ଓମାନ: ଏକ ଯୁଗର ଅବସାନ

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓମାନର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ସୁଲତାନ କବୁଜ ବିନ ସେଦ ଅଲ ସେଦ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜାନୁୟାରୀ 10 ତାରିଖରେ ଇହଲିଳା ସମ୍ୱରଣ କରିଛନ୍ତି। ତାଙ୍କ ଦେହାନ୍ତ ପରେ ଓମାନରେ ଏକ ଯୁଗର ଅବସାନ ଘଟିଛି ଏବଂ ତାଙ୍କ ପରେ ଦେଶରେ ନୂତନ ନେତା ଶାସନ ଭାର ଗ୍ରହଣ କରିବାର ରାସ୍ତା ଖୋଲିଛି। ସୁଲତାନ କବୁଜଙ୍କର ସମଗ୍ର ବିଶ୍ୱରେ ସମ୍ମାନ ଥିଲା। 79 ବର୍ଷ ବୟସ୍କ ସୁଲତାନ ଓମାନକୁ ଏକ ସ୍ଥିର ଶାସକ ଦେବା ସହିତସ୍ୱାଧୀନ ବୈଦେଶିକ ନୀତି ପ୍ରଣୟନ କରିଥିଲେ ଏବଂ ଇରାନ ଓ ସାଉଦି ଆରବ ପରି ପାରସ୍ୟ ଦେଶ ସହିତ ସାମଞ୍ଜସ୍ୟ ରଖିଥିଲେ। 1970ରେ ତାଙ୍କ ପିତା ସେଦ ବିନ ତୈମୁରଙ୍କ ଦେହାନ୍ତ ପରେ ସୁଲତାନ କବୁଜ ଦୋଫର ବିଦ୍ରୋହକୁ ଦମନ କରିବା ସହିତ ଦେଶରୁ ଦାସତ୍ୱର ଲୋପ କରି ଓମାନକୁ ଏକ ଆଧୁନିକ ଦେଶରେ ପରିଗଣିତ କରିଥିଲେ। 1996ରେ ପ୍ରଥମେ ଦେଶର ସମ୍ୱିଧାନ ଲେଖାଯାଇ ମହିଳାମାନଙ୍କୁ ରାଜନୀତି, ବ୍ୟବସାୟ ଏବଂ କ୍ରିଡା ଆଦିରେ ସାମିଲ କରି କ୍ଷମତାପନ୍ନ କରିଥିଲେ। ତାଙ୍କୁ ଆଧୁନିକ ଓମାନର ଜନକ ବୋଲି କୁହାଯାଉଛି।

ସୁଲତାନଙ୍କ ଦେହାନ୍ତ ପରେ କିଏ ଶାସନ ଦାୟିତ୍ୱ ଗ୍ରହଣ କରିବ ସେନେଇ ତନାଘନା ଚାଲିଥିବାବେଳେ ସୁଲତାନଙ୍କର ପୂର୍ବତନ ପସନ୍ଦ ତାଙ୍କର ସଂପର୍କୀୟ ଭାଇ ହଇଥାମ ବିନ ତାରିକ ଅଲ ସେଦଙ୍କୁ ଶାସନ ଭାର ଦେବାକୁ ସୁଲତାନଙ୍କ ପରିବାର ନିଷ୍ପତ୍ତି ନେଇଛି। ତାରିକ ଅକ୍ସଫୋର୍ଡରୁ ଅଧ୍ୟୟନ କରିଛନ୍ତି ଏବଂ ଦେଶର ସଂସ୍କୃତି ଓ ଐତିହ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏବେ ନୂଆ ସୁଲତାନ ପୂର୍ବତନ ସୁଲତାନଙ୍କ ପରି ଦେଶର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀର ଦାୟିତ୍ୱ ନେବେ। ଏସବୁ ପରିପ୍ରେକ୍ଷୀରେ ତାରିକଙ୍କୁ ପୂର୍ବତନ ସୁଲତାନଙ୍କ ପରି ସମ୍ମାନ ମିଳିବ ଏହା କୁହାଯିବା କଷ୍ଟକର। ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଏବଂ ବେକାରୀକୁ ଦୃଷ୍ଟିରେ ରଖି ନୂଆ ଶାସକଙ୍କ ପାଇଁ ଦେଶ ଚଳାଇବା ଏତେ ସହଜ ହେବନି ଏବଂ ତାଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଏସବୁ ବିଷୟ। ଦାୟିତ୍ୱ ଗ୍ରହଣ ପରେ ନୂତନ ସୁଲତାନ ତାଙ୍କର ପୂର୍ବତନ ଶାସକଙ୍କ ପଦାଙ୍କ ଅନୁସରଣ କରି ସମସ୍ତଙ୍କ ସହିତ ସୁସଂପର୍କ ରଖିବେ ବୋଲି ତାରିକ କହିଛନ୍ତି।

କବୁଜ ବିନ ସେଦଙ୍କ ଦେହାନ୍ତରେ ମସକଟ ତିନି ଦିନର ଶୋକ ଦିବସ ଘୋଷଣା କରିଛନ୍ତି ଏବଂ ଆଗାମି 40 ଦିନ ପର୍ଯ୍ୟନ୍ତ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ତାଙ୍କ ମୃତ୍ୟୁରେ ଆମେରିକା, ବ୍ରିଟେନ, ଇରାନ, ସାଉଦି ଆରବ, ୟୁଏଇ, ତର୍କି, ଜୋର୍ଡାନ, ଇଜିପ୍ଟ ଏବଂ ବାହାରିନ ଗଭିର ଶୋକ ପ୍ରକାଶ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସୁଲତାନ କବୁଜ ଆମ ଅଞ୍ଚଳ ଏବଂ ବିଶ୍ୱର ଶାନ୍ତି  ପାଇଁ ଏକ ମଶାଲ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସୁଲତାନ କବୁଜଙ୍କୁ ଭାରତର ଘନିଷ୍ଠ ବନ୍ଧୁ ଥିଲେ ବୋଲି କହିଛନ୍ତି। ଭାରତର ସୌରାଷ୍ଟ୍ର ମନ୍ତ୍ରଣାଳୟ ଦିବଂଗତ ନେତାଙ୍କ ସମ୍ମାନାର୍ଥେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଆଜି ଦେଶର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ଭାରତର ଲୋକମାନଙ୍କ ପକ୍ଷରୁ ଏକ ପ୍ରତିନିଧି ମଣ୍ତଳିର ନେତୃତ୍ୱ ନେଇ ଓମାନ ଯାଇ ଶୋକସଭାରେ ଯୋଗ ଦେବେ।

ସୁଲତାନ କବୁଜଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦିବଂଗତ ସୁଲତାନ ଭାରତ ଓ ଓମାନ ମଧ୍ୟରେ ଚଳଚଞ୍ଚଳ ସାମରିକ ଭାଗିଦାରୀ ପାଇଁ ବିଶେଷ ଭାବେ ଅବଦାନ ରଖିଥିଲେ। ନୂଆ ସୁଲତାନଙ୍କୁ ଅଭିନନ୍ଦନ ଜଣାଇ ସ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ସାମରିକ ବାଗିଦାରୀ ସଂପର୍କକୁ ଆହୁରି ଆଗକୁ ବଢାଇବା ଲାଗି କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ବାରତ ଆଗ୍ରହୀ ଅଛି। ସେ କହିଛନ୍ତି ବାରତ ଓମାନ ମଧ୍ୟରେ ଭାଗିଦାରୀ ଓ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ରହିଛି ଓ ଉଭୟ ଦେଶ ମଧ୍ୟରେ ବହୁ ପୁରାତନ କାଳରୁ ବାଣିଜ୍ୟ ସଂପର୍କ ବଳବତ୍ତର ରହିଛି। ଓମାନରେ ରହୁଥିବା 8ଲକ୍ଷ ପ୍ରବାସୀ ଭାରତୀୟ ଦେଶକୁ ବିପୁଳ ପରିମାଣର ବୈଦେଶିକ ଅର୍ଥ ପଠାଉଛନ୍ତି ଏବଂ ଏହି ଭାରତୀୟ କର୍ମଚାରୀ ଓ ଶ୍ରମିକମାନେ ଓମାନର ସର୍ବବିଧ ଉନ୍ନତି ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ରଖିଛନ୍ତି। ନୂଆ ସୁଲତାନଙ୍କ ଅଧିନରେ ଭାରତ ସେ ଦେଶ ସହ ଘନିଷ୍ଠ ସଂପର୍କ ବଜାୟ ରଖିବାକୁ ଆଶା ରଖିଛି ଏବଂ ବାଣିଜ୍ୟ ଓ ଅନ୍ୟାନ୍ୟ ସଂପର୍କକୁ ଆଗପରି ଜାରି ରଖିବା ପାଇଁ ମଧ୍ୟ ଇଛା ପ୍ରକାଶ କରୁଛି।

ଆଲେଖ୍ୟ: ଡକ୍ଟର ଲକ୍ଷ୍ମୀ ପ୍ରିୟା

ଭାଷାନ୍ତର:  ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ