ତୁର୍କୀର ହସ୍ତକ୍ଷେପକୁ ଭାରତର ନିନ୍ଦା

ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଡୋଗାନ ନିକଟରେ ପାକିସ୍ତାନ ଗସ୍ତରେ ଆସି କାଶ୍ମୀର ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ସମସ୍ତ ପଦକ୍ଷେପ ନେବା ସତ୍ତ୍ଵେ କାଶ୍ମୀରରେ ପରିସ୍ଥିତି ଭଲ ନାହିଁ | କଶ୍ମୀର ଲୋକମାନଙ୍କ ଇଛା ଏବଂ ଜାତିସଂଘ ପ୍ରସ୍ଥାବ ଆଧାରରେ କାଶ୍ମୀର ପ୍ରସଙ୍ଗ ଭାରତ ପାକିସ୍ତାନ ମଧ୍ୟରେ ଆଲୋଚନା ଦ୍ଵାରା ସମାଧାନ ହେବାକୁ ତୁର୍କୀ ଚାହେଁ | ସେ କାଶ୍ମୀର ପ୍ରତି ସମବେଦନା ଜଣାଇବା ସହିତ କାଶ୍ମୀର ସଂଗ୍ରାମକୁ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବିଦେଶୀ କ୍ଷମତା ସହ ତୁର୍କୀର ସଂଘର୍ଷକୁ ତୁଳନା କରିଛନ୍ତି |

ତୁର୍କୀ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ଭାରତ କଡା ଆପତ୍ତି ଏହାର ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଜଣାଇଛି | ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ତୁର୍କୀ ରାଷ୍ଟ୍ରପତିଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ସେ ନା ଇତିହାସ ବୁଝନ୍ତି ନା କୂଟନୈତିକ ଆଚରଣକୁ ବୁଝନ୍ତି  ଯାହା  ତୁର୍କୀ ଉପରେ ଭାରତର ସଂପର୍କର ଖରାପ ପ୍ରଭାବ ପକାଇବ | ଆହୁରି ମଧ୍ୟ କୁହାଯାଇଛି ଯେ ତୁର୍କୀର ଏତାଦ୍ରୁଶ ଆଚରଣ ଏହା ପୁଣି ଥରେ ପ୍ରମାଣ କରୁଛି ଯେ ତୁର୍କୀ ଅନ୍ୟ ଦେଶର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିଚାଲିଛି ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ | ସୀମାପାର ସନ୍ତ୍ରାସବାଦକୁ ତୁର୍କୀ ବାରମ୍ଵାର ଉଚିତ ଭାବେ ଦର୍ଶାଇବାକୁ ଭାରତ ଏହାକୁ ଦୃଢ ଭାବେ ଅଗ୍ରାହ୍ୟ କରିଛି | କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ହୋଇଥିବାରୁ ଏହା ସଂପର୍କରେ କହିବା ଅର୍ଥ ଭାରତର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିବା | ଏଣୁ ଏହାକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ |

ଗତ ବର୍ଷ ଜମ୍ମୁ କଶ୍ମୀରରେ ଧାରା 370 ଉଚ୍ଛେଦ ପରେ ତୁର୍କୀ ରାଷ୍ଟ୍ରପତି ଭାରତକୁ ନିନ୍ଦା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତୁର୍କୀ ଗସ୍ତକୁ ବାତିଲ କରିଥିଲେ | କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ଏବଂ ତୁର୍କୀ ମଧ୍ୟରେ ଥିବା ସଂପର୍କରେ ଉତ୍ଥାନ ପତ୍ତନ ଆସିଛି | ଏର୍ଡୋଗାନ ପ୍ରଥମେ 2019ରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହା ଉପରେ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଦିଆଯାଉନାହିଁ ଏବଂ ଏହାର ସମାଧାନ ନ୍ୟାୟ, ଅଂଶୀଦାର ଆଧାରରେ ହେବା ଦରକାର ବିଲୟ ଆଧାରରେ ନୁହେଁ | ତୁର୍କୀ ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଆସିଛି ଯାହାକୁ ଭାରତ ଖାରଜ କରିଆସିଛି | ଭାରତ କହିଛି ଏର୍ଡୋଗାନ ନିଜର ରେକର୍ଡ ଦେଖିବା କଥାଏବଂ ଘରକୁ ଫେରି ତୁର୍କୀ ଲୋକମାନେ କିପରି ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ତା ଉପରେ ଧ୍ୟାନ ଦେବା ଦରକାର |

କାଶ୍ମୀର ପ୍ରସଙ୍ଗ ଉପରେ ଭାରତ ସର୍ବଦା ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି ଯେ ଏହା ଏକ ଦ୍ଵିପକ୍ଷୀୟ ପ୍ରସଙ୍ଗ |ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣଯୋଗ୍ୟ ନୁହେଁ | 370 ଉଚ୍ଛେଦ ପରେ ପାକିସ୍ତାନ କିମ୍ଵା ଅନ୍ୟ କୌଣସି ଦେଶ ଏହା ଉପରେ ହସ୍ତକ୍ଷେପକୁ ଭାରତ ଆଭ୍ଯନ୍ତରିଣ ମାମଲାରେ ହସ୍ତକ୍ଷେପ ଭାବେ ବିବେଚନା କରିଛି | ଯାହା ଜାତିସଂଘର ଆଇନ ଅନୁଯାୟୀ ବେଆଇନ ଅଟେ| 

ତୁର୍କୀ ପାକିସ୍ତାନକୁ ଦୁଇଟି କାରଣରୁ ସମର୍ଥନ କରୁଛି | ଧାର୍ମିକ ଏବଂ ସାଇପ୍ରସ ଦୃଷ୍ଟିରୁ | ଉଭୟ ହେଉଛନ୍ତି ଇସଲାମୀୟ ଦେଶ | ସାଇପ୍ରସ ମାମଲାରେ ଭାରତ ଉତ୍ତରାଞ୍ଚଳ ସାଇପ୍ରସକୁ ସ୍ଵତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇ ନାହିଁ ବରଂ ଗ୍ରୀକ ସାଇପ୍ରସକୁ ମାନ୍ୟତା ଦେଇଛି | ଏହି ମାମଲାରେ ପାକିସ୍ତାନର ଆଭିମୁଖ୍ୟ ଭାରତର ବିପରିତ | ଭାରତର ସଂପର୍କ ଆରମେନିଆ ଏବଂ ଗ୍ରୀକ ସହିତ ଭଲ ଅଛି କିନ୍ତୁ ତୁର୍କୀର ଏହି ଦୁଇଟି ଦେଶ ସହିତ ସଂପର୍କ ଭଲ ନାହିଁ |

ଏସବୁ ସତ୍ତ୍ଵେ ଭାରତ ତୁର୍କୀ ସହିତ ଭଲ ସଂପର୍କ ରଖିବାକୁ ଚାହିଁଛି | ଏପରିକି 2019 ଜୁନରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରରେ କହିଥିଲେ ଯେ ତୁର୍କୀ ହେଉଛି ଭାରତର ଗୁରୁତ୍ଵପୂର୍ଣ୍ଣ ବଂଧୁ  | ଭାରତ ସନ୍ତ୍ରାସବାଦ ଉପରେ ନିଜର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ କରିଛି ଏବଂ ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଆସିଛି | ଭାରତ ଏହା ମଧ୍ୟ ଚାହିଁଛି ଯେ ଧାର୍ମିକ ସମାନତା ଥିଲେ ମଧ୍ୟ ମାନବୀଯ ଦୃଷ୍ଟିକୋଣକୁ ପ୍ରାଧାନ୍ୟ ଦିଆଯିବା ଦରକାର |

ଆଲେଖ୍ୟ:  ଡକ୍ଟର ଇନ୍ଦ୍ରାଣୀ ତାଲୁକଦାର

ଭାଷାନ୍ତର:  ରାମଚଂଦ୍ର ନାଥ