ଭାରତ-ରିୟାଦ ସମ୍ପର୍କ ଦେଣନେଣରୁ ଉର୍ଦ୍ଧ୍ଵରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ  ସାଉଦିଆରବକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ | ତାଙ୍କ ଗସ୍ତରୁ  ରିୟାଦ ପ୍ରତି ଭାରତର ନୀତିରେ ହେଉଥିବା ପରିବର୍ତ୍ତନ ଓ ଏହାର ସମ୍ଭାବିତ ଲାଭ ଉପରେ ପ୍ରମୁଖତାର ସହ ରେଖାଙ୍କିତ ହୋଇଛି | ହଜ ତୀର୍ଥଯାତ୍ରା ଓ ସାଉଦିଆରବରୁ ଭାରତକୁ  ଉର୍ଜ୍ଜା ଆମଦାନୀ ପରମ୍ପରାଗତ ଭାବେ ଉଭୟଙ୍କ ମଧ୍ୟରେ ସମ୍ପର୍କର ଆଧାର ରହିଥିବା ବେଳେ ନିକଟ କିଛି ବର୍ଷରେ ଦୁଇ ଦେଶ ନେଣଦେଣ ରୁ ଆଗକୁ ବଢି ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି |

ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଦ୍ଵାରା ଆୟୋଜିତ ତୃତୀୟ ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ’  ବା (ଏଫଆଇଆଇ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ଭାଷଣ ଏଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଏଫଆଇଆଇ କୁ “ଦାଭୋସ ଇନ ଦ ଡେଜର୍ଟ” ବୋଲି ମଧ୍ୟ କୁହାଯାଏ | ଏଫଆଇଆଇର ଉଦ୍ଦେଶ୍ୟ ହେଉଛି   ତୈଳ କ୍ଷେତ୍ରରେ ସାଉଦି ନିର୍ଭରତା ହ୍ରାସ କରିବା ଲାଗି ଅଣ-ପାରମ୍ପରିକ ଉର୍ଜ୍ଜା, ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା, ପର୍ଯ୍ୟଟନ ଓ ମନୋରଞ୍ଜନ ଭଳି ଅଣ-ତୈଳ କ୍ଷେତ୍ରରେ ନିବେଶ ଲାଗି ଅର୍ଥନୈତିକ ଅବସର ପ୍ରଦାନ କରିବା | ଯୁବରାଜଙ୍କ ନେତୃତ୍ଵାଧୀନରେ ଏହି ଅଭିଯାନ, 2024 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟର ଅନୁରୂପ ଅଟେ |

ସାଉଦିଆରବ ସହ ଭାରତର ସମ୍ପର୍କ ବୃଦ୍ଧି କରିବା ଥିଲା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୂଳ ଲକ୍ଷ | 2014 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ଵ ଗ୍ରହଣ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ଅଷ୍ଟମ ବୈଠକ | ଯୁବରାଜ ଙ୍କ ସହ ଷଷ୍ଠ ଓ ଚଳିତ ବର୍ଷ ତୃତୀୟ ବୈଠକ ହୋଇଥିବା ବେଳେ ଜାମ୍ମୁ ଓ କାଶ୍ମୀର ରେ ଭାରତୀୟ ସମ୍ବିଧାନର ଧାରା 370 ଉଚ୍ଛେଦ ପରେ ପ୍ରଥମ ବୈଠକ ହୋଇଥିଲା | ଜାମ୍ମୁ ଓ କାଶ୍ମୀରରେ 370 ଧାରା ପ୍ରତ୍ୟାହାର ପରେ  ମଧ୍ୟପ୍ରାଚ୍ୟ ଓ ଆରବ ତଥା ଇସଲାମୀୟ ଦେଶ ଗୁଡିକ ସହ ପାକିସ୍ତାନର କୂଟନୈତିକ ଅଭିଯାନ ତ୍ୱରାନ୍ୱିତ ହୋଇଥିଲା |

ଯଦିଓ 2006ରେ ରାଜା ଅବଦୁଲ୍ଲାଙ୍କ ଭାରତ ଗସ୍ତ ସମୟରେ ଜାରି ‘ଦିଲ୍ଲୀ ଘୋଷଣାନାମା’ ରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସହମତ ପ୍ରକାଶ ପାଇଥିଲା ତେବେ ମଧ୍ୟ ଏକ୍ଷେତ୍ରରେ ସେତେଟା ପ୍ରଗତି  ପରିଲକ୍ଷିତ ହୋଇନଥିଲା ହେଲେ ଏବେ ଏଥିରେ ପରିବର୍ତ୍ତନ ହେଉଛି | ମହାରାଷ୍ଟ୍ରରେ ପେଟ୍ରୋକେମିକାଲ ବିଶୋଧାନାଗାରରେ ନିବେଶ କରିବା ଓ ବିଶ୍ଵର ସବୁଠୁ ବଡ ତୈଳ କମ୍ପାନୀ ଅରାମକୋ, ରିଲାଏନ୍ସ ରେ 15 ବିଲିୟନ ଡଲାର ଅଂଶଧନ କ୍ରୟ କରିବା ଲାଗି ଇଚ୍ଛା ଜାହିର କରିବା ବିଷୟରୁ ଦ୍ଵିପକ୍ଷୀୟ ସମ୍ପର୍କରେ ପରିବର୍ତ୍ତନ ଆଣିବା ଲାଗି ରିୟାଦ କେତେଯେ ମହତ୍ଵ ଦେଉଛି ତାହା ସ୍ପଷ୍ଟ ଅନୁମେୟ  ହେଉଛି |

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ କାଳରେ ରାଜା ସଲମାନଙ୍କ ସମେତ ସାଉଦିଆରବର ଅନେକ ତୁଙ୍ଗ ନେତା ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ଏହା ପୂର୍ବରୁ  ନଭେମ୍ବର 2014ରେ ବ୍ରୀସବେନ ଜି-20 ଶିଖର ସମ୍ମିଳନୀ ସମୟରେ ରାଜା ସଲମାନ ଯୁବରାଜ ଥିବା ସମୟରେ ଶ୍ରୀ ମୋଦୀ ତାଙ୍କ ସହ ସାକ୍ଷାତ କରିଥିଲେ | ଏହାପରେ ଶ୍ରୀ ମୋଦୀ ସାଉଦି ସମ୍ରାଟଙ୍କ ସହ ତିନି ଥର ସାକ୍ଷାତ କରିଛନ୍ତି | 2016 ଅପ୍ରେଲ ରେ ସାଉଦି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ତାଙ୍କ ସହ ଶେଷ ସାକ୍ଷାତ କରିଥିଲେ |

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶେଷରେ ଜାରୀ ଏକ ମିଳିତ ବିବୃତ୍ତିରେ ଭାରତ ଓ ସାଉଦିଆରବ, ଅନ୍ୟ ଦେଶ ମାନଙ୍କ ଆଭ୍ଯନ୍ତରୀଣ ବ୍ୟାପାରରେ ଯେକୌଣସି ପ୍ରକାର ହସ୍ତକ୍ଷେପକୁ ଉଭୟ ଦେଶ ନିର୍ଦ୍ଧିଷ୍ଟ ଭାବେ ଅଗ୍ରାହ୍ୟ କରିବା ନେଇ  ଦୋହୋରାଇବା ସହିତ ଅନ୍ୟ କୌଣସି ରାଷ୍ଟ୍ରର ସାର୍ବଭୌମତ୍ଵ ଉପରେ ଆକ୍ରମଣକୁ ପ୍ରତିହତ କରିବା ଦିଗରେ ଆନ୍ତର୍ଜାତୀୟ ଗୋଷ୍ଠୀ ସେମାନଙ୍କ ଦାୟିତ୍ଵ ତୁଲାଇବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି | ଭାରତ ନିରନ୍ତର ସୀମାପାର ଆତଙ୍କବାଦର  ଶିକାର ହେଉଥିବା ବେଳେ ସାଉଦି ତୈଳ ପ୍ରତିଷ୍ଠାନ ଗୁଡିକରେ ଡ୍ରୋନ ଆକ୍ରମଣ କରାଯାଉଛି | ତେଣୁ ଆନ୍ତର୍ଜାତୀୟ ସମୁଦାୟ ଏହାର କଡା ଜବାବ ଦେବାର ଆବଶ୍ୟକତା ଅଛି | 

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଯୁବରାଜଙ୍କ ଅଧ୍ୟକ୍ଷତାରେ ଏକ ରଣନୀତିକ ଭାଗୀଦାରୀ ପରିଷଦ  ଗଠନ ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ ଥିଲା | ଏହାର ଅର୍ଥ ହେଉଛି ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଶୀର୍ଷ ନେତା ମାନେ  ନିୟମିତ ଭାବେ ଆଳାପ ଆଲୋଚନା କରିବେ |

ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଉର୍ଜ୍ଜା, ବେସାମରିକ ବିମାନ ଚଳାଚଳ, ନିରାପତ୍ତା ସହଯୋଗ, ପ୍ରତିରକ୍ଷା ଓ ଚିକିତ୍ସା ଉତ୍ପାଦର ବିନିୟମ ସମେତ ଅନେକ କ୍ଷେତ୍ରରେ ସହଯୋଗ ଲାଗି  ଉଭୟ ଦେଶ ମଧ୍ୟରେ 12 ଟି ରାଜିନାମା ସ୍ବାକ୍ଷରିତ ହୋଇଛି | ଭାରତର ପ୍ରଧାନମନ୍ତ୍ରୀ, ସାଉଦିଆରବରେ ରୂପେ କାର୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି | ମିଳିତ ବିବୃତ୍ତିରେ ପାଲେଷ୍ଟାଇନକୁ ସମର୍ଥନ ଭଳି ପାରମ୍ପରିକ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି | ବୈଦେଶିକ ନୀତି ଅନ୍ତର୍ଗତ ଦୁଇ ନେତାଙ୍କ ମଧ୍ୟରେ  ୟେମେନ ଓ ସିରିଆ ପ୍ରସଙ୍ଗ ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା |

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଉର୍ଜ୍ଜା ଭିତ୍ତିଭୂମିକୁ ସାଉଦି ନିବେଶର ଏକ ସମ୍ଭାବିତ ଲକ୍ଷ ବୋଲି ଅଭିହିତ କରି ଆଗାମୀ କିଛି ବର୍ଷରେ 100 ବିଲିୟନ ଡଲାର ନିବେଶ ହେବ ବୋଲି ଉଲ୍ଲେଖ  କରିଥିଲେ | ଏହିପରି ଭାବେ ପ୍ରଧାନମନ୍ତ୍ରୀଙ୍କ ସାଉଦି ଗସ୍ତ ଦୁଇ ଦେଶ ମଧ୍ୟରେ ଭାରତର ସାମରିକ ତୈଳ ଭଣ୍ଡାର, ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପେଟ୍ରୋକେମିକାଲ କାରଖାନା ସହିତ ବିଭିନ୍ନ କ୍ଷେତ୍ରରେ ଏକ ମଜବୁତ  ଅର୍ଥନୈତିକ ଓ ରଣନୀତିକ ସମ୍ପର୍କ ସ୍ଥାପନ ଲାଗି ଏକ ଅବସର ପ୍ରଦାନ କରିଛି | ଏକ ସ୍ୱଳ୍ପ ସମୟ ମଧ୍ୟରେ ଉଭୟ ଦେଶ ଦ୍ଵାରା ଧାର୍ଯ୍ୟ ଲକ୍ଷ ପ୍ରାପ୍ତି କଲେ ପ୍ରଧାନମନ୍ତ୍ରୀଙ୍କ ରିୟାଦ ଗସ୍ତର ନିର୍ଣ୍ଣାୟକ ପରିଣାମ ମିଳିବ|  

ମୂଳ ଲେଖା : ପ୍ରଫେସର ପି ଆର କୁମାରସ୍ଵାମୀ, JNU 

ଅନୁବାଦ: ରୀତା ଯୋଶୀ