କାବୁଲରେ ଗୁରୁଦ୍ଵାର ଉପରେ ହୋଇଥିବା ସନ୍ତ୍ରାସବାଦି ଆକ୍ରମଣକୁ ଭାରତ ଦୃଢ ନିନ୍ଦା କଲା

କାବୁଲରେ ବୁଧବାର ଦିନ ଗୁରୁଦ୍ଵାର ଉପରେ ହୋଇଥିବା ଅମାନବୀୟ ସନ୍ତ୍ରାସବାଦି ଆକ୍ରମଣକୁ ଭାରତ ଦୃଢ ନିନ୍ଦା କରିଛି | ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି | ଆଫଗାନିସ୍ଥାନର ହିନ୍ଦୁ ଏବଂ ଶିଖ ପରିବାର ପାଇଁ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ରହିଛି |

ସଂଖ୍ୟାଲଘୁ ସଂପ୍ରଦାୟର ଧାର୍ମିକ ପୀଠ ଉପରେ କୋରନା ମହାମାରୀ ପରି ବିପଦ ସମୟରେ ଏପରି ଭୀରୁତାପୂର୍ଣ୍ଣ ଆକ୍ରମଣ ସନ୍ତ୍ରାସବାଦି ଏବଂ ସେମାନଙ୍କ ସମର୍ଥକମାନଙ୍କ ଘୃଣ୍ୟ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି|

ବିବୃତ୍ତିରେ କୁହାଯାଇଛି ଯେ ଆଫଗାନି ନିରାପତ୍ତା ବାହିନୀ ଯେପରି ଭାବରେ ସାହସର ସହିତ ସନ୍ତ୍ରାସବାଦୀମାନଙ୍କୁ ମୁକାବିଲା କରିଛନ୍ତି ତାହା ଅଦମ୍ୟ ସାହସର ଉଦାହରଣ ସୃଷ୍ଟି କରିବା ସହିତ ଆଫଗାନ ଲୋକ ଏବଂ ଦେଶର ସୁରକ୍ଷା ପାଇଁ କିପରି ବଦ୍ଧପରିକର ଅଛନ୍ତି ତାହା ପ୍ରମାଣିତ କରୁଛି |

ଦେଶର ଶାନ୍ତି, ସୁରକ୍ଷା ପାଇଁ ଆଫଗାନିସ୍ଥାନ ନିରାପତ୍ତା ବାହିନୀ ଏବଂ ସରକାରଙ୍କ ସହିତ ଭାରତ ରହିଛି ବୋଲି ବିବୃତ୍ତିରେ କୁହାଯାଇଛି |