ବୃଦ୍ଧି ପାଉଛି ଇମ୍ରାନଙ୍କ ଦୁଃଖ ଦୁର୍ଦ୍ଦଶା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚୀନକୁ ଦୁଇଦିନିଆ ଗସ୍ତରେ ଯାଇଥିଲେ | ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାବେଦ ବାଜୱା ଶ୍ରୀ ଖାଁ ଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ବେଜିଙ୍ଗରେ ପହଞ୍ଚି ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ମୁଖ୍ୟାଳୟରେ ତାଙ୍କ ପ୍ରତିପକ୍ଷ ଜେନେରାଲ ଝାଙ୍ଗ  ୟୁଝିଆ ଓ ବରିଷ୍ଠ ସାମରିକ ଅଧିକାରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଜେନେରାଲ ବାଜୱା ଯୋଗ ଦେଇଥିଲେ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ମାତ୍ର ଗୋଟିଏ ବର୍ଷରୁ ମଧ୍ୟ କମ ସମୟ ମଧ୍ୟରେ ଇମ୍ରାନ ଖାଁ ଙ୍କ ଏହା ଥିଲା  ତୃତୀୟ ଚୀନ ଗସ୍ତ |

ଏହି ଗସ୍ତ ସମୟରେ  ଜାରି କରାଯାଇଥିବା ମିଳିତ ବିବୃତ୍ତିରେ “ଏକ ନୂତନ ଯୁଗରେ ମିଳିତ ଭବିଷ୍ୟତ ର ସଂପ୍ରଦାୟ” ଗଠନ କରିବା ଲକ୍ଷ୍ୟରେ “ପାକିସ୍ତାନ-ଚୀନ- ଚିରାଚରିତ ରଣନୀତିକ ସହଯୋଗ ଭାଗୀଦାରୀତା’ କୁ ଆହୁରି ମଜବୁତ କରିବା ଲାଗି ଦୁଇ ଦେଶ ସଙ୍କଳ୍ପବଦ୍ଧତା ପ୍ରକାଶ କରିଛନ୍ତି |

ପ୍ରତ୍ୟାଶିତ ଭାବେ ଏହି ବିବୃତ୍ତିରେ ଜାମ୍ମୁ ଓ କାଶ୍ମୀର ର ପରିସ୍ଥିତି ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା | ଜାତିସଂଘ ପ୍ରସ୍ତାବର କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଚୀନ ବେଶ ଅବଗତ ଥିଲେ ସୁଦ୍ଧା  ଏହି ପରିପ୍ରେକ୍ଷୀରେ ପାକିସ୍ତାନକୁ ସନ୍ତୁଷ୍ଟ କରିବା ଲାଗି ମତ ପ୍ରକାଶ କରି ଭାରତ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା ଜରିଆରେ ସବୁ ସମସ୍ୟାର ସମାଧାନ ହେବ ବୋଲି ବେଜିଙ୍ଗ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା  ଦେଇଛି |

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ଖାଁ ଙ୍କ ଅଭିଭାଷଣର ତୁରନ୍ତ ପରେ, ଚୀନ ରାଷ୍ଟ୍ରପତି ଙ୍କ ଭାରତ ଗସ୍ତର କିଛି ଦିନ ପୂର୍ବରୁ ଏବଂ ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (ଏଫଏଟିଏଫ) ବୈଠକ ପୂର୍ବରୁ  ଏହି ଗସ୍ତ କରାଯାଇଛି | ପାକିସ୍ତାନକୁ ପ୍ରଚଳିତ ଗ୍ରେ ତାଲିକାରୁ କଳା ତାଲିକାଭୁକ୍ତ କରାଯିବ ନା ନାହିଁ ସେ ନେଇ ଏଫଏଟିଏଫ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ରହିଛି | ଅବଶ୍ୟ ଏହା ସ୍ଵାଭାବିକ ଥିଲା ଯେ ଚୀନ ର ତୁଙ୍ଗ ନେତା ମାନଙ୍କ ସହ ଅନୁଷ୍ଠିତ ବୈଠକ  କାଳରେ ଉଭୟ ଶ୍ରୀ ଖାଁ ଓ ଜେନେରାଲ ବାଜୱା କାଶ୍ମୀର ପ୍ରସଙ୍ଗ ନେଇ ଅଯଥା ଆଳାପ ଆଲୋଚନା କରିବେ ଓ ଦୁଇ ଦେଶର ଏବେ ମଧ୍ୟ ସମାନ ଆଭିମୁଖ୍ୟ ରହିଛି ବୋଲି ଏକ ସ୍ପଷ୍ଟ ସନ୍ଦେଶ ଦେବେ | ସୂଚନା ଯୋଗ୍ୟ ଯେ ମାମଲ୍ଲାପୁରମ ଠାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ସହ ଅଣଆନୁଷ୍ଠାନିକ ବୈଠକ ସମୟରେ କାଶ୍ମୀର ପ୍ରସଙ୍ଗ ଆଦୌ ଉଲ୍ଲେଖ କରିନଥିଲେ |

ତେବେ ଶ୍ରୀ ଖାଁଙ୍କ  ଜାତିସଂଘ ସାଧାରଣ ପରିଷଦରେ ଅଭିଭାଷଣ ଓ ତାଙ୍କ ଚୀନ ଗସ୍ତ ନେଇ ପାକିସ୍ତାନରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗ ଉପରେ ଭାବନାତ୍ମକ ଭାଷଣ ଦେଇଥିଲେ ବୋଲି ସେଠାକାର ଭାଷ୍ୟକାର ମାନେ ମତ ଦେଇଛନ୍ତି | ସେମାନେ କହିଛନ୍ତି ଯେ ଇମ୍ରାନ ଖାଁ ପାକିସ୍ତାନ ରେ ରାଜନୈତିକ ବ୍ୟବସ୍ଥା ବଜାୟ ରଖିବା ପାଇଁ  ପାରୁ ପର୍ଯ୍ୟନ୍ତେ ପ୍ରୟାସ କରିଥିବା ସତ୍ତ୍ୱେ ଭାରତୀୟ ସମ୍ବିଧାନର ଧାରା 370 ଓ 35 କ ର ଉଚ୍ଛେଦ କରିବା ଓ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୁନର୍ଗଠନ ଲାଗି ଭାରତର ନିଷ୍ପତ୍ତି ପ୍ରତି କୌଣସି ପ୍ରଭାବ ପକାଇପାରିନଥିଲେ |ତେଣେ ଅନ୍ୟ ମାନେ କହନ୍ତି ଯେ ଅତୀତରେ ଜୁଲଫିକର ଅଲ୍ଲି ଭୁଟ୍ଟୋ, ବେନାଜିର ଭୁଟ୍ଟୋ ଓ ନବାଜ ସରିଫ ମଧ୍ୟ କାଶ୍ମୀରରେ ଭାରତୀୟ ଦୃଷ୍ଟିକୋଣ ଉପରେ ଏଭଳି ଭାଷଣ ମାନ ଦେଇଥିଲେ ଯାହାର କୌଣସି ପ୍ରଭାବ ପଡିନଥିଲା | 

ଇମ୍ରାନ ଖାଁ ଓ ତାଙ୍କ ଅନୁଗାମୀ ମାନେ ଏହି ବାସ୍ତବତା ପ୍ରତି ବେଶ ଅବଗତ ଅଛନ୍ତି ଯେ ଭାରତ ର ପଦକ୍ଷେପ ଯୋଗୁଁ ପାକିସ୍ତାନ ରାଜନୀତିରେ ଅନିଶ୍ଚିତତା  ସୃଷ୍ଟି ହୋଇଛି | ସରକାର ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ପାଇଁ ବିରୋଧୀ ପକ୍ଷକୁ ଏହା ଉପଯୁକ୍ତ ଅବସର ପ୍ରଦାନ କରିଛି | ସେମାନେ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ କାର୍ଯ୍ୟାନୁଷ୍ଠାନକୁ ରୋକିବାରେ ସକ୍ଷମ ହୋଇନପାରିଥିବାରୁ ରାଜନୈତିକ ନୀରିହତା ଓ  ଅସମର୍ଥତା ପ୍ରତିପାଦିତ କରୁଛନ୍ତି | ବିଲାୱାଲ ଖାଁ ମଧ୍ୟ ଇମ୍ରାନ ଖାଁ ଙ୍କ ପ୍ରତି କଟାକ୍ଷ କରି ସେ ସେନାମୁଖ୍ୟଙ୍କ ଏକ କଣ୍ଢେଇ ଭଳି ତାଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ କରୁଛନ୍ତି ବୋଲି ଦୋଷାରୋପ କରିଛନ୍ତି | ତେଣେ ଇମ୍ରାନ ଖାଁଙ୍କ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇବାଲାଗି  ମଉଲାନା ଫାଜାଲୁର ରେହମାନ ଇସଲାମବାଦରେ ଏକ ବଡ ଶୋଭାଯାତ୍ରାର ଆୟୋଜନ କରୁଛନ୍ତି |

ଖାଁ ସରକାର ଦର ବୃଦ୍ଧି, ବେରୋଜଗାର ଓ ରାଜସ୍ୱ ସଂଗ୍ରହ ଏବଂ ପୁଞ୍ଜି ନିବେଶ  ହ୍ରାସ ଆଦି ସମସ୍ୟା ଭଳି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଏକ ଆନ୍ତର୍ଜାତୀୟ ବଜାର ଗବେଷଣା ଓ ପରାମର୍ଶ ଫାର୍ମ ଦ୍ଵାରା ସମ୍ପ୍ରତ୍ତି କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଛି ଯେ ଦେଶର ଅର୍ଥବ୍ୟବସ୍ଥା ଉପରେ ଲୋକମାନେ ଆସ୍ଥା ହରେଇବସିଲେଣି | ଏହି ସର୍ବେକ୍ଷଣରେ ଭାରତକୁ 62.9 ସ୍କୋର ମିଳିଥିବା ବେଳେ ପାକିସ୍ତାନକୁ 33.8 ସ୍କୋର ମିଳିଛି | ଆଗାମୀ ଛ ମାସ ମଧ୍ୟରେ ଅର୍ଥନୀତି ନିରାଶଜନକ ରହିବ ବୋଲି ପୂର୍ବାନୁମାନ କରାଯାଇଥିବା ସହ ପାକିସ୍ତାନର ଅର୍ଥବ୍ୟବସ୍ଥା ଆହୁରି ଖରାପ ଆଡକୁ  ଗତି କରୁଛି ବୋଲି 79 ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି |

ଇମ୍ରାନ ଖାଁ ଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ବିରୋଧୀ ପକ୍ଷ ଏହାର ରାଜନୈତିକ ଭାଗ୍ୟ ପୁନର୍ଜୀବିତ କରିବା ଲାଗି ଆଶା ଉଜ୍ଜୀବିତ କରିଛି | ଇମ୍ରାନ ଖାଁ ସରକାରରେ ଆହୁରି ଅସ୍ଥିରତା ସୃଷ୍ଟି କରିବା ଓ ସେନା ସହ ତାଙ୍କ ସମ୍ପର୍କ ର ପ୍ରଗାଢତା  ଜାଣିବା ଲାଗି ଉଭୟ ବିଲାୱାଲ ଓ ନବାଜ ସରିଫ, ଫଜଲୁର ରହମାନଙ୍କ ଦ୍ଵାରା ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ସମର୍ଥନ ଜଣାଉଛନ୍ତି | 

ମୂଳ ଲେଖା : ଡଃ ଅଶୋକ ବେହୁରିଆ, ଆଇଡ଼ିଏସଏ 

ଅନୁବାଦ : ରୀତା ଯୋଶୀ