ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ କେବଳ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ ବରଂ ରୁଷ ଏବଂ ଚୀନ ପାଇଁ ବିଶେଷ କରି ବିଶ୍ଵ କୋଭିଡ-19 ମହାମାରୀ ମଧ୍ୟରେ କାଳତିପାତ କରୁଥିବା ସମୟ ପାଇଁ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ | ତିନି ଦିନିଆ ଗ୍ସତ କାଳରେ ଶ୍ରୀ ସିଂହ ରୁଷର ସର୍ବୋଚ୍ଚ ସେନା ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ଜର୍ମାନୀ ଉପରେ ବିଜୟ ପ୍ରାପ୍ତ କରିଥିବା ସୋଭିଏତ ଦେଶର 75 ଜମ ବାର୍ଷିକୀ ଅବସରରେ ମସ୍କୋରେ ପ୍ୟାରେଡରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ |
ବିଜୟ ଦିବସ ପ୍ୟାରେଡରେ ଭାରତର ଅଂଶ ଗ୍ରହଣ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ରୁଷ ଏବଂ ଅନ୍ୟ ଦେଶମାନଙ୍କର ବଳିଦାନ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନଥିଲା ବରଂ ଭାରତୀୟ ସେନାର ଯୁଦ୍ଧରେ ଗୁରୁତ୍ଵପୂର୍ଣ୍ଣ ଅଂଶଗ୍ରହଣ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଥିଲା | ଏହି ବିଜୟ ଦିବସରେ ଭାରତ ବ୍ୟତିତ ଚୀନ ମଧ୍ୟ ଅଂଶ ଗ୍ରହଣ କରିଥିଲା | ଚୀନ ସହିତ ସୀମାରେ ଯେପରି ଉତ୍ତେଜନା ଏବଂ ବିବାଦ ଦେଖା ଦେଇଛି ସେପରି ସମୟରେ ଶ୍ରୀ ସିଂହଙ୍କ ଗସ୍ତ ଗୁରୁତ୍ଵକୁ ଅଧିକ ବଢେଇ ଦେଇଚି | ଏହାବ୍ୟତିତ ଭାରତ ଏବଂ ରୁଷ ମଧ୍ୟରେ ରହିଥିବା ସଂପର୍କ କେତେ ନିବିଡ ତାହା ମଧ୍ୟ ଏହି ଗସ୍ତ ଦର୍ଶାଉଛି |
ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ରୁଷ ଏକ ଭାରସାମ୍ୟ କାର୍ଯ୍ୟ କରିଛି | ଏହା ରୁଷ–ଭାରତ–ଚୀନ ଫର୍ମାଟ ଏବଂ ଅନ୍ୟ ବହୁପକ୍ଷୀୟ ବିଶେଷ କରି ସାଙ୍ଘାଇ ସହଯୋଗ ସଂଗଠନ ଏବଂ ବ୍ରିକ୍ସ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ | ଶ୍ରୀ ସିଂହ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋହଗୁ ଏବଂ ଅନ୍ୟ ଛାମୁଆ ଅଧିକାରୀଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି | ଭାରତ ଏବେ ପ୍ରତିରକ୍ଷା ବିପଦର ସମ୍ମୁଖୀନ ହୋଇଥିବାରୁ ଦ୍ଵିପକ୍ଷୀୟ ପ୍ରତିରକ୍ଷା ରାଜିନାମା ଅନ୍ତର୍ଗତ ରୁଷରୁ ଆସିବାକୁ ଥିବା ଏସ-400 କ୍ଷେପଣାସ୍ତ୍ର ରୋଧି ପ୍ରଣାଳି, ଟ୍ଯାଙ୍କ, ଲଢୁଆ ଜେଟ ଏବଂ ହେଲିକପ୍ଟର ଶିଘ୍ର ଦେବା ପାଇଁ ଭାରତ ଚାହିଁଥିଲା | ତାଙ୍କର ଗସ୍ତ ଦ୍ଵାରା ଏହା ଶିଘ୍ର ଭାରତକୁ ଆସିପାରିବ ଏବଂ ଏଥିପାଇଁ ରୁଷ ରାଜି ମଧ୍ୟ ହୋଇଛି |
ଭାରତ ରୁଷର ସ୍ଵତନ୍ତ୍ର ପ୍ରତିରକ୍ଷା ଭାଗିଦାରୀ ରାଷ୍ଟ୍ର ହୋଇ ଥିବାରୁ ଏୟାର ଡିଫେନ୍ସ ପ୍ରଣାଳିକୁ ଶିଘ୍ର ପଠାଇବାରେ କୌଣସି ଅସୁବିଧା ନଥିବା ରୁଷ ଭାରତକୁ କହିଛି | ବର୍ତ୍ତମାନ ଭାରତ ସହିତ ରୁଷର ପ୍ରତିରକ୍ଷା ରାଜିନାମା 14.5 ବିଲିୟନ ଡଲାରର ହୋଇଥିବାବେଳେ ଚୀନ ସହିତ ମାତ୍ର 2 ବିଲିୟନ ଡଲାରର ରହିଛି | କୋଭିଡ-19 ପାଇଁ ବିଶ୍ଵର ଅର୍ଥବ୍ୟବସ୍ଥା ଦେବାଳିଆ ହୋଇଥିବାବେଳେ ଏବଂ ଭାରତ ସହିତ ପ୍ରତିରକ୍ଷା ସଂପର୍କକୁ ମଜବୁତ କରିବାକୁ ଆମେରିକା ଚାହୁଁଥିବାବେଳେ ରୁଷ ଭାରତ ସହିତ ପ୍ରତିରକ୍ଷା ବ୍ୟବସାୟକୁ ନେଇ କୌଣସି ବିଳମ୍ଵ କରିବାକୁ ଚାହୁଁ ନାହିଁ |
ଭାରତ ଏବଂ ଚୀନ ଉଭୟ ରୁ,ର ପ୍ରତିରକ୍ଷା ଭାଗିଦାରୀ ଏବଂ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ହୋଇଛି | ଅବଶ୍ୟ ଭାରତ ଏହାର ସୀମା ବିବାଦ କିମ୍ଵା ଅନ୍ୟ ବିଦେଶି ବ୍ୟାପାରରେ ଅନ୍ଯ କୌଣସି ଦେଶର ସାହାର୍ଯ୍ୟ ନେବାର ନାହିଁ ବୋଲି ସ୍ପଷ୍ଟ ଆଭିମୁଖ୍ୟ ରଖିଛି | ରୁଷ ଆରଆଇସି ଫର୍ମାଟରେ ତ୍ରିପକ୍ଷୀୟ ବୈଠକ କରିଛି ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆରଆଇସି ଫର୍ମାଟକୁ ମଜବୁତ କରିବାର ଆବଶ୍ୟକତା ରହିଛି |
ଆରଆଇସିର ସଂପର୍କ ଏସସିଓ ଏବଂ ବ୍ରିକ୍ସ ସହିତ ମଧ୍ୟ ରହିଛି ଭାରତ ଏବଂ ଚୀନର ସଂପର୍କ ରୁଷ ପାଇଁ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ | କାରଣ ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ଫାଇଦା ଅନ୍ୟ ଦେଶ ଯେପରି ନଉଠାଉ ତାହା ରୁଷ ଚାହେଁ |
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସଂପର୍କକୁ ଉଜାଗର କରିଛି ଏବଂ ଏହି ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ରୁଷ ଯେତେଶିଘ୍ର ସମ୍ଭବ ପ୍ରତିରକ୍ଷା ସଂରଜାମ ଭାରତକୁ ପଠାଇବା ରୁଷ ପାଇଁ ଆହ୍ଵାନ ହୋଇଚି |
ମୂଳ ଲେଖା : ଡକ୍ଟର ଇନ୍ଦ୍ରାଣୀ ତାଲୁକଦାର