ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ସରକାରଙ୍କ ସକାରାତ୍ମକ ପଦକ୍ଷେପ 

ବର୍ତ୍ତମାନ ସମୟରେ ବିଶ୍ଵ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଭାରତରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଏନଡ଼ିଏ ସରକାର ଘର କିଣିବା ଲାଗି ଫସି  ଯାଇଥିବା ଗ୍ରାହକ ମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ପାଣ୍ଠି ଗଠନ କରିଛନ୍ତି | ଏଥିପାଇଁ ରିଅଲ ଇଷ୍ଟେଟ କ୍ଷେତ୍ରରୁ ଦୀର୍ଘ ସମୟରୁ ଦାବି କରାଯାଉଥିଲା | ଭାରତୀୟ ଅର୍ଥବ୍ୟବସ୍ଥାକୁ ଉଚିତ ଦିଗଦର୍ଶନ ଦେବା  ଲାଗି ଏହା ହେଉଛି ଏକ ସକାରାତ୍ମକ ପଦକ୍ଷେପ |

ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବା ଓ  ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ଭଳି ଆହ୍ଵାନର ସମ୍ମୁଖୀନ  ହେବା ସମୟରେ ସରକାର ରିଅଲ ଇଷ୍ଟେଟ କ୍ଷେତ୍ର ଲାଗି 25 ହଜାର କୋଟି ଟଙ୍କାର ନୂତନ ପାଣ୍ଠି ମଞ୍ଜୁର କରିଛନ୍ତି  | ଦେଶରେ 1600 ଆବାସିକ ପ୍ରକଳ୍ପ ଅଧା ବାଟରେ ଲଟକି ରହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ଯେଉଁଥିରେ 4 ଲକ୍ଷ 58 ହଜାର ଘର ନିର୍ମାଣଧୀନ ରହିଛି | ତେବେ ଏଥିରୁ କେବଳ ସେହି ପ୍ରକଳ୍ପକୁ ପାଣ୍ଠି ଦିଆଯିବ ଯେଉଁ ମାନଙ୍କ ଆର୍ଥିକ ସ୍ଥିତି ଭଲ ଥିବ |ଋଣ ଦେଇଥିବା ବ୍ୟାଙ୍କ ଯଦି କୌଣସି ପ୍ରକଳ୍ପକୁ ଏହି ପାଣ୍ଠିରୁ ଟଙ୍କା ଦିଆଯାଉ ବୋଲି କହିବେ ତେବେ ସେଭଳି କ୍ଷେତ୍ରରେ ଉକ୍ତ କମ୍ପାନୀକୁ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ଦିଆଯିବ |

ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ ସୂଚନା ଦେଇଛନ୍ତି ଯେ ଦେଶବ୍ୟାପୀ ଅଚଳ ରହିଥିବା ଆବାସିକ ପ୍ରକଳ୍ପରେ ନିଜର ଗୃହ ଋଣର ଇଏମଆଇ ପରିଶୋଧ କରିବାରେ ବିଫଳ ହେଉଥିବା ଗ୍ରାହକ ମାନଙ୍କ ଲାଗି  ଏହା କିଛିଟା ଆଶ୍ବସ୍ତିକର ହେବ |

ସରକାର, ଅଟକି ରହିଥିବା ସୁଲଭ ଓ ମଧ୍ୟମ ଆୟ ବର୍ଗ  ବାସଗୃହ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ 200 ବିଲିୟନ ର ପାଣ୍ଠି ସ୍ଥାପନା କରିବାର ଘୋଷଣା କରିବାର ଦୁଇ ମାସ ପରେ ଏହି ନୂତନ ପାଣ୍ଠି ଗଠନ ବିଷୟ ଘୋଷଣା କରାଯାଇଛି | ବିଶେଷଜ୍ଞ ମାନେ କହିଛନ୍ତି ଯେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେ ଯୋଗୁଁ ରିଅଲ ଇଷ୍ଟେଟ କ୍ଷେତ୍ରର ପୁନରୁଦ୍ଧାର ହେବା  ସହ ନୂଆଁ ଆପାର୍ଟମେଣ୍ଟ ବିକ୍ରି କରିପାରୁନଥିବା ବିଲଡର ମାନଙ୍କୁ ମଧ୍ୟ ସହାୟତା ପ୍ରାପ୍ତ ହେବ | ଏହି ପଦକ୍ଷେପ ଯୋଗୁଁ ଉଭୟ ଗୃହ କ୍ରେତା ଓ ରିଅଲ ଇଷ୍ଟେଟ ଡେଭେଲପର ଲାଭାନ୍ଵିତ ହେବେ |

ରିଅଲ ଇଷ୍ଟେଟ କ୍ଷେତ୍ର ହେଉଛି ବିଶ୍ଵ ସ୍ତରୀୟ ପ୍ରମୁଖ କ୍ଷେତ୍ର ମଧ୍ୟରୁ ଅନ୍ୟତମ ଯାହା  ଅର୍ଥନୀତି ଅଭିବୃଦ୍ଧି ହାର ବୃଦ୍ଧି କରିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ | ଭାରତରେ ମୁଖ୍ଯତଃ ଆବାସ ଓ ନିର୍ମାଣ କ୍ଷେତ୍ରକୁ ନେଇ ରିଅଲ ଇଷ୍ଟେଟ କ୍ଷେତ୍ର ଗଠିତ |  ଏହା ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଇସ୍ପାତ ଓ ସିମେଣ୍ଟ ଭଳି ମୁଖ୍ୟ କ୍ଷେତ୍ର ସମେତ ଅର୍ଥବ୍ୟବସ୍ଥାକୁ ପରିବ୍ୟାପ୍ତ କରିବାରେ ମଧ୍ୟ ଏହା ମୁଖ୍ୟ ଭୂମିକା ନିଭାଇଥାଏ |

ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଓ  ଅପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଥିବା 14ଟି ପ୍ରମୁଖ କ୍ଷେତ୍ର ମଧ୍ୟରେ ରିଅଲ ଇଷ୍ଟେଟ ତୃତୀୟ ସ୍ଥାନରେ ରହିଛି | ରିଅଲ ଇଷ୍ଟେଟ କ୍ଷେତ୍ରରେ ବିକାଶକୁ ପ୍ରୋତ୍ସାହନ ଲାଗି ସରକାରଙ୍କ ଦ୍ଵାରା ନିଆଯାଇଥିବା କୌଣସି ପଦକ୍ଷେପ ମୋଟ ଦେଶୀୟ ଉତ୍ପାଦ (ଜିଡ଼ିପି) ର ସାମଗ୍ରିକ  ଅଭିବୃଦ୍ଧି ହାର ବୃଦ୍ଧି ଲାଗି ସହାୟକ ହେବ | 

ଭାରତୀୟ ଅର୍ଥବ୍ୟବସ୍ଥାର ଆକାରକୁ ଦୃଷ୍ଟିରେ ରଖି ଭାରତର ରିଅଲ ଇଷ୍ଟେଟ କ୍ଷେତ୍ରର ଆକାର  2030 ସୁଦ୍ଧା 1 ଟ୍ରିଲିୟନ ଡଲାରରେ ପହଞ୍ଚିବାର ଆଶା କରାଯାଉଥିବା ବେଳେ 2025 ସୁଦ୍ଧା ଦେଶର ଜିଡ଼ିପିରେ ରିଅଲ ଇଷ୍ଟେଟ କ୍ଷେତ୍ରର ଯୋଗଦାନ ବୃଦ୍ଧି ପାଇ  13 ପ୍ରତିଶତ ହେବାର ଆଶା କରାଯାଉଛି | ଏହା ବ୍ୟତୀତ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ଆକର୍ଷିତ କରିବା ପାଇଁ ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ଅବସର ରହିଛି |ଉଦ୍ୟୋଗିକ ନୀତି ଓ ସମ୍ବର୍ଦ୍ଧନ ବିଭାଗ ଅନୁଯାୟୀ ଭାରତରେ ନିର୍ମାଣ ବିକାଶ କ୍ଷେତ୍ରକୁ ଅପ୍ରେଲ 2000ରୁ ମାର୍ଚ୍ଚ 2019 ଅବଧିରେ 25.04 ବିଲିଅନ ଡଲାର ର ପ୍ରତ୍ୟକ୍ଷ ବିଦେଶୀ ନିବେଶ ପ୍ରାପ୍ତ ହୋଇଛି | 

ସୂଚନା ଯୋଗ୍ୟଯେ ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ (ଆରଇଆଇଟି) ପ୍ଲାଟଫର୍ମ  ଭାରତୀୟ ନିୟାମକ ବୋର୍ଡ (ସେବି) ର ଅନୁମୋଦନ ଲାଭ କରିଛି | ଏହାଦ୍ଵାରା ଭାରତୀୟ ରିଅଲ ଇଷ୍ଟେଟ ବଜାରରେ ନିବେଶ ଲାଗି ସବୁ ପ୍ରକାରର ନିବେଶକଙ୍କୁ ଅନୁମତି ମିଳିବ  | ଏଥିଯୋଗୁଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବଜାରରେ 19.65 ବିଲିଅନ ଡଲାରର ସୁଯୋଗ ସୃଷ୍ଟି ହେବ | ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ରିଅଲ ଇଷ୍ଟେଟ ଡେଭେଲପର ମାନେ ସାନି ଚାଲେଞ୍ଜ ଗୁଡିକର ସମ୍ମୁଖୀନ ହେଉଛନ୍ତି| 

ଭାରତୀୟ ରିଅଲ ଇଷ୍ଟେଟ କ୍ଷେତ୍ରରେ ଏଫଡ଼ିଆଇର ବୃଦ୍ଧି ପାଉଥିବା ପ୍ରବାହ ମଧ୍ୟ ଅଧିକ ପାରଦର୍ଶିତାକୁ ପ୍ରୋତ୍ସାହିତ  କରିଥାଏ ବୋଲି ବିବେଚନା କରାଯାଏ | ବିଭିନ୍ନ ସହରରେ ବୃଦ୍ଧି ପାଉଥିବା ଆବାସ ଆବଶ୍ୟକତାର ପୂରଣ କରିବା ପାଇଁ ରିଅଲ ଇଷ୍ଟେଟ ଡେଭେଲପର୍ସ, ନିର୍ମାଣ ସମ୍ବଳ ଓ  ସଂଗଠିତ ଶ୍ରମଶକ୍ତି ଲାଗି କେନ୍ଦ୍ରୀଭୂତ ପ୍ରକ୍ରିୟାରେ ମଧ୍ୟ ନିବେଶ କରୁଛନ୍ତି | ସେମାନେ ପ୍ରକଳ୍ପ ପରିଚାଳନା, ବାସ୍ତୁକଳା ଓ ଇଞ୍ଜିନିଅରିଙ୍ଗ ଭଳି କ୍ଷେତ୍ରରେ ଉଚ୍ଚ ଶିକ୍ଷିତ ଓ ଯୋଗ୍ୟ ପେଷାଦାର ମାନଙ୍କୁ ଦାୟିତ୍ଵ ଦେଉଛନ୍ତି  |

ଏହି ସବୁକୁ ଧ୍ୟାନରେ ରଖି ଭାରତୀୟ ଅର୍ଥବ୍ୟବସ୍ଥାର ସମଗ୍ର ବିକାଶକୁ ପ୍ରୋତ୍ସାହନ ଲାଗି ଭାରତର ଏହି ପ୍ରମୁଖ କ୍ଷେତ୍ରର ମହତ୍ବପୂର୍ଣ୍ଣ ଭୂମିକାକୁ କେହିବି ଅଣଦେଖା କରିପାରିବେ ନାହିଁ | ବାସ୍ତବରେ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଏହା ଏକ ସକାରାତ୍ମକ ପଦକ୍ଷେପ ଓ ଏହା ରିଅଲ ଇଷ୍ଟେଟ କ୍ଷେତ୍ରର ପୁନରୁଦ୍ଧାର ଲାଗି ଅତ୍ୟନ୍ତ ମହତ୍ବପୂର୍ଣ୍ଣ |

ମୂଳ ଲେଖା : ଆଦିତ୍ୟ ରାଜ ଦାସ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ