ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟାନାଈଡୂ ଆଫ୍ରିକୀୟ ମହାଦେଶ ସହ ସମ୍ପର୍କ ଦୃଢୀଭୂତ କରିବା ଲାଗି କୋମୋରୋସ ଓ ସିଏରା ଲିୟୋନ ଗସ୍ତ କରିଥିଲେ | ଭାରତ ଏକ ପଡୋଶୀ ଭାବେ କୋମୋରୋସ ର ଲୋକମାନଙ୍କ ସହ ଏହାର ପ୍ରଗତି ସଙ୍କ୍ରାନ୍ତୀୟ ଅଭିଜ୍ଞତା ବାଣ୍ଟିବା ଲାଗି ପ୍ରସ୍ତୁତ ଅଛି | ଭାରତ, କୋମୋରୋସ ର ଏକ ପ୍ରମୁଖ ବିକାଶମୂଳକ ଭାଗୀଦାର ହେବା ପାଇଁ ଚାହେଁ |
ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଷ୍ଟ୍ରପତି ଅଜାଲି ଅଶୌମନୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିଥିଲେ | ଏହି ବୈଠକ କାଳରେ ଦୁଇ ନେତା ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସାମୁଦ୍ରିକ ସୁରକ୍ଷା ଆଦି ବହୁ କ୍ଷେତ୍ରରେ ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ପର୍କକୁ ଆହୁରି ପରିବ୍ୟାପ୍ତ କରିବା ଲାଗି ସହମତି ପ୍ରକାଶ କରିଥିଲେ |
ଏହି ଅବସରରେ ପ୍ରତିରକ୍ଷା ସହଯୋଗ ନେଇ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା | ସ୍ୱାସ୍ଥ୍ୟ ଓ ସଂସ୍କୃତି ଉପରେ ମଧ୍ୟ ମହତ୍ବପୂର୍ଣ୍ଣ ରାଜିନାମା ଗୁଡିକ ସ୍ବାକ୍ଷରିତ ହୋଇଛି | ଭାରତ ଓ କୋମୋରୋସ, ସ୍ଵଳ୍ପକାଳୀନ ଯାତ୍ରା ପାଇଁ ଉଭୟ ଦେଶର କୂଟନୈତିକ ଓ ସରକାରୀ ପାସପୋର୍ଟ ଧାରକ ମାନଙ୍କ ଲାଗି ଭିସା ନିୟମରେ କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି |
ଭାରତ, ମୋରୋନୀରେ 18 ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ କାରଖାନା ପ୍ରତିଷ୍ଠା ଲାଗି 41.6 ନିୟୁତ ଡଲାର ସମ୍ବଳିତ ଅର୍ଥ ଋଣ ଆକାରରେ ସହାୟତା ପ୍ରଦାନ କରି ସହଯୋଗ ର ହାତ ବଢାଇବା ସହ ଅନୁଦାନ ସହାୟତା ଅନ୍ତର୍ଗତ ଏକ ପେଷାଦାର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା ଲାଗି ପ୍ରସ୍ତାବ ଦେଇଥିବାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି |
ଭାରତ ମଧ୍ୟ 1ନିୟୁତ ଡଲାର ମୂଲ୍ୟର ଔଷଧ ପତ୍ର, 1000 ମେଟ୍ରିକ ଟନ ଚାଉଳ, ଇଣ୍ଟରସେପଟର ବା ପ୍ରତିରୋଧାତ୍ମକ ଡଙ୍ଗା ପାଇଁ 2ନିୟୁତ ଡଲାର ଓ 1 ନିୟୁତ ଡଲାର ମୂଲ୍ୟର ପରିବହନ ଉପକରଣ ଉପହାର ସ୍ୱରୂପ ପ୍ରଦାନ କରିବ | ଏଥିସହିତ ଭାରତ ଉଚ୍ଚ ଦ୍ରୁତଗାମୀ ଇଣ୍ଟରସେପଟର ଡଙ୍ଗା ଗୁଡିକର କ୍ରୟ ପାଇଁ 20 ନିୟୁତ ଡଲାର ଋଣ ଆକାରରେ ପ୍ରଦାନ ଲାଗି ଘୋଷଣା କରିଛି | ଉଭୟ ଦେଶ ଟେଲି -ଏଜୁକେସନ ଓ ଟେଲି -ମେଡ଼ିସିନ – ଇ ବିଦ୍ୟା ଭାରତୀ ଓ ଇ ଆରୋଗ୍ୟ ଭାରତୀ ଆରମ୍ଭ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି |
ବିଶ୍ଵ ସମୁଦାୟ ସମ୍ମୁଖୀନ ହେଉଥିବା ଅଧିକାଂଶ ମହତ୍ବପୂର୍ଣ୍ଣ ସମସ୍ୟା ଉପରେ କୋମୋରୋସ ଓ ଭାରତ ର ସମାନ ଆଭିମୁଖ୍ୟ ରହିଛି ଓ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ଉଭୟେ ପରସ୍ପରକୁ ନିରନ୍ତର ସମର୍ଥନ କରିଆସୁଛନ୍ତି | ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି କୋମୋରୋସ ର ସମର୍ଥନ ତଥା ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ଓ ଜାତିସଂଘ ସୁରକ୍ଷା ପରିଷଦରେ ଏକ ସ୍ଥାୟୀ ସଦସ୍ୟ ଲାଗି ଭାରତର ପ୍ରାର୍ଥିତ୍ଵ ପ୍ରତି ଏହାର ନିରନ୍ତର ସମର୍ଥନ ପାଇଁ ଭାରତ ଏହାକୁ ଧନ୍ୟବାଦ ଜଣାଇଛି |
ଭାରତ, କୋମୋରୋସ ସରକାରଙ୍କ ପ୍ରାଥମିକତା ଅନୁଯାୟୀ କୋମୋରୋସ ର ଅଭିବୃଦ୍ଧି ଓ ବିକାଶ ଲାଗି ଯଥାଶକ୍ତି ପୂର୍ଣ୍ଣ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ଥିବା ବିଷୟ ଦୋହୋରାଇଛି |
ଶ୍ରୀ ଭେଙ୍କୟା ନାଇଡୁ ତାଙ୍କ ଦୁଇ ଦେଶ ଗସ୍ତ ର ଦ୍ଵିତୀୟ ଚରଣରେ ସିଏରା ଲିୟୋନ ଗସ୍ତରେ ଯାଇଥିଲେ | ସିଏରା ଲିୟୋନକୁ ଭାରତରୁ ଏହା ହେଉଛି ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ | ଉଭୟ ଦେଶ ମଧ୍ୟରେ ସମାନ ଦୂରଦୃଷ୍ଟି ଓ ସାଧାରଣ ମୂଲ୍ୟବୋଧ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି | ଦୁଇ ଦେଶ ମଧ୍ୟରେ ଆପୋଷ ବିଶ୍ଵାସ, ସମ୍ମାନ ତଥା ପରସ୍ପର ମଧ୍ୟରେ ବୁଝାମଣା ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଆହୁରି ଘନୀଭୂତ ହୋଇଛି |
ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ପାଞ୍ଚୋଟି ଶାନ୍ତିପୂର୍ଣ୍ଣ ନିର୍ବାଚନ କରେଇବା ସହ ସୂଚାରୁ ରୂପେ ତିନୋଟି କ୍ଷମତା ହସ୍ତାନ୍ତରଣ କରିଥିବାରୁ ଭାରତ ସିଏରା ଲିୟୋନକୁ ଅଭିନନ୍ଦନ ଜଣାଇଛି | ରାଷ୍ଟ୍ରପତି ବାଇଓ ଗତ ବର୍ଷ ସିଏରା ଲିୟୋନେର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ନାଏଡୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ |
ସିଏରା ଲିୟୋନ ସହ ଭାରତର ବହୁ ପୂର୍ବରୁ ଘନିଷ୍ଠ ସମ୍ପର୍କ ରହିଆସିଛି | ସିଏରା ଲିୟୋନରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ନୂଆଦିଲ୍ଲୀ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ସିଏରା ଲିୟୋନେରେ ଜାତିସଂଘ ମିସନ ଲାଗି ଭାରତ ପ୍ରଥମ ଦେଶ ଭାବେ ସୈନ୍ୟ ସହାୟତା କରିଥିଲା |
ଭାରତର ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଷ୍ଟ୍ରପତି ଜୁଲିୟସ ବାଇଓଙ୍କ ସହ କଥାବାର୍ତ୍ତା ବେଳେ ଦ୍ଵିପକ୍ଷୀୟ ସମ୍ପର୍କର ସବୁ ଦିଗ ଗୁଡିକ ଉପରେ ଆଲୋଚନା କରିବା ସହ ଆପୋଷ ସ୍ଵାର୍ଥ ବିଜଡିତ ବହୁ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମୁଖ୍ୟତଃ ଚର୍ଚ୍ଚା କରିଥିଲେ | ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ମିତ୍ରତାପୂର୍ଣ୍ଣ ସମ୍ପର୍କକୁ ଆହୁରି ପ୍ରଗାଢତର କରିବା ନିମନ୍ତେ ଉଭୟ ନେତା ପ୍ରତିଶୃତିବଦ୍ଧତା ପ୍ରକାଶ କରିଥିଲେ |
ଉଭୟ ଦେଶ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି ବିଦ୍ୟା, ମୌଳିକଢାଞ୍ଚା ବିକାଶ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ରାଜି ହୋଇଛନ୍ତି | ସେହି ଦେଶରେ କାୟା ବିସ୍ତାର ପାଇଁ ଭାରତୀୟ କମ୍ପାନୀ ଗୁଡିକୁ ପ୍ରୋତ୍ସାହିତ କରିବ ବୋଲି ମଧ୍ୟ ଭାରତ ଜଣାଇଛି |
ଭାରତ, ଏହାର ବିକାଶମୂଳକ ଯାତ୍ରାରେ ସିଏରା ଲିୟୋନେ ର ଏକ ବିଶ୍ଵସନୀୟ ଭାଗୀଦାର ହେବା ଲାଗି ସଙ୍କଳ୍ପବଦ୍ଧ | ସିଏରା ଲିୟୋନ ସହ ବିଭିନ୍ନ କ୍ଷେତ୍ରରେ 217.5 ନିୟୁତ ଡଲାର ସମ୍ବଳିତ ଋଣ ସହାୟତା ମାଧ୍ୟମରେ ଭାରତର ଉନ୍ନୟନମୂଳକ ସହଯୋଗ ରହିଛି | ଚାଉଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ତୋମାବୁମ ରେ ଜଳସେଚନ ବ୍ୟବସ୍ଥା ବିକଶିତ ଲାଗି 30 ନିୟୁତ ଡଲାର ବିଶିଷ୍ଟ ଋଣ ସଙ୍କ୍ରାନ୍ତିୟୟ ରାଜିନାମା ସହ ବହୁ ବୁଝାମଣା ସ୍ବାକ୍ଷରିତ ହୋଇଛି |
ଭାରତର ପାନ-ଆଫ୍ରିକାନ ଟେଲି-ଏଜୁକେସନ, ଟେଲି-ମେଡ଼ିସିନ ଇ -ବିଦ୍ୟାଭାରତି ଓ ଇ- ଆରୋଗ୍ୟ ଭାରତୀ ଅଭିଯାନରେ ସାମିଲ ହେବା ଲାଗି ସିଏରା ଲିୟୋନେ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି | ସିଏରା ଲିୟୋନେରେ ଆଇଟି କେନ୍ଦ୍ର ସ୍ଥାପନ ଲାଗି ଭାରତ ଖୁବ ଶୀଘ୍ର ପଦକ୍ଷେପ ନେବ ବୋଲି ଜଣେଇଛି | ଭାରତ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ସୌହାର୍ଦ୍ୟମୂଳକ ସଙ୍କେତ ସ୍ୱରୂପ ସିଏରା ଲିୟୋନକୁ 1000 ମାଟ୍ରିକ ଟନ ଚାଉଳ ପଠାଇବ |
ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ
ଅନୁବାଦ : ରୀତା ଯୋଶୀ