ଭାରତ-ଫ୍ରାନ୍ସ ସମ୍ପର୍କ ରେ ଅଗ୍ରଗତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି  ଦୃଢୀଭୂତ କରିଛି ଓ 1998 ରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ‘ରଣନୀତିକ ଭାଗୀଦାରୀତା’ ଆହୁରି ମଜବୁତ ହୋଇଛି | ଜାମ୍ମୁ ଓ କାଶ୍ମୀର ର ରାଜନୈତିକ ଘଟଣାକ୍ରମ  ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରି ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଫ୍ରାନ୍ସ କହିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଭାରତକୁ ସମର୍ଥନ ଜଣାଇଥିବାରୁ ଭାରତର ମନୋବଳ ବୃଦ୍ଧି ପାଇଛି | 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କୌଣସି ନିଜସ୍ଵ ସ୍ଵାର୍ଥ ଉପରେ ଆଧାରିତ ନୁହେଁ ବରଂ ଏହା ସ୍ଵାଧୀନତା, ସମାନତା ଓ ଭାତୃଭାବର ଆଦର୍ଶ ଉପରେ ପର୍ଯ୍ୟବେଶିତ | ସେ କହିଛନ୍ତି ଯେ ବହୁ ଦଶନ୍ଧି ଧରି ଉଭୟ ପକ୍ଷ ମଧ୍ୟରେ ଦୃଢ ସହଯୋଗ ସମ୍ପର୍କ ରହିଆସିଛି | ଉଭୟ ପକ୍ଷ ରଣନୀତିକ ଭାଗୀଦାରୀତା କୁ ଆହୁରି ମଜବୁତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି ଓ କୌଶଳ ବିକାଶ, ବେସାମରିକ ବିମାନ ଚଳାଚଳ , ସୂଚନା  ପ୍ରଯୁକ୍ତି ବିଦ୍ୟା ଓ ମହାକାଶ ଭଳି କେତୋଟି ପ୍ରମୁଖ କ୍ଷେତ୍ରର ଚିହ୍ନଟ କରାଯାଇଛି | ଶ୍ରୀ ମୋଦୀ, ପ୍ରତିରକ୍ଷା ସହଯୋଗ ବନ୍ଧୁତ୍ଵ ସମ୍ପର୍କ ର ଏକ ମଜବୁତ ସ୍ତମ୍ଭ ବୋଲି ବର୍ଣ୍ଣନା କରି ସେପ୍ଟେମ୍ବର ରେ ଫ୍ରାନ୍ସ ଦ୍ଵାରା ଭାରତକୁ ଦିଆଯିବାକୁ ଥିବା ପ୍ରଥମ ରାଫେଲ ଯୁଦ୍ଧ ବିମାନ ର ଆଗମନ କୁ ସ୍ଵାଗତ ଜଣାଇଛନ୍ତି | ଦ୍ଵିପକ୍ଷୀୟ ଭାଗୀଦାରୀତା ଉପରେ ଗୁରୁତ୍ଵାରୋପ କରି ଉଭୟ ନେତା ସନ୍ତ୍ରାସବାଦ ଓ ମୌଳବାଦ ଭଳି ଆନ୍ତର୍ଜାତୀୟ ଚାଲେଞ୍ଜ ଗୁଡିକର ମୁକାବିଲା କରିବା  ଲାଗି ଆହ୍ଵାନ ଜଣାଇବା ସହ ନିରାପତ୍ତା ଓ ସନ୍ତ୍ରାସବାଦ ଦମନ କ୍ଷେତ୍ରରେ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ନିମନ୍ତେ ସହମତ ପ୍ରକାଶ କରିଛନ୍ତି | ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ରେ ଭାରତ – ଫ୍ରାନ୍ସ ସହଯୋଗ କୁ ଏକ ବଡ ସଫଳତା ମିଳିଛି | ସନ୍ତ୍ରାସବାଦ କୁ ଅର୍ଥ ପ୍ରଦାନ ଏବଂ କଳାଧନ ବୈଧ ତଦାରଖ ପାଇଁ ବିଶ୍ଵସ୍ତରୀୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ ପାକିସ୍ତାନକୁ କଳାତାଲିକାଭୁକ୍ତ କରିଛି | ସନ୍ତ୍ରାସବାଦ ଅର୍ଥ ଯୋଗାଣ ବିରୁଦ୍ଧରେ ସଂଗ୍ରାମ ଲାଗି  2019 ମାର୍ଚ୍ଚ ରେ ପ୍ରଣୟନ କରାଯାଇଥିବା ଜାତିସଂଘ ସୁରକ୍ଷା ପରିଷଦର 2462 ପ୍ରସ୍ତାବ ର କାର୍ଯ୍ୟକାରିତା ଲାଗି ମଧ୍ୟ ଦୁଇ ଦେଶ ଆହ୍ଵାନ ଜଣାଇଛନ୍ତି | ଏହି ପରିପ୍ରେକ୍ଷୀରେ ନଭେମ୍ବର 2019 ରେ ମେଲବର୍ଣ୍ଣ ଠାରେ ହେବାକୁ ଥିବା ସନ୍ତ୍ରାସବାଦୀ ଅର୍ଥ ଯୋଗାଣ ସଙ୍କ୍ରାନ୍ତୀୟ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଭୟ ନେତା ସ୍ଵାଗତ ଜଣାଇଛନ୍ତି |

ନିରାପତ୍ତା ସହଯୋଗ କ୍ଷେତ୍ରରେ ସମ୍ପ୍ରତ୍ତି ଉଭୟ ଦେଶ ନୌବାହିନୀ (ବରୁଣ) ଓ ବିମାନ ବାହିନୀ (ଗରୁଡ) ସମରାଭ୍ୟାସ ସମ୍ପର୍ଣ୍ଣ କରିଛନ୍ତି | ଭାରତ- ପ୍ରଶାନ୍ତ ମହାସାଗର ର ବୃଦ୍ଧି ପାଉଥିବା ମହତ୍ବକୁ ଦୃଷ୍ଟିରେ ରଖି ଭାରତ ଓ ଫ୍ରାନ୍ସ ମଧ୍ୟ ମୁକ୍ତ ଯାତାୟାତ ନିଶ୍ଚିତ କରିବା ଓ ସାମୁଦ୍ରିକ ଓ ସାଇବର ସୁରକ୍ଷା ପ୍ରସଙ୍ଗରେ ନିଜର ସହଯୋଗ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସାଇବର ସୁରକ୍ଷା ଓ ଡିଜିଟାଲ ଜ୍ଞାନକୌଶଳ କ୍ଷେତ୍ର ପାଇଁ ଏକ ନୂତନ ଖସଡା ପ୍ରସ୍ତୁତ କରିବା ଉପରେ ମଧ୍ୟ ରାଜି ହୋଇଛନ୍ତି |କ୍ଵାଣ୍ଟମ କମ୍ପ୍ୟୁଟିଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ “ଏକ୍ସାସ୍କେଲ” ସୁପର କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢୀଭୂତ କରିବା ଲାଗି   ଏଡଭାନ୍ସ କମ୍ପ୍ୟୁଟିଙ୍ଗର ବିକାଶ କେନ୍ଦ୍ର ଓ ଏଟୋସ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି | ଏହା ସମ୍ବନ୍ଧିତ ଷ୍ଟାର୍ଟ ଅପ ଢାଞ୍ଚା ଗୁଡିକୁ ପରସ୍ପର ମଧ୍ୟରେ ନିକଟତର କରିବ | ଶକ୍ତି ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଗୁଡିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି | ମହାରାଷ୍ଟ୍ର ର ଜୈତପୁରରେ ଛ ଟି ପରମାଣୁ ଶକ୍ତି ରିଏକ୍ଟର ନିର୍ମାଣ ପରିପ୍ରେକ୍ଷୀରେ ଉଭୟ ପକ୍ଷ ଭାରତର NPCIL ଓ ଫ୍ରାନ୍ସ ର EDF ମଧ୍ୟରେ ପରମାଣୁ ଶକ୍ତି ଉପରେ ବୁଝାମଣା କ୍ଷେତ୍ରରେ ଅଗ୍ରଗତି ନେଇ ତର୍ଜମା କରିଛନ୍ତି | ଆନ୍ତର୍ଜାତୀୟ ସୌର ମେଣ୍ଟ ଉପରେ ମିଳିତ ପ୍ରୟାସ ଯୋଗୁଁ ଭାରତ ର ଶକ୍ତି କ୍ଷେତ୍ରରେ ଫ୍ରାନ୍ସ ର ଭୂମିକା ବୃଦ୍ଧି ପାଇଛି | 

ପ୍ରଧାନମନ୍ତ୍ରୀ ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବାଣିଜ୍ୟ ଓ ପୁଞ୍ଜି ନିବେଶ ସଙ୍କ୍ରାନ୍ତୀୟ ସମସ୍ଯା ର ମୁକାବିଲା କରିବା ସହ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ବୃଦ୍ଧି କରିବା ଲାଗି ଉଚ୍ଚ ସ୍ତରୀୟ ଅର୍ଥନୈତିକ ଓ ବିତ୍ତୀୟ କଥାବାର୍ତ୍ତା ପୁନର୍ବାର ଆରମ୍ଭ କରିବା ଲାଗି ସହମତ ବ୍ୟକ୍ତ କରିଛନ୍ତି | ନାଗରିକ ସମାଜ ସ୍ତରରେ ଭାରତ 2021-22 ରେ ‘ନମସ୍ତେ ଫ୍ରାନ୍ସ’ କାର୍ଯ୍ୟକ୍ରମ ର ଆଉ ଏକ ପର୍ଯ୍ୟାୟ ଲାଗି  ଯୋଜନା ଚଳେଇଛି | ଭାରତୀୟ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଛାତ୍ର ବିନିମୟ ବୃଦ୍ଧି ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ଓ ସେ ଭାରତରେ ଫ୍ରାନ୍ସର ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଵାଗତ ଜଣାଇଛନ୍ତି| 

 ଏହି ସନ୍ଦର୍ଭରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ  ପ୍ରବାସନ ଓ ଗତିଶୀଳତା ଭାଗିଦାରୀତା ସମ୍ପର୍କ ରହିଛି ଯାହାକି ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ  ପାଠପଢା ସାରିବା ପରେ କିଛି ବର୍ଷ ଲାଗି ଫ୍ରାନ୍ସ ରେ ପୁଣି ରହିବା ଓ କାମ କରିବା ଲାଗି ଅନୁମତି ଦେଇଥାଏ | ମହାକାଶ ଗବେଷଣା କ୍ଷେତ୍ରରେ ଫ୍ରାନ୍ସ,  2022 ସୁଦ୍ଧା ଭାରତୀୟ ମହାକାଶଚାରୀ ମାନଙ୍କ ମହାକାଶ ମିଶନ ପାଇଁ ଚିକିତ୍ସା ସହାୟତା କର୍ମଚାରୀ ମାନଙ୍କୁ ତାଲିମ ଦେବ | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ ରେ ଭାରତୀୟ ସମୁଦାୟ ଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ ଓ ଫ୍ରାନ୍ସ ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ  ଭାରତୀୟ ପୀଡିତ ମାନଙ୍କ ପାଇଁ ଦୁଇଟି ସ୍ମାରକ ଉତ୍ସର୍ଗ କରିଥିଲେ |.

ଉଭୟ ଦେଶ  ଆଞ୍ଚଳିକ ପ୍ରସଙ୍ଗ  ନେଇ ଇରାନ ର ପରମାଣୁ କାର୍ଯ୍ୟକ୍ରମ ଉପରେ ମିଳିତ ବ୍ୟାପକ କ୍ରିୟାନ୍ବୟନ ଯୋଜନା (ଜେସିପିଓଏ) ର ସମ୍ପୁର୍ଣ୍ଣ ଭାବେ ଅନୁପାଳନ କରିବା ଉପରେ ଜୋର ଦେଇଥିଲେ ଓ ଏସଙ୍କ୍ରାନ୍ତୀୟ ପ୍ରସଙ୍ଗକୁ କଥାବାର୍ତ୍ତା ଜରିଆରେ ସମାଧାନ କରାଯିବା ଉଚିତ ବୋଲି ଦୋହୋରାଇଥିଲେ | ଜି-7 ରାଷ୍ଟ୍ର ସମୂହରେ  ଭାରତ ଏକ ସଦସ୍ୟ ରାଷ୍ଟ୍ର ହୋଇନଥିଲେ ମଧ୍ୟ ଏହି ଶିଖର ବୈଠକରେ ଯୋଗ ଦେବା ଲାଗି ରାଷ୍ଟ୍ରପତି ମାକ୍ରନ, ଭାରତକୁ ଜଣେ “ ବ୍ୟାରୀଟଜ ସହଯୋଗୀ’ ଭାବେ ଆମନ୍ତ୍ରଣ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଡିଜିଟାଲ ରୂପାନ୍ତରଣ ଆଦି ପ୍ରସଙ୍ଗରେ ମୁଖ୍ଯତଃ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି | ଜି-7 ରାଷ୍ଟ୍ର ସମୂହର ଅନ୍ୟ ନେତୃବୃନ୍ଦ ଙ୍କ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଏହା ଏକ ଉପଯୁକ୍ତ  ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି | ଶ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅତ୍ୟନ୍ତ ସଫଳ ହୋଇଛି | ଯେଉଁ ଦେଶ ସହ ଭାରତର ଏକ ବ୍ୟାପକ, ଗତିଶୀଳ ଓ ବହୁବିଧ ସମ୍ପର୍କ ରହିଛି |

 

ମୂଳ ଲେଖା : ପ୍ରଫେସର ଉମମୁ ସଲମା ବାଭା 

ଅନୁବାଦ : ରୀତା ଯୋଶୀ