ଭାରତ-ନେଦରଲ୍ୟାଣ୍ଡସ ସମ୍ପର୍କ ଏକ ନୂତନ ଶିଖରକୁ ଛୁଇଁଛି

ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ବିଗତ ସପ୍ତଦଶ ଶତାବ୍ଦୀରୁ ଦୃଢ ଐତିହାସିକ ସମ୍ପର୍କ ରହିଛି |1947 ମସିହାରେ ଭାରତ ସ୍ଵାଧୀନତା ଲାଭ କଲାପରେ ଉଭୟ ଦେଶ ମଧ୍ୟରେ ଔପଚାରିକ ସମ୍ପର୍କ ସ୍ଥାପିତ ହୋଇଥିଲା| 1970 ଓ 1980 ମସିହା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଥିଲା କିନ୍ତୁ ବାସ୍ତବରେ କହିବାକୁ ଗଲେ 1990ରେ ଭାରତୀୟ ଅର୍ଥବ୍ୟବସ୍ଥାର ଉଦାରୀକରଣ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଥିଲା | ଉଭୟ ପକ୍ଷର  ଉଚ୍ଚ ସ୍ତରୀୟ ଗସ୍ତ ଦ୍ଵାରା ରାଜନୈତିକ, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ପ୍ରଗାଢ ହୋଇଛି | 2006 ରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ଜନ ପିଟର ବାଲକେନେଣ୍ଡେ ଭାରତ ଗସ୍ତରେ ଆସିଥିଲେ | ଉଭୟ ଦେଶ ମଧ୍ୟରେ ଗତ ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍ତରରେ ତିନୋଟି ଗସ୍ତ ହୋଇଛି | ମେ 2018 ରେ ନେଦର୍ଲାଣ୍ଡସ ର ପ୍ରଧାନମନ୍ତ୍ରୀ ମାର୍କ ରୁଟଟେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ  ଏକ ବ୍ୟବସାୟୀ ପ୍ରତିନିଧି ଦଳର ନେତୃତ୍ଵ ନେଇ ଭାରତ ଗସ୍ତରେ ଆସିଥିଲେ |

ନେଦରଲ୍ୟାଣ୍ଡସର ରାଜକୀୟ ଦମ୍ପତ୍ତି ରାଜା ୱିଲେମ ଓ ରାଣୀ ମାକ୍ସିମା ଭାରତକୁ ଏକ ପାଞ୍ଚ ଦିନିଆ ଗସ୍ତରେ ଆସିଥିଲେ | 2013 ରେ ସିଂହାସନ ଆରୋହଣ କରିବା ପରେ ରାଜା ୱିଲେମ  ଆଲେକଜାଣ୍ଡାରଙ୍କ ଏହା ପ୍ରଥମ ସରକାରୀ ଗସ୍ତ ଥିଲା |ସେ ଜଣେ ପ୍ରଶିକ୍ଷିତ ପାଇଲଟ ଓ କେଏଲଏମ ବିମାନ ସେବାର ଅନେକ ବିମାନ ରେ ସେ ସହ ପାଇଲଟ ଭାବେ କାର୍ଯ୍ୟ କରିଛନ୍ତି | ସେ ନିଜେ ପାଇଲଟ ଭାବେ ବିମାନ ଉଡାଣ କରି ଭାରତ ଗସ୍ତରେ ଆସିଥିଲେ | ନେଦରଲ୍ୟାଣ୍ଡସ ରେ ଏକ ସାମ୍ବିଧାନିକ ରାଜତନ୍ତ୍ର ରହିଛି | 2007 ରେ ବର୍ତ୍ତମାନର  ରାଜାଙ୍କ ମାତା ରାଣୀ ବେଟ୍ରିକ୍ସ ଭାରତ ଗସ୍ତରେ ଆସିଥିଲେ |

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକୀୟ ଦମ୍ପତ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଜୋର ଦେଇ କହିଥିଲେ ଯେ ଅର୍ଥନୈତିକ ଭାଗିଦାରୀତା ଭାରତ- ନେଦର୍ଲାଣ୍ଡସ ସମ୍ପର୍କ ର ପ୍ରମୁଖ ସ୍ତମ୍ଭ ଅଟେ |କାରଣ ନେଦର୍ଲାଣ୍ଡସ ର 100 ରୁ ଅଧିକଟି   କମ୍ପାନୀ ଭାରତରେ କାର୍ଯ୍ୟରତ ଅଛନ୍ତି | ଏଥିସହିତ ଦ ହେଗ, ଜାତିସଂଘ ସୁରକ୍ଷା ପରିଷଦରେ ଏକ ସ୍ଥାୟୀ ସଦସ୍ୟତା ଓ ବିଭିନ୍ନ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତର ଦାବି ପ୍ରତି ସମର୍ଥନ ଜଣାଇଆସୁଛି | ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ ଏକ ଦୃଢ ଐତିହାସିକ ସମ୍ପର୍କକୁ  ଆଧାର କରି ଉଭୟ ପକ୍ଷ ନବାଚାର, ନିବେଶ ଓ ପ୍ରଯୁକ୍ତିବିଦ୍ୟା ଦ୍ଵାରା ପରିଚାଳିତ ଏକ ଭାଗିଦାରୀତା ଗଠନ କରିଛନ୍ତି | ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ମାର୍ଟ ସଲ୍ଯୁସନ, ସ୍ମାର୍ଟ ସିଟି, ସବୁଜ ଶକ୍ତି, ଷ୍ଟାର୍ଟ ଅପ୍ସ ଓ ବର୍ତ୍ତମାନର ଉତ୍ପାଦ ଗୁଡିକ ଆମକୁ ଏକାଠି କରୁଛି ଓ ଭାରତ ନଦୀର ପୁନରୁଜ୍ଜୀବିତ ଉପରେ ନେଦର୍ଲାଣ୍ଡସ ସହ ମତ ଆଦାନ ପ୍ରଦାନ କରିବା ଓ ଜ୍ଞାନ ଆହରଣ କରିବା ଲାଗି ଉତ୍ସାହିତ ଅଛି | 

 ରାଜା ୱିଲେମ ଆଲେକଜାଣ୍ଡାର, 1957ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନେଦର୍ଲାଣ୍ଡସକୁ ତାଙ୍କ ପ୍ରଥମ ଗସ୍ତ ସମୟରେ ଦେଇଥିବା ଅଭିଭାଷଣ ର କିଛି ଉକ୍ତି ଉଦ୍ଧାର କରି ବକ୍ତବ୍ୟ ପ୍ରଦାନ କରିଥିଲେ | ଯେଉଁଥିରେ ନେହେରୁ କହିଥିଲେ ଯେ ଆମେ ସବୁ ମିଳିମିଶି ନିକଟ ପଡୋଶୀ ଭାବେ ବସବାସ କରୁ | ରାଜା ୱିଲେମ କହିଥିଲେ ଯେ ବ୍ୟାପକ ସହଯୋଗ ଓ ଆନ୍ତର୍ଜାତୀୟ ଆଇନ ଆଧାର ରେ ଏକ ବିଶ୍ଵ ବ୍ୟବସ୍ଥା ପ୍ରତିଷ୍ଠା ଲାଗି ୟୁରୋପୀୟ ସଂଘ ସହ ଭାରତ ସମର୍ଥନ ଜଣାଇଥିବାରୁ ନେଦରଲାଣ୍ଡସ ଅତ୍ୟନ୍ତ ଖୁସି  | ସେ ମଧ୍ୟ ଜାତିସଂଘ ନିରନ୍ତର ବିକାଶ ଲକ୍ଷ ହାସଲ ପାଇଁ ଭାରତର ପ୍ରତିବଦ୍ଧତା ପ୍ରତି ଭୂୟସୀ ପ୍ରଶଂସା କରିଛନ୍ତି| 

ଭାରତ ସହ ୟୁରୋପୀୟ ସଂଘ ମଧ୍ୟରେ ନେଦରଲାଣ୍ଡ ହେଉଛି ପଞ୍ଚମ ସର୍ବବୃହତ ନିବେଶକ ଓ ଚତୁର୍ଥ ସର୍ବବୃହତ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର  | ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ଭାରତୀୟ ଉଦ୍ୟୋଗ ମହାସଂଘ ଦ୍ଵାରା ଆୟୋଜିତ 25 ତମ ପ୍ରଯୁକ୍ତିବିଦ୍ୟା ଶିଖର ସମ୍ମିଳନୀ ସମୟରେ ଏହି ରାଜକୀୟ ଦମ୍ପତ୍ତି ଭାରତ ଗସ୍ତରେ ଆସିଥିଲେ| ଏହି ଶିଖର ବୈଠକ କାଳରେ ଜଳ, କୃଷି/ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | ଏହି ସମ୍ମିଳନୀରେ ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହ 15 ଜଣ ଭାରତୀୟ ଓ ଡଚ ଷ୍ଟାର୍ଟ ଅପକୁ କର୍ପୋରେଟ, ସରକାର ଓ ଅନ୍ୟାନ୍ୟ ଅଂଶୀଦାର ଓ ଜ୍ଞାନ ଆଧାରିତ ସଂସ୍ଥା ଗୁଡିକର ବିଭିନ୍ନ ବର୍ଗ ପାଇଁ ସେମାନଙ୍କ ଅଭିନବ ବିଚାରଧାରା ବ୍ୟକ୍ତ କରିବା ଲାଗି ଏକ ଉତ୍ତମ ଅବସର ପ୍ରଦାନ କରିଥିଲା | ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରି ରାଜା ୱିଲେମ କହିଥିଲେ ଯେ ନବାଚାର ସହ-ନିର୍ମାଣ ଉପରେ ପର୍ଯ୍ୟବେଶିତ | ନବାଚାର, ସମସ୍ତଙ୍କ ଉପରେ ପ୍ରଭାବ ପକାଉଥିବା ସାମାଜିକ ସମସ୍ଯା ଗୁଡିକର ମୁକାବିଲା କରିବାଲାଗି  ଆନ୍ତର୍ଜାତୀୟ ଜ୍ଞାନ ଓ ବିଶେଷଜ୍ଞତାର ଏକତ୍ରିକରଣ କରିଥାଏ |

ସାମାଜିକ- ସାଂସ୍କୃତିକ ସ୍ତରରେ ନେଦରଲେଣ୍ଡସରେ ପାଖାପାଖି 235,000 ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି  ଯାହାକି ବ୍ରିଟେନ ପରେ ୟୁରୋପ ରେ ସର୍ବାଧିକ | 15 ଅକ୍ଟୋବର ରେ ରାଜକୀୟ ଦମ୍ପତ୍ତି ଐତିହାସିକ ସଫଦରଜଙ୍ଗ ଟମ୍ବ ପରିସରରେ ନେଦରଲ୍ୟାଣ୍ଡସ ରେ ଅଧ୍ୟୟନ କରିଥିବା 50 ଜଣ  ଭାରତୀୟ ଛାତ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ| ୟୁରୋପ ର ପ୍ରବେଶ ଦ୍ଵାର ହଲାଣ୍ଡ, ସୁଲଭ ମୂଲ୍ଯରେ ଇଂରାଜୀ ମାଧ୍ୟମ ଉଚ୍ଚ ଶିକ୍ଷା ପ୍ରଦାନ ଲାଗି ଅଧିକରୁ ଅଧିକ  ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରୁଛି | 

ମୁମ୍ବାଇରେ ରାଜା ରାଣୀ ଡଚ ସମୁଦାୟ  ସହ ସାକ୍ଷାତ ଆଲୋଚନା କରିଥିଲେ ଓ ‘ଇଣ୍ଡୋ-ଡଚ କନେକ୍ସନ ଇନ  ଦ ଏଜ ଅଫ ରେମବ୍ରାଣ୍ଡଟ’ ଶୀର୍ଷକ ମିଳିତ ଐତିହ୍ୟର 400 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ | କେରଳରେ ମଟ୍ଟଞ୍ଚେରୀ ସ୍ଥିତ ଡଚ ପ୍ୟାଲେସ  ପରିଦର୍ଶନ ସହ ରାଜକୀୟ ଦମ୍ପତ୍ତି ଙ୍କ ଭାରତ ଗସ୍ତ ଶେଷ ହୋଇଥିଲା | ରାଜକୀୟ ଦମ୍ପତ୍ତିଙ୍କ ଏହି ଗସ୍ତ ଭାରତ- ନେଦରଲ୍ୟାଣ୍ଡସ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ଆହୁରି ମଜବୁତ କରିବ | 

ମୁଲାଲେଖା : ପ୍ରଫେସର ଉମମୁ ସଲମା ବାଭା, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ଅନୁବାଦ: ରୀତା ଯୋଶୀ