ଭାରତ ଏବଂ ବହାରେନ ମଧ୍ୟରେ ଦ୍ଵିପକ୍ଷୀୟ ସଂପର୍କ ସୁଦୃଢ ପଥରେ

ଭାରତ ବହାରେନ ସହିତ ଐତିହାସିକ ସମ୍ପର୍କ, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଲୋକ-ଲୋକଙ୍କ ସମ୍ପର୍କ ଉପରେ ଆଧାର କରି ଦୃଢ  ବାଣିଜ୍ୟିକ, ରଣନୀତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଛି | ଯଦିଓ ବହାରେନ କ୍ଷେତ୍ରଫଳ ଦୃଷ୍ଟିରୁ ଏକ ଛୋଟ ଦେଶ କିନ୍ତୁ ଉପସାଗରର ଦକ୍ଷିଣ-ପଶ୍ଚିମରେ ରଣନୀତିଗତ ଭାବରେ ଅବସ୍ଥିତ ଏହି ରାଜ୍ୟ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ପାଇଁ ଗୁରୁତ୍ଵପୂର୍ଣ୍ଣ | ବହାରେନ ମଧ୍ୟ ଆରବ ଉପସାଗରୀୟ ଅଞ୍ଚଳରେ ବିକାଶ ନମୁନାର ଅଗ୍ରଦୂତ ଅଟେ। ଭାରତ ସର୍ବଦା ବହାରେନ ସହିତ କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି | ପେଟ୍ରୋଲିୟମ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟତୀତ ଏହି ଦେଶରେ ପ୍ରାୟ 300,000  ପ୍ରବାସୀ ଭାରତୀୟ ରହିଛନ୍ତି ଯେଉଁମାନେ ଏଠାକାର ଆର୍ଥିକ ବିକାଶରେ ସହଯୋଗ କରିଛନ୍ତି ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଆନ୍ତରିକ ସମ୍ପର୍କ ସ୍ଥାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଉଚ୍ଚତାରେ ପହଞ୍ଚିଛି ଏବଂ ସେ  ଅଗଷ୍ଟ 2019 ରେ ଏହି ଦେଶ  ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଭାରତ ଏବଂ ବହାରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରୟାସକୁ ସ୍ୱୀକୃତି ଦେଇ ପ୍ରଧାନମନ୍ତ୍ରୀଙ୍କୁ ରାଜା ହେମାଦ୍ ବିନ୍ ଇସା ଅଲ-ଖଲିଫା ତାଙ୍କୁ ବହାରେନ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ଇସ୍ରୋ ଏବଂ ବହାରେନ ନ୍ୟାସନାଲ ସ୍ପେସ୍ ଆଣ୍ଡ ସାଇନ୍ସ ଏଜେନ୍ସି (NSSA) ମଧ୍ୟରେ ସହଯୋଗ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ISA) ସହିତ ବହାରେନ ସହଯୋଗ ପାଇଁ ଦୁଇ ପକ୍ଷ ଚାରିଟି ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି |

ଭାରତ ଏବଂ ବହାରେନ ମଧ୍ୟ କୋଭିଡ-19 ବିରୋଧରେ ଲଢେଇରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜା ହେମାଦ୍ ଏପ୍ରିଲ୍ 2020 ରେ ଟେଲିଫୋନରେ ବାର୍ତ୍ତାଳାପ କରିଥିଲେ ଏବଂ “ସହମତ ହୋଇଥିଲେ ଯେ ସେମାନଙ୍କ ଅଧିକାରୀମାନେ ନିୟମିତ ଯୋଗାଯୋଗରେ ରହିବେ ଏବଂ କୋଭିଡ-19 ର ଆହ୍ଵାନର ମୁକାବିଲା ପାଇଁ ପରସ୍ପରକୁ ସମସ୍ତ ସମ୍ଭାବ୍ୟ ସମର୍ଥନ ସୁନିଶ୍ଚିତ କରିବେ। ବହାରେନ ମଧ୍ୟ ପ୍ରଥମ ପର୍ଯ୍ୟାୟ ଦେଶମାନଙ୍କ ମଧ୍ୟରେ ଥିଲା ଯେଉଁଥିରେ ଭାରତ ମହାମାରୀ ବିରୋଧରେ ଲଢିବାରେ ସାହାଯ୍ୟ କରିବାକୁ ହାଇଡ୍ରୋକ୍ସିଚ୍ଲୋରୋକୁଇନ୍ ଯୋଗାଇ ଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଚଳିତ ସପ୍ତାହରେ ବହାରେନ ଗସ୍ତ କରିଛନ୍ତି। କୋଭିଡ-19 ଯୋଗୁଁ ଗତ କିଛି ମାସ ହେଲା ଆନ୍ତର୍ଜାତୀୟ ଗସ୍ତ ଏବଂ ବୈଠକ ବ୍ୟାହତ ହୋଇଥିବା ପରେ ମଧ୍ୟ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଗସ୍ତ କରିଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଡକ୍ଟର ଜୟଶଙ୍କର ବହାରେନକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ପ୍ରଥମ ଗସ୍ତ, ଯଦିଓ ସେ କୂଟନୈତିକ କ୍ଷେତ୍ରରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଆରବ ଦେଶଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରିବାରେ ଅପରିଚିତ ନୁହଁନ୍ତି।

ବିଭିନ୍ନ କାରଣରୁ ଦୁଇ ଦିନିଆ ଗସ୍ତ ଗୁରୁତ୍ୱପୂର୍ଣ୍ଣ | ଏହା ଦ୍ଵାପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିବ, ବିଶେଷ କରି କୋଭିଡ-19 ମହାମାରୀକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାକୁ, ଦେଶଗୁଡିକ ଉପରେ ପଡିଥିବା ଆର୍ଥିକ ବୋଝରୁ ମୁକ୍ତି ପାଇବାକୁ ଏବଂ କୋଭିଡ ପରବର୍ତ୍ତୀ ଆହ୍ଵାନ ପାଇଁ ପ୍ରସ୍ତୁତ ହେବାକୁ ଏହା ସାହାଯ୍ୟ କରିବ | ତାଙ୍କର ବହାରେନ ପ୍ରତିପକ୍ଷ ଡକ୍ଟର ଅବଦୁଲ୍ଲାଟିଫ ବିନ୍ ରସିଦ ଅଲ-ଜାୟାନୀଙ୍କ ସହ ଆଲୋଚନା ବେଳେ ଉଭୟ ପକ୍ଷ “ପ୍ରତିରକ୍ଷା ତଥା ସାମୁଦ୍ରିକ ସୁରକ୍ଷା, ମହାକାଶ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି, ଆଇଟି, ଫିନଟେକ୍, ସ୍ୱାସ୍ଥ୍ୟ, ହାଇଡ୍ରୋକାର୍ବନ୍ ଏବଂ ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଭାରତ-ବହାରେନ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତ ହୋଇଛନ୍ତି। ।  ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଭାରତ-ବହାରେନ ଉଚ୍ଚ ମିଳିତ ଆୟୋଗ ବୈଠକରେ ଭାଗ ନେବାକୁ ଡକ୍ଟର ଜୟଶଙ୍କର ବହାରେନ ବୈଦେଶିକ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

 

ବୈଦେଶିକ ବ୍ୟାପାର ମନ୍ତ୍ରୀ ବହାରେନ କ୍ରାଉନ୍ ଏବଂ ଡେପୁଟି ସୁପ୍ରିମୋ କମାଣ୍ଡର ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହେମାଦ ଅଲ-ଖଲିଫାଙ୍କୁ ସାକ୍ଷାତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜକୁମାର ଖଲିଫା ବିନ୍ ସଲମାନ ଅଲ-ଖଲିଫାଙ୍କ ଅବଦାନକୁ ସ୍ମରଣ କରି ଆନ୍ତରିକ ସମବେଦନା ଜଣାଇଛନ୍ତି। ଏହି ଗସ୍ତ ସମୟରେ ବୈଦେଶିକ ମନ୍ତ୍ରୀ ବହାରେନରେ ଭାରତୀୟ ସମ୍ପ୍ରଦାୟର ନେତାଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରି ମାନାମାର 200 ବର୍ଷ ପୁରୁଣା ଶ୍ରୀନାଥଜୀ (ଶ୍ରୀକୃଷ୍ଣ) ମନ୍ଦିର ପରିଦର୍ଶନ କରିଥିଲେ ଯାହା ଦୁଇ ଦେଶ ମଧ୍ୟରେ ଐତିହାସିକ  ତଥା ବନ୍ଧୁତ୍ୱପୂର୍ଣ୍ଣ  ସମ୍ପର୍କର ସାକ୍ଷ୍ୟ ଅଟେ।

ପୁରାତନ ତିହାସିକ ସମ୍ପର୍କ, ବାଣିଜ୍ୟ, ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କ ଏବଂ ବଢୁଥିବା ରାଜନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ଉପରେ ଆଧାର କରି ଭାରତ ଏବଂ ବହାରେନ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବାନ୍ଧିଛନ୍ତି। ଆଞ୍ଚଳିକ ତଥା ବିଶ୍ଵର ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦୁଇ ଦେଶର ସହଭାଗୀ ଦୃଷ୍ଟିକୋଣ ରହିଛି ଏବଂ ଜୟଶଙ୍କରଙ୍କ ଗସ୍ତ ଦ୍ଵାପାକ୍ଷିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବ ।

 

ଆଲେଖ୍ୟ:  ଡକ୍ଟର ମହମ୍ମଦ ମୁଦାସୀର କମର