ଭାରତ-ଚୀନ ବାଣିଜ୍ୟ ଏବଂ ଅର୍ଥନୀତି ପାଇଁ ଉଚ୍ଚସ୍ତରୀୟ ଆଲୋଚନା ନିମନ୍ତେ ଢାଞ୍ଚା ପ୍ରତିଷ୍ଠା କରିବେ

ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ହୋଇଥିବା ଅଣ ଆନୁଷ୍ଠାନିକ କଥାବାର୍ତାରେ ଏକ ଉଚ୍ଚ ସ୍ତରୀୟ ଅର୍ଥନୀତି ଏବଂ ବାଣିଜ୍ୟ ଆଲୋଚନା ବ୍ୟବସ୍ଥା ସ୍ଥାପନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦୁଇ ଦେଶର ସୀମା ବିବାଦର ସମାଧାନ ପାଇଁ ନିଯୁକ୍ତ ସ୍ୱତନତ୍ର ପ୍ରତିନିଧି ବ୍ୟବସ୍ଥା ଅନୁରୂପ। ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନ ଉପ ପ୍ରଧାନମନ୍ତ୍ରୀ ହୁ ଚୁନ ହୁଆ ଏହି ବ୍ୟବସ୍ଥାର ସହ ଅଧ୍ୟକ୍ଷ ହେବେ।

ଏହି ଅଣ ଆନୁଷ୍ଠାନିକ ବୈଠକର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ଉଚ୍ଚ ନେତୃତ୍ୱ ସ୍ତରକୁ ନେବା। ନିଷ୍ପତ୍ତି ନିଆଯାଇଥିବା ବ୍ୟବସ୍ଥା ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ନେଇ ଜରୁରିକାଳିନ ଧ୍ୟାନ ଦେବା। ପ୍ରକାଶ ଥାଉକି ଏବେ ଦୁଇ ଦେଶ ମଧ୍ୟରେ ଭାରତ ପାଇଁ ବାଣିଜ୍ୟିକ ନିଅଣ୍ଟିଆ ଥିବାବେଳେ ଚୀନ 50 ବିଲିୟନ ଡଲାରର ଅଧିକ କାରବାର ଭାରତ ସହିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହି ବ୍ୟବସ୍ଥାରେ ଭାରତୀୟ ଶିଳ୍ପ ଏଥିରେ ଲାଭବାନ ହେବନା ନାହିଁ।

ଏପରି ବ୍ୟବସ୍ଥା ସ୍ଥାପନ ପଛରେ ଆଉ ଏକ କାରଣ ହେଲା ଯେ ବିଶ୍ୱ ବାଣିଜ୍ୟ ସଂଗଠନ ଏପରି ସମସ୍ୟାର ସମାଧାନ କରିବାକୁ ଅସମର୍ଥ ହେଉଛି। ଏବଂ ସଂଗଠନରେ ତିନି ଜଣ ବିଚାରପତି ଅଛନ୍ତି ଏବଂ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସେଥିମଧ୍ୟରୁ ଦୁଇ ଜଣ ଅବସର ନେଲା ପରେ ସମସ୍ୟା ଆହୁରି ଜଟିଳ ହେବ।

ବୈଦେଶିକ ବ୍ୟାପାର ସଂପର୍କୀୟ ସ୍ଥାୟୀ କମିଟି ଭାରତ ଚୀନ ବାଣିଜ୍ୟ ସଂପର୍କରେ ଯେଉଁ ରିପୋର୍ଟ ଦାଖଲ କରିଛି ସେଥିରେ କୁହାଯାଇଛି ଯେ ବାଣିଜ୍ୟ ନିଅଣ୍ଟ ଭାରତ ବିରୁଦ୍ଧରେ ଥିବାବେଳେ ଚୀନ ସପକ୍ଷରେ 56 ବିଲିୟନ ରହିଛି। ଭାରତର ସାମଗ୍ରୀ ଏବଂ ସେବା ଚୀନରେ ଅଣଶୁଳ୍କ ପ୍ରତିବନ୍ଧତାର ସମ୍ମୁଖୀନ ହେଉଛି । ଏହା ବ୍ୟତିତ ଚୀନରେ ଭାରତର ପୁଞ୍ଜିନିବେଶ ପାଇଁ ଏତେଟା ସୁଯୋଗ ମିଳୁ ନଥିବାରୁ ବାଣିଜ୍ୟ ସଂପର୍କରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି। ଭାରତରେ ହୁଆୱି ଦ୍ୱାରା 5ଜି ସେବା ଆରମ୍ଭ ପାଇଁ ରହିଥିବା ସୁରକ୍ଷା ଚିନ୍ତା ସହିତ ବାଣିଜ୍ୟ ସଂପର୍କରେ ଏକ ନୂଆ ଦିଗ ସୃଷ୍ଟି ହୋଇଛି। ନିକଟରେ ନୂଆଦିଲ୍ଲୀରେ ଚୀନର ଡିଜିଟାଲ ସିଲ୍କ ରୋଡ ଉପରେ ହୋଇଥିବା ଏକ ଆଲୋଚନା ଚକ୍ରରେ କୁହାଯାଇଛି ଯେ ଚୀନର  ହୁଆୱି ଏବଂ ଜେଡଟିଇ ଭାରତରେ ଟେଲିଯୋଗାଯୋଗ କ୍ଷେତ୍ରରେ 42 ଭାଗ ଅଂଶଧନ ଏବଂ ସ୍ମାର୍ଟ ଫୋନ ବିକ୍ରି କ୍ଷେତ୍ରରେ 66 ଭାଗ ଅଂଶ ଧନ ରହିଛି। ଏହି ଦୁଇଟି କଂପାନିର ପୁଞ୍ଜିନିବେଶ ଭାରତରେ 10 ବିଲିୟନରୁ ଅଧିକ ରହିଛି। ନୂଆ ଆଲୋଚନା ବ୍ୟବସ୍ଥାରେ ବ୍ୟାପକ ଅର୍ଥନୈତିକ ଭାଗିଦାରୀ କିପରି ହୋଇପାରିବ ତାହା ଦେଖିବାର କଥା। ଭାରତରେ ଚୀନର ପ୍ରଯୁକ୍ତି ବିଦ୍ୟାର ବହୁଳ ଉପସ୍ଥିତି ରହିଛି।

ଦେଖାଯାଇଛି ଯେ ଜାପାନ ସହିତ ହୋଇଥିବା ଏହି ବ୍ୟବସ୍ଥାର ସୁଫଳ ଏତେ ମିଳି ନାହିଁ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ ଜାପାନ ପ୍ଲସ ନାମରେ ବାଣିଜ୍ୟିକ ପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା 2014ରେ ସ୍ଥାପନ କରିଥିଲେ ଯାହାର ଅଗ୍ରଗତି ମନ୍ଥର ରହିଛି। ପ୍ରସ୍ଥାବିତ ଚେନ୍ନାଇ- ବେଙ୍ଗାଲୁରୁ ଶିଳ୍ପ କରିଡର ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ ଏବଂ ଭାରତର 9ଟି ରାଜ୍ୟରେ 12ଟି ଜାପାନ ଶିଳ୍ପ ସହର ପ୍ରକଳ୍ପ କ୍ଷେତ୍ରରେ କିଛିଟା ଅଗ୍ରଗତି ଘଟିଛି।

ଆମେରିକା ସହିତ ଚୀନର ଯେଉଁ ବାଣିଜ୍ୟିକ ସମସ୍ୟା ଦେଖାଦେଇଛି ସେପରି ସମସ୍ୟାକୁ ଭାରତ-ଚୀନ ଦ୍ୱିପକ୍ଷୀୟ ବ୍ୟବସ୍ଥା ସମାଧାନ କରିବାକୁ ଚେଷ୍ଟା କରିବ। ଚୀନରେ ଭାରତୀୟ ଶିଳ୍ପର ଉପସ୍ଥିତି ଏବଂ ବାଣିଜ୍ୟ କାରବାର ପାଇଁ ଭାରତକୁ ଏହି ବ୍ୟବସ୍ଥା ମଧ୍ୟରେ କେତେକ ପଦକ୍ଷେପ ନେବାକୁ ପଡିବ। ଭବିଷ୍ୟତରେ ଏହି ବ୍ୟବସ୍ଥା କେତେ ସଫଳ ହେବ ତାହା ସମୟ କହିବ।

 

 ଆଲେଖ:  ରାଜଦୀପ ପକନଟି

ଭାବାନୁବାଦ:  ରାମଚଂଦ୍ର ନାଥ