74 ବର୍ଷରେ ଜାତିସଂଘ

1948 ମସିହାରୁ ଅକ୍ଟୋବର 24କୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଜାତିସଂଘର 50ଟି ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ 1945 ଜୁନ 26 ତାରିଖରେ ସାନ ଫ୍ରାନ୍ସିସକୋରେ ଜାତିସଂଘର ସନନ୍ଦରେ ସ୍ୱାକ୍ଷର କରିଥିଲା।ଏହି ସନନ୍ଦ ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ସ୍ୱାକ୍ଷରିତ ଦେଶର ଅଧିକାଂଶଙ୍କ ମତାନୁଯାୟୀ ସଂଶୋଧନ ହୋଇ 1945 ଅକ୍ଟୋବର 24 ତାରିଖରେ ଲାଗୁ କରାଯାଇ ଥିଲା।

1947 ଅକ୍ଟୋବର 31 ତାରିଖରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ  ଅକ୍ଟୋବର 24 ଜାତିସଂଘ ଦିବସ ଭାବେ ପାଳନ କରିବାକୁ ଏକ ପ୍ରସ୍ଥାବ ଗୃହିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଲା ଜାତିସଂଘର ଲକ୍ଷ୍ୟ ଏବଂ ସଫଳତାକୁ ଉଜାଗର କରିବା ସହିତ ଆନ୍ତଃସରକାରୀ ସଂଗଠନର କାର୍ଯ୍ୟକୁ ନିରନ୍ତର ସହଯୋଗ କରିବା।

1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେଲା। ଏହାର ମାତ୍ର ଦୁଇ ମାସ ପରେ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ଥାବ ଗୃହିତ ହେଲା ଯାହାକି ଜାତିସଂଘ ଦିବସ ପ୍ରସ୍ଥାବର ଲକ୍ଷ୍ୟରେ ନିଜର ଯୋଗଦାନ ପାଇଁ ଭାରତକୁ ସୁଯୋଗ ମିଳିଲା। ବିଗତ 72 ବର୍ଷରେ ଜାତିସଂଘର ସଫଳତାର ତିନୋଟି ମୁଖ୍ୟ ବିଷୟ ହେଉଛି ଉପନିବେଶବାଦର ସମାପ୍ତି, ସ୍ଥାୟୀ ବିକାଶ ଏବଂ ମାନବର ମୌଳିକ ଅଧିକାର ଓ ସ୍ୱାଧୀନତାକୁ ବଜାୟ ରଖିବା। ଭାରତ ଏଥିରେ ନିଜର ଭୂମିକା ଗ୍ରହଣ କରିଛି।

ଉପନିବେଶବାଦରୁ ମୁକ୍ତି ପାଇଥିବା ସବୁଠୁ ବଡ ଦେଶ ଭାରତ 1960 ଡିସେମ୍ବରରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଉପନିବେଶବାଦର ସମାପ୍ତି ପ୍ରସ୍ଥାବର ପ୍ରକ୍ରିୟାରେ ନିଜର ନେତୃତ୍ୱ ବହନ କରିଥିଲା।  ଏହାଦ୍ୱାରା ଜାତିସଂଘ କାର୍ଯ୍ୟାକାରିତାରେ ବଡ ପରିବର୍ତ୍ତନ ଆସିଲା ଏବଂ ଦେଶମାନଙ୍କର ଆକାଂକ୍ଷା ପରିପୂରଣ କ୍ଷେତ୍ରରେ ଜାତିସଂଘ ଅଧିକ ତତ୍ପର ହେଲା।

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ପ୍ରଥମ ସମ୍ମିଳନୀ 1961 ସେପ୍ଟେମ୍ବରରେ ବେଲଗ୍ରେଡରେ ଅନୁଷ୍ଠିତ ହେଲା। ଏହି ଆନ୍ଦୋଳନର ଭାରତ ଏକ ପ୍ରତିଷ୍ଠାତା ସଦସ୍ୟ ଥିଲା। ସେତେବେଳେ 24ଟି ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଆଜି 122ଟି ଦେଶ ସଦସ୍ୟ ଅଛନ୍ତି। ଶିତଳ ଯୁଦ୍ଧ ସମୟରେ ସାମରିକ କ୍ଷେତ୍ରରେ ଦୁଇଟି ଗୋଷ୍ଠି ହେବା ପରେ ମଧ୍ୟ ନୂଆ ସ୍ୱାଧୀନତା ପାଇଥିବା ଦେଶ ଆନ୍ତର୍ଜାତୀୟ ପରିପ୍ରେକ୍ଷୀରେ ନିଜର ସାର୍ବଭୌମତ୍ୱକୁ ବଜାୟ ରଖିଥିଲେ। ଆଜି ମଧ୍ୟ ଏହି ଆନ୍ଦୋଳନର ପ୍ରାସଙ୍ଗିକତା ରହିଛି ଯେତେବେଳେକି ଅଧିକାଂଶ ଦେଶ ଅନେକ ସମସ୍ୟା ଦେଇ ଗତି କରୁଛି।

1964ରେ ଜାତିସଂଘରେ 77ଟି ବିକାଶଶୀଳ ଦେଶର ଅକ ଗୋଷ୍ଠି ଗଠନ ହେଲା। ଜି-77 ଯୋଗୁଁ ଜାତିସଂଘ ସନନ୍ଦରେ ସମସ୍ତଙ୍କ ପାଇଁ ସାମାଜିକ ଏବଂ ଅର୍ଥନୈତିକ ପ୍ରୋତ୍ସାହନ ନିମନ୍ତେ ସଂଶୋଦନ କରାଗଲା। ଯାହା ଫଳରେ 1965ରେ ୟୁଏନଡିପିର ଗଠନ ହେଲା। ଭାରତ 1970ରେ ଜି-77ର ପ୍ରଥମ ଅଧ୍ୟକ୍ଷତା କରିଥିଲା। 

ଜାତିସଂଘର କାର୍ଯ୍ୟସୂଚି 2030ରେ ବିକାଶ ସହିତ ଜଳବାୟୁ ପରିବର୍ତ୍ତନକୁ ସମ୍ମିଶ୍ରଣ କରିବା ନିଷ୍ପତ୍ତି 2015 ସେପ୍ଟେମ୍ୱରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ନେତାମାନେ ଗ୍ରହଣ କଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଲା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଦାରିଦ୍ର ଦୂରୀକରଣ କରିବା ଏବଂ ନିରନ୍ତର ବିକାଶ ହାସଲ କରିବା। ଜାତିସଂଘ ସାଧାରଣ ପରିଷଦର ପ୍ରସ୍ଥାବ ପାଇଁ ଭାରତ ତିନୋଟି ସହ ପ୍ରଯୋଜକ ଦେଶ ମଧ୍ୟରେ ଥିଲା ଯିଏକି 1948ର ନରସଂହାର ସମ୍ମିଳନୀର ଆଲୋଚନାକୁ ଅତ୍ୟାଚାର ଅପରାଧ ଭାବେ ରେଖାଙ୍କିତ କରିଥିଲା। 1948 ଡିସେମ୍ବର 10 ତାରିଖରେ ଗ୍ରହଣ କରାଯାଇଥିବା ମାନବିକ ଅଧିକାର ଚୁକ୍ତିରେ ଲିଙ୍ଗଗତ ସମାନତାକୁ ଆଇନ ସମ୍ମତ କରିବାରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ଜାତିସଂଘ ସଦସ୍ୟ ଦେଶମାନଙ୍କ ଦ୍ୱାରା ଆସନ୍ତା ବର୍ଷ ଜାତିସଂଘର 75ତମ ଜୟନ୍ତି ଅବସରରେ ବିଷୟ ରଖାଯାଇଛି ବହୁପକ୍ଷବାଦ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତା। ଏହି ବିଷୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଜାତିସଂଘ ପ୍ରମୁଖ ଶକ୍ତିମାନଙ୍କ ମଧ୍ୟରେ ଏକତରଫାବାଦ ଦ୍ୱାରା ଆନ୍ତର୍ଜାତୀୟ ସହଯୋଗର ସିଦ୍ଧାନ୍ତ ସମ୍ମୁଖରେ ଦେଖାଦେଇଥିବା ବଡ ଚ୍ୟାଲେଞ୍ଜର ଉତ୍ତର ଦେବାକୁ ଚାହୁଁଛି। ଏହି ଚ୍ୟାଲେଞ୍ଜ ପ୍ରତି ଭାରତ ଇଙ୍ଗିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେଇ ବହୁପକ୍ଷବାଦକୁ ନୂଆ ସ୍ଫୁର୍ତ୍ତି ଏବଂ ଦିଗ ଦେବାକୁ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଆହ୍ୱାନ ଦେଇଛନ୍ତି।

 

ଆଲେଖ:  ଅଶୋକ ମୁଖାର୍ଜୀ

ଭାବାନୁବାଦ:  ରାମଚଂଦ୍ର ନାଥ