ମେକ୍ସିକୋର ଲେଖକ ତଥା ନୋବେଲ ପୁରସ୍କାର ବିଜେତା ଅକ୍ଟାଭିଓ ପାଜ ତାଙ୍କ ପୁସ୍ତକ ‘ଇନ୍ ଲାଇଟ୍ ଅଫ ଇଣ୍ଡିଆ’ ରେ ଭାରତ ଏବଂ ମେକ୍ସିକୋ ମଧ୍ୟରେ ସାମଞ୍ଜସ୍ୟତା ଏବଂ ପାର୍ଥକ୍ୟ ତଥା ଦୁଇ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଏବଂ ପୃଥକ କରୁଥିବା ବୈଶିଷ୍ଟ୍ୟତା ବିଷୟରେ ବର୍ଣ୍ଣନା କରିଥିଲେ । 1960 ମସିହାରେ ଭାରତରେ ମେକ୍ସିକୋର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟ କରିଥିବା ପାଜ କୁହନ୍ତି, ଯେ “ଭାରତୀୟମାନେ ଅନ୍ୟମାନଙ୍କଠାରୁ ଅଭିନ୍ନ ଅଟନ୍ତି। ଏହା ମେକ୍ସିକୀୟମାନଙ୍କ ଦ୍ୱାରା ବ୍ୟକ୍ତ କରାଯାଇଥିବା ଏକ ମନୋଭାବ ”| ସେ ଆହୁରି ମଧ୍ୟ କହିଛନ୍ତି ଯେ , ଭାରତୀୟ ହେବାର ଅର୍ଥ କଣ ମୁଁ ବେଶ ହୃଦୟଙ୍ଗମ କରିପାରିଛି କାରଣ ମୁଁ ଜଣେ ମେକ୍ସିକାନ୍ ଅଟେ । ସେ ଭାରତ, ଏହାର ସଂସ୍କୃତି ଏବଂ ଏହାର ନୈତିକତାକୁ ହୃଦୟଙ୍ଗମ କରୁଥିବା ପାଶ୍ଚାତ୍ୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଏବଂ ଏକ ପ୍ରକାରେ ପାଶ୍ଚାତ୍ୟ ଦେଶରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ ।
ଚଳିତ ବର୍ଷ ଭାରତ ଏବଂ ମେକ୍ସିକୋ ସେମାନଙ୍କ ବନ୍ଧୁତା ସମ୍ପର୍କ ପ୍ରତିଷ୍ଠା ହେବାର 70 ତମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି | ଏକ ଏପରି ସମୟରେ ଯେତେବେଳେ ଭାରତୀୟ ନିବେଶକ ଏବଂ ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଲାଟିନ୍ ଆମେରିକା ଉପରେ କେନ୍ଦ୍ରିତ ହେଉଛି ସେହି ସମୟରେ ଏହି ଅଞ୍ଚଳର ଦ୍ୱିତୀୟ ବୃହତ୍ତମ ବଜାର ମେକ୍ସିକୋ ସହିତ ବ୍ୟବସାୟ କରିବାରେ ଅନେକ ଯଥାର୍ଥତା ରହିଛି । ଏହି ପରିପ୍ରେକ୍ଷୀରେ 29 ଅକ୍ଟୋବର 2020 ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ଅଷ୍ଟମ ଭାରତ-ମେକ୍ସିକୋ ଯୁଗ୍ମ କମିଶନ ବୈଠକକୁ ଅନେକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କର ମେକ୍ସିକୋ ପ୍ରତିପକ୍ଷ ଶ୍ରୀ ମାର୍ସେଲୋ ଏବ୍ରାର୍ଡ ସହ-ଅଧ୍ୟକ୍ଷତା କରିଥିଲେ । ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ର ପରିମାଣ 10 ବିଲିୟନ ଡ଼ଲାରରେ ପହଞ୍ଚିଛି ଏବଂ ଭାରତରେ ଅବସ୍ଥାପିତ ମେକ୍ସିକୋର ରାଷ୍ଟ୍ରଦୂତ ଶ୍ରୀ ଫେଡେରିକୋ ସାଲାସ କହିଛନ୍ତି ଯେ ଲାଟିନ୍ ଆମେରିକୀୟ ଅଞ୍ଚଳରେ ମେକ୍ସିକୋ ହେଉଛି ଭାରତର ପ୍ରଥମ ବାଣିଜ୍ୟ ଭାଗିଦାରୀ ରାଷ୍ଟ୍ର । ଭାରତ ମଧ୍ୟ ମେକ୍ସିକୋର ଶୀର୍ଷ ୧୦ଟି ବାଣିଜ୍ୟ ଭାଗିଦାରୀ ରାଷ୍ଟ୍ର ଭାବରେ ଉଭା ହୋଇଛି। । ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ବାଣିଜ୍ୟିକ ସମ୍ପର୍କକୁ ନେଇ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସେମାନଙ୍କ ସମ୍ପର୍କକୁ ଏକ “ବିଶେଷ ସହଭାଗିତା ”ରୁ ଏକ “ରଣନୀତିକ ସହଭାଗିତା ” ରେ ପରିଣତ କରିବା ଲାଗି ଦୁଇ ପକ୍ଷ ମିଳିମିଶି କାର୍ଯ୍ୟ କରୁଛନ୍ତି।
ଭାରତ -ମେକ୍ସିକୋ ସମ୍ପର୍କର ଏକ ସକରାତ୍ମକ ଦିଗ ହେଉଛି ଉଭୟଙ୍କ ମଧ୍ୟରେ ରୀତିମତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବା | ଏହି ବୈଠକ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ଅର୍ଥନୈତିକ ସହଯୋଗ ଉପରେ ଏକ ଉଚ୍ଚ ସ୍ତରୀୟ ଗୋଷ୍ଠୀ ଏବଂ ଏକ ଯୁଗ୍ମ କମିଶନ ବୈଠକ ଅନ୍ତର୍ଭୁକ୍ତ | ପୁଞ୍ଜି ନିବେଶ ପ୍ରୋତ୍ସାହନ ଏବଂ ସୁରକ୍ଷା, ଦ୍ଵେତ ଟିକସ ଏଡାଇବା, ବିମାନ ସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ପାଇଁ ସେମାନେ ବହୁ ଦ୍ଵିପକ୍ଷୀୟ ରାଜିନାମାରେ ସ୍ୱାକ୍ଷର କରିଛନ୍ତି | ଗତ ମାସରେ ବାଣିଜ୍ୟ ସଚିବ ଅନୁପ ୱାଧାୱାନ ଏବଂ ମେକ୍ସିକୋର ବୈଦେଶିକ ବାଣିଜ୍ୟ ଉପମନ୍ତ୍ରୀ ଲୁଜ ମାରିଆ ଦେ ଲା ମୋରାଙ୍କ ସହ ଅଧ୍ୟକ୍ଷତାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସହଯୋଗ (ବିଏଚଏଲଜି) ସଙ୍କ୍ରାନ୍ତୀୟ ଭାରତ-ମେକ୍ସିକୋ ଦ୍ୱିପକ୍ଷୀୟ ଉଚ୍ଚ ସ୍ତରୀୟ ଗୋଷ୍ଠୀର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଥିଲା।
ଭାରତ ଏବଂ ମେକ୍ସିକୋ ବହୁପକ୍ଷବାଦର ପ୍ରମୁଖ ସମର୍ଥକ ଏବଂ ଜାତିସଂଘ ତଥା ଅନ୍ୟାନ୍ୟ ବହୁପକ୍ଷୀୟ ମଞ୍ଚରେ ମିଳିତ ଭାବରେ ସେମାନଙ୍କର ସମାନ ଧରଣର ଉଦବେଗ ଗୁଡିକର ମୁକାବିଲା ଲାଗି କାର୍ଯ୍ୟ କରିଛନ୍ତି । ବହୁପକ୍ଷବାଦକୁ ଆହୁରି ମଜବୁତ କରିବା ଏବଂ ଜାତିସଂଘକୁ ଅଧିକ ପ୍ରତିନିଧୀ ତଥା ପ୍ରଭାବଶାଳୀ କରିବା ଦିଗରେ ସୁରକ୍ଷା ପରିଷଦରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଯୁଗ୍ମ କମିଶନ ବୈଠକରେ ସହମତି ପ୍ରକାଶ ପାଇଛି । ଭାରତ-ମେକ୍ସିକାନ୍ ମଧ୍ୟରେ ବର୍ତ୍ତମାନ କୃଷି, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି ଶକ୍ତି, ସଂସ୍କୃତି, ଶିକ୍ଷା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ ହୋଇଛି । ଭାରତୀୟ କମ୍ପାନୀ ଗୁଡିକ ଫାର୍ମାସ୍ୟୁଟିକାଲ୍ସ ଓ ସଫ୍ଟୱେୟାର କମ୍ପାନୀ ଗୁଡିକ ସମେତ ବିଭିନ୍ନ କମ୍ପାନୀରେ ଯଥେଷ୍ଟ ମାତ୍ରାରେ ପୁଞ୍ଜି ନିବେଶ କରୁଛନ୍ତି | ଟିସିଏସ୍, ଇନଫୋସିସ୍, ୱିପ୍ରୋ, ଏନଆଇଆଇଟି, ଏଚସିଏଲ, ବିର୍ଲାସଫ୍ଟ, ଆପ୍ଟେକ୍ ଏବଂ ଡଃ ରେଡ୍ଡୀଙ୍କ ପ୍ରୟୋଗଶାଳା ଭଳି ପ୍ରମୁଖ ଫାର୍ମାସ୍ୟୁଟିକାଲ୍ସ, ସନ୍ ଫାର୍ମା ତଥା ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ଭଳି ପ୍ରମୁଖ ସଫ୍ଟୱେୟାର କମ୍ପାନୀ ଗୁଡିକ ମେକ୍ସିକୋରେ ମିଳିତ ଉଦ୍ୟୋଗ ସ୍ଥାପନ କରିଛନ୍ତି।
ଭାରତୀୟ କମ୍ପାନୀ ଗୁଡିକ ମଧ୍ୟ ଅଟୋ ପାର୍ଟସ୍, ଟାୟାର, ପ୍ୟାକେଜିଂ ଏବଂ ଇଲେକ୍ଟ୍ରିକାଲ୍ ଉତ୍ପାଦନରେ ପୁଞ୍ଜି ବିନିଯୋଗ କରିଛନ୍ତି | ଟର୍ନେଲ ନାମକ ଏକ ଭାରତୀୟ କମ୍ପାନୀ, ମେକ୍ସିକୋରେ କାର ଏବଂ ଟ୍ରକ୍ ପାଇଁ ଟାୟାର ତିଆରି କରେ | ବଜାଜ ଅଟୋ, ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ ସଂଗ୍ରହ ଏବଂ ମାର୍କେଟିଂ ପାଇଁ ମେକ୍ସିକୋରେ କାର୍ଯ୍ୟ କରୁଛି | ଭାରତର ସାମଭର୍ଦ୍ଧନ ମଦରସନ୍ ଗ୍ରୁପ୍ (SMP), ଅଡି ଏବଂ ଭୋଲ୍ସୱେଗେନ ପାଇଁ ଅଟୋ ଉପାଦାନ ନିର୍ମାଣ ଲାଗି ପୁଏବଲା ଏବଂ ସାନ ଲୁଇସ୍ ପୋଟୋସିରେ ବିପୁଳ ପୁଞ୍ଜି ବିନିଯୋଗ କରିଛି | ସେହିପରି ହୋମେକ୍ସ, ପ୍ରୋଲେକ୍-ଜିଇ, ସିନେପୋଲିସ୍, ସିମେକ୍ସ, ନେମାକ୍, ସୋଫ୍ଟେକ୍, ମେଟାଲସା ଏବଂ ଅନ୍ୟାନ୍ୟ ମେକ୍ସିକୋ କମ୍ପାନୀଗୁଡିକ ମଧ୍ୟ ଭାରତରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି।
ଅଧୁନା ଭାରତ ଏବଂ ମେକ୍ସିକୋ ପରସ୍ପର ମଧ୍ୟରେ ସମ୍ପର୍କ ନିବିଡ ହେବାରେ ଲାଗିଛି । ମେକ୍ସିକୋ ବିଶ୍ଵରେ ଏହାର ସ୍ଥିତି ଆହୁରି ସୁଦୃଢ କରିବାକୁ ଚାହୁଁଥିବା ବେଳେ ଭାରତ ବିଶ୍ୱସ୍ତରରେ ଏହାର ସ୍ଥିତି ଜାହିର କରିବାକୁ ଚାହୁଁଥିବା ସହ ମେକ୍ସିକୋ ଏବଂ ଲାଟିନ୍ ଆମେରିକାର ନୀତି ସଙ୍କ୍ରାନ୍ତୀୟ ଆଲୋଚନାରେ ମଧ୍ୟ ଭାଗ ନେବାକୁ ଚାହୁଁଛି । ଭାରତ ଏବଂ ଲାଟିନ୍ ଆମେରିକା ମଧ୍ୟରେ ପ୍ରଗାଢ ସାଂସ୍କୃତିକ, ଦାର୍ଶନିକ ତଥା ବୌଦ୍ଧିକ ସମ୍ପର୍କ ରହିଛି ଯାହା ଭାରତ ଏବଂ ଲାଟିନ୍ ଆମେରିକା ମଧ୍ୟରେ ଏକ ଫଳପ୍ରଦ ଏବଂ ଆପୋଷ ସ୍ଵାର୍ଥ ବିଜଡିତ ସମ୍ପର୍କର ମୂଳଦୁଆ ସ୍ଥାପନ କରିଛି | ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ ଙ୍କ ମତରେ , “ ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ, ଯିଏ ତୁମକୁ ସହାୟତାର ହାତ ବଢାଇବା ସହ ତୁମର ମନ ହୃଦୟକୁ ମଧ୍ୟ ଛୁଇଁ ଯାଆନ୍ତି ।”
ଆଲେଖ୍ୟ : ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ, ନୂଆଦିଲ୍ଲୀ