ ପରିବେଶରେ ଉଭା ହୋଇଛି | ବୈଶ୍ଵିକରଣ ଏକବିଂଶ ଶତାବ୍ଦୀ ରେ ଏକ ପ୍ରମୁଖ ପ୍ରସଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏବେ ସ୍ଥିତି ନିରାଶଜନକ ରହିଛି | ଅଧିକାଂଶ ଦେଶରେ ଜାତୀୟତାବାଦ ଭାବନା ଜାଗୃତ ହୋଇଛି ଓ ବର୍ତ୍ତମାନ ସମୟରେ ଅନେକ ଦେଶ ନିଜର ଆଭ୍ୟନ୍ତରୀଣ ପରିସ୍ଥିତି ଉପରେ ଅଧିକ ଧ୍ୟାନ ଦେଉଛନ୍ତି | ଆମେ ଚତୁର୍ଥ ଶିଳ୍ପ ବିପ୍ଲବ ଯୁଗରେ ପ୍ରବେଶ କରିଥିବାରୁ ଅଧିକନ୍ତୁ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର କରାଯାଉଛି | ଏହି ସବୁ ଘଟଣାକ୍ରମ ନୂତନ ଭାଗୀଦାରୀତା ଓ ନୂତନ ସମ୍ପର୍କ ବିକଶିତ କରିବାର ଆବଶ୍ୟକତାକୁ ଦର୍ଶାଇ ଥାଏ | ଆନ୍ତର୍ଜାତୀୟ ମଞ୍ଚରେ ଭାରତର ବୃଦ୍ଧି ପାଉଥିବା ପ୍ରାସଙ୍ଗିକତା ଓ ବାଲିଟିକ ଦେଶ ଗୁଡିକର ୟୁରୋପୀୟ ସଂଘ ତଥା ନାଟୋ ର ସଦସ୍ଯତା ଦୃଷ୍ଟିରୁ ଏହା ଜରୁରୀ ହୋଇପଡିଛି ଯେ ଉଭୟ ପକ୍ଷ ଏକତା ସୂତ୍ରରେ ବାନ୍ଧି ହୁଅନ୍ତୁ ଓ ସମଗ୍ର ଦୁନିଆରେ ଉଭା ହେଉଥିବା ସମସ୍ୟା ଗୁଡିକର ମିଳିମିଶି ମୁକାବିଲା କରନ୍ତୁ |

ବାଲଟିକ ଦେଶ ଏପରି ଏକ ରାଷ୍ଟ୍ର ଅଟେ ଯାହାର ଅଭିନବତାର ଏକ ଢାଞ୍ଚା ରହିଛି ଓ ଏହାର ଏକ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା ରହିଛି | ଭାରତ ପାଇଁ ଏହାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି | ଏହି ଦେଶ କୃତ୍ରିମ ଗୁଇନ୍ଦା, ଓ ଇ- ପ୍ରଶାସନ ଭଳି ଇଣ୍ଟରନେଟ ସହ ସଂଯୋଗ ସଂସ୍ଥା କ୍ଷେତ୍ରରେ ବହୁ ଅଗ୍ରଗତି ଲାଭ କରିଛି | ଏହି ଦେଶ ଗୁଡିକର ଡିଜିଟାଲ କୌଶଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଲକ୍ଷ ସାଧନ ରେ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି | ପ୍ରଧାନମନ୍ତ୍ରୀ, ଉନ୍ନତ ଜ୍ଞାନ କୌଶଳ , ଦକ୍ଷତା ବିକାଶ, ନିରନ୍ତର ଅଭିବୃଦ୍ଧି ଓ ଭାରତର ମାନବୀୟ ଓ ବୌଦ୍ଧିକ କ୍ଷମତା ର ଅଧିକ ଉପଯୋଗ ତଥା ଆନ୍ତର୍ଜାତୀୟ ସ୍ତରୀୟ ଜ୍ଞାନକୌଶଳ ମାଧ୍ୟମରେ ଭାରତୀୟ ଅର୍ଥବ୍ୟବସ୍ଥାର ଆଧୂନିକୀକରଣ କରିବା ଲାଗି ଲକ୍ଷ ରଖିଛନ୍ତି | ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଭାରତର ମହାତ୍ବାକାଙ୍ଖ୍ୟୀ ପ୍ରକଳ୍ପ ଗୁଡିକରେ ବାଲଟିକ ଦେଶର କମ୍ପାନୀ ଗୁଡିକ ମହତ୍ବପୂର୍ଣ୍ଣ ଭୂମିକା ନିଭାଇବାର କ୍ଷମତା ରଖିଛି |

ବାଲଟିକ ଦେଶ ଗୁଡିକ ସହ ଆର୍ଥିକ ଓ ଜ୍ଞାନ କୌଶଳ କ୍ଷେତ୍ରରେ ଦ୍ଵିପକ୍ଷୀୟ ଭାଗୀଦାରୀତାର ବ୍ୟାପକ ସମ୍ଭାବନା ରହିଥିବା ସହ ଏହାଦ୍ବାରା ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାର ଆଶା କରାଯାଉଛି | ଭାରତ ଅତ୍ୟାଧୁନିକ ଜ୍ଞାନକୌଶଳ ଲାଭ କରିବା ବେଳେ ବିଶ୍ଵସ୍ତରୀୟ ଅଭିବୃଦ୍ଧି ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମୟରେ ବାଲଟିକ ଦେଶ ଗୁଡିକୁ ଭାରତୀୟ ବଜାରର ଉପଲବ୍ଧ ହେବ | ଏହି ସବୁ ଘଟଣାକ୍ରମ ମଧ୍ୟରେ ଏହା ଅତ୍ୟନ୍ତ ଉତ୍ସାହ ଜନକ ଯେ ବାଲଟିକ ଦେଶରେ ଭାରତୀୟ ଦୂତାବାସ ନଥିବା ସତ୍ତ୍ୱେ ମଧ୍ୟ ଉଭୟ ପକ୍ଷ ର ବାଣିଜ୍ୟ କାରବାର 2018-19 ରେ 800 ନିୟୁତ ଆମେରିକୀୟ ଡଲାର ରହିଛି | ଭାରତ ଓ ବାଲଟିକ ମଧ୍ୟରେ ଭାଗୀଦାରୀତାକୁ ଆହୁରି ସୁଦୃଢୀକରଣ କରିବାର ବହୁ ସୁଯୋଗ ରହିଛି | ପର୍ଯ୍ୟଟନ, ଔଷଧପତ୍ର, ଶିକ୍ଷା, ବିନିର୍ମାଣ ଓ ସ୍ୱାସ୍ଥ୍ୟ ଯତ୍ନ ଭଳି କ୍ଷେତ୍ରରେ ଦୁଇ ପକ୍ଷ ମଧ୍ୟରେ ଭବିଷ୍ୟତରେ ଭାଗୀଦାରୀତା ସମ୍ପର୍କ ଆହୁରି ଘନିଷ୍ଠ ହେବାର ଆଶା ଉଜ୍ଜୀବିତ ହୋଇଛି | ତେବେ ଏଥିରେ ମହତ୍ବପୂର୍ଣ୍ଣ ଚାଲେଞ୍ଜ ହେଲା ଯେ ଉଭୟ ପକ୍ଷ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ କୁ ନିରନ୍ତର ବଜାୟ ରଖିବାକୁ ପଡିବ |

ମୂଳ ଲେଖା : ରାଜୋର୍ଷି ରାୟ, ଗବେଷଣା ବିଶ୍ଳେଷକ, IDSA

ଅନୁବାଦ : ରୀତା ଯୋଶୀ