ଆଫଗାନିସ୍ଥାନରେ ରାଷ୍ଟ୍ରପତି ନିର୍ବାଚନ: ଫେରିବ କି ଶାନ୍ତି?

ଆଫଗାନିସ୍ଥାନରେ ତାଲିବାନର ପତନ ପରେ ଚତୁର୍ଥ ରାଷ୍ଟ୍ରପତି ନିର୍ବାଚନ ଦୁଇ ଥର ସ୍ଥଗିତ ହେବା ପରେ ହିଂସାକାଣ୍ତ ମଧ୍ୟରେ ପ୍ରବଳ ସୁରକ୍ଷା ବ୍ୟବସ୍ଥା ସହିତ ସେପ୍ଟେମ୍ୱର 28 ତାରିଖରେ ସଂପନ୍ନ ହୋଇଛି। 15 ଜଣ ପ୍ରାର୍ଥୀ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। 90 ଲକ୍ଷ 60 ହଜାର ପଞ୍ଜିକୃତ ମତଦାତାଙ୍କ ପାଇଁ ଦେଶରେ 4,900ଟି ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇଥିଲା। ଗତ ନିର୍ବାଚନରେ 60 ଭାଗ ମତଦାନ ହୋଇଥିବାବେଳେ ଏଥର ମାତ୍ର 20 ଭାଗ ମତଦାନ ହୋଇଛି।ଶାନ୍ତି ପାଇଁ ଯଦି ସମ୍ଭବ ହୁଏ ନୂଆ ରାଷ୍ଟ୍ରପତି ତାଲିବାନ ସହିତ ଶାନ୍ତି ଆଲୋଚନା କରିବେ।

ନିର୍ବାଚନ ଦିନ ରକେଟ ଏବଂ ବୋମା ଆକ୍ରମଣ ସହିତ ପ୍ରାୟ 400ଟି ଆକ୍ରମଣ ହୋଇଛି ଭୋଟରମାନଙ୍କୁ ଭୋଟଦାନରୁ ବଞ୍ଚିତ କରିବା ଉଦ୍ଧେଶ୍ୟରେ। କେତେକ ଭୋଟରମାନଙ୍କ ନାମ ତାଲିକାରେ ନଥିବା ମଧ୍ୟ ଅଭିଯୋଗ ହୋଇଛି। ମୁଖ୍ୟତ ରାଷ୍ଟ୍ରପତି ପାଇଁ ଦୁଇ ଜଣ ତୀବ୍ର ପ୍ରତିଦ୍ୱନ୍ଦିତା କରୁଛନ୍ତି ଜଣେ ବର୍ତ୍ତମାନର ରାଷ୍ଟ୍ରପତି ଅଶରଫ ଘନି ଏବଂ ଅନ୍ୟଜଣେ ହେଉଛନ୍ତି ାଷ୍ଟ୍ରପତିଙ୍କ ସହ କ୍ଷମତା ଭଣ୍ଟନ କରୁଥିବା ମୁଖ୍ୟ କାର୍ଯ୍ୟନିର୍ବାହି ଡକ୍ଟର ଅବଦ୍ଦୁଲା ଅବଦ୍ଦୁଲା। 2014ରେ ବିବାଦୀୟ ନିର୍ବାଚନ ପରେ ଏହି ନିର୍ବାଚନ ହେଉଛି।

2001 ଠାରୁ ଆଫଗାନିସ୍ଥାନରେ ନିର୍ବାଚିତ ପାର୍ଲାମେଣ୍ଟ ସହିତ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ପାଶ୍ଚାତ୍ୟ ଗଣତନ୍ତ୍ର ଢାଞ୍ଚାରେ ହେଉଥିବା ଏହି ନିର୍ବାଚନକୁ ତାଲିବାନ ଆମେରିକାର ଖେଳଣା କହି ସରକାର ସହିତ କୌଣସି ଆଲୋଚନା କରିବାକୁ ମନା କରିଥିଲା। ଦୋହାରେ ଥିବା ତାଲିବାନର ଅଫିସ ମାଧ୍ୟମରେ ଆମେରିକା ସହିତ ତାଲିବାନର ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇସାରିଛି। ଆଲୋଚନା ବ୍ୟତିତ ଅନ୍ୟ କେତେକ ବୈଠକରେ ମଧ୍ୟ ତାଲିବାନର ପ୍ରତିନିଧି ଯୋଗ ଦେଇଛନ୍ତି। ରୁଷ ଦ୍ୱାରା ଗତ ବର୍ଷ ହୋଇଥିବା ବହୁପକ୍ଷୀୟ ବୈଠକରେ ରାଷ୍ଟ୍ରପତି ଘନି ତାଙ୍କର ଚାରି ଜଣ ପ୍ରତିନିଧିଙ୍କୁ ଉଚ୍ଚ ଶାନ୍ତି ପରିଷଦକୁ ପଠାଇଥିଲେ। ଚଳିତ ବର୍ଷ ଏପ୍ରିଲରେ ରୁଷ ଆନ୍ତଃ ଆଫଗାନ ସମ୍ମିଳନୀ ମଧ୍ୟ କରିଥିଲା।

ତାଲିବାନ ଚିନ ଏବଂ ପାକିସ୍ତାନ ସହିତ ମଧ୍ୟ ବୈଠକ କରିଛି। ଏହି ମଞ୍ଚରେ ଆଫଗାନ ସରକାରଙ୍କ ସହିତ ତାଲିବାନ ଆଲୋଚନା କରିବାକୁ ଦ୍ୱିଧା କରିନାହିଁ। ଦୋହାରେ ଜୁଲାଇରେ କତ୍ତାର ଏବଂ ଜର୍ମାନ ଦ୍ୱାରା ହୋଇଥିବା ବୈଠକରେ ତାଲିବାନ ପ୍ରତିନିଧି ଆଫଗାନ ସରକାରଙ୍କ 50 ଜଣ ପ୍ରତିନିଧିଙ୍କ ସହିତ ଶାନ୍ତି ପାଇଁ ଆନ୍ତଃ ଆଫଗାନ ସମ୍ମିଳନୀରେ ଆଲୋଚନା କରିଥିଲା। ଏହି ବୈଠକ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ଶାନ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ପୂର୍ବରୁ କୌଣସି ଆଲୋଚନା ପାଇଁ ଆଫଗାନିସ୍ଥାନରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାର ପାଇଁ ଜିଦ ଧରିଥିଲା କିନ୍ତୁ ଆନ୍ତର୍ଜାତୀୟ ଚାପ ଯୋଗୁଁ ଆଲୋଚନା ପାଇଁ ସମ୍ମତ ହୋଇଥିଲା। ବିଦ୍ରୋହି ତାଲିବାନ ଝିଅମାନଙ୍କ ଶିକ୍ଷା ଏବଂ ମହିଳାମାନଙ୍କ ଅଧିକାର ପାଇଁ ଉତ୍ତରଦାୟୀ ହେବାକୁ ଚେଷ୍ଟା କରୁଛି। ଆଫଗାନିସ୍ଥାନରେ ନାଟୋ ମୁଖ୍ୟାଳୟରେ କାର ବୋମା ଆକ୍ରମଣ ପରେ ଆମେରିକା ତାଲିବାନ ସହିତ ଆଲୋଚନାରୁ ନିଜକୁ ଦୂରେଇ ନେବା ପରେ ଶାନ୍ତି ଆଲୋଚନା ଉପରେ ପ୍ରଶ୍ନବାଚି ଉଠିଛି। ଏଣୁ ଆଲୋଚନା ପୁଣି ଆରମ୍ଭ କରିବାକୁ ଆଫଗାନିସ୍ଥାନର ରାଷ୍ଟ୍ରପତି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା।

ନିର୍ବାଚନରେ ହୋଇଥିବା କମ ଭୋଟଦାନ ସରକାର ଗଠନ ଦିଗରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର ତୃତୀୟ ସପ୍ତାହରେ ହେବାକୁ ଥିବା ନିର୍ବାଚନ ଫଳାଫଳ ଘୋଷଣାକୁ ସବୁ ଦଳ ମାନିବେ କି ନାହିଁ। ଶାନ୍ତି ପାଇଁ ଆଫଗାନିସ୍ଥାନରେ ନିର୍ବାଚନ ଫଳାଫଳ ଏକ ନୂଆ ଯାତ୍ରାରେ ଅଘ୍ରସର ହେବା ଉଚିତ। ଏହା ବ୍ୟତିତ ଗଣତନ୍ତ୍ରକୁ ବଜାୟ ରଖିବାର ଅନ୍ୟ କୌଣସି ପନ୍ଥା ନାହିଁ।

ଆଲେଖ: ଡକ୍ଟର ସ୍ମୃତି ପଟ୍ଟନାୟକ

ଭାବାନୁବାଦ: ରାମଚଂଦ୍ର ନାଥ