ଏଲପିଜି ଆମଦାନୀ ଉପରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ବୁଝାମଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଙ୍ଗଲାଦେଶରେ ତାଙ୍କ ପ୍ରତିପକ୍ଷ ସୁଶ୍ରୀ ଶେଖ ହାସିନା ବାଙ୍ଗଲାଦେଶରୁ ଏଲପିଜି ଗ୍ୟାସ ଆମଦାନୀ ପାଇଁ ସମ୍ପ୍ରତ୍ତି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି | ଏଥିସହିତ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଆପୋଷ ସମ୍ପର୍କ ଆହୁରି ଦୃଢୀଭୂତ ହୋଇଛି |

ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାକୁ ସୁରୁଖୁରୁରେ ଏଲପିଜି ଯୋଗାଣ ପାଇଁ ବାଙ୍ଗଲାଦେଶ ସହ ଏକ ବୁଝାମଣାରେ ଉପନୀତ ହେବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି | ଏହି ପଦକ୍ଷେପରୁ ଉଭୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସୌହାର୍ଦ୍ଯ ସମ୍ପର୍କ ଓ ପରସ୍ପରର ଅସୁବିଧା ଗୁଡିକୁ ହୃଦବୋଧ କରିବା ସହ ଏହାକୁ ଦୂର କରିବା ଲାଗି ବାଟ ବାହାର କରିବା ନେଇ ସ୍ପଷ୍ଟ ପ୍ରତିଫଳିତ ହେଉଛି | ବାଙ୍ଗଲାଦେଶରୁ ଭାରତର ସୀମାବର୍ତ୍ତି ରାଜ୍ୟକୁ ଏଲପିଜିର ଆମଦାନୀ ଯୋଗୁଁ ଏଲପିଜି ର ବର୍ଷ ଯାକ ଯୋଗାଣ ନିଶ୍ଚିତ ହେବ ନାହିଁ ବରଂ ପରିବହନ ମୂଲ୍ୟ ହ୍ରାସ ହେବା ସହ ସମୟ ମଧ୍ୟ ବଞ୍ଚିବ |

ବର୍ତ୍ତମାନ ତ୍ରିପୁରାକୁ ମେଘାଳୟ ବା ସିଲଚର ଦେଇ 287 କିଲୋମିଟର ଜରିଆରେ ଗୁୱାହାଟୀରୁ ଏଲପିଜି ଯୋଗାଣ ହେଉଛି | ଗୁୱାହାଟୀରୁ ଏଲପିଜି ଟ୍ୟାଙ୍କର ଯୋଗେ ପାର୍ବତ୍ଯ ଇଲାକା ତଥା ଭୁସ୍ଖଳନ ଅଧ୍ୟୁଷିତ ସଡକ ମାଧ୍ୟମରେ ଏକ ଦୀର୍ଘ ଯାତ୍ରା କରି ଏଲପିଜି ଯୋଗାଣ ହେଉଛି | ବର୍ଷା ଋତୁରେ ଏଲପିଜି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଘୋର ବାଧାପ୍ରାପ୍ତ ହେଉଛି |

ଭାରତ, ବାଙ୍ଗଲାଦେଶରୁ ଟ୍ରକ ଗୁଡିକରେ ଦୁଇଟି ବେସରକାରୀ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ ଆରମ୍ଭ କଲେ ବାଙ୍ଗଲାଦେଶର ମୋଙ୍ଗଳା ବନ୍ଦରରୁ ଭାରତୀୟ ତୈଳ ନିଗମ ର ୱେଷ୍ଟ ତ୍ରିପୁରା ଏଲପିଜି କାରଖାନା ମଧ୍ୟରେ ଯାତ୍ରାର ଦୂରତା ମାତ୍ର 120 କିଲୋମିଟରକୁ ଖସି ଆସିବ |

ସମ୍ପ୍ରତ୍ତି ଅନେକ ଚାଲେଞ୍ଜ ଉଭା ହୋଇଥିବା ସତ୍ତ୍ୱେ ଉଭୟ ଶ୍ରୀ ମୋଦୀ ଓ ସୁଶ୍ରୀ ହାସିନା ଘନିଷ୍ଠ ଓ ଆପୋଷ ସ୍ଵାର୍ଥ ବିଜଡିତ ଦ୍ଵିପକ୍ଷୀୟ ସମ୍ପର୍କର ମହତ୍ଵ ଉପରେ ଜୋର ଦେଇଛନ୍ତି |

ବାଙ୍ଗଲାଦେଶ ର ଦୁଇଟି ଏଲପିଜି ଫାର୍ମ ଦ୍ଵାରା ଏଲପିଜି ଯୋଗାଣ କରାଯିବ ଓ ଭାରତୀୟ ତୈଳ ନିଗମ ଏହାର ରୀତିମତ ସଞ୍ଚାଳନ କରିବ | ଭାରତର ପୂର୍ବାଞ୍ଚଳ ଉପକୂଳ ସ୍ଥିତ କ୍ଷେତ୍ର ପାଇଁ ଏହାର ଦୀର୍ଘ କାଳୀନ ଊର୍ଜା ବିତରଣ ଯୋଜନା କ୍ଷେତ୍ରରେ ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ ନେଇ ଏହି ବୁଝାମଣାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ବର୍ତ୍ତମାନ ଭାରତ ପାଖରେ ତୈଳ ଓ ଗ୍ଯାସ ଆମଦାନୀ ଲାଗି ବଳିଷ୍ଠ ଭିତ୍ତିଭୂମି ରହିଛି |

ଭାରତ -ବାଙ୍ଗଲାଦେଶ ରାଜିନାମା ଗ୍ୟାସ ଓ ଇନ୍ଧନ ଯୋଗାଣ ନିଶ୍ଚିତ କରିବ ଯାହାକି ଅଞ୍ଚଳରେ ଆବଶ୍ୟକୀୟ ଇନ୍ଧନ ଚାହିଦା ପୂରଣ କରିବ | ତେଣେ ଏଲପିଜି ରପ୍ତାନି ହେଲେ ବାଙ୍ଗଲାଦେଶରେ ନିଯୁକ୍ତି ସୃଷ୍ଟି ହେବା ସହ ଆୟ ବୃଦ୍ଧି ହେବ ଓ ଦୁଇ ଦେଶରେ ଜୀବନ ମାନରେ ଉନ୍ନତି ପରିଲକ୍ଷିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱଳ୍ପ କାଳୀନ ଅଭିଭାଷଣରେ ଜୋର ଦେଇ କହିଥିଲେ | ଏହି ଅବସରରେ ସୁଶ୍ରୀ ଶେଖ ହାସିନା ମଧ୍ୟ ଉପସ୍ଥିତ ଥିଲେ |

ଭାରତର ଉତ୍ତର-ପୂର୍ବାଞ୍ଚଳ ଭାଗରେ ଏଲପିଜି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ର ଆମଦାନୀ ପାଇଁ ବାଙ୍ଗଲାଦେଶ ସହାୟତାର ହାତ ବଢେଇଛି | ବାଙ୍ଗଲାଦେଶ ଭାରତୀୟ ନିବେଶକାରୀ ମାନଙ୍କ ପାଇଁ ଚଟ୍ଟଗ୍ରାମ ସାମୁଦ୍ରିକ ବନ୍ଦର ନିକଟସ୍ଥ ମିରସରାୟ ଅର୍ଥନୈତିକ ଜୋନରେ ଭାରତକୁ 1,000 ଏକର ଜମି ଆବଣ୍ଟନ କରିଛି | ଏଥିସହିତ ବାଙ୍ଗଲାଦେଶ ବିଶେଷକରି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ସହ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ଲାଗି ଆଶୁଗଞ୍ଜ ଓ ମୋଙ୍ଗଲା ବନ୍ଦରର ଉପଯୋଗ କରିବା ପାଇଁ ଅନୁମତି ଦେଇଛି |

ଦ୍ଵିପକ୍ଷୀୟ ସହଯୋଗ ଜାରି ରଖିବା ସହ ବାଙ୍ଗଲାଦେଶ ଓ ଭାରତ ର ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ଆଖାଉରା ମାଧ୍ୟମରେ ରେଳ ଯୋଗାଯୋଗ ପୁନଃସ୍ଥାପିତ କରାଯିବ | ଫେନି ନଦୀ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ପୁରା ହେବା ପରେ ସଡକ ପଥ ଖୋଲାଯିବ ଯାହା ଦ୍ଵାରା ଆପୋଷ ବିକାଶ ଓ ସମୃଦ୍ଧି ର ନୂତନ ପଥ ଉନ୍ମୁକ୍ତ ହେବ |

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସୁଶ୍ରୀ ହାସିନା ଏଲପିଜି ଆମଦାନୀ କ୍ଷେତ୍ରରେ ସହଯୋଗକୁ ‘ଉତ୍ତମ ପଡୋଶୀ ର ମଡେଲ ‘ ବୋଲି ଆଖ୍ୟା ଦେଇଛନ୍ତି | ଭାରତ ଏହାର ଭାରତୀୟ ତୈଳ ନିଗମ(ଆଇଓସି) ଜରିଆରେ ବାଙ୍ଗଲାଦେଶରେ ତୈଳ ମୌଳିକଢାଞ୍ଚା ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ଦେଇଛି |

ଭୂବୈଜ୍ଞାନିକ ମାନଙ୍କ ମତ ଅନୁଯାୟୀ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସବୁଠୁ ବଡ ତୈଳ ଓ ଗ୍ୟାସ ଭଣ୍ଡାର ବାଙ୍ଗଲାଦେଶର ସାମୁଦ୍ରିକ ଆର୍ଥିକ ଜୋନରେ ରହିଛି | ଏକ ପ୍ରମୁଖ ଆନ୍ତର୍ଜାତୀୟ ହାଇଡ୍ରୋକାର୍ବନ ଉତ୍ପାଦକ ଭାବେ ଉଭା ହେବାରେ ବାଙ୍ଗାଲଦେଶକୁ ସହାୟତା କରିବା ଲାଗି ଉପଯୁକ୍ତ ଜ୍ଞାନକୌଶଳ ଯୁକ୍ତ ବିଶେଷଜ୍ଞତା ପ୍ରଦାନ କରିବାରେ ଭାରତ ଏକ ବଡ ସହଯୋଗୀ ବନିପାରିବ |

ବର୍ତ୍ତମାନ ପରିପ୍ରେକ୍ଷୀରେ ବାଙ୍ଗଲାଦେଶ ସହ ଭାରତ ର ସମ୍ପର୍କ ମୁଖ୍ୟତଃ ‘ମାନବତା, ଐତିହ୍ୟ, ଗତିଶୀଳ ଭାଗୀଦାରୀତା ଓ ଉଚ୍ଚ ସ୍ତରରେ ବିଚାରଧାରା ଆଦାନ ପ୍ରଦାନ ଉପରେ ପର୍ଯ୍ୟବେଶିତ | 2018-19 ରେ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର 9 ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ 10.46 ବିଲିୟନ ଡଲାରରେ ପହଞ୍ଚିଛି | ଭାରତ ମଧ୍ୟ ଏକ ଗ୍ୟାସ ଗ୍ରୀଡ ସ୍ଥାପନା କରିବା ଲାଗି ବାଙ୍ଗଲାଦେଶ ସହ ମିଳିମିଶି କାର୍ଯ୍ୟ କରୁଛି |

ବାଙ୍ଗଲାଦେଶ ରୁ ଏଲପିଜି ଆମଦାନୀ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବାଞ୍ଚଳକୁ ପାଇପାଲାଇନ ଜରିଆରେ ଗ୍ୟାସ ଯୋଗାଣ କରିବା | ଭାରତ ସମ୍ପ୍ରତ୍ତି ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହାର ଊର୍ଜା ଚାହିଦାର ହାର ଅତ୍ୟଧିକ ମାତ୍ରାରେ ବୃଦ୍ଧି କରିଛି | 2040 ସୁଦ୍ଧା ଏହାକୁ ଦ୍ଵିଗୁଣିତ କରିବାର ସମ୍ଭାବନା ରହିଛି | ଏହି ଘଟଣାକ୍ରମ ଉଭୟ ଦେଶ ପାଇଁ ହିତକାରୀ ଯେଉଁମାନେକି ସେମାନଙ୍କ ପାରସ୍ପରିକ ଆଶା ଓ ଆକାଂକ୍ଷା ପୂରଣ କରିବା ଲାଗି ଆପୋଷ ସ୍ଵାର୍ଥ ବିଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଉଛନ୍ତି |

ମୂଳ ଲେଖା : ଦୀପଙ୍କର ଚକ୍ରବର୍ତ୍ତୀ, ସ୍ଵତନ୍ତ୍ର ପ୍ରତିନିଧି, ଦ ଷ୍ଟେଟସମେନ

ଅନୁବାଦ : ରୀତା ଯୋଶୀ