ଭାରତ ଏହାର ଆକ୍ଟ ଇଷ୍ଟ ନୀତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଆଭିମୁଖ୍ୟକୁ ଆଗକୁ ନେବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଆନ ସମ୍ମିଳନୀ ପାଇଁ ଥାଇଲ୍ୟାଣ୍ତ ଗସ୍ତ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ସେଠାରେ 16ତମ ଭାରତ–ଆସିଆନ ସମ୍ମିଳନୀ, 14ତମ ପୂର୍ବ ଏସିଆ ସମ୍ମିଳନୀ ଏବଂ ତୃତୀୟ ଆରସିଇପି ସମ୍ମିଳନୀରେ ଯୋଗ ଦେବା ସହିତ ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଦ୍ଵିପକ୍ଷୀୟ ଆଲୋଚନା କରିଛନ୍ତି | ପୂର୍ବରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଅଗଷ୍ଟରେ ବ୍ୟାଙ୍କକରେ ଆସିଆନ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ |
16ତମ ଭାରତ ଆସିଆନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ପ୍ରଶାନ୍ତ୍ର ମହାସାଗରୀୟ ଆଇନ ଭିତ୍ତିରେ ଏକ ମୁକ୍ତ ଅବାଧ ଏବଂ ସମଷ୍ଟିଗତ ଦ୍ଵିପକ୍ଷୀୟ ସ୍ଵାର୍ଥ ସମ୍ଵଳିତ ବିଷୟ ଉପରେ ଗୁରୁତ୍ଵ ଦେଇଛନ୍ତି | ସେ ସାମୁଦ୍ରିକ ସହଯୋଗ, ଡିଜିଟାଲ ସଂଯୋଗ, ନୀଳ ଅର୍ଥନୀତି ଏବଂ ମାନବିୟ ସହାୟତା ଆଦି କ୍ଷେତ୍ରରେ ଭାରତର ଆଭିମୁଖ୍ୟକୁ ଷ୍ପଷ୍ଟ କରି ସହଯୋଗ ନିମନ୍ତେ ଆହ୍ଵାନ ଦେଇଛନ୍ତି | ଆସିଆନ ପାଇଁ ଭାରତ ଆସିଆନ ରେ ଯୋଗାଯୋଗ ପ୍ରକଳ୍ପ ପାଇଁ 1 ବିଲିୟନ ଡଲାରର ଋଣ ବ୍ୟବସ୍ଥା କରିଛି | ପୂର୍ବରୁ ଆସିଆନ ଦେଶମାନଙ୍କ ମଧ୍ୟରେ ରହିଥିବା ବାଣିଜ୍ୟିକ ଅସମତୁଲତାକୁ ଦୂର କରିବା ପାଇଁ ଦ୍ଵିପକ୍ଷିୟ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ସମୀକ୍ଷା କରିବାକୁ ଭାରତ ପଦକ୍ଷେପ ନେଇଥିଲା |
ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଏସିଆ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ | ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଥିବା ଭାରତ ଏହାକୁ ସୁଦୃଢ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଦେବା ସହିତ ଭାରତର ପ୍ରତିବଦ୍ଧତା ଦୋହରାଇ ଥିଲେ | ଏହି ମଞ୍ଚ ସାମୁହିକ ସ୍ଵାର୍ଥ ସମ୍ଵଳିତ ବିଷୟ ଯେପରିକି ସାମୁଦ୍ରିକ ନିରାପତ୍ତା, ସନ୍ତ୍ରାସବାଦ ଆଦି ସହଯୋଗ ଉପରେ ଗୁରୁତ୍ଵ ଦେଇଥାଏ | ପୂର୍ବ ଏସିଆ ସମ୍ମିଳନୀ ବିକାଶ ପଦକ୍ଷେପ 2018-22 ଉପରେ ଫୋନୋମ ପେନ ଘୋଷଣାନାମାକୁ ଆଗେଇ ନେବା ପାଇଁ ମନିଲା କାର୍ଯ୍ୟନିର୍ବାହି ଯୋଜନା ଉପରେ ନେତାମାନେ ପରସ୍ପରର ଆନ୍ତରିକତା ଜାହିର କରିଛନ୍ତି |
ଆସିଆନ ସମ୍ମିଳନୀରେ ଚଳିତ ବର୍ଷ ଆଞ୍ଚଳିକ ବ୍ୟାପକ ଅର୍ଥନୀତି ଭାଗିଦାରୀ ବୁଝାମଣା(ଆରସିଇପି) ଉପରେ ଗୁରୁତ୍ଵ ଦେଇଛି | 16ଟି ଦେଶ ବିଶ୍ଵର 32 ଭାଗ ଜିଡିପି ହାସଲ କରିବା ଉପରେ ଏଥିରେ ଗୁରୁତ୍ଵ ଦିଆଯାଇଛି | ଆରସିଇପି ସମ୍ମିଳନୀରେ 15ଟି ଦେଶ ସମସ୍ତ 20ଟି ବିଷୟରେ ବିଶେଷକରି ବଜାର ଉନ୍ମୁକ୍ତତା ଉପରେ ଟେକ୍ସ ଭିତ୍ତିକ ବୁଝାମଣାରେ ସହମତ ହୋଇଥିବାବେଳେ ଭାରତ କିନ୍ତୁ ବାକି ରହିଥିବା ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ଵ ଦେଇଛି | ଏଥିରେ କେତେକ ମନମାଳିନ୍ୟ ରହିଛି ଯେପରିକି ବଜାର ସୁଯୋଗ, ଅଣ ଶୁଳ୍କ ବାଧା, ମୂଳ ନୀୟମର ଅଣଦେଖା ଆଦି ଉପରେ ଭାରତ ଚିନ୍ତା ପ୍ରକଟ କରି ଏଥିରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି |
ଶ୍ରୀ ମୋଦି ଏହି ସମ୍ମିଳନୀ କାଳରେ ଜାପାନ, ଅଷ୍ଟ୍ରେଲିଆ, ଇଣ୍ତୋନେସିଆ, ଭିଏତନାମ, ଥାଇଲ୍ୟାଣ୍ତ ଏବଂ ମିଆଁମାର ସହିତ ଦ୍ଵିପକ୍ଷୀୟ ବାର୍ତ୍ତାଳାପ କରିଛନ୍ତି | ଭାରତ–ଆମେରିକା–ଜାପାନ ଏବଂ ଅଷ୍ଟ୍ରେଲିଆର ଅଧିକାରୀମାନେ ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ, ନିରାପତ୍ତା , ସନ୍ତ୍ରାସବାଦର ମୁକାବିଲା, ସାଇବର ଏବଂ ସାମୁଦ୍ରିକ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ଭାରତ ଏହାର ଆକ୍ଟ ଇଷ୍ଟ ନୀତିରେ ଦକ୍ଷିଣ ପୂର୍ବ ଏସିଆକୁ ବହୁ ଗୁରୁତ୍ଵ ଦେଇଛି | ଭାରତର ବିଭିନ୍ନ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ଏସିଆର ପ୍ରାୟ 10 ଜଣ ରାଷ୍ଟ୍ରାଧ୍ୟକ୍ଷଙ୍କୁ ଆମନ୍ତ୍ରଣ କରାଯାଇଛି ଏବଂ ସେମାନେ ଏହିସବୁ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି |ଏଥିରୁ କୁହାଯାଇ ପାରିବ ଯେ ଭାରତର ସଂପର୍କ ଆସିଆନ ଦେଶମାନଙ୍କ ସହିତ ଦିନକୁ ଦିନ ମଜବୁତ ହୋଇଚାଲିଛି |
ଆଲେଖ: ତିତଲି ବାସୁ
ଭାବାନୁବାଦ : ରାମଚଂଦ୍ର ନାଥ