ଭାରତ, ରାଜନୈତିକ ସୁରକ୍ଷା ସଙ୍କ୍ରାନ୍ତୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଉଥିବା ଆଠ ସଦସ୍ୟ ବିଶିଷ୍ଟ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ରେ 2017ରେ ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପରେ ଏହାର ପ୍ରଭାବ ବୃଦ୍ଧି ପାଇଛି | ସୂଚନାଯୋଗ୍ୟଯେ ଏହି ସମୟରେ ପାକିସ୍ତାନ ମଧ୍ୟ ପୂର୍ଣ୍ଣ ସଦସ୍ୟତା ଲାଭ କରିଥିଲା | ଏହି ସଂଗଠନରେ ଭାରତର ଗଠନମୂଳକ ଅବଦାନ ରହିଛି | ବର୍ତ୍ତମାନର ବୈଶ୍ଵିକ କୋଭିଡ-19 ମହାମାରୀ ସମୟରେ ଏହାର ମୁକାବିଲା ଲାଗି ଏକ ଦୀର୍ଘ ମିଆଦି ସମାଧାନର ବାଟ ବାହାର କରିବା ପାଇଁ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ସଂଗଠନ ଗୁଡିକ ମିଳିମିଶି ଆଲୋଚନା କଲେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ |
ଭାରତ 2005 ମସିହାରୁ ଏସସିଓରେ ଏକ ପର୍ଯ୍ୟବେକ୍ଷକ ଥିଲା ଓ ଏହି ଗୋଷ୍ଠୀର ମନ୍ତ୍ରୀସ୍ତରୀୟ ବୈଠକ ଗୁଡିକରେ ଯୋଗ ଦେଇଥିଲା | ଏହି ବୈଠକରେ ମୁଖ୍ଯତଃ ୟୂରାସିଆ ଅଞ୍ଚଳରେ ସୁରକ୍ଷା ଓ ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିଲା | ରୁଷିଆ, ଚୀନ, କିରଗିଜ ଗଣତନ୍ତ୍ର, କାଜାଖସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ଵାରା 2001ରେ ସାଙ୍ଘାଇରେ ଏକ ସମ୍ମିଳନୀରେ ଏସସିଓ ପ୍ରତିଷ୍ଠା କରାଯାଇଥିଲା |
ଗତ ସପ୍ତାହରେ ସଦସ୍ୟ ରାଷ୍ଟ୍ର ଗୁଡିକର ବୈଦେଶିକ ମନ୍ତ୍ରୀ ସମୂହର ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ଯୋଗ ଦେଇ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଲାଗି ଏସଙ୍କ୍ରାନ୍ତୀୟ ସୂଚନା ଆଦାନ ପ୍ରଦାନ କରିବା ସହ ପରସ୍ପର ମଧ୍ୟରେ ସହଯୋଗ ସୁଦୃଢ କରିବା ଉପରେ ଜୋର ଦେଇଥିଲେ | ରୁଷର ବୈଦେଶିକ ମନ୍ତ୍ରୀ ସରଜେ ଲାଭରୋଭଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚୀନର ୱାଙ୍ଗ ୟି ଓ ପାକିସ୍ତାନର ଶାହ ମହମ୍ମଦ କ୍ୟୁରେସିଙ୍କ ସମେତ ସବୁ ଏସସିଓ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ମାନେ ଯୋଗ ଦେଇଥିଲେ |
ଏହି ବୈଠକରେ କୋଭିଡ-19କୁ ପ୍ରତିହତ କରିବା ଲାଗି ମୁଖ୍ୟତଃ ଔଷଧ, ଚିକିତ୍ସା ଉପକରଣ ଏବଂ ଫାର୍ମାସିୟୁଟିକାଲ କ୍ଷେତ୍ରରେ ସୂଚନା ଆଦାନ ପ୍ରଦାନ ଉପରେ ବୈଦେଶିକ ମନ୍ତ୍ରୀମାନେ ଗୁରୁତ୍ଵାରୋପ କରିଥିଲେ | ଏହି ଅବସରରେ ଟୀକାକରଣ ବିକାଶ ଓ ରୋଗର ଚିକିତ୍ସା ପଦ୍ଧତି ପାଇଁ ସହଯୋଗ ଉପରେ ପ୍ରାଧାନ୍ଯ ଦେଇ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ସେମାନେ ଏକ ମିଳିତ ଘୋଷଣାନାମା ଉପରେ ସହମତ ହୋଇଥିଲେ |
ଏସସିଓ ସଦସ୍ୟ ରାଷ୍ଟ୍ର ଗୁଡିକ ସହ କୋଭିଡ-19 ସଙ୍କ୍ରାନ୍ତୀୟ ସୂଚନା, ପାରଦର୍ଶିତା ଓ ଅଭିଜ୍ଞତା ଆଦାନ ପ୍ରଦାନ ଲାଗି ଭାରତ ପ୍ରସ୍ତୁତ ଥିବା ବିଷୟ ବୈଦେଶିକ ମନ୍ତ୍ରୀ ଆଲୋକପାତ କରିଥିଲେ | ମହାମାରୀ ପରିପ୍ରେକ୍ଷୀରେ ମେ 12 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଘୋଷିତ 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ସମେତ ଭାରତ ଦ୍ଵାରା ନିଆଯାଇଥିବା ବିଭିନ୍ନ ନିର୍ଣ୍ଣାୟକ ପଦକ୍ଷେପ ବିଷୟରେ ମଧ୍ୟ ଡଃ ଜୟଶଙ୍କର ଆଲୋକପାତ କରିଥିଲେ | ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କର ମଧ୍ୟ ଏସସିଓ ସଦସ୍ୟ ମାନଙ୍କ ମଧ୍ୟରେ ଆପୋଷ ଲାଭଦାୟକ ବାଣିଜ୍ୟ-ଅର୍ଥନୈତିକ ସହଯୋଗ ସ୍ଥାପନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ଦିଗରେ କାର୍ଯ୍ୟ କରିବା ଲାଗି ଭାରତ ଅଙ୍ଗୀକାରବଦ୍ଧ ଥିବା ବିଷୟ ଅବଗତ କରାଇଥିଲେ |
ଚଳିତ ବର୍ଷ ଅପ୍ରେଲ ମାସରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ସମୂହର ଭିଡିଓ କନଫରେନ୍ସ ଜରିଆରେ ବୈଠକ ହେବା ପରେ ଏସସିଓ ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକ ବସିଥିଲା | କୋଭିଡ-19 ମହାମାରୀ ଯୋଗୁଁ ଉପୁଜିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଏହାର ପ୍ରଭାବ ନେଇ ବ୍ରିକ୍ସ ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା | ସେହିପରି ମେ 7 ତାରିଖରେ ଏହି ମହାମାରୀ ସଙ୍କ୍ରାନ୍ତୀୟ ପୁଙ୍ଖାନୁପୁଙ୍ଖ ଆଲୋଚନା ଲାଗି ବ୍ରିକ୍ସ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା | ଉଲ୍ଲେଖ ଯୋଗ୍ୟ ଯେ କୋଭିଡ-19 ଉପରେ ଅନୁଷ୍ଠିତ ଏସସିଓ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ସମୂହର ଏକ ଭର୍ଚୁଆଲ ବୈଠକରେ ଉଭୟ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ପ୍ରଥମ ଥର ଲାଗି ଏକାଠି ହୋଇଥିଲେ |
ଏସସିଓ ସଦସ୍ୟ ରାଷ୍ଟ୍ର ବୈଦେଶିକ ମନ୍ତ୍ରୀବୃନ୍ଦଙ୍କ ବୈଠକରେ କରୋନାଭାଇରସ ପ୍ରତିହତ ଲାଗି ମୁଖ୍ୟତଃ ଆଲୋଚନା ହୋଇଥିଲା | ଡଃ ଜୟଶଙ୍କର ଏହା ବିରୁଦ୍ଧରେ ଲଢିବା ଲାଗି ଉପାୟ ବାହାର କରିବା ସହ ଏକ୍ଷେତ୍ରରେ ସହଯୋଗ କରିବା ଉପରେ ଜୋର ଦେଇ ସମଗ୍ର ବିଶ୍ଵ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ସୁରକ୍ଷା ଜନିତ ଚାଲେଞ୍ଜ ଗୁଡିକ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ | ସନ୍ତ୍ରାସବାଦ ଏସସିଓ ଅଞ୍ଚଳ ଗୁଡିକର ସୁରକ୍ଷା ଓ ସ୍ଥିରତା କ୍ଷେତ୍ରରେ ଏକ ବଡ ବିପଦ ଭାବେ ଉଭା ହୋଇଛି ତେଣୁ ‘ ସାମୁହିକ କାର୍ଯ୍ୟାନୁଷ୍ଠାନ’ ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ ବୋଲି ଶ୍ରୀ ଜୟଶଙ୍କର ଦୃଢୋକ୍ତି ପ୍ରକାଶ କରିଥିଲେ | ଅର୍ଥନୈତିକ ପୁନରୁଜ୍ଜୀବିତ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଜଣାଇଥିଲେ | ତେଣେ ଆତଙ୍କବାଦୀ ବିରୋଧୀ ନିୟମ କାନୁନ ଓ ଗୋଷ୍ଠୀର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ଲାଗି ରୁଷ ବୈଦେଶିକ ମନ୍ତ୍ରୀ ସରଜେ ଲାଭରୋଭ ଆହ୍ଵାନ ଜଣାଇଥିଲେ |ରୁଷର ଅଧ୍ୟକ୍ଷତାରେ ଜୁଲାଇ ଶେଷ ବେଳକୁ ସେଣ୍ଟ ପିଟର୍ସବର୍ଗ ଠାରେ ଏସସିଓର ପରବର୍ତ୍ତୀ ସମ୍ମିଳନୀ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି |
ଏହି ସମ୍ମିଳନୀରେ ଆଫଗାନିସ୍ତାନରେ ବର୍ତ୍ତମାନ ଉପୁଜିଥିବା ପରିସ୍ଥିତି ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା | ଚୀନ ଅଧ୍ୟୁଷିତ ଗୋଷ୍ଠୀରେ ପୂର୍ଣ୍ଣ ସଦସ୍ୟ ଭାବେ ଭାରତର ପ୍ରବେଶ, ବାସ୍ତବରେ ଆଞ୍ଚଳିକ ଭୌଗୋଳିକ-ରାଜନୀତି କ୍ଷେତ୍ରରେ ଏହାର ପ୍ରଭାବ ବୃଦ୍ଧି କରିବା ସହ ଏହାକୁ ଏକ –ଏସୀୟ ରଙ୍ଗ ଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ |
ମୂଳ ଲେଖା : ପ୍ରଫେସର ରାଜାରାମ ପଣ୍ଡା