ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆରସିଇପି ଚୁକ୍ତିରେ ସ୍ଵାକ୍ଷର କରିବାକୁ ମନା କଲା  ଭାରତ 

ରାଷ୍ଟ୍ର, ଜାତୀୟ  ସ୍ଵାର୍ଥର ସୁରକ୍ଷା ତଥା ପ୍ରୋତ୍ସାହନ ଲାଗି ରାଷ୍ଟ୍ର ସମୂହ  ଓ ଆଞ୍ଚଳିକ ଗୋଷ୍ଠୀ ସହ ବିଚାର ବିମର୍ଶ କରିଥାଏ | ସାତ ବର୍ଷ ପୂର୍ବେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗୀଦାରୀତା (ଆରସିଇପି) ବୁଝାମଣା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା | ଭାରତ ଏହାର ‘ଲୁକ ଇଷ୍ଟ’ ଓ ପରବର୍ତ୍ତୀ ସମୟରେ ନାମିତ ‘ଆକ୍ଟ ଇଷ୍ଟ ନୀତି’କୁ ଦୃଷ୍ଟିରେ ରଖି ଏହି ସମୂହରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସ୍ଵାଭାବିକ ଥିଲା | ଏକ ଆଧୁନିକ, ପାରସ୍ପରିକ ଲାଭପ୍ରଦ ଓ ବ୍ୟାପକ ଆଞ୍ଚଳିକ ସମୂହ ସ୍ଥାପନ କରିବା ଆରସିଇପିର ମୂଳ ଉଦ୍ଦେଶ୍ୟ ଥିଲା ଓ ଭାରତ ପ୍ରତି ବୈଠକରେ ଏହି ଉଦ୍ଦେଶ୍ୟ ସାଧନ ଲାଗି ନିଜ ପକ୍ଷ ଉପସ୍ଥାପନ କରିଆସୁଛି |

ପୂର୍ବ ଏସୀୟ ରାଷ୍ଟ୍ର ସହ ଅଧିକାଂଶ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ପ୍ରଭାବିତ ହେବା ପରେ ମଧ୍ୟ ଆଞ୍ଚଳିକ ବନ୍ଧୁତ୍ଵକୁ ଦୃଷ୍ଟିରେ ରଖି ଭାରତ ଆରସିଇପିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲା  | ଏଫଟିଏ ରାଜିନାମା ହେବା ପରଠୁ ଆସିଆନ, ଜାପାନ ଓ କୋରିଆ ସହ ଭାରତର ବାଣିଜ୍ୟ ନିଅଣ୍ଟ ଦୁଇଗୁଣା ରୁ ଅଧିକ ହୋଇଯାଇଛି | ଏଫଟିଏ ସହଯୋଗୀ ମାନଙ୍କ ଠାରୁ ଆମଦାନୀ ବୃଦ୍ଧି ପାଇଛି କିନ୍ତୁ ବଜାର ସୁବିଧା ଲାଗି ଅଣ-ଶୁଳ୍କ ପ୍ରତିବନ୍ଧକ ଯୋଗୁଁ ଭାରତର ଏଫଟିଏ ଉପଯୋଗ ଦର  ହ୍ରାସ ପାଇଛି | ସେବା ରାଜିନାମାରେ ବାଣିଜ୍ୟ କ୍ଷେତ୍ରରେ ଲାଭ କରାଇବା ପାଇଁ ଆଶା ରଖି ଆସିଆନ ସହ ବାଣିଜ୍ୟ ରାଜିନାମା ଅନ୍ତର୍ଗତ ଭାରତ ଅତ୍ୟଧିକ ମାତ୍ରାରେ ଏହାର ଶୁଳ୍କ ହ୍ରାସ କରିଛି | ତେବେ ଦୁର୍ଭାଗ୍ୟ ବଶତଃ କେତୋଟି ଆସିଆନ ସଦସ୍ୟ ରାଷ୍ଟ୍ରଙ୍କ ଅନିଚ୍ଛା କାରଣରୁ ସାମଗ୍ରୀ ରାଜିନାମାରେ ବାଣିଜ୍ୟ କାରବାର ସମ୍ଭବ ହୋଇପାରିନାହିଁ  |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆରସିଇପି ସଦସ୍ୟ ମାନଙ୍କୁ ସାମଗ୍ରୀ ଓ ସେବା ବୁଝାମଣା ମଧ୍ୟରେ ସଂଯୋଗ  ସ୍ଥାପନା ଲାଗି ନିବେଦନ କରିଥିଲେ | ଏହାଦ୍ବାରା ସାମଗ୍ରୀ ବୁଝାମଣା କ୍ଷେତ୍ରରେ ଭାରତ ସମ୍ମୁଖୀନ ହେବାକୁ ଥିବା କ୍ଷତିରୁ ମୁକୁଳି ପାରିଥାନ୍ତା| ତେବେ କେତୋଟି ଦେଶ ସେମାନଙ୍କ ସେବା କ୍ଷେତ୍ରରେ ବାଣିଜ୍ୟ କାରବାର ଲାଗି ବଜାର ଉନ୍ମୁକ୍ତ ଲାଗି ଅନିଚ୍ଛା ପ୍ରକଟ କରିଥିବା ବେଳେ ସାମଗ୍ରୀ କ୍ଷେତ୍ରରେ କାରବାର ପାଇଁ ବଜାର ଖୋଲିବାକୁ ଭାରତ ଉପରେ ନିଜର ଦାବି ଜାହିର କରିଥିଲେ |

ଆରସିଇପିର ସମାପନ ପାଇଁ ସମୟ ସୀମା ଅନେକ ଥର ଘୁଞ୍ଚାଇଦିଆଯାଇଛି | ପୂର୍ବରୁ ବୁଝାମଣା ପାଇଁ 2014 ର ମୋଷ୍ଟ ଫେଭର୍ଡ ନେସନ ବା ସବୁଠୁ ମର୍ଯ୍ୟାଦା ଜନକ ରାଷ୍ଟ୍ର (ଏମଏଫଏନ) ଶୁଳ୍କ ଦରର ଉପଯୋଗ କରିବା  ଲାଗି ନିଷ୍ପତ୍ତି ନିଆଯାଇଥିଲା| ଆରସିଇପିକୁ 2020ରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିରୀକୃତ୍ୟ ହୋଇଥିବା ବେଳେ ସମ୍ପ୍ରତ୍ତି ବାସ୍ତବତାକୁ ପ୍ରତିଫଳିତ କରିବା ଲାଗି ସୀମା ଶୁଳ୍କ ହ୍ରାସ ପାଇଁ 2019କୁ ଆଧାର ବର୍ଷ ଭାବେ ବିବେଚନା କରିବାକୁ ଭାରତ ଅନୁରୋଧ କରିଥିଲା | ତେବେ ଅନେକ ଦେଶ ଏଥିପ୍ରତି ସହମତ ବ୍ୟକ୍ତ କରିନଥିଲେ | ବହୁ ବର୍ଷ ହେଲା ବିଶେଷକରି ଚୀନରୁ ଅତ୍ୟଧିକ ମାତ୍ରାରେ ସାମଗ୍ରୀ ରପ୍ତାନି ଯୋଗୁଁ ଭାରତୀୟ ବଜାରରେ  କ୍ଷତି ପହଞ୍ଚିବା ସହ ଘରୋଇ ଉଦ୍ଯୋଗ ପ୍ରତି ମଧ୍ୟ ବିପଦ ଦେଖାଦେଇଛି | ତେଣୁ ଭାରତ ଏକ ସ୍ଵୟଂ ସୁରକ୍ଷା କବଚ ବ୍ୟବସ୍ଥା ଗ୍ରହଣ ଲାଗି ଅନୁରୋଧ କରିଥିଲା ଯାହାଦ୍ଵାରା ଆମଦାନୀ କ୍ଷେତ୍ରରେ ବୃଦ୍ଧିକୁ ରୋକିବା ଲାଗି ଉଚ୍ଚ ଶୁଳ୍କ ଲାଗୁ କରାଯାଇପାରିବ | ତେବେ ଅନେକ ଦେଶ ଭାରତର ବୃହତ ଦେଶୀୟ ବଜାର ଉପରେ ନଜର ରଖିଥିବାରୁ ଏହା ଉପରେ ସହମତ ପ୍ରକାଶ ପାଇନଥିଲା |

ଭାରତ, କଠୋର ମୂଳ ନିୟମ (ଆରଓଓ)କୁ  କଡାକଡି ଭାବେ ପାଳନ କରିବା ପାଇଁ ଚାପ ପକାଇଥିଲା  ଯଦ୍ୱାରା ନିୟମକୁ ଉଲ୍ଲଂଘନ କରାଯାଉଥିବା ଅନ୍ତର ଟିକସ ବ୍ୟବସ୍ଥାର ଅପବ୍ଯବହାରକୁ ରୋକା ଯାଇପାରିବ | ଭାରତ 20 ବର୍ଷ ଅବଧିରେ  ଚୀନ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବା ଲାଗି ରାଜି ହୋଇଥିଲା | ଭାରତ ମୁଖ୍ଯତଃ ଆସିଆନ ଏଫଟିଏ ଅନ୍ତର୍ଗତ ମୂଳ ନିୟମ ଉଲ୍ଲଂଘନ ନେଇ ଅନେକ ମାମଲା ଦାଏର  କରିଛି ଓ ଅନୁଚିତ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଏହାର ଦେଶୀୟ ଉଦ୍ଯୋଗର ସୁରକ୍ଷା ଲାଗି ଏକ ପୂର୍ଣ୍ଣ ପ୍ରମାଣଗତ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହେଁ | ଏହା ଏକ ଯୁକ୍ତିଯୁକ୍ତ ଦାବି ଥିଲା  କିନ୍ତୁ ଆରସିଇପି ସଦସ୍ୟ ରାଷ୍ଟ୍ର ଗୁଡିକ ଦ୍ଵାରା ପ୍ରତିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରିନଥିଲା |

ଆରସିପି  ସମୂହର ସମୃଦ୍ଧ ରାଷ୍ଟ୍ର ଗୁଡିକ ଦ୍ଵାରା ଆଗତ ନିବେଶ ଓ ଇ-କମର୍ଷ ସମ୍ବନ୍ଧିତ ଅନ୍ୟ WTO  ପ୍ଲସ ବ୍ୟବସ୍ଥା ଭାରତ ଭଳି ବିକାଶଶୀଳ ଦେଶ ଗୁଡିକ ଉପରେ ଗମ୍ଭୀର ପ୍ରଭାବ ପଡିବ | ବାଧ୍ୟତାମୂଳକ ଭାବେ ଜ୍ଞାନକୌଶଳର ହସ୍ତାନ୍ତରଣ ଉପରେ ପ୍ରତିବନ୍ଧକ ଲଗାଇବା ଓ ନିବେଶ ବ୍ୟବସ୍ଥା ଅନୁଯାୟୀ ରୋୟାଲଟିର ପ୍ରବାହକୁ ସୀମିତ କରିବା  ଓ ଇ -କମର୍ଷ ବ୍ୟବସ୍ଥା ଅନୁଯାୟୀ ଡାଟା ସ୍ଥାନିୟକରଣ ପାଇଁ ବାରଣ ଲାଗି ଯଦି ସହମତି ପ୍ରକାଶ ପାଇବ ତେବେ ଏସଙ୍କ୍ରାନ୍ତୀୟ ନୀତି ନିୟମ ସୀମିତ ହୋଇଯିବ |

ଆରସିଇପି ମନ୍ତ୍ରୀସ୍ତରୀୟ ବୈଠକ ଓ କଥାବାର୍ତ୍ତା ସମୟରେ ଭାରତର ବାଣିଜ୍ୟ ଓ ଉଦ୍ଯୋଗ ମନ୍ତ୍ରୀ ତଥା ଅନ୍ଯାନ୍ଯ ବରିଷ୍ଠ ଅଧିକାରୀ ମାନଙ୍କ ଦ୍ଵାରା ଭାରତର ସ୍ଵାର୍ଥ ଜଡିତ ପ୍ରସଙ୍ଗ ଗୁଡିକ ଆରସିଇପି ସଦସ୍ୟ ରାଷ୍ଟ୍ର ମାନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା| ଦେଶୀୟ କ୍ଷେତ୍ର ତଥା  କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆରସିଇପିରେ ସ୍ଵାକ୍ଷର ନକରିବା ପାଇଁ ଭାରତ ନିଷ୍ପତ୍ତି ନେଇଥିଲା | ତେବେ ଆରସିଇପି ଓ ଭାରତ ସରକାରଙ୍କ ନେତା ମାନେ ସ୍ପଷ୍ଟ କରିଛନ୍ତି ଯେ ଯଦି ଆରସିଇପି ସମୂହ ନୂଆଦିଲ୍ଲୀର ମୌଳିକ ସ୍ଵାର୍ଥ ସାଧନ କରିବ ଓ ଏକ ଆପୋଷ ସନ୍ତୋଷଜନକ ପ୍ରଣାଳୀରେ ବାକି ଥିବା ସମସ୍ଯା ଗୁଡିକୁ ସମାଧାନ କରିବ ତେବେ ଭାରତ ଆରସିଇପି ରାଜିନାମାରେ ସ୍ଵାକ୍ଷର କରିବା ଉପରେ  ବିବେଚନା କରିବ |

ମୂଳଲେଖା : ସତ୍ୟଜିତ ମହାନ୍ତି,ଆଇଆରଏସ, ବରିଷ୍ଠ ଅର୍ଥନୈତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ