ସିରିୟା ଉପରେ ତୁର୍କୀର ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ ନକରିବାକୁ ଟ୍ରମ୍ପଙ୍କ ସଙ୍କେତ

ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଗୋଣ୍ତଗୋଳିଆ ସ୍ଥିତିରେ ଥିବା ମଧ୍ୟ ପ୍ରାଚ୍ୟରେ ଝଡ଼ ସୃଷ୍ଟି କରିଛି। ସିରିୟାରେ କୁର୍ଦିସ ସମର୍ଥନରେ ନିଜର ସେନାକୁ ମୁତୟନ କରିଥିବା ଆମେରିକା ଏବେ ସେଠାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାବେଳେ କୁର୍ଦିସ ନେତୃତ୍ୱାଧିନ ସିରିୟାଇ ଡେମୋକ୍ରାଟିକ ଫୋର୍ସ(ଏସଡିଏଫ) ବିରୁଦ୍ଧରେ ଉତ୍ତରାଞ୍ଚଳ ସିରିୟା ଉପରେ ତୁର୍କୀର ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ରୋଧାନ୍ୱିତ କରିଛି। ତୁର୍କୀ ରାଷ୍ଟ୍ରପତି ରିସେ ତୟିପ ଏଡୋଗାନ ଏସଡିଏଫକୁ ସନ୍ତ୍ରାସବାଦି ବିବେଚନା କରୁଛି କାରଣ ତୁର୍କୀର କୁର୍ଦିସ ୱାରକର୍ସ ପାର୍ଟି ସହିତ ଏହାର ମେଣ୍ଟ ରହିଛି। ତୁର୍କୀ ନିଜ ଦେଶର କୁର୍ଦିସ ନେସନାଲିଷ୍ଟକୁ ନିଷ୍କ୍ରିୟ କରିବା ପାଇଁ ସିରିୟାର କୁର୍ଦିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସିରିୟାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ଉଭୟ ସିରିୟା ଏବଂ ଇରାକର କୁର୍ଦିସ ପ୍ରତି ପ୍ରତାରଣା ବୋଲି କୁହାଯାଉଛି। କାରଣ ଆଇଏସଆଇଏସର ପରାଜୟ ପଛରେ କୁର୍ଦିସର ହିଁ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। 2019 ମାର୍ଚରେ ସିରିୟାରେ ଆଇଏସଆଇଏସ ସଂପୂର୍ଣ୍ଣ ପରାଜିତ ହୋଇଥିବା ଘୋଷଣା ପରେ ଏବେ ଏହି ଗୋଷ୍ଟି ପୁଣି ଏକତ୍ର ହେବାର ଆଶଙ୍କା ଦେଖା ଦେଇଛି।

ଏବେ ତୁର୍କୀରେ ଶରଣ ନେଇଥିବା ପ୍ରାୟ 3.6 ମିଲିୟନ ସିରିୟା ଶରଣାର୍ଥୀମାନଙ୍କୁ  ସିରିୟାର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥାପିତ କରିବା ପାଇଁ 30 କିଲୋମିଟର ଯାଏଁ ନିରାପଦ ଜୋନ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଗତ ସପ୍ତାହରେ ତୁର୍କୀ ସିରିୟା ଉପରେ ଆକ୍ରମଣ କରିଥିଲା। ଶରଣାର୍ଥୀମାନଙ୍କୁ ଥଇଥାନ କରିବା ଯଦିଓ ସ୍ୱାଗତଯୋଗ୍ୟ ପଦକ୍ଷେପ କିନ୍ତୁ ତୁର୍କୀର କାର୍ଯ୍ୟାନୁଷ୍ଠାନ ବିବାଦୀୟ ହୋଇପଡିଛି ଯାହା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନିନ୍ଦା କରାଯାଉଛି।

ତୁର୍କୀର ଆକ୍ରମଣକୁ ଦେଖି ଆମେରିକା ତୁରନ୍ତ ତୁର୍କୀ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛି। ତୁର୍କୀର ଇସ୍ପାତ ରପ୍ତାନି ଉପରେ 50 ଭାଗ ଟିକସ ଲଗାଇବା ସହିତ 100 ବିଲିୟନ ଡଲାରର ବାଣିଜ୍ୟ କାରବାରକୁ ବନ୍ଦ କରିଛି। ଆମେରିକାର ନ୍ୟାୟ ବିଭାଗ ତୁର୍କୀର ପ୍ରମୁଖ ବ୍ୟାଙ୍କ ହଲ୍କବ୍ୟାଙ୍କ ବିରୁଦ୍ଧରେ ଅପରାଧିକ ତଦନ୍ତ କରିବା ଘୋଷଣା କରିଛି। ଏହା ବ୍ୟତିତ ଟ୍ରମ୍ପ ପ୍ରଶାସନ ତୁର୍କୀର ପ୍ରତିରକ୍ଷା, ଶକ୍ତି ଏବଂ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଆମେରିକା ସ୍ଥିତ ସଂପତ୍ତିକୁ ଅକାମି କରିଛି ଏବଂ ତା ସହିତ କୌଣସି ପ୍ରକାର କାରବାର ଉପରେ କଟକଣା ଲଗାଇଛି।

ଯଦି ତୁର୍କୀ ବିପଦ ତଥା ଧ୍ୱଂସକାରୀ ପଥ ପରିହାର ନକରେ ତେବେ ତାର ଅର୍ଥନୀତିକୁ ଧିରେଧିରେ ଧୂଳିସାତ କରିଦେବ ବୋଲି ଆମେରିକା ଚେତାବନି ଦେଇଛି। ତୁର୍କୀ ତୁରନ୍ତ ଯୁଦ୍ଧ ବିରତି ନକଲେ ପରିସ୍ଥିତି ଆହୁରି ଭୟାଭୟ ହେବ ବୋଲି ଆମେରିକାର ଉପ ରାଷ୍ଟ୍ରପତି ତୁର୍କୀକୁ ଚେତାବନୀ ଦେଇଛନ୍ତି।

ୟୁରୋପୀୟ ସଂଘ ଟ୍ରମ୍ପଙ୍କ ଇରାନ ନୀତି ଉପରେ କ୍ଷୁବ୍ଧ ଅଛି । ଏହା କୁର୍ଦିସକୁ ସମର୍ଥନ କରୁଛି ଏବଂ ଆକ୍ରମଣକୁ ନିନ୍ଦା ମଧ୍ୟ କରୁଛି। ୟୁରୋପୀୟ ସଂଘର ଆଶଙ୍କା ରହିଛି ଯେ ତୁର୍କୀ ଯଦି ଏହାର ସୀମା ଉନ୍ମୁକ୍ତ କରେ ତେବେ ଶରଣାର୍ଥିମାନେ ୟୁରୋପୀୟ ସଂଘର ଦେଶମାନଙ୍କୁ ପଶି ଆସିବେ।  ଅପରପକ୍ଷେ ତୁର୍କୀ ରାଷ୍ଟ୍ରପତି ନିଜର ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବାକୁ ସଙ୍କେତ ଦେଇଛନ୍ତି। ଇରାନ, ଜେରୁଜେଲମ କିମ୍ବା ଗୋଲାନ ଉପରେ ତୁର୍କୀର ନୀତି ବିବାଦୀୟ ହୋଇଥିବାରୁ ତୁର୍କୀ ପ୍ରତି ଆମେରିକାର ଆଭିମୁଖ୍ୟକୁ ଅନେକ ଦେଶ ସମର୍ଥନ କରୁଛନ୍ତି। ଏହି କାରଣରୁ ଆମେରିକାର ତୁର୍କୀ ନୀତି ଆହୁରି ସଂପ୍ରସାରିତ ହେବ ଏବଂ ଆଗାମୀ ଦିନରେ ତୁର୍କୀ ଉପରେ ଆମେରିକାର ପ୍ରତିବନ୍ଧ ଆହୁରି ତୀବ୍ର ହୋଇପାରେ।

ସିରିୟା ଉପରେ ତୁର୍କୀର ଆକ୍ରମଣକୁ ନେଇ ଭାରତ ଚିନ୍ତିତ।  ଭାରତ କହିଛି ଯେ ତୁର୍କୀର ଏହି କାର୍ଯ୍ୟାନୁଷ୍ଠାନ ସେ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବ ଏବଂ ସନ୍ତ୍ରାସବାଦକୁ ପ୍ରୋତ୍ସାହିତ କରିବ।

 ଆଲେଖ:  ପି.ଆର. କୁମାରସ୍ୱାମୀ

ଭାବାନୁବାଦ:  ରାମଚଂଦ୍ର ନାଥ