ଆମେରିକା-ଭାରତ ମଧ୍ୟରେ ସପ୍ତମ ଅର୍ଥନୈତିକ ଓ ଆର୍ଥିକ  ଭାଗିଦାରୀତା ବୈଠକ 

ଭାରତ ଓ ଆମେରିକା ମଧ୍ୟରେ ସପ୍ତମ ଅର୍ଥନୈତିକ ଓ ଆର୍ଥିକ ଭାଗିଦାରୀତା ବୈଠକ ସମ୍ପ୍ରତ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି | ଭାରତ ଓ ଆମେରିକା ମଧ୍ୟରେ ଅର୍ଥନୈତିକ ଭାଗିଦାରୀତାକୁ ଆହୁରି  ଦୃଢୀଭୂତ କରିବା ହେଉଛି ଏହି ବୈଠକର ମୂଳ ଉଦ୍ଦେଶ୍ୟ | ଏହି ବୈଠକରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇଥିବା ବେଳେ ଆମେରିକାର ଟ୍ରେଜେରୀ ସେକ୍ରେଟରୀ ଶ୍ରୀ ଷ୍ଟିଭେନ ମେନୁଚିନ ସେଠାକାର ପ୍ରତିନିଧି ଦଳର ନେତୃତ୍ଵ ନେଇଥିଲେ |

2022 ପାଇଁ ଜି-20 ଶିଖର ବୈଠକର ଅଧ୍ୟକ୍ଷତା କରିବା ପାଇଁ ଭାରତ ପ୍ରସ୍ତୁତି ଚଳେଇଥିବା ବେଳେ ନୂଆଦିଲ୍ଲୀ ବୈଠକରେ ଭାରତକୁ ସବୁ ପ୍ରକାରର ଆବଶ୍ୟକୀୟ ସାହାଯ୍ୟ ସମର୍ଥନ ଯୋଗାଇଦେବା ନେଇ ଆମେରିକା ପ୍ରତିଶ୍ରୁତି ଦେଇଛି | ଏହି ବୈଠକରେ ବୈଶ୍ଵିକ ଋଣ ସ୍ଥିରତା ଓ ଦ୍ଵିପକ୍ଷୀୟ ବିତ୍ତୀୟ କ୍ଷେତ୍ରରେ ପାରଦର୍ଶିତା ଉପରେ ସର୍ବୋଚ୍ଚ  ପ୍ରାଥମିକତା ଦିଆଯାଇଥିଲା | ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିବେଶ କ୍ଷେତ୍ରରେ ବୈଶ୍ଵିକ ଏକୀକରଣ ଲାଗି ଭାରତର ଯୋଜନା ଗୁଡିକର ସଂକେତ ମିଳିଛି | ଏହି ଅବସରରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଲାଗି ବିଦେଶୀ ନିବେଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ବାହ୍ୟ ମାକ୍ରୋ-ଅର୍ଥନୈତିକ ପରିଦୃଶ୍ୟର ବିଶ୍ଳେଷଣ ପାଇଁ ଭାରତର ଉଚ୍ଚାଭିଳାଷ ନେଇ ମଧ୍ୟ ଆଲୋଚନା ହୋଇଥିଲା |

ଏହି ଦ୍ଵିପକ୍ଷୀୟ ବୈଠକରେ ବୈଶ୍ଵିକ ଅର୍ଥନୈତିକ ପ୍ରସଙ୍ଗ ଉପରେ ଅଧିକ ଆର୍ଥିକ ସହଯୋଗର ଆବଶ୍ୟକତା ଉପରେ ଜୋର ଦେବା ସହ ବିଶ୍ଵ ସମ୍ମୁଖୀନ ହେଉଥିବା  “ସମକାଳିକ ଆର୍ଥିକ ମାନ୍ଦାବସ୍ଥା” ଭଳି ପରିସ୍ଥିର ମୁକାବିଲା କରିବା ଉପରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା |ଏଥି ସକାଶେ “ବିତ୍ତୀୟ କ୍ଷେତ୍ରର ସଂସ୍କାର” ଗୁଡିକ ଉପରେ ମଧ୍ୟ  ପ୍ରମୁଖତାର ସହ ଆଲୋଚନା ହୋଇଥିଲା | ସରକାରୀ ବ୍ୟାଙ୍କ ଓ ବ୍ୟାଙ୍କ ପୁନର୍ପୁଞ୍ଜିକରଣର ମିଶ୍ରଣ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା| ବିତ୍ତୀୟ ନିୟାମକ କତ୍ତୃପକ୍ଷ ମାନେ ବୀମା କ୍ଷେତ୍ରର ନିୟନ୍ତ୍ରଣ ସମେତ  “ବିତ୍ତୀୟ ନିୟାମକ ଡାଇଲଗ”ରେ ବିତ୍ତୀୟ ନିୟାମକ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ | ଶ୍ରୀ ଷ୍ଟିଭେନ ମେନୁଚିନ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ମୌଦ୍ରିକ-ମାକ୍ରୋ ଢାଞ୍ଚା ପ୍ରସଙ୍ଗ ନେଇ ମଧ୍ୟ ଆଳାପ ଆଲୋଚନା କରିଥିଲେ |

ଆମେରିକା ଓ ଭାରତ ଆର୍ଥିକ ବିକାଶ ପାଇଁ “ବିଦେଶୀ ପୋର୍ଟଫୋଲିଓ ନିବେଶକ” ଉପରେ  ଧ୍ୟାନର ସହ ବିଶ୍ଳେଷଣ କରିବାର ଆବଶ୍ୟକତା ଅଛି ବୋଲି ଚର୍ଚ୍ଚା କରି ଅଧିକ ବିଦେଶୀ ପୋର୍ଟଫୋଲିଓ ନିବେଶ ପାଇଁ ବିଭିନ୍ନ ଉପାୟ ବା ପଦକ୍ଷେପ ଗୁଡିକ ଉପରେ ଏହି ଦ୍ଵିପକ୍ଷୀୟ ବୈଠକରେ ଆଲୋଚନା କରିଥିଲେ | ଏହି ଆଲୋଚନା ଯୋଗୁଁ  ବାସ୍ତବତା ଓ ଆର୍ଥିକ କ୍ଷେତ୍ର ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ |ଇଏଫପି ବୈଠକରେ “ପୁଞ୍ଜି ଖାତା” ଅର୍ଥାତ ବିଦେଶୀ ନିବେଶ ର ଗତିଶୀଳତା ଉପରେ ଆଲୋକପାତ କରାଯାଇଥିଲା | ଭାରତରେ “ଅର୍ଥନୈତିକ କୂଟନୀତି” ର ବିଶ୍ଳେଷଣ ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି |

ଭାରତ ଆରସିଇପି ସହ ମଧ୍ୟ ବୈଠକ କରିଥିଲା  ଯାହା ଏକ ଆଞ୍ଚଳିକ ବ୍ୟାପକ ମୁକ୍ତ ବାଣିଜ୍ୟ ରାଜିନାମା | ଏହି ରାଜିନାମାରେ 10 ଆସିଆନ ସଦସ୍ୟ ରାଷ୍ଟ୍ର ଓ ଅଷ୍ଟ୍ରେଲିଆ, ଚୀନ, ଭାରତ, ଜାପାନ, କୋରିଆ ଓ ନ୍ୟୁଜିଲାଣ୍ଡ ଭଳି ଆସିଆନର ମୁକ୍ତ ବାଣିଜ୍ୟ ରାଜିନାମା ସହଯୋଗୀ ମାନଙ୍କ ମଧ୍ୟରେ ବୁଝାମଣା ହୋଇଛି | ଭାରତ ଏହାର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି  ଏହି ରାଜିନାମାରେ ସ୍ଵାକ୍ଷର କରିବାକୁ ମନା କରିଦେଇଛି | ଆରସିଇପି ବୈଠକରେ ବାଣିଜ୍ୟ ନିଅଣ୍ଟ ନେଇ ଭାରତର ଗମ୍ଭୀର ଉଦବେଗ ଗୁଡିକ ପ୍ରତି ଯଦି ଧ୍ୟାନ ଦିଆଯାଇଥାନ୍ତା ତେବେ ଏହା ଏକ ଗେମ ଚେଞ୍ଜର ସଦୃଶ୍ୟ ରାଜିନାମା ହୋଇଥାନ୍ତା | ଆରସିଇପି ରେ ଯୋଗ ନଦେବା ନେଇ ଭାରତ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି | ଶ୍ରୀମତୀ ସିଥାରମଣ ଓ ଶ୍ରୀ ମନୁଚିନଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ଵିପକ୍ଷୀୟ ବୈଠକରେ ଟିକସ ଫାଙ୍କିବା ଓ ଅର୍ଥ ହେରଫେର ଭଳି ସମସ୍ୟାର ମୁକାବିଲା ଲାଗି ମିଳିତ ସହଯୋଗ କରିବା ସହ ଆର୍ଥିକ ସହଯୋଗ ସଙ୍କ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ନେଇ ଆଳାପ ଆଲୋଚନା ହୋଇଥିଲା | 

ଦୁଇ ଦେଶ, ସମ୍ପ୍ରତ୍ତି କିଛି ବର୍ଷରେ ଉଭୟଙ୍କ ମଧ୍ୟରେ ଦ୍ଵିପକ୍ଷୀୟ କର ବିବାଦର ସମାଧାନ ଲାଗି  ମହତ୍ବପୂର୍ଣ୍ଣ ପ୍ରଗତି ଉପରେ ସମୀକ୍ଷା କରିବା ସହ ଏପରି ବିବାଦକୁ ରୋକିବା ପାଇଁ ଜାରିଥିବା ପ୍ରୟାସ ଓ ପ୍ରଚଳିତ ଆପୋଷ ସହମତି ପ୍ରକ୍ରିୟା ଏବଂ ଦ୍ଵିପକ୍ଷୀୟ ମୂଲ୍ୟ  ରାଜିନାମା ସମ୍ପର୍କ ଜରିଆରେ କରଦାତା ମାନଙ୍କ ପାଇଁ ଅନିଶ୍ଚିତତା ଦୂର କରିବା ଲାଗି ଜାରି ପ୍ରୟାସର ଭୂୟଶୀ ପ୍ରଶଂସା କରିଥିଲେ |

ଉଭୟ ଦେଶ ଆନ୍ତଃ-ସରକାରୀ ରାଜିନାମା ଅନୁଯାୟୀ ବିଦେଶୀ ଖାତା କର ଅନୁପାଳନ ଅଧିନିୟମ (ଏଫଏଟିସିଏ) ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ବିତ୍ତୀୟ ଖାତା ସୂଚନା ଆଦାନ ପ୍ରଦାନ କରିବା କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ କଥାବାର୍ତ୍ତା କରିଥିଲେ | ତେବେ ଏହି କଥାବାର୍ତ୍ତାରେ ପାରସ୍ପରିକ ଲାଭ ପାଇଁ ଡାଟାର ଆଦାନ ପ୍ରଦାନ କରିବା ପ୍ରସଙ୍ଗ ଏବେ ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି | ସପ୍ତମ ଭାରତ-ଆମେରିକା ଇଏଫପି ବୈଠକ ଶେଷରେ ଜାରି ମିଳିତ ବିବୃତ୍ତିରେ  ଦୁଇ ପକ୍ଷ ଆତଙ୍କବାଦକୁ ଅର୍ଥ ଯୋଗାଣ ଭଳି ପ୍ରମୁଖ ସମସ୍ୟାର ମୁକାବିଲା ଲାଗି ଆପୋଷ ସହଯୋଗ ଜାରି ରଖିବା ନେଇ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି | 

ଭରତ, ଭାରତୀୟ ମୌଳିକ ଢାଞ୍ଚାରେ ବେସରକାରୀ  ସଂସ୍ଥାଗତ ନିବେଶକୁ ପ୍ରୋତ୍ସାହନ କରିବା ଲାଗି ଜାତୀୟ ମୌଳିକ ଢାଞ୍ଚା  ଏବଂ ନିବେଶ ପାଣ୍ଠି (ଏନଆଇଆଇଏଫ)ର ସ୍ଥାପନା କରିଛି ଯାହା ପାଇଁ ଆମେରିକା ଯାନ୍ତ୍ରିକ ସହାୟତା ପ୍ରଦାନ କରିଛି | ଆମେରିକା, ସରକାରଙ୍କ ସ୍ମାର୍ଟ ସହର ଅଭିଯାନର ସମର୍ଥନ କରିବା ପାଇଁ ସ୍ଥାନୀୟ ମୌଳିକ ଢାଞ୍ଚାର ଆବଶ୍ୟକତାକୁ ପୂରଣ କରିବା ଲାଗି 2017ରେ ଭାରତର ପୁଣେ ସହରରେ  ସଫଳତାପୂର୍ବକ ନଗରପାଳିକା ବଣ୍ଡର ଶୁଭାରମ୍ଭ ପାଇଁ ସହାୟତା କରିଥିଲା| ଭିତ୍ତିଭୂମି ନିର୍ମାଣ ପାଇଁ ଭାରତରେ ପୁଞ୍ଜିଗତ ଖର୍ଚ୍ଚରେ ବେସରକାରୀ ସଂସ୍ଥାଗତ ନିବେଶକୁ ମଜବୁତ କରିବା ଲାଗି ଭାରତର ନବ ନିର୍ମିତ ଜାତୀୟ ମୌଳିକ ଢାଞ୍ଚା ଓ ନିବେଶ ପାଣ୍ଠି (ଏନଆଇଆଇଏଫ) ପରିପ୍ରେକ୍ଷୀରେ ଆମେରିକା, ଭାରତ ପାଇଁ ଯାନ୍ତ୍ରିକ ସହାୟତା  ପ୍ରଦାନ କରିବା ଓ ଏକ ବ୍ୟାପକ କୌଶଳଗତ ଭାଗିଦାରୀତା ଜାରି ରଖିବ ବୋଲି ନିଶ୍ଚିତ କରିଛି |

ମୂଳ ଲେଖା : ଡଃ ଲେଖା ଏସ ଚକ୍ରବର୍ତ୍ତୀ

ଅନୁବାଦ : ରୀତା ଯୋଶୀ