ୟୁରୋପୀୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ କରିବା ହେଉଛି ଭାରତର ବୈଦେଶିକ ନୀତିର ଲକ୍ଷ୍ୟ ଯାହାକି ଫଳପ୍ରଦ ହୋଇଛି । ନିକଟ ଅତୀତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କ, ଫିନଲ୍ୟାଣ୍ଡ ଏବଂ ଫ୍ରାନ୍ସ ପରି ଅନେକ ୟୁରୋପୀୟ ଦେଶ ସହିତ ଦ୍ୱିପାକ୍ଷିକ ସମ୍ମିଳନୀ କରିଛନ୍ତି ଯାହାକି ବିଶ୍ବ ପୃଷ୍ଠଭୂମିରେ ୟୁରୋପୀୟ ଶକ୍ତି ସହିତ ଭାରତର ଯୋଗଦାନକୁ ପରିବ୍ୟାପ୍ତ କରିବାରେ ସାହାଯ୍ୟ କରିଛି ଯେଉଁ କ୍ଷେତ୍ରରେ ଏକ ସମତୁଲ ସମ୍ପର୍କର ଆବଶ୍ୟକତା ରହିଛି । 6 ନଭେମ୍ବର 2020 ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଇଟାଲୀୟ ପ୍ରତିପକ୍ଷ ପ୍ରଫେସର ଜିଉସେପ୍ କଣ୍ଟେଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଇଟାଲୀ ନେତାଙ୍କ ସହ ଭର୍ଚୁଆଲ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍ -19 ମହାମାରୀର ମୁକାବିଲା ପାଇଁ ଇଟାଲୀର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ଏହି ରୋଗର ମୁକାବିଲା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଏହାର ପ୍ରତିକୂଳ ପରିଣାମର ମୁକାବିଲା ପାଇଁ ମଧ୍ୟ ଆଲୋଚନା କରାଯାଇଛି । ମହାମାରୀ ସମସ୍ତ ସମ୍ପୃକ୍ତ ଡୋମେନରେ କୋଭିଡ -19 ର ପ୍ରଭାବ ଏବଂ ପ୍ରତିକ୍ରିୟାକୁ ସମାଧାନ କରିବା ପାଇଁ ନେତାମାନେ G20 ର ନିଜ ନିଜ ଦେଶ ପାଇଁ ବିକାଶ ଭିତ୍ତିକ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ମିଳନୀରେ ପୁଞ୍ଜି ବିନିଯୋଗ, ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ, ଶକ୍ତି, ପ୍ଲାଷ୍ଟିକ ପୁନଃବ୍ୟବହାର, ମତ୍ସ୍ୟଜୀବୀ, ଜାହାଜ ନିର୍ମାଣ, ଡିଜାଇନ୍, ପୁନରୁଦ୍ଧାର ଏବଂ ସ୍ମାରକୀ ସଂରକ୍ଷଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ 15 ଟି ଏମଓୟୁ / ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
କୌତୁହଳର ବିଷୟ, ଶିଖର ସମ୍ମିଳନୀ ପରେ ପ୍ରକାଶିତ ମିଳିତ ବିବୃତ୍ତି ଏବଂ ଯୋଜନା 2020-2024 ରେ ଉଭୟ ପକ୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ବସ୍ତରୀୟ ବ୍ୟବସ୍ଥା ଆଧାରିତ ଏକ ମୁକ୍ତ ଏବଂ ନିରପେକ୍ଷ ନିୟମ ଥାଇ ଆନ୍ତର୍ଜାତୀୟ ମାନକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଠାରେ ମନେ ରଖିବାକୁ ହେବ ଯେ ଫ୍ରାନ୍ସ ଏବଂ ଜର୍ମାନୀ ନିକଟରେ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗକୁ ନେଇ ସେମାନଙ୍କର ବ୍ୟକ୍ତିଗତ ରଣନୀତି ସହିତ ଆଗକୁ ଆସିଛନ୍ତି ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ଏକତାର ଲକ୍ଷ୍ୟ ନେଇ ସହଯୋଗ କରିବାକୁ ଇଟାଲୀର ଆଗ୍ରହ ଭାରତ ପାଇଁ ୟୁରୋପୀୟ ଦେଶମାନଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।
ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଭାରତ ଏବଂ ଇଟାଲୀ ପ୍ରତିରକ୍ଷା, ଆତଙ୍କବାଦ ଏବଂ ସୁରକ୍ଷା, ବହୁପକ୍ଷୀୟତା, ଛାତ୍ର ବିନିମୟ, ସଂସ୍କୃତି ମହୋତ୍ସବ, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସଂଯୋଗ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଯୋଗଦାନକୁ ଆହୁରି ବିସ୍ତୃତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମିଳିତ ପ୍ରତିରକ୍ଷା କମିଟି ଏବଂ ସାମରିକ ସହଯୋଗ ଗୋଷ୍ଠୀ ମାଧ୍ୟମରେ ଆଲୋଚନାକୁ ତ୍ୱରାନ୍ୱିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ କଣ୍ଟେ ଅଧିକ ଦ୍ୱିପାକ୍ଷିକ ସହଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ, ସହ-ବିକାଶ ଏବଂ ସହ-ଉତ୍ପାଦନର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ପକ୍ଷ ବହୁପକ୍ଷୀୟ ଫୋରମରେ ବିଶେଷ ଭାବରେ ଜି -20 ଏବଂ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (UNFCCC) ଏବଂ ଏହାର ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାକୁ ସହମତ ହୋଇଛନ୍ତି । ଅନୁମୋଦନ ପ୍ରକ୍ରିୟା ଶେଷ ହେବା ମାତ୍ରେ ଅନ୍ତର୍ଜାତୀୟ ସୌର ଆଲାଇନ୍ସରେ ଯୋଗଦେବା ପାଇଁ ଇଟାଲୀର ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି ।
ସବୁ ସ୍ତରରେ ରାଜନୈତିକ ଆଦାନପ୍ରଦାନ ଏବଂ ନୀତି ସମନ୍ୱୟର ସ୍ଥିର ଅଭିବୃଦ୍ଧିରେ ସନ୍ତୋଷ ବ୍ୟକ୍ତ କରିବାବେଳେ ଉଭୟ ପକ୍ଷ ସେମାନଙ୍କର ଅର୍ଥନୈତିକ ସହଯୋଗର ସ୍ତର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି । 2019 ରେ ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ମାତ୍ର 9.52 ବିଲିୟନ ୟୁରୋ ଥିଲା, ଯଦିଓ ପ୍ରାୟ 600 ଟି ବଡ ଇଟାଲୀ କମ୍ପାନୀ ଫ୍ୟାଶନ୍ ଏବଂ ବସ୍ତ୍ର, ବୟନ ଯନ୍ତ୍ର, ଅଟୋମୋବାଇଲ୍ ଉପାଦାନ, ଭିତ୍ତିଭୂମି, ରାସାୟନିକ ପଦାର୍ଥ, ଶକ୍ତି, ମିଷ୍ଟାନ୍ନ ଏବଂ ବୀମା ପରି ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀର ଏକ ପ୍ରମୁଖ ସକରାତ୍ମକ ବିଷୟ ହେଉଛି ଯେ ଭାରତ ସହିତ ଅଧିକ ମହତ୍ତ୍ବପୂର୍ଣ୍ଣ ଏବଂ ଅର୍ଥପୂର୍ଣ୍ଣ ଅର୍ଥନୈତିକ ସହଭାଗୀତା ପାଇଁ ଇଟାଲୀ ଏହାର ଯୋଗାଣ ଶୃଙ୍ଖଳା ଏବଂ ପୁଞ୍ଜି ବିନିଯୋଗକୁ ହବୁମୁଖୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ବାସ୍ତବରେ, ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ଦ୍ବାରା ଯୋଗାଣ ଶୃଙ୍ଖଳାର ବିବିଧକରଣ ଉପରେ ଧ୍ୟାନ ଦିଆଯାଇଥିଲା, ଯାହାକି ବର୍ତ୍ତମାନ ସମୟେର କୋଭିଡ ସଂକ୍ରମିତ ବିଶ୍ବର ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ, ଦ୍ୱିପାକ୍ଷିକ ନିବେଶକୁ ବୃଦ୍ଧି କରିବାରେ ସକ୍ଷମ ଅଭିନବ ଆର୍ଥିକ ଯୋଜନାକୁ ପ୍ରୋତ୍ସାହିତ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି ।
ଭାରତ ଏବଂ ୟୁରୋପୀୟ ୟୁନିଅନର ପାରସ୍ପରିକ ଲାଭଦାୟକ ଭାରତ-ଇୟୁ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଚୁକ୍ତିନାମା ପାଇଁ ପୁଣି ଥରେ ଆରମ୍ଭ ହେବା ଦିଗରେ ଭାରତ ଏବଂ ୟୁରୋପୀୟ ୟୁନିଅନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାବେଳେ ଭାରତ ଏବଂ ଇଟାଲୀର ନେତାମାନେ 2020-2025 ଅବଧି ପାଇଁ ଦ୍ୱିପାକ୍ଷିକ ସହଭାଗିତାର ନିଅମ ପ୍ରଣୟନ କରି ପ୍ରାଥମିକତା ଭିତ୍ତିରେ ରଣନୀତିକ ଲକ୍ଷ୍ୟ ସ୍ଥିର କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।
ଆଲେଖ୍ୟ : ଡ. ସଙ୍ଘମିତ୍ରା ଶର୍ମା, ରଣନୀତି ବିଶ୍ଳେଷିକା, ୟୁରୋପୀୟ ବ୍ୟାପାର