ଏଫ.ଏ.ଟି.ଏଫ ଦ୍ୱାରା ଚେତାବନୀ ସହିତ ପାକିସ୍ତାନ ଗ୍ରେ ତାଲିକାରେ

ପାକିସ୍ତାନ ନିୟନ୍ତ୍ରଣ ସୀମାରେଖା ଠାରେ ଅସ୍ତ୍ରବିରତି ଲଂଘନ କରିବା ପରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ସନ୍ତ୍ରାସବାଦି ଲଞ୍ଚ ପ୍ୟାଡ୍ସ ଏବଂ କେତେକ ଆଗୁଆ ଘାଟି ଉପରେ ଆକ୍ରମଣ କରିଛି। ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଭାରତୀୟ ସେନାବାହିନୀର ପାଲଟା ଆକ୍ରମଣ କାଳରେ ଅନେକ ପାକିସ୍ତାନୀ ସେନା ଏବଂ ସନ୍ତ୍ରାସବାଦି ପ୍ରାଣ ହରାଇଛନ୍ତି।

ଜମ୍ମୁ କଶ୍ମୀରରେ ଧାରା 370 ହଟିବା ପରେ ପାକିସ୍ତାନ ଅସ୍ତ୍ରବିରତି ଲଂଘନ ଅଧିକ କରିଛି। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆନ୍ତର୍ଜାତୀୟ କ୍ଷେତ୍ରରେ ଏକ ପ୍ରକାର ଏକଲା ହୋଇପଡିଛି ଏବଂ ରାଗରେ ତାଟିଆ କାମୁଡିବା ପରି ଭାରତୀୟ ଅଞ୍ଚଳରେ ଲଗାତାର ଗୁଳିଗୋଳା ବର୍ଷଣ କରିଚାଲିଛି। କିନ୍ତୁ ଏହି ହୀନ କାର୍ଯ୍ୟକୁ ଭାରତୀୟ ସେନା ପକ୍ଷରୁ ଦୃଢ ଉତ୍ତର ଦିଆ ଯାଉଛି।

ଇତି ମଧ୍ୟରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଏହାର ପ୍ୟାରିସ ବୈଠକରେ ପାକିସ୍ତାନକୁ 2020 ଫେବୃୟାରୀ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରହିବା ଜାରି ରଖିବାକୁ ସର୍ବସମ୍ମତିରେ ଘୋଷଣା କରିଛି। ସନ୍ତ୍ରାସବାଦି କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ ଆଉ 4ମାସ ସମୟ ଦିଆଯାଇଛି କଡ଼ା ଚେତାବନି ସହିତ। ଏକ ବିବୃତ୍ତିରେ ଏଫ.ଏ.ଟି.ଏଫ କହିଛି ଯଦି ପାକିସ୍ତାନ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ଏହି ଦେଶକୁ କଳା ତାଲିକାଭୁକ୍ତ କରିବା ସହିତ ଏହା ସହିତ ବ୍ୟବସାୟ ଏବଂ ଅର୍ଥନୈତିକ ସଂପର୍କ ଛିନ୍ନ କରାଯିବ। ସନ୍ତଚ୍ରାସବାଦ ବିରୁଦ୍ଧରେ ପଦକ୍ଷେପ ନେବାର ଏଫ.ଏ.ଟି.ଏଫ ଦ୍ୱାରା ବାଧ୍ୟତାମୂଳକ ଭାବେ 27ଟି ମାନଦଣ୍ତରୁ ପାକିସ୍ତାନ ମାତ୍ର 5ଟି ମାନଦଣ୍ତ ପୂରଣ କରିଛି। ଏଠାରେ ପ୍ରକାଶ କରାଯାଇପାରେ ଯେ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ପରି ସନ୍ତ୍ରାସବାଦି ସଂଗଠନକୁ ପାଣ୍ଠି ଯୋଗାଣ ଦ୍ୱାରା ଭାରତ ଉପରେ ବାରମ୍ବାର ଆକ୍ରମଣ ହୋଇଛି ଯାହାକୁ ପାକିସ୍ତାନ ନିୟନ୍ତ୍ରଣ କରିନାହିଁ।

ପାକିସ୍ତାନକୁ ଆଉ କିଛି ଦିନ ସୁଯୋଗ ଦେବାକୁ ଲୋଡି ଚୀନ, ମାଲେସିଆ ଏବଂ ତୁର୍କୀ ସମର୍ଥନ କରିବାରୁ ପାକିସ୍ତାନ କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତି ଯାଇଛି। ଏଫ.ଏ.ଟି.ଏଫର ନିୟମ ଅନୁଯାୟୀ କୌଣସି ଦେଶକୁ କଳା ତାଲିକାଭୁକ୍ତ ନକରିବା ପାଇଁ ଏହାର 39 ସଦସ୍ୟ ଦେଶ ମଧ୍ୟରୁ ଅତିକମରେ 3ଟି ଦେଶର ସମର୍ଥନ ଆବଶ୍ୟକ। କେବଳ ଦୁଇଟି ଦେଶ ଉତ୍ତର କୋରିଆ ଏବଂ ଇରାନକୁ କଳା ତାଲିକାଭୁକ୍ତ କରାଯାଇଛି। ଏହି ପଦକ୍ଷେପର ଅର୍ଥ ଏହି ଦେଶକୁ ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ବ୍ୟତିତ ଅନ୍ୟ ସଂସ୍ଥାମାନଙ୍କ ଠାରୁ ଋଣ କିମ୍ବା ଆର୍ଥିକ ସାହାର୍ଯ୍ୟ ମିଳିବ ନାହିଁ। ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯାଇ ନଥିଲେ ମଧ୍ୟ ତାର ସମର୍ଥକ ତିନୋଟି ଦେଶ ସନ୍ତ୍ରାସବାଦ ପାଣ୍ଠି ବିରୁଦ୍ଧରେ ଦୃଢ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦେଇଛନ୍ତି। ଯଦି ପାକିସ୍ତା3ନ 2020 ଫେବୃୟାରୀ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଏହାକୁ କଳାତାଲିକାଭୁକ୍ତ କରାଯିବ।

ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣରେ ସମ୍ପୃକ୍ତ ଥିବା ନେଇ ଏଫ.ଏ.ଟି.ଏଫ ଜାଣିବା ପରେ 2018 ଜୁନ ଠାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଛି। ସନ୍ତ୍ରାସବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ପାକିସ୍ତାନ ଏଫ.ଏ.ଟି.ଏଫକୁ ବୁଝାଇବାକୁ ଚେଷ୍ଠା କରୁଛି। ଆନ୍ତର୍ଜାତୀୟ ସମୁଦାୟ ପାକିସ୍ତାନକୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପାଇଁ ଅନେକ ସୁଯୋଗ ଦେଲାଣି।

ପାକିସ୍ତାନର ସୀମାପାର ସନ୍ତ୍ରାସବାଦ ଦ୍ୱାରା ଭାରତ ପ୍ରଭାବିତ ହୋଇଆସୁଛି। ପାକିସ୍ତାନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଥିଲା ଯାହାକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରିଛନ୍ତି ।  ଭାରତ କହିଥିଲା ଯେ ଜୈସ-ଏ-ମହମ୍ମଦ ସନ୍ତ୍ରାସବାଦି ସଂଗଠନର ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ସତ୍ତ୍ୱେ ଏହାର ମୁଖ୍ୟ ମହମ୍ମଦ ମସୁଦ ଅଝର ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇଛି ଏହାର ଅର୍ଥ ପାକିସ୍ତାନ ବିଶ୍ୱ ସମୁଦାୟକୁ ମିଛ କହି ଭୁଆଁ ବୁଲାଉଛି।

ଏଫ.ଏ.ଟି.ଏଫର କଡ଼ା ଚେତାବନି ପରେ ପାକିସ୍ତାନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ବିଶ୍ୱ ଅନାଇ ରହିଛି। ପାକିସ୍ତାନ ନିଜ ଦେଶର ମଙ୍ଗଳ ପାଇଁ ଏବଂ ଦେଶର ବିକାଶ ପାଇଁ ଏହି ଚେତାବନିକୁ ଗୁରୁତ୍ୱ ଦେବା ଉଚିତ ନହେଲେ ଗ୍ରେ ତାଲିକାରୁ ମୁକୁଳିବା ତ ଦୂରର କଥା କଳା ତାଲିକାଭୁକ୍ତ ହୋଇପାରେ।

ଆଲେଖ:  ଅଶୋକ ହନ୍ଦୁ

ଭାବାନୁବାଦ:  ରାମଚଂଦ୍ର ନାଥ