ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର 18ତମ ସରକାରୀ ମୁଖ୍ୟମାନଙ୍କ ପରିଷଦ ବୈଠକ ଉଜବେକିସ୍ଥାନର ତାସକେଣ୍ତରେ ଗତ ସପ୍ତାହରେ ଅନୁଷ୍ଠିତ ହୋଇଛି। 2017ରେ ଭାରତ ଏହି ସଂଗଠନରେ ଯୋଗ ଦେଇଥିଲା। ତୃତୀୟ ଥର ଭାରତ ଏହି ସରକାରୀ ମୁଖ୍ୟ ପରିଷଦ ବୈଠକରେ ଯୋଗ ଦେଇଛି। ପ୍ରଥମ ବୈଠକ ରୁଷର ସୋଚି ଠାରେ 2017ରେ ଏବଂ ଦ୍ୱିତୀୟ ବୈଠକ ତାଜିକିସ୍ଥାନର ଦୁସାନବେରେ ଅନୁଷ୍ଠିତ ହୋଇଥିଲା।
ଏସିସିଓରେ 8ଟି ସଦସ୍ୟ ରାଷ୍ଟ୍ର ଯଥା ଭାରତ, କାଜାକିସ୍ଥାନ, ଚିନ, କିରଗିଜସ୍ଥାନ, ପାକିସ୍ତାନ, ରୁଷ, ତାଜିକିସ୍ଥାନ ଏବଂ ଉଜବେକିସ୍ଥାନ ରହିଛନ୍ତି। ଏହି ସଂଗଠନରେ 4ଟି ଅବଜର୍ଭର ଏବଂ 6ଟି ଆଲୋଚନାକାରୀ ଭାଗିଦାରୀ ରାଷ୍ଟ୍ର ରହିଛନ୍ତି। ସଂଗଠନରେ ସର୍ବୋଚ୍ଚ ନିଷ୍ପତ୍ତିକାରୀ ହେଉଛି ରାଷ୍ଟ୍ରମୁଖ୍ୟ ପରିଷଦ ଏବଂ ଦ୍ୱିତୀୟ ସର୍ବୋଚ୍ଚ ନିଷ୍ପତ୍ତିକାରୀ ହେଉଛି ସରକାରୀ ମୁଖ୍ୟ ପରିଷଦ। ପ୍ରତିବର୍ଷ ସରକାରୀ ମୁଖ୍ୟ ପରିଷଦର ବୈଠକ ହୋଇଥାଏ। ଏହି ବୈଠକରେ ବାର୍ଷିକ ବଜେଟ, ଆଲୋଚନାର କାର୍ଯ୍ୟସୂଚି, ବହୁବିଧ ସହଯୋଗ ଏବଂ ସଂଗଠନର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ବିଷୟରେ ଅନୁମୋଦନ କରାଯାଇଥାଏ। ଏଥିରେ ଅର୍ଥନୀତି ଏବଂ ସହଯୋଗ ବିଷୟରେ ମଧ୍ୟ ଆଲୋଚନା ହୋଇଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ସିଂହ କହିଥିଲେ ସନ୍ତ୍ରାସବାଦ ଏବଂ ମୌଳବାଦର ମୁକାବିଲା ପାଇଁ ଯେତେସବୁ ଆନ୍ତର୍ଜାତୀୟ ନିୟମ ଏବଂ ଆଇନ ଅଛି ସେସବୁର କାର୍ଯ୍ୟକାରୀ ହେବା ଉଚିତ। ସନ୍ତ୍ରାସବାଦ ଆମର ବିକାଶ ଏବଂ ସାମାଜିକ ଶାନ୍ତିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଏଣୁ ଏସସିଓ ସଦସ୍ୟମାନେ ଏଥିପାଇଁ ଆଗେଇ ଆସି ଏହାର ମୁକାବିଲା କରିବା ଦରକାର ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି। ଏହା ବ୍ୟତିତ ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନ, ଦାରିଦ୍ର, ଅବିକଶିତ ଏବଂ ଅସମାନତା ଆଦି ସହ ସଂଘର୍ଷ କରୁଛି।
ଏସସିଓ ସଂଗଠନର ବ୍ୟାପକ ଅର୍ଥନୈତିକ ଦକ୍ଷତା ରହିଛି କାରଣ ବିଶ୍ୱର 42 ଭାଗ ଜନସଂଖ୍ୟା, ପ୍ରାୟ 20 ଭାଗ ଜିଡିପି ଏବଂ 22 ଭାଗ ଭୁଖଣ୍ତ ଏସସିଓ ଅନ୍ତର୍ଗତ ଆସୁଛି। ଶ୍ରୀ ସିଂହ କିଛନ୍ତି ଯେ ଭାରତରେ ବାଣିଜ୍ୟିକ ଅନୁକୂଳ ବାତାବରଣ ରହିଛି ଏବଂ ସରକାର ପୁଞ୍ଜି ବିନିଯୋଗ ପାଇଁ ଆଇନରେ ସୁଗମ କରିଛନ୍ତି. ମେକ ଇନ ଇଣ୍ତିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ମିଳିତ ଉଦୌଗ ସ୍ଥାପନ କରିବାକୁ ଶ୍ରୀ ସିଂହ ଏସସିଓ ସଦସ୍ୟ ମାନଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ଚିନ ପରେ ଭାରତ ହେଉଛି ଏସସିଓର ଦ୍ୱିତୀୟ ବୃହତ୍ତ ଅର୍ଥନୀତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ କୌଶଲ ବିକାଶ କ୍ଷେତ୍ରରେ ନିଜର ଅଭିଜ୍ଞତା ଏବଂ ଦକ୍ଷତା ବିକାଶ ସମେତ ଶିକ୍ଷା, କୃଷି, ଉପଗ୍ରହ, ଔଷଧ, ଟେଲିମେଡିସିନ, ମେଡିକାଲ ଟୁରିଜିମ ଆଦି କ୍ଷେତ୍ରରେ ନିଜର ପାରଙ୍ଗମତା ଅନ୍ୟ ଦେଶ ସହିତ ବାଣ୍ଟିବାକୁ ଚାହୁଁଛି।
ସେ କହିଛନ୍ତି ଏସସିଓ ସଦସ୍ୟମାନଙ୍କ ପାଇଁ ବିସ୍ୱରେ ଅନେକ ସୁବିଧା ରହିଛି ଯଦିଓ କେତେକ ଚ୍ୟାଲେଞ୍ଜ ମଧ୍ୟ ଏହା ସହିତ ରହିଛି। ଏଣୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ପରସ୍ପର ସହଯୋଗ କରିବା ଦରକାର। ସେ କହିଛନ୍ତି ଆମର ଅର୍ଥନୈତିକ ବିକାଶ ଲୋକମାନଙ୍କ କଲ୍ୟାଣ ପାଇଁ ହେବା ଦରକାର। ଏସସିଓ ଦେଶ ପ୍ରାକୃତିକ ଦୁର୍ବିପାକ ପ୍ରବଣ ହୋଇଥିବାରୁ ଦୁର୍ବିପାକ ପ୍ରଶମନ ଭିତ୍ତିଭୂମି କ୍ଷେତ୍ରରେ ବିଶ୍ୱ ଭାଗିଦାରୀର ଆବଶ୍ୟକତା ରହିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏଥିପାଇଁ ଏସସିଓ ଦେଶମାନଙ୍କୁ ଏକତ୍ର ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ଏହି ବୈଠକରେ ଉଜବେକିସ୍ଥାନର ପ୍ରଧାନମନ୍ତ୍ରୀ ଅବଦୁଲ୍ଲା ନିଗମାଟୋଭିଚ ଆରିପୋଭ, ଏସସିଓ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନଙ୍କ ପ୍ରତିନିଧି, ଏସସିଓର ସେକ୍ରେଟାରି ଜେନେରାଲ ବ୍ଲାଦିମୀର ନୋରୋଭ ଏବଂ ଆଞ୍ଚଳିକ ସନ୍ତ୍ରାସବାଦ ନିରୋଧି ଢାଞ୍ଚାର କାର୍ଯ୍ୟନିର୍ବାହି ନିର୍ଦେଶକ ଏହି ବୈଠକରେ ଉପସ୍ଥିତ ଥିଲେ।
ଶ୍ରୀ ରାଜନାଥ ସିଂହ ତାସକେଣ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ସୂର୍ଗତ ଶାସ୍ତ୍ରୀ 1966 ଜାନୁୟାରୀ 11 ତାରିଖରେ ତାସକେଣ୍ତରେ ଇହଲିଳା ସମ୍ୱରଣ କରିଥିଲେ । 1965ର ଭାରତ ପାକିସ୍ତାନ ଯୁଦ୍ଧ ପରେ ତାସକେଣ୍ତ ଠାରେ ଯେଉଁ ଚୁକ୍ତି ହୋଇଥିଲା ସେହି ଚୁକ୍ତିର ଦିନକ ପରେ ଶାସ୍ତ୍ରୀଜୀ ପ୍ରାଣ ହରାଇଥିଲେ। ଶ୍ରୀ ସିଂହ ଶାସ୍ତ୍ରୀଜୀଙ୍କ ସ୍ମୃତିରେ ନିର୍ମିତ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ।
ଏସସିଓର ପରବର୍ତ୍ତି ବୈଠକ 2020ରେ ଭାରତରେ ଅନୁଷ୍ଠିତ ହେବ।
ଆଲେଖ: ଅଥର ଜଫର
ଭାବାନୁବାଦ: ରାମଚଂଦ୍ର ନାଥ