କଳାପାଣି ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ନେପାଳ

ଭାରତର ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ ଜିଲ୍ଲା ଓ ନେପାଳର ପଶ୍ଚିମାଞ୍ଚଳ ସ୍ଥିତ ଧର୍ଚୁଲା ଜିଲ୍ଲାର ଭାରତ, ନେପାଳ ଓ ଚୀନ ତ୍ରି-ଜଙ୍କସନ ଠାରେ କଳାପାଣି  ଆଞ୍ଚଳିକ ବିବାଦୀୟ ପ୍ରସଙ୍ଗକୁ ନେପାଳ ପୁଣି ଥରେ ଉତଥାପନ କରିଛି | ନେପାଳର କମ୍ୟୁନିଷ୍ଟ ସରକାରଙ୍କ  ଦ୍ଵାରା ମେ 20 ତାରିଖରେ ଜାରି ଏକ ନୂତନ ରାଜନୈତିକ ଓ ପ୍ରଶାସନିକ ମାନଚିତ୍ର ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ କ୍ୟାବିନେଟ  ଦ୍ଵାରା ଅନୁମୋଦନ ଲାଭ କରିଥିବା ନୂତନ ମାନଚିତ୍ରରେ କଳାପାଣି, ଲିମଫିଆଡୁରା ଏବଂ ଲିପୁଲେଖ ଆଞ୍ଚଲକୁ ନେପାଳର ଅଞ୍ଚଳ  ଭାବେ ଦର୍ଶାଯାଇଛି | ସୂଚନାଯୋଗ୍ୟ ଯେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପୁନର୍ଗଠନ କରିବା ପରେ ଭାରତ ଦ୍ଵାରା  2019 ନଭେମ୍ବର 2 ତାରିଖରେ  ଜାରି କରାଯାଇଥିବା ମାନଚିତ୍ରରେ  ମଧ୍ୟ  ଏହି ଅଞ୍ଚଳ ଗୁଡିକ ସାର୍ବଭୌମ୍ୟ ଭାରତୀୟ ଭୂଖଣ୍ଡ ବୋଲି ଦର୍ଶାଯାଇଥିଲା  | .

ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ଦିନରୁ ଦୃଢ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ  ସହିତ ଘନିଷ୍ଠ ବନ୍ଧୁତା ରହିଆସିଛି | ହିମାଳୟ ଦେଶ ନେପାଳର କଳାପାଣି ଅଞ୍ଚଳରୁ ଉତ୍ପର୍ଣ୍ଣ କାଳି ନଦୀ ନିକଟବର୍ତ୍ତୀ ଏକ ଛୋଟ ତଥା ରଣନୀତିକ ଭୂଖଣ୍ଡକୁ ନେଇ ନେପାଳର ଦାବି ଉପରେ ବିବାଦର ସୂତ୍ରପାତ ହୋଇଛି | 1816 ସାଗୁଲି ଚୁକ୍ତିନାମା ସମୟରେ ଏହାର ଉତ୍ପତ୍ତି ହୋଇଥିଲା |  1815 ଡିସେମ୍ବର 2 ତାରିଖରେ ନେପାଳ ଓ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ସ୍ବାକ୍ଷରିତ ସାଗୁଲି ଚୁକ୍ତିନାମାର ଧାର 5 ଅନୁଯାୟୀ କାଳି ନଦୀର ପଶ୍ଚିମ ଭାଗର  ସବୁ ଅଞ୍ଚଳ ଭାରତ ସହ ରହିଥିବା ବେଳେ ଏହାର ପୂର୍ବ ଭାଗର ସବୁ ଅଞ୍ଚଳ ନେପାଳ ସହ ରହିଥିଲା | ତେଣୁ କାଳୀ ନଦୀ ଭାରତ-ନେପାଳ-ଚୀନ ତ୍ରି-ଜଙ୍କସନରେ ଭାରତ ଓ ନେପାଳର ସୀମା ପାଲଟିଯାଇଥିଲା | ଏହି ଚୁକ୍ତିନାମାକୁ 1816 ମାର୍ଚ୍ଚରେ କାର୍ଯ୍ୟକାରୀ କରାଯାଇଥିଲା | ଆହୁରିମଧ୍ୟ  ତାନକପୁର ବ୍ୟାରେଜ ଓ ପଞ୍ଚେଶ୍ଵର ହାଇଡେଲ ବିଦ୍ୟୁତ ପ୍ରକଳ୍ପକୁ ବିକଶିତ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ 1996 ଫେବୃଆରୀ 12 ତାରିଖରେ ମହାକାଳୀ ରାଜିନାମା ସ୍ବାକ୍ଷରିତ ହୋଇଥିଲା ଓ ମହାକାଳୀ ନଦୀକୁ  ଦୁଇ ଦେଶ ମଧ୍ୟରେ ଏକ ସୀମା ନଦୀ ଭାବେ ସ୍ବୀକୃତି  ମିଳିଥିଲା  | ନେପାଳରେ ନେପାଳି  କଂଗ୍ରେସ କ୍ଷମତାରେ ଥିବା ସମୟରେ କମ୍ୟୁନିଷ୍ଟର  ସମର୍ଥନ ସହ ଦୁଇ ତୃତୀୟାଂଶ  ସଂଖ୍ୟାଗରିଷ୍ଠତାରେ ଏହି ଚୁକ୍ତିକୁ ଅନୁମୋଦନ ମିଳିଥିଲା   |   

ଭାରତରେ କୌଣସି ବିବାଦୀୟ ଅଞ୍ଚଳ ନାହିଁ | ଭାରତୀୟ ରାଜ୍ୟ ଓ କେନ୍ଦ୍ର ସରକାର ଜମି ରାଜସ୍ୱ ଆଦାୟ  କରିଆସୁଛନ୍ତି  ଓ ତ୍ରି-ଜଙ୍କସନ ସୀମା ଭାରତୀୟ ବାହିନୀ ଦ୍ଵାରା ପରିଚାଳିତ ହୋଇଥାଏ | ଗତ ବର୍ଷ ନଭେମ୍ବର ମାସରେ ଭାରତ ଦ୍ଵାରା ଜାରି କରାଯାଇଥିବା ମାନଚିତ୍ର ଉପରେ ନେପାଳ ପ୍ରତିବାଦ ଜଣାଇଥିବା ବେଳେ ଏହି  ମାନଚିତ୍ରରେ  କେବଳ ସାର୍ବଭୌମ ଭାରତୀୟ ଭୂଖଣ୍ଡ ଚିତ୍ରଣ କରାଯାଇଛି ବୋଲି ଭାରତ ସ୍ପଷ୍ଟ କରିଥିଲା | ନୂତନ ମାନଚିତ୍ରରେ ନେପାଳ ସହ ଭାରତର ସୀମାରେ  କୌଣସି ସଂଶୋଧନ କରାଯାଇନାହିଁ | ତେବେ ନେପାଳ ପାର୍ଲିଆମେଣ୍ଟରେ ଭାରତ ସହ କୂଟନୈତିକ ଓ ବନ୍ଧୁତ୍ବପୂର୍ଣ୍ଣ ସମାଧାନର ବାଟ ବାହାର କରିବା ଲାଗି ଏକ ପ୍ରସ୍ତାବ ଗୃହିତ କରାଯାଇଥିଲା | ଦୁଇ ଦେଶର  ବୈଦେଶିକ  ସଚିବ ସ୍ତରୀୟ ବୈଠକ କରିବାକୁ ସହମତ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ  | 

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତ ମାସ 8 ତାରିଖରେ ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ଲିପୁଲେଖକୁ ଧର୍ଚୁଲା ସହର ସହିତ ସଂଯୋଗ କରୁଥିବା ଭାରତ ଦ୍ଵାରା ନିର୍ମିତ 80 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଉଦଘାଟନ କରିଥିଲେ | ତିବ୍ବତର ସ୍ଵୟଂ ଶାସିତ ଅଞ୍ଚଳର କୈଳାଶ-ମାନସରୋବରକୁ ବାଣିଜ୍ୟ କାରବାର ଓ ତୀର୍ଥଯାତ୍ରାକୁ ସୁଗମ କରିବା ଲାଗି ଏହି ରାସ୍ତା ନିର୍ମାଣ କରାଯାଇଛି | ନେପାଳରେ ଉଭୟ ବିରୋଧୀ ଓ ଶାସକ ପାର୍ଟି ଗୁଡିକ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ନେପାଳ କୂଟନୈତିକ ସ୍ତରରେ ମଧ୍ୟ ଭାରତ ନିକଟରେ  ଏହି ପ୍ରସଙ୍ଗ ଉତଥାପନ କରିଥିଲା | ତେବେ କୋଭିଡ-19 ମହାମାରୀ ସଙ୍କଟରୁ ମୁକୁଳିବା ପରେ ଏନେଇ ଆଲୋଚନା କରିବା ଲାଗି ଭାରତ ଇଚ୍ଛା ବ୍ୟକ୍ତ କରିଥିଲା |  ଏହି ଦୁଇ ଦେଶ କରୋନା  ମହାମାରୀ ସଙ୍କଟ ଦେଇ ଗତି କରୁଛି | ନେପାଳରେ କାରୋନା ମାମଲା ଜଣାପଡିବା ପରେ ଭାରତ  ନେପାଳକୁ ସହାୟତା, ଚିକିତ୍ସା ସାମଗ୍ରୀ ଓ ଡାକ୍ତରୀ ଦଳ ପଠାଇଥିଲା |

ସବୁଠୁ  ଆଶ୍ଚର୍ଯ୍ୟଜନକ କଥା ହେଲା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ନେପାଳ ପାର୍ଲିଆମେଣ୍ଟରେ କହିଛନ୍ତି  ଯେ ଲିମ୍ପିୟାଧୁରା, କଳାପାଣି ଓ ଲିପୁଲେଖ ନେପାଳର ଭୂଖଣ୍ଡ ଏବଂ ସେମାନେ କୌଣସି ମତେ ଏହାକୁ ନିଜ ନିୟନ୍ତ୍ରଣରେ କରିବେ | ଏହି ପ୍ରସଙ୍ଗ ନେଇ ତାଙ୍କ ସରକାର ଚୀନ ସହ ଯୋଗାଯୋଗ କରୁଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି |

ତେଣେ ଭାରତ, ନେପାଳର ଅଭିଯୋଗକୁ ଖଣ୍ଡନ କରିଛି ଏବଂ ନେପାଳର ମାନଚିତ୍ର ଐତିହାସିକ ତଥ୍ୟ ଓ ପ୍ରମାଣ ଉପରେ ପର୍ଯ୍ୟବେଶିତ ନୁହେଁ ବୋଲି ଜୋର ଦେଇ କହିଛି | ଆଞ୍ଚଳିକ ଭୂଖଣ୍ଡକୁ ନେଇ ଏପରି ଅଯୁକ୍ତିକର ଦାବି ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ  କୁହାଯାଇଛି |  

ନେପାଳରେ କୋଭିଡ-19 ସଂକ୍ରମଣ ପାଇଁ ଭାରତ ଦାୟୀ ବୋଲି ଅଭିଯୋଗ କରି ଚୀନ କିମ୍ବା ଇଟାଲୀ ଅପେକ୍ଷା ଭାରତରୁ ଫେରୁଥିବା ଲୋକ ଏହି ମହାମାରୀରେ  ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି ଶ୍ରୀ ଓଲି କହିଛନ୍ତି | ତେବେ ଏପରି ବିବୃତ୍ତି ଭିତ୍ତିହୀନ ଓ ଆଧାରହୀନ ବୋଲି କୁହାଯାଇଛି | ହେଲେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଯୁକ୍ତିକର ବିବୃତ୍ତିକୁ ଭାରତ ଦ୍ଵାରା ହାଲୁକା ଭାବେ ନିଆଯାଇପାରିବ ନାହିଁ କାରଣ  ଏପରି ମନ୍ତବ୍ୟରୁ  ଚୀନ ପ୍ରତି ସେମାନଙ୍କ କେତେଯେ  ଆଗ୍ରହ ରହିଛି ତାହା  ସ୍ପଷ୍ଟ ପ୍ରତୀୟମାନ ହେଉଛି | ଏଥିସହିତ ସେ, ତାଙ୍କ  ନେପାଳ କମ୍ୟୁନିଷ୍ଟ ପାର୍ଟି ଭିତରେ ଥିବା ଆଭ୍ୟନ୍ତରୀଣ କନ୍ଦଳରୁ ଧ୍ୟାନ ହଟେଇବା ଲାଗି ଏପରି ବିବୃତ୍ତି ପ୍ରକାଶ କରିଥାଇପାରନ୍ତି ବୋଲି କୁହାଯାଉଛି |

ତେବେ ଦୁଇ ଦେଶ  ମଧ୍ୟରେ ବହୁ ଶତାବ୍ଦୀ ଧରି ଘନିଷ୍ଠ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଆସିଥିବାରୁ  ଉଭୟ ପକ୍ଷ ଯଥାଶୀଘ୍ର  ଏକ ସୌହାର୍ଦ୍ଯପୂର୍ଣ୍ଣ ବାତାବରଣରେ  ଏହି  ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ | 

ମୂଳଲେଖା : ରତ୍ତନ ସାଲଦି, ରାଜନୈତିକ ଭାଷ୍ୟକାର