ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତର ଦୁଇଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ଵାରା ଇରାନ ଗସ୍ତ ସହ ଭାରତ-ଇରାନ ଦ୍ଵିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବା ଦିଗରେ ଅଗ୍ରସର ହେଉଛି | ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରୁଷରେ ସଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ପ୍ରତିରକ୍ଷା ମନ୍ତ୍ରୀ ପରିଷଦ ବୈଠକରେ ଯୋଗ ଦେଇ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଗତ ରବିବାର ଦିନ ଇରାନରେ କିଛି ସମୟ ପାଇଁ ଅଟକିଥିଲେ | ଶ୍ରୀ ସିଂହ ତେହେରାନରେ ତାଙ୍କ ଇରାନିୟ ପ୍ରତିପକ୍ଷ ବ୍ରିଗେଡିଅର ଜେନେରାଲ ଆମିର ହାତାମିଙ୍କ ସହ ସାକ୍ଷାତ କରି ଆଞ୍ଚଳିକ ସୁରକ୍ଷା ତଥା ଆପୋଷ ସହଯୋଗ ସଙ୍କ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ |
ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ମଧ୍ୟ ଏସସିଓ ର ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ମସ୍କୋ ଯିବା ବାଟରେ ତେହରାନରେ କିଛି ସମୟ ପାଇଁ ଓହ୍ଲାଇଥିଲେ | ଏହି ଗସ୍ତ ସମୟରେ ଡଃ ଜୟଶଙ୍କର ତାଙ୍କ ପ୍ରତିପକ୍ଷ ମହମ୍ମଦ ଜାଭେଦ ଜରିଫଙ୍କ ସହ ଏକ ବୈଠକ କରି ଫଳପ୍ରଦ ଆଲୋଚନା କରିଥିଲେ | ଏହି ବୈଠକରେ ଦୁଇ ମନ୍ତ୍ରୀ ଆଞ୍ଚଳିକ ବିକାଶର ସମୀକ୍ଷା କରିବା ସହ ଦ୍ଵିପକ୍ଷୀୟ ସହଯୋଗକୁ ଆହୁରି ନିବିଡ କରିବା ନେଇ ବ୍ୟାପକ ଆଲୋଚନା କରିଥିଲେ |
ସୂଚନା ଯୋଗ୍ୟ ଯେ ଡଃ ଜୟଶଙ୍କର ଉଣେଇଶ ତମ ଭାରତ-ଇରାନ ଯୁଗ୍ମ କମିଶନ ବୈଠକରେ ଯୋଗ ଦେବା ଲାଗି ଡିସେମ୍ବର 2019ରେ ତେହେରାନ ଗସ୍ତ କରିଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଡଃ ଜାଭେଦ ଜାରିଫ ‘ରାଇସିନା ଡାଏଲାଗ 2020‘ ରେ ଯୋଗ ଦେବା ପାଇଁ ଚଳିତ ବର୍ଷ ଜାନୁଆରୀରେ ଭାରତ ଗସ୍ତରେ ଆସିଥିଲେ | ଉଲ୍ଲେଖ ଯୋଗ୍ୟ ଯେ କୋଭିଡ-19 ମହାମାରୀ ଯୋଗୁଁ ଯାତ୍ରା ଉପରେ କଟକଣା ଲାଗୁ କରାଯିବା ପରେ ଏହା ଥିଲା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ | ଦୁଇ ଦେଶର ଦ୍ଵିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଏହା ଉଭୟ ଭାରତ ଓ ଇରାନ ଦ୍ଵାରା ଦିଆଯାଉଥିବା ଗୁରୁତ୍ଵର ମହତ୍ଵକୁ ପ୍ରତିପାଦିତ କରୁଛି ବିଶେଷକରି ଏପରି ସମୟରେ ଯେତେବେଳେ ଆମେରିକା ଇରାନ ଉପରେ ଅତ୍ୟଧିକ ଚାପ ପକାଇ ଏହା ବିରୁଦ୍ଧରେ ଅଭିଯାନ ଚଳେଇଛି ଏବଂ ଅନ୍ୟ ଦେଶ ଗୁଡିକ ସହ ତେହେରାନର ରାଜନୈତିକ ତଥା ଅର୍ଥନୈତିକ ସହଯୋଗର ସୀମାକୁ ସୀମିତ କରିବାକୁ ଚାହୁଁଛି |
ଏହି ଦୁଇ ଗସ୍ତ ମଧ୍ୟ ଏକ ଏପରି ସମୟରେ ହୋଇଛି ଯେତେବେଳେ ଇରାନ ଓ ଚୀନ ସେମାନଙ୍କ ଦୀର୍ଘସ୍ଥାୟୀ ଦ୍ଵିପାକ୍ଷିକ ସହଯୋଗ ଚୁଡାନ୍ତ କରିବାକୁ ଯାଉଛନ୍ତି | ବେଜିଂ ଓ ତେହେରାନ ଚୀନର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ପ୍ରକଳ୍ପ ଅଧୀନରେ ଏକ 25 ବର୍ଷର ଦ୍ଵିପାକ୍ଷିକ ରଣନୀତିକ ସହଯୋଗ ସ୍ଥାପନ କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି ଯଦ୍ୱାରା ଚୀନ ଇରାନରେ ବିପୁଳ ପରିମାଣର ପୁଞ୍ଜି ନିବେଶ କରିପାରିବ |
ଆଫଗାନିସ୍ତାନରେ ସ୍ଥିରତା ବଜାୟ ରଖିବା ଲାଗି ହେବାକୁ ଥିବା ଆନ୍ତଃ-ଆଫଗାନ କଥାବାର୍ତ୍ତା ସମୟରେ ଭାରତର ଏହି ଦୁଇଜଣ ବରିଷ୍ଠ ମନ୍ତ୍ରୀ ଇରାନ ଗସ୍ତ କରିଥିଲେ | ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଅନ୍ୟାନ୍ୟ ଆଞ୍ଚଳିକ ତଥା ଆପୋଷ ସ୍ଵାର୍ଥ ବିଜଡିତ ଦ୍ଵିପକ୍ଷୀୟ ପ୍ରସଙ୍ଗ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ | ଇରାନ ଉପରେ ଲାଗୁ କରାଯାଇଥିବା ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକର ଅବଧିକୁ ଆହୁରି ବଢାଇବା ଲାଗି ଆମେରିକା ଦ୍ଵାରା ବିଫଳ ପ୍ରୟାସ ପରେ ପରେ ଏହି ଗସ୍ତ ହୋଇଥିଲା | ସୂଚନାଯୋଗ୍ୟଯେ ଏହି କଟକଣାର ଅବଧି ଚଳିତ ବର୍ଷ ଅକ୍ଟୋବରରେ ଶେଷ ହେବ |
ଭାରତ ଓ ଇରାନ ମଧ୍ୟରେ ପ୍ରଗାଢ ସଭ୍ୟତା ସମ୍ପର୍କ ନିହିତ ଅଛି ଯାହା ନିକଟ ଅତୀତରେ ଚବାହାର ବନ୍ଦର ଏବଂ ଚବାହାର-ଯାହାଦାନ ରେଳ ଲାଇନ ପ୍ରକଳ୍ପ ଭଳି ମିଳିତ ମୌଳିକଢାଞ୍ଚା ପ୍ରକଳ୍ପ ଫଳପ୍ରସୂ ହେବା ସହ ଅଗ୍ରଗତି କରିଚାଲିଛି | ଭାରତ ଓ ଇରାନ ମଧ୍ୟ ବର୍ତ୍ତମାନ ଚବାହାର ବନ୍ଦରର ବ୍ୟବହରା ବୃଦ୍ଧି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ଗତ ମାସରେ ଚବାହାର-ଜାହେଦାନ ରେଳ ଲାଇନ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ସହଯୋଗର ସମୀକ୍ଷା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଇରାନର ଉପମନ୍ତ୍ରୀ ତଥା ରେଳ ବିଭାଗର ମୁଖ୍ୟ ସୟଦ ରସୁଆଳି ନିମନ୍ତ୍ରଣ କରିଥିଲେ|
ଆମେରିକା ଦ୍ଵାରା ଇରାନ ଉପରେ ଅର୍ଥନୈତିକ କଟକଣା ଲାଗୁ କରାଯାଇଥିବାରୁ ଯଦିଓ ଇରାନ ଓ ଭାରତ ମଧ୍ୟରେ ବର୍ତ୍ତମାନର ଦ୍ଵିପାକ୍ଷିକ ବାଣିଜ୍ୟ କାରବାର ଉପରେ ନକାରାତ୍ମକ ପ୍ରଭାବ ପଡିଛି ତେବେ ମଧ୍ୟ ପ୍ରଚଳିତ କଟକଣା ସତ୍ତ୍ୱେ ଭାରତ ଏବଂ ଇରାନ ଦ୍ଵିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ପ୍ରତିଶୃତିବଦ୍ଧ ଅଟନ୍ତି | ଭାରତ ପାଇଁ, ଇରାନ ଦ୍ଵିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିସ୍ତାରିତ ପଡୋଶୀ ରାଷ୍ଟ୍ର ଭାବେ ରହିଆସିଛି ଓ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆରେ ଭାରତର ପ୍ରବେଶ ଲାଗି ରଣନୀତିକ ଭାବେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ | ସେହିପରି ଇରାନ ଉତ୍ପାଦ ଗୁଡିକ ପାଇଁ ଭାରତ ଏକ ସମ୍ଭାବ୍ୟ ବଜାର ଭାବେ କାର୍ଯ୍ୟ କରିଥିବା ବେଳେ ପାରମ୍ପରିକ ଭାବେ ଇରାନିୟ ଅଶୌଧିତ ତୈଳର ଏକ ପ୍ରମୁଖ ସ୍ଥଳୀ ପାଲଟିଛି |
ମଧ୍ୟପୁର୍ବର ବର୍ତ୍ତମାନର ଭୂ-ରାଜନୀତି ଏବଂ ଆମେରିକା, ରୁଷିଆ ଓ ଚୀନ ମଧ୍ୟରେ କ୍ଷମତା ପ୍ରତିଦ୍ୱନ୍ଦିତା ଏହି ଅଞ୍ଚଳରେ ଅଧିକ ପ୍ରଭାବ ପକାଉଛି .ଓ ଏଥିଯୋଗୁଁ ବାହ୍ୟ ଦୁନିଆ ସହ ଇରାନର ସମ୍ପର୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଛି | ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଥିବା କୋଭିଡ-19 ମହାମାରୀ ଯୋଗୁଁ ଏହି କଟକଣା ର ପ୍ରଭାବ ଆହୁରି ବୃଦ୍ଧି ହୋଇଛି |
ମହାମାରୀ ସଙ୍କ୍ରାନ୍ତୀୟ ଯାତ୍ରା କଟକଣା କୋହଳ କରିବା କ୍ଷଣି ନୂଆଦିଲ୍ଲୀରୁ ଦୁଇଜଣ ବରିଷ୍ଠ ମନ୍ତ୍ରୀଙ୍କ ଇରାନ ଗସ୍ତରୁ ଇରାନ ସହିତ ଏହାର ସମ୍ପର୍କକୁ ଭାରତ କେତେ ଗୁରୁତ୍ଵ ଦେଉଛି ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି | ଭାରତ-ଇରାନ ସମ୍ପର୍କକୁ ଆହୁରି ଘନିଷ୍ଠ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ |
ମୂଳ ଲେଖା : ଡଃ ଆସିଫ ଶୁଜା, ବରିଷ୍ଠ ରିସର୍ଚ ଫେଲୋ