18.02.2020

ଓଡିଶାର ବିଭିନ୍ନ ସମ୍ବାଦପତ୍ରରେ ଏହାର ସମ୍ପାଦକୀୟ ରେ ଅଭିବୃଦ୍ଧି ହାର ଖସିବା ବିଷୟରେ ଖବର  ପ୍ରକାଶ ପାଇଥିବା ବେଳେ ନିର୍ଭୟା ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖ ସକାଳେ ଫାଶୀ ଦଣ୍ଡ ଦିଆଯିବା ବିଷୟ   ପ୍ରମୁଖତାର ସହ ପ୍ରକାଶ ପାଇଛି | ‘ସମାଜ’ରେ ଖସିଲା ଅଭିବୃଦ୍ଧି ହାର, ମାର୍ଚ୍ଚ 3 ସକାଳେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡ, ସଂଶୋଧନ ହେଲା ରାଜ୍ୟ ଓବିସି କମିଶନ ଆଦି ଶୀର୍ଷକରେ ଖବର ପ୍ରକାଶ ପାଇଥିବା ବେଳେ ସମ୍ବାଦରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, କେନ୍ଦ୍ର ଶୁଣିଲାନୀ, ରାଜ୍ୟ କରିବ ପଛୁଆ ବର୍ଗଙ୍କ ସର୍ଭେ ଓ ଅଭିବୃଦ୍ଧି ଖସିଲା 6.16 ପ୍ରତିଶତ ଶୀର୍ଷକ ପ୍ରକାଶ ପାଇଛି | ସେହିପରି   ପ୍ରଗତିବାଦୀରେ ସେନା ନିଯୁକ୍ତିରେ ପୁରୁଷ-ମହିଳା ସମାନ, ମାର୍ଚ୍ଚ 3 ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡ ଓ ନବେ ବର୍ଷ ପରେ ନବେ ମିନିଟରେ ନବୀନଙ୍କ ନିଷ୍ପତ୍ତି , ପଛୁଆ ବର୍ଗଙ୍କ ସାମାଜିକ ଶିକ୍ଷାଗତ ସର୍ଭେ ହେବ ଆଦି ପ୍ରସଙ୍ଗ ନେଇ ଦର୍ଶାଯାଇଛି | 

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଜାତୀୟ ଅର୍ଥନୀତି ସହ ରାଜ୍ୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି | ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ଶତକଡା 5 ଭାଗ ଖସିଥିବା ବେଳେ ଓଡିଶାର ଅର୍ଥନୈତିକ  ଅଭିବୃଦ୍ଧି ହାର 2019-20 ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଏସଡ଼ିପି) ର 6.16 ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି | ବାତ୍ୟା ପ୍ରଭାବରେ କୃଷି ଉତ୍ପାଦନ ହ୍ରାସ ଏବଂ ଖଣିଜ ରାଜସ୍ୱ କମିବା ଯୋଗୁଁ ଅଭିବୃଦ୍ଧି ପ୍ରଭାବିତ ହୋଇଛି ବୋଲି ସମ୍ବାଦପତ୍ର ଗୁଡିକରେ ଉଲ୍ଲେଖ କରାଯାଇଛି |

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ବିରୋଧରେ ଅଦାଲତ ପୁନର୍ବାର ମୃତ୍ୟୁ ପରୱାନା (ଡେଥ ୱାରେଣ୍ଟ ) ଜାରି କରିଛନ୍ତି | ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ ଧର୍ମେନ୍ଦ୍ର  ରାଣା ସୋମବାର ଜାରି କରିଥିବା ମୃତ୍ୟୁ ପରୱାନା ଅନୁଯାୟୀ ସମସ୍ତ ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖ ସକାଳ 6 ଟାରେ ଫାଶୀ ଦିଆଯିବ ବୋଲି ସବୁ ସମ୍ବାଦପତ୍ର ଗୁଡିକରେ ପ୍ରମୁଖତାର ସହ ଦର୍ଶାଯାଇଛି |

ଓଡିଶାରେ ହେବ ଜାତି ଭିତ୍ତିକ ଜନଗଣନା ଶୀର୍ଷକ ରେ କୁହାଯାଇଛି ଯେ ଏଣିକି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଙ୍କ ସ୍ଥିତି ଜାଣିବା ପାଇଁ ପ୍ରଥମ ଥର ଲାଗି ଜନଗଣନା ଆରମ୍ଭ କରାଯିବ |ଏଥିପାଇଁ ନବଗଠିତ ରାଜ୍ୟ ଓବିସି କମିଶନଙ୍କୁ କ୍ଷମତା ପ୍ରଦାନ କରାଯାଇଛି| ସୋମବାର ବିଧାନସଭାରେ ରାଜ୍ୟ ସରକାର ଓଡିଶା ରାଜ୍ୟ   ଅନ୍ୟାନ୍ୟ ପଛୁଆବର୍ଗ କମିଶନ ଆଇନ -1993 ର ସଂଶୋଧନ କରିଛନ୍ତି ବୋଲି ପ୍ରାୟ ସବୁ ଖବର କାଗଜରେ ପ୍ରମୁଖତାର ସହ ପ୍ରକାଶ ପାଇଛି | 

ପ୍ରଗତିବାଦୀ ସେନା ନିଯୁକ୍ତିରେ ପୁରୁଷ-ମହିଳା ସମାନ ଶୀର୍ଷକରେ ଲେଖିଛି ଯେ ସୁପ୍ରିମକୋର୍ଟ ସୋମବାର ଏକ ଐତିହାସିକ ରାୟ ପ୍ରଦାନ କରି ସ୍ଥଳସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ ପଦବୀ ପ୍ରଦାନ ପାଇଁ ସର୍ବୋଚ୍ଚ ଅଦାଲତ ରାୟ ପ୍ରକାଶ କରିଛନ୍ତି |