କର୍ତ୍ତାରପୁର କୋରିଡରର ଶୁଭାରମ୍ଭ

ଭାରତ ଓ ପାକିସ୍ତାନ, ସମ୍ପ୍ରତି ଚାଲିଥିବା ଦ୍ଵିପକ୍ଷୀୟ ଉତ୍ତେଜନା ସତ୍ତ୍ୱେ ମଧ୍ୟ, ଗୁରୁଦ୍ଵାରା ଦରବାର ସାହିବର  ପରିଦର୍ଶନ ଲାଗି ତୀର୍ଥଯାତ୍ରୀ ମାନଙ୍କ ପାଇଁ କର୍ତ୍ତାରପୁର ସାହିବ କୋରିଡର ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି | ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନାରୋୱାଲ ଜିଲ୍ଲା ସ୍ଥିତ କର୍ତ୍ତାରପୁର ସାହିବ ହେଉଛି ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଜୀ ଙ୍କ ପବିତ୍ର ଧର୍ମପୀଠ | ଶ୍ରୀ ଗୁରୁ ନାନକ ଦେବ ଜୀ ଅଠର ବର୍ଷ ପର୍ଯ୍ୟନ୍ତ କର୍ତ୍ତାରପୁର ସାହିବରେ ନୀତିଶିକ୍ଷା ପ୍ରଦାନ କରିବା ସହ ଧର୍ମବାଣୀ ପ୍ରଚାର କରିଥିଲେ | ଏହି ସ୍ଥାନରେ ସେ ତାଙ୍କ ଅନ୍ତିମ ସମୟ  ବିତାଇଥିଲେ | ପ୍ରଥମ ଶିଖ ଗୁରୁଙ୍କ 550 ତମ ଜୟନ୍ତୀ ଅବସରରେ ନଭେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଯୋଜନା କରାଯାଇଛି | ଗତ ବର୍ଷ ନଭେମ୍ବରରେ ଭାରତ ସରକାର ଭାରତର ଗୁରଦାସପୁର ଜିଲ୍ଲାରେ ଡେରା ବାବା ନାନକରୁ ଆନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ଏକ ଚାରି ଲେନ ବିଶିଷ୍ଟ କୋରିଡର ର ନିର୍ମାଣ ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ |

ପାକିସ୍ତାନରେ ଶିଖ ସମ୍ପ୍ରଦାୟର ପାଖାପାଖି 173ଟି ଧର୍ମପୀଠ ରହିଛି | 1974ରେ ହୋଇଥିବା ଭାରତ ଓ ପାକିସ୍ତାନ ଦ୍ଵିପକ୍ଷୀୟ ପ୍ରୋଟୋକଲ ଅନୁଯାୟୀ ଏଥିମଧ୍ୟରୁ ମାତ୍ର କେତୋଟି ଧର୍ମପୀଠରେ ଭାରତର ଶିଖ ଧର୍ମାବଲମ୍ବୀ ମାନେ ଦର୍ଶନ କରିପାରୁଛନ୍ତି | ଏହି ପ୍ରୋଟୋକଲ ଅନୁଯାୟୀ ତୀର୍ଥଯାତ୍ରୀ ମାନେ ପରସ୍ପର ର କ୍ଷେତ୍ରରେ ସ୍ଥିତ ଧାର୍ମିକ ସ୍ଥଳୀ ଗୁଡିକୁ  ଯାତ୍ରା କରିପାରନ୍ତି | 

ଏହା ପୂର୍ବରୁ ଶିଖ ସମ୍ପ୍ରଦାୟର  ତୀର୍ଥଯାତ୍ରୀ ମାନେ ସୀମା ଠାରେ ଡେରା ବାବା ନାନକରେ ସ୍ଥାପିତ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଗୁରୁଦ୍ଵାର ଦରବାର ସାହିବ ର ଦର୍ଶନ କରୁଥିଲେ | କେବଳ ବୈଶାଖୀ ଉତ୍ସବ, ଗୁରୁ ଅର୍ଜନ ଦେବଜୀ ଙ୍କ ଶହିଦ ଦିବସ , ମହାରାଜା ରଞ୍ଜିତ  ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ଗୁରୁ ନାନକ ଦେବଜୀ ଙ୍କ ଜୟନ୍ତୀ ଭଳି ଚାରୋଟି ଅବସରରେ ବହୁ କମ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଗସ୍ତ ଲାଗି ପାକିସ୍ତାନ ଅନୁମତି ଦେଉଥିଲା | 

 ଦରବାର ସାହିବ ଧର୍ମପୀଠକୁ ଭାରତର ଶିଖ ତୀର୍ଥଯାତ୍ରୀ ମାନଙ୍କ ଯାତ୍ରା ସୁଗମ କରିବା ଲାଗି ଏକ କୋରିଡର ସହ ସଂଯୋଗ କରିବା ପାଇଁ ବହୁ ପୂର୍ବରୁ ପ୍ରସ୍ତାବ ରହିଥିଲା | ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲାହୋରକୁ ଐତିହାସିକ ବସ ଯାତ୍ରା ସମୟରେ ଏକ କୋରିଡର ନିର୍ମାଣ ଲାଗି ଭାରତ ପ୍ରସ୍ତାବ ଦେଇଥିଲା | 1999ରେ କର୍ତ୍ତାରସାହିବ ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ସେହି ବର୍ଷ ପାକିସ୍ତାନୀ ଶିଖ ମାନଙ୍କୁ ନିଜ ଧର୍ମସ୍ଥଳୀକୁ ସ୍ୱାୟତ୍ତ ଭାବେ ପରିଚାଳିତ କରିବା ଉଦ୍ଦ୍ୟେଶରେ ପାକିସ୍ତାନ ମଧ୍ୟ, ଲେଫ୍ଟେନେଣ୍ଟ ଜେନେରାଲ ଜାଭିଦ ନାସୀରଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସ୍ଥାପନା କରିଥିଲା |  ତେବେ ପାକିସ୍ତାନ ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ ଅଧୀନରେ ଏହି ସଂସ୍ଥା କାର୍ଯ୍ୟ କରୁଛି |

ଗୁରୁଦ୍ୱାରା ଦରବାର ସାହିବ ପରିଦର୍ଶନ ଲାଗି ଶିଖ ତୀର୍ଥଯାତ୍ରୀ ମାନଙ୍କ ସୁବିଧା ଲାଗି କର୍ତ୍ତାରପୁର କୋରିଡର ଖୋଲିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ବିଷୟ ଘୋଷଣା କରିବା ପରେ କୋରିଡର ର ସଞ୍ଚାଳନ ପାଇଁ କାର୍ଯ୍ୟ ପ୍ରଣାଳୀ ଉପରେ  ବିଚାର ବିମର୍ଶ ଲାଗି ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଟାରୀ ଠାରେ ଦୁଇ ଦେଶ ସେମାନଙ୍କ ପ୍ରଥମ ବୈଠକ କରିଥିଲେ | ତେବେ ଦୁଇଟି ବିଷୟ ଉପରେ ମତପାର୍ଥକ୍ୟ ରହିଥିଲା | ପାକିସ୍ତାନ କହିଛି ଯେ ଏକ ପରମିଟ ବା ଅନୁମତି ବ୍ୟବସ୍ଥା ଆରମ୍ଭ କରିବ ଓ ତୀର୍ଥଯାତ୍ରୀ ମାନଙ୍କ ଉପରେ 20 ଡଲାରର ପ୍ରବେଶ ଶୁଳ୍କ ଲାଗୁ କରିବ  | ତୀର୍ଥଯାତ୍ରୀ ମାନଙ୍କ ଠାରୁ ଆଦାୟ ଅର୍ଥକୁ କୋରିଡର ର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ପାକିସ୍ତାନ ମୁଖ୍ୟତଃ ଯୁକ୍ତି ବାଢିଛି | ତେଣେ ମୁକ୍ତ ଯାତ୍ରା ଲାଗି ଅନୁମତି ଦେବାକୁ ଭାରତ ନିରନ୍ତର ଦାବି କରିଆସୁଛି କାରଣ ଶୁଳ୍କ ଲାଗୁ କଲେ ଗରିବ ଶ୍ରଦ୍ଧାଳୁ ମାନେ ପବିତ୍ର ଧାର୍ମିକ ପୀଠ ଦର୍ଶନରୁ ବଞ୍ଚିତ ହେବେ | ଏଥିସହିତ  ତୀର୍ଥଯାତ୍ରୀ ମାନଙ୍କ ସହ କୂଟନୈତିକ ଓ ପ୍ରୋଟୋକଲ ଅଧିକାରୀ ମାନେ ମଧ୍ୟ ଯାତ୍ରା କରିବାକୁ ଅନୁମତି ଦେବା ଲାଗି ଭାରତର ଅନୁରୋଧ ଉଭୟଙ୍କ ମଧ୍ୟରେ ମତଭେଦର ଅନ୍ୟ ପ୍ରମୁଖ କାରଣ ପାଲଟିଛି | ଅତୀତରେ ସୁରକ୍ଷା ଜନିତ କାରଣ ଦର୍ଶାଇ ଇସଲାମାବାଦ ଦ୍ଵାରା ପନଯା ସାହିବ ଓ ନାନକାନା ସାହିବ ଗୁରୁଦ୍ଵାରକୁ ଯାଉଥିବା ଶିଖ ତୀର୍ଥଯାତ୍ରୀ ମାନଙ୍କ ସହ ସାକ୍ଷାତ କାରିବାଲାଗି ଭାରତୀୟ ଉଚ୍ଚ କମିଶନ ର ଅଧିକାରୀ ମାନଙ୍କୁ  ରୋକା ଯାଉଥିଲା |

ଦୁଇ ଦେଶ ଭିସା-ମୁକ୍ତ ଯାତ୍ରା ଲାଗି ସହମତି ପ୍ରକାଶ କରିଛନ୍ତି କିନ୍ତୁ  ତୀର୍ଥଯାତ୍ରୀ ମାନଙ୍କୁ ନିଜ ନିଜର ପାସପୋର୍ଟ ସାଙ୍ଗରେ ନେବା ସହ ଅନଲାଇନ ପଞ୍ଜୀକରଣ କରିବାକୁ ପଡିବ |  ଭାରତ, ପ୍ରତିଦିନ 10,000 ତୀର୍ଥଯାତ୍ରୀଙ୍କୁ ଧର୍ମପୀଠ ଦର୍ଶନ ଲାଗି  ଅନୁମତି ଦେବାକୁ ଅନୁରୋଧ କରିଥିଲା ହେଲେ ଦିନକୁ 5,000 ତୀର୍ଥଯାତ୍ରୀ ଦର୍ଶନ କରିବା ଓ  ସ୍ଵତନ୍ତ୍ର ଅବସରରେ ଅଧିକ ଲୋକଙ୍କୁ ଅନୁମତି ଦେବା ପାଇଁ ସହମତି ପ୍ରକାଶ ପାଇଛି |

ତେବେ ଏପରି କେତେକ ଭାରତ ବିରୋଧୀ ତତ୍ତ୍ଵ ଅଛନ୍ତି ଯେଉଁମାନେ କର୍ତ୍ତାରପୁର ସାହିବରେ ତୀର୍ଥଯାତ୍ରୀ ମାନଙ୍କ ଉପସ୍ଥିତିର ଫାଇଦା ଉଠାଇବା ପାଇଁ ଚାହାନ୍ତି ଓ ପାକିସ୍ତାନ ଦ୍ଵାରା ସମର୍ଥିତ ଭାରତରେ ବିନାଶକାରୀ  କାର୍ଯ୍ୟକଳାପ ଭିଆଇବାକୁ ଚାହାନ୍ତି | ଏହା ଭାରତ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି | ଅତୀତରେ ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପ ପଛରେ ପାକିସ୍ତାନର ହାତ ରହିଥିବା ବେଳେ ବର୍ତ୍ତମାନ ଏହି ଆତଙ୍କବାଦକାର୍ଯ୍ୟ ପୁଣିଥରେ ସକ୍ରିୟ ହେବାର ଆଶଙ୍କା ରହିଛି | ପାକିସ୍ତାନ ଜଣେ ଭାରତ ବିରୋଧୀ ତତ୍ତ୍ଵ  ଗୋପାଳ ସିଂ ଚାୱଲାଙ୍କୁ କର୍ତ୍ତାରପୁର ଆୟୋଜନ କମିଟିର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ କୋରିଡର ପ୍ରକଳ୍ପ ବିବାଦୀୟ ହୋଇପଡିଥିଲା | ଚାୱଲା ଆତଙ୍କବାଦୀ ମାନଙ୍କ ପାଇଁ ଜଣେ ଆୟୋଜକ ଭାବେ କାର୍ଯ୍ୟ କରିଆସୁଛି ଓ ଅନେକ ଦେଶ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି |

ଶିଖଧର୍ମାବଲମ୍ବୀ ମାନଙ୍କ ପବିତ୍ର ଧର୍ମପୀଠ ମଧ୍ୟରୁ ଗୋଟିଏ  ଧାର୍ମିକସ୍ଥଳୀ କର୍ତ୍ତାରପୁର କୋରିଡରର ଶୁଭାରମ୍ଭ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ | ବର୍ତ୍ତମାନ ପ୍ରଚଳିତ ତିକ୍ତତା ପୂର୍ଣ୍ଣ ଦ୍ଵିପକ୍ଷୀୟ ସମ୍ପର୍କରେ ଏହି କୋରିଡର ଏକ ‘ଶାନ୍ତିର କୋରିଡର’ ଭାବେ ଉଭା ହେବାର ଆଶା ଉଜ୍ଜୀବିତ ହୋଇଛି |

ମୂଳ ଲେଖା : ଡଃ ସ୍ମୃତି ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ