ଭାରତୀୟ ଅର୍ଥନୀତି ଏହାର ପୂର୍ବ ଅଭିବୃଦ୍ଧି ପଥକୁ ଖୁବ ଶୀଘ୍ର ଫେରିବ କହିଲେ ପ୍ରଧାନମନ୍ତ୍ରୀ

ଭାରତ ଅଧିକ ଗଠନମୂଳକ ସଂସ୍କାର ସହ ଏହାର ଅଭିବୃଦ୍ଧି ପଥକୁ ଖୁବ ଶୀଘ୍ର ଫେରିବ ଯାହାକି ବିକାଶ ଯାତ୍ରାରେ ବେସରକାରୀ କ୍ଷେତ୍ର  ସହ ଏକ  ସହଭାଗିତା ଭାବେ କୋଭିଡ-19ର ଚାଲେଞ୍ଜକୁ ମୁକାବିଲା କରିବା ଲାଗି ଆମ ଦେଶର ଗତିପଥକୁ ପରିବର୍ତ୍ତନ କରିବ | ଭାରତୀୟ ଶିଳ୍ପ ସଂଘ (ସିଆଇଆଇଆଇ) ର 125 ବର୍ଷ ପୂର୍ତ୍ତି ଉତ୍ସବରେ ଏକ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି | ଏହି ଅବସରରେ ତାଙ୍କ ସମ୍ଭାଷଣରେ ଆମେ ନିଶ୍ଚିତ ଭାବେ ପୂର୍ବ ଅଭିବୃଦ୍ଧି ପଥକୁ ଫେରିବା ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ       କରିଛନ୍ତି |

ଦେଶୀୟ ଉଦ୍ୟୋଗ ମାନଙ୍କ ଉପରେ ଆତ୍ମବିଶ୍ଵାସ ସୃଷ୍ଟି କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଦେଶର ଦକ୍ଷତା ଓ ସଙ୍କଟ ପରିଚାଳନା, ଭାରତର ବିବିଧ ପ୍ରତିଭା ତଥା ପ୍ରଯୁକ୍ତି ବିଦ୍ୟା, ଏହାର ଅଭିନବତା ଓ ଜ୍ଞାନ, ଦେଶର କୃଷକ ମାନଙ୍କ ବଳିଷ୍ଠ ପରିଶ୍ରମ  ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ (ଏମଏସଏମଇ) ଗୁଡିକ ପାଇଁ  ଅର୍ଥନୀତି ପୁଣି ଥରେ  ଦୌଡିବ ବୋଲି ସେ ଆଶାବାଦୀ ଅଛନ୍ତି | ଜିଡିପିରେ ଏମଏସଏମଇର  30 ପ୍ରତିଶତ ଅବଦାନ ରହିଛି | ସମ୍ପ୍ରତ୍ତି  ଏହାର ପରିଭାଷାରେ ସ୍ପଷ୍ଟତା  ଅଣାଯାଇଛି ଏବଂ 200 କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ପାଇଁ  ବୈଶ୍ଵିକ ଟେଣ୍ଡର ଆହ୍ଵାନ ନିୟମକୁ ସରକାର ବାତିଲ କରିଦେଇଛନ୍ତି | ଯାହାକି ଏମଏସଏମଇକୁ ଏକ ଆତ୍ମନିର୍ଭର  ଅର୍ଥନୀତିରେ ପରିଣତ ହେବାକୁ ସହାୟକ ହୋଇପାରିବ  ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି |  

କୋଭିଡ-19 ସଂକ୍ରମଣକୁ ରୋକିବା ଲାଗି ମାର୍ଚ୍ଚ 25 ପରଠୁ ଲକଡାଉନ କଟକଣା ଯୋଗୁଁ ରିଅଲ ସେକ୍ଟରର କାର୍ଯ୍ୟକଳାପ ମନ୍ଥର ଗତିରେ ଚାଲିଥିବାରୁ ଏହାର ପୁନରୁଦ୍ଧାର ଲାଗି ସରକାର ଅବିଶ୍ରାନ୍ତ ପ୍ରୟାସ ଚଳେଇଛନ୍ତି | ସବୁ ଅଂଶୀଦାର ମାନଙ୍କୁ ସହାୟତା ପ୍ରଦାନ ଲାଗି 20 ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପ୍ଯାକେଜ ସହ କିଛି ସପ୍ତାହ ପୂର୍ବରୁ  ପ୍ରଧାନମନ୍ତ୍ରୀ ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ବିବିଧ ଜନସାଙ୍ଖ୍ୟିକ ଓ ଚାହିଦା ଆଦି ପାଞ୍ଚୋଟି ସ୍ତମ୍ଭ ସହିତ ଆତ୍ମନିର୍ଭରଶୀଳ  ଭାରତ  ପାଇଁ  ଏକ ଆହ୍ଵାନ ଜଣାଇଛନ୍ତି | 

ଦେଶରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ କିପରି ବ୍ୟବସ୍ଥିତ, ଏକୀକୃତ ଓ ଆନ୍ତଃ-ସଂଯୋଗୀକରଣ ସେ ନେଇ ବିସ୍ତୃତ ଭାବେ ବର୍ଣ୍ଣନା କରି ସମ୍ପ୍ରତ୍ତି ଅତ୍ୟାବଶ୍ୟକୀୟ  ସାମଗ୍ରୀ ଅଧିନିୟମ, କୃଷି ଉତ୍ପାଦନ ମାର୍କେଟିଙ୍ଗ କମିଟି ଅଧିନିୟମରେ ସଂଶୋଧନ ଆଣିବା  ସହ  ଗୋଦାମରେ ମହଜୁଦ ଥିବା ଶସ୍ୟ ଓ କୃଷି ଉତ୍ପାଦ ଗୁଡିକୁ ବିକ୍ରି ପାଇଁ ଇଲେକ୍ଟ୍ରୋନିକ କାରବାର ଜରିଆରେ କୃଷି ବ୍ୟବସାୟ କରିବା ଲାଗି  ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି | ଉତ୍ପାଦନ କ୍ଷେତ୍ରରେ  ଶ୍ରମିକ ଅଭାବ ଓ କ୍ଷେତ୍ର ଗୁଡିକରେ ସେମାନଙ୍କ  ଆତଯାତ ଯୋଗୁଁ  ଯେପରି  କୌଣସି ପ୍ରକାରର  ବାଧା ନପହଞ୍ଚେ ସେଥିପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲାଗି ମଧ୍ୟ  ଶ୍ରମ କ୍ଷେତ୍ରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି |

ଅଣ-ରଣନୀତିକ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଉନଥିବା ବେସରକାରୀ ଶିଳ୍ପକୁ ବର୍ତ୍ତମାନ ଅନୁମତି ଦିଆଯାଉଛି | କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖଣି ଖନନକୁ ଅନୁମତି ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସରକାର ଖଣି ହେଉ ବା ଶକ୍ତି ହେଉ କିମ୍ବା ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା ହେଉ  ଯେଉଁସବୁ କ୍ଷେତ୍ରରେ ସରକାର ପଦକ୍ଷେପ ନେଇଛନ୍ତି ତାହା ଉଭୟ ଶିଳ୍ପ କ୍ଷେତ୍ର  ଏବଂ ଯୁବକ ମାନଙ୍କୁ ଫାଇଦା ପହଞ୍ଚାଇବ ଓ ସେମାନେ ଆଗକୁ ବଢିବା ଲାଗି ଅନେକ ସୁଯୋଗ ପାଇବେ | 

ସେହିପରି  ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଆୟୁଧ  ମେକ ଇନ ଇଣ୍ଡିଆ ଅଭିଯାନର ଅଂଶ ବିଶେଷ ସ୍ୱରୂପ ଆସବାବପତ୍ର, ଏୟାର କଣ୍ଡିସନର, ଚମଡା ଓ ଜୋତା ଭଳି କ୍ଷେତ୍ରର ଆମଦାନୀ ଉପରେ ନିର୍ଭରତା ହ୍ରାସ ଲାଗି କାର୍ଯ୍ୟ ଆରମ୍ଭ ହୋଇଯାଇଛି | ତିନି ମାସ ପୂର୍ବେ ଦେଶରେ ଗୋଟିଏ ବି  ବ୍ୟକ୍ତିଗତ ସୁରକ୍ଷା କୀଟ ବା ପିପିଇ କୀଟ ତିଆରି କରାଯାଉନଥିଲା ହେଲେ ବର୍ତ୍ତମାନ ଦିନକୁ କିପରି ତିନି ଲକ୍ଷ ପିପିଇ କିଟ ତିଆରି କରାଯାଉଛି ସେ ନେଇ ବର୍ଣ୍ଣନା କରି ଏହା  ସ୍ବଦେଶିକରଣ  ପ୍ରୟାସର ଜ୍ଵଳନ୍ତ ଉଦାହରଣ ବୋଲି  ସେ  କହିଛନ୍ତି |  

ଆତ୍ମନିର୍ଭର ଭାରତର  ଅର୍ଥ ହେଲା  ବୈଶ୍ଵିକ ଅର୍ଥନୀତି ସହ ସଂପୂର୍ଣ୍ଣ ଐକ୍ୟକରଣ  କିନ୍ତୁ ପକ୍ଷପାତି ନୀତି ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଏହି ପରିପ୍ରେକ୍ଷୀରେ ଦେଶୀୟ ବଜାର ତଥା ବିଶ୍ଵ ବଜାରକୁ ଯୋଗାଣ ଲାଗି ଦେଶରେ ଉତ୍ପାଦନ ବୃଦ୍ଧି  କରିବା ଉପରେ  ଅଧିକ ପ୍ରାଥମିକତା ଦେବା ଲାଗି ଶିଳ୍ପ ସଂଘକୁ ନିବେଦନ ଜଣାଇଛନ୍ତି | ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ  ଉଦ୍ୟୋଗ ପ୍ରତି ଆତ୍ମବିଶ୍ଵାସ ମୂଳକ ପଦକ୍ଷେପ ଓ ଅଭିବୃଦ୍ଧିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଲାଗି ଆତ୍ମନିର୍ଭରଶୀଳ ବିକାଶ ପାଇଁ  ଆର୍ଥିକ ସହାୟତା,  ଉଚିତ ସମୟରେ ପ୍ରଦାନ କରାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ |

ମୂଳ ଲେଖା : ଜି ଶ୍ରୀନିବାସନ, ବରିଷ୍ଠ ଅର୍ଥନୈତିକ ସମ୍ବାଦଦାତା