ପାକିସ୍ତାନରେ ଜାରି ରହିଛି ରାଜନୈତିକ କୌଶଳ

ପାକିସ୍ତାନରେ  ସରକାର ବିରୋଧୀ ଦଳର  ମେଣ୍ଟ, ପାକିସ୍ତାନ ଡେମୋକ୍ରାଟିକ ମୁବମେଣ୍ଟ  (ପିଡିଏମ୍) ଲାହୋରର ମିନାର-ଇ-ପାକିସ୍ଥାନରେ 2020 ରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରତିବାଦ ପ୍ରଦର୍ଶନ  ଶେଷ କରି ଇମ୍ରାନ ଖାନଙ୍କ ନେତୃତ୍ଵାଧୀନ  ପାକିସ୍ତାନ ତେହେରୀ–ଇଇନସାଫ ସରକାରକୁ ଗାଦିଚ୍ଯୁତ କରିବାରର ସମୟ ଆସିଯାଇଛି ବୋଲି ବର୍ଣ୍ଣନା କରିଛି  | ତେବେ ଲାହୋର ପ୍ରଦର୍ଶନରୁ  ଉଚିତ ପରିଣାମ ମିଳି ନାହିଁ | ପଞ୍ଜାବରେ ପିଏମଏଲଏନ ପାର୍ଟିର ମଜବୁତ ସ୍ଥିତି ରହିଥିବା ସତ୍ତ୍ୱେ ମଧ୍ୟ  ଭଲ ପ୍ରଦର୍ଶନ  କରିବାରେ ବିଫଳ ହୋଇଥିଲା । ପିଡିଏମର ଦ୍ୱିତୀୟ ପର୍ଯ୍ୟାୟ ବିରୋଧ ପ୍ରଦର୍ଶନରେ ଇସଲାମାବାଦ କୁ ଲଙ୍ଗ ମାର୍ଚ୍ଚ କରିବା ପାଇଁ ଘୋଷଣା କରାଯାଇଛି ତେବେ ପିଡ଼ିଏମର ମନୋବଳ ସେତେଟା ଦୃଢ ନାହିଁ | ଲାହୋର ପ୍ରଦର୍ଶନ  ପରେ ପିଡ଼ିଏମ ସଦସ୍ୟ  ମାନଙ୍କୁ  ଜାତୀୟ ଏବଂ ପ୍ରାଦେଶିକ ସଭାଗୁଡ଼ିକରୁ ଇସ୍ତଫା ଦେବା,  ଏହି ମେଣ୍ଟର ପରବର୍ତ୍ତୀ ପଦକ୍ଷେପ ନେବାର ପ୍ରସ୍ତାବ ଥିଲା ହେଲେ ଏଥିପ୍ରତି  ପିଡିଏମର ଅନେକ ସଦସ୍ୟ ଆପତ୍ତି ଉଠାଇଛନ୍ତି ବୋଲି କୁହାଯାଉଛି ।   

ଜମାତ-ଇ-ଉଲେମା-ଇ-ଇସଲାମି(ଏଫ) ରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଯାଇଛି   ଏବଂ ମୌଲାନା ଫଜଲ-ଉର-ରେହମାନ ବିରୋଧୀ ସ୍ୱର ଉତ୍ତୋଳନ ହେବାରେ ଲାଗିଛି | ଏଥି ସହିତ ପାକିସ୍ତାନ ସରକାରଙ୍କ  ରଣକୌଶଳ  ଅନୁଯାୟୀ,   ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ  କହିଛନ୍ତି ଯେ ଏନଆରଓ ବ୍ୟତୀତ ଅନ୍ୟକୌଣସି  ପ୍ରସଙ୍ଗରେ ସେ ପିଡିଏମ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ହେଲେ ଫଜଲ୍-ଉର୍- ରେହମାନ ଏବଂ ମରିୟମ୍ ନୱାଜ ଏହି ଆଲୋଚନା ରେ ସାମିଲ ହୋଇପାରିବେ ନାହିଁ କାରଣ ସେମାନେ କୌଣସି ଦାୟିତ୍ଵରେ ନାହାନ୍ତି |  ଇସଲାମାବାଦରେ ପିଏମଏଲ–ଏନ ବୈଠକ  ପରେ ପିଏମଏଲ-ଏନର ପ୍ରମୁଖ ନେତା  ଖାୱାଜା ମହମ୍ମଦ ଆସିଫଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜାତୀୟ ଉତ୍ତରଦାୟିତ୍ଵ  ବ୍ୟୁରୋ (ଏନଏବି ) ଗିରଫ କରିବା ପରେ ପିଡିଏମ କୁ ଶକ୍ତ ଧକ୍କା ଲାଗିଛି  । 

ପିଡିଏମ୍ ନୂତନ ବର୍ଷ ଅବସରରେ ଏକ  ବୈଠକ କରି  ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ଯଦି ଇମ୍ରାନ ଖାଁ ନିଜ ପଦରୁ  ଇସ୍ତଫା ନ ଦିଅନ୍ତି ତେବେ ଇସଲାମାବାଦ ଅଭିମୁଖେ ଦୀର୍ଘ ଶୋଭାଯାତ୍ରା  ପ୍ରକୃତରେ ରାୱଲପିଣ୍ଡିସ୍ଥିତ  ପାକିସ୍ତାନୀ ସେନା ମୁଖ୍ୟାଳୟକୁ ଏକ ଦୀର୍ଘ ପଦଯାତ୍ରା ହେବ (“ରାୱଲପିଣ୍ଡି ପର୍ଯ୍ୟନ୍ତ”) | ପିଡ଼ିଏମ ମେଣ୍ଟ, ପିଟିଆଇ ସରକାରଙ୍କୁ କ୍ଷମତାରୁ ଓହରି ଯିବା ଲାଗି ବର୍ତ୍ତମାନ ପର୍ଯ୍ୟନ୍ତ  31 ଜାନୁଆରୀ ଯାଏଁ  ସମୟସୀମା ଦେଇଛି ଓ  ସରକାର ଯଦି ଏହା ନକରନ୍ତି ତେବେ  ରାୱଲପିଣ୍ଡି ଅଭିମୁଖେ ଶୋଭାଯାତ୍ରା କରି  ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏବଂ ଏନଏବି  ବାହାରେ ପ୍ରବଳ ବିରୋଧ  ପ୍ରଦର୍ଶନ କରାଯିବ ବୋଲି  ନିଷ୍ପତ୍ତି ନେଇଛି । ପିଡିଏମ୍‌ର ମୁଖ୍ୟ ମୌଲାନା ଫଜଲ-ଉର-ରେହମାନ ତୀବ୍ର ସମାଲୋଚନା କରି  କହିଛନ୍ତି ଯେ ନକଲି ଇମ୍ରାନ ଖାନ ସରକାର ଗଠନ କରିବାରେ ସହାୟତା କରିଥିବା ସେନା ପ୍ରତିଷ୍ଠାନ ବିରୋଧରେ ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରାଯିବ ପିଡ଼ିଏମ,  ସେନା ଏବଂ ଜେନେରାଲମାନଙ୍କୁ ଉଚିତ  ସମ୍ମାନ କରେ, କିନ୍ତୁ ବର୍ତ୍ତମାନ ସେମାନଙ୍କୁ  ସେମାନଙ୍କର ସାମ୍ବିଧାନିକ ଦାୟିତ୍ଵ ପ୍ରତି ଯଥେଷ୍ଟ  ଧ୍ୟାନ ଦେବାକୁ ପଡିବ |

ତେଣେ ପିଏମଏଲଏନ ପ୍ରତି ଆଉ ଏକ ଶକ୍ତ ଧକ୍କା ସ୍ୱରୂପ , ସରକାର, ଫେବୃଆରୀ 2021 ରେ ନୱାଜ ସରିଫଙ୍କ ପାସପୋର୍ଟର ମିଆଦ ସମାପ୍ତ ହେବାକୁ ଥିବାବେବଳେ ଏହାକୁ  ବାତିଲ କରିଦେବା ଲାଗି  ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ  ତାଙ୍କୁ ରାଷ୍ଟ୍ର ବିହୀନ କରିବ ଏବଂ ତାଙ୍କୁ ବ୍ରିଟେନରେ ଆଶ୍ରୟ ନେବାକୁ ବାଧ୍ୟ କରିବ କିମ୍ବା  ଅନ୍ୟ ଦେଶରେ  (ସାଉଦି ଆରବ କିମ୍ବା କତାର) ଆଶ୍ରୟ ନେଇପାରନ୍ତି  କିମ୍ବା ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ କରି ପାକିସ୍ତାନର କୋର୍ଟର ସମ୍ମୁଖିନହେବା ଲାଗି ବାଧ୍ୟ କରିବ ବୋଲି  ପିଟିଆଇ ସରକାର ଯୁକ୍ତି ବାଢିଛନ୍ତି | ଅନ୍ୟ ପକ୍ଷରେ ଶ୍ରୀ ସରିଫଙ୍କ ପାସପୋର୍ଟ ବାତିଲ ହୋଇଗଲେ ସେ  ‘ରାଷ୍ଟ୍ର ବିହୀନ’ ହୋଇଯିବେ ସତ କିନ୍ତୁ ସେ ଜଣେ ପାକିସ୍ତାନୀ ନାଗରିକ ହୋଇଥିବାରୁ  ପାସପୋର୍ଟରୁ ବଞ୍ଚିତ ହେବା କେବଳ ତାଙ୍କ  ଅନ୍ତର୍ଜାତୀୟ ଯାତ୍ରାକୁ ସୀମିତ ରଖିବ ବୋଲି କେତେକ ବିଶ୍ଳେଷକ ମାନେ ମତ ଦେଇଛନ୍ତି  

ଲାହୋରର ସର୍ବଶେଷ ବୈଠକ ଅନୁଷ୍ଠିତ ହେବା  ପରେ ଆଗାମୀ ଉପ-ନିର୍ବାଚନରେ ଅଂଶଗ୍ରହଣ କରିବାକୁ  ନିଷ୍ପତ୍ତି ନେଇଥିବାରୁ ଗଣତାନ୍ତ୍ରିକ ପଥ ଆପଣେଇବାକୁ ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରସ୍ତାବକୁ  ପିଡିଏମ୍ ମାନି ଯାଇଥିବାର  ଜଣାପଡିଛି। ସୂଚନାଯୋଗ୍ୟ ଯେ କରୋନାଭାଇରସ୍ ମହାମାରୀ  ଯୋଗୁଁ  ଜାତୀୟ ତଥା ପ୍ରାଦେଶିକ ବିଧାନସଭାର ଆଠଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା  ଉପ-ନିର୍ବାଚନକୁ  ସ୍ଥଗିତ ରଖାଯାଇଥିଲା। ଇସିପି ଅନୁଯାୟୀ ଏହା ଆଗାମୀ ସିନେଟ ନିର୍ବାଚନ ପାଇଁ  ନିର୍ବାଚନ ପ୍ରକ୍ରିୟା  ପ୍ରସ୍ତୁତି ଲାଗି  ବାଟ ବାହାର କରିବ ପିଡିଏମ୍ ମେଣ୍ଟକୁ ଦୀର୍ଘ ସମୟ ଧରି ସଂଘର୍ଷ କରିବାକୁ ପଡିପାରେ ଏବଂ ଚଳିତ  ବର୍ଷ ଇମ୍ରାନ ଖାନଙ୍କ ସରକାରର ଅନ୍ତ ଘଟିବା ସମ୍ଭବ ହୋଇ ନପାରେ ବୋଲି କେତେକ ବିରୋଧୀ ସଦସ୍ୟ ମତ ପ୍ରକାଶ କରୁଛନ୍ତି  ଦେଶରେ  ଉଚ୍ଚ  ମୁଦ୍ରାସ୍ଫୀତି ଏବଂ ଅର୍ଥନୀତିର ମାନ୍ଦାବସ୍ଥାର  ସମସ୍ୟା  ଗୁଡିକୁ ବୁଝିବାରେ ତାଙ୍କ ସରକାର ପ୍ରଥମ  ଦେଢ ବର୍ଷ ସମୟ ନେଇଥିବା  ବିଷୟରେ  ଇମ୍ରାନ ଖାଁଙ୍କ ଖୋଲାଖୋଲି ସ୍ଵୀକାରୋକ୍ତି ଆଦି ପ୍ରସଙ୍ଗ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇପାରେ । ସେମାନେ କୌଣସି ରାଜନୈତିକ ପାର୍ଟିର  ସମର୍ଥନ ବିନା ରାଜରାସ୍ତାକୁ  ଓହଲ୍ଲାଇ   ବିକ୍ଷୋଭ  ପ୍ରଦର୍ଶନ କରିପାରନ୍ତି

ଇମ୍ରାନ ଖାଁ  ସରକାର ଦେଶରେ ରାଜନୈତିକ କନ୍ଦଳ  ମଧ୍ୟରେ ଆତଙ୍କବାଦ ବିରୋଧରେ ସଂଗ୍ରାମରେ  ଏକ ବିରଳ ପଦକ୍ଷେପ ଗ୍ରହଣ କରି 5 ବର୍ଷକାଳ  ଜାମିନରେ ଥିବା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟ ଏକ ମୁଖ୍ୟ ଷଡଯନ୍ତ୍ରକାରୀ ଜାକି-ଉର-ରହମାନ ଲଖଭିଙ୍କୁ ଗିରଫ କରିଛି। ଏହା କେବଳ ପ୍ୟାରିସ୍ ଭିତ୍ତିକ ଆତଙ୍କବାଦ ବିରୋଧୀ ପାଣ୍ଠିଯୋଗାଣ ସଂସ୍ଥା , ଆର୍ଥିକ କ୍ରିୟାନ୍ଵୟନ  ଟାସ୍କ ଫୋର୍ସ (ଏଫଏଟିଏଫ ) କୁ ପ୍ରଭାବିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବାର ଅନୁମେୟ  ହେଉଛି | ପାକିସ୍ତାନ ‘ଗ୍ରେ  ତାଲିକାରେ’ ରହିବ ନା ଏହାକୁ ଆହୁରି ନିମ୍ନଗାମୀ କରି  “କଳା ତାଲିକା” ଭୁକ୍ତ କରାଯିବ ସେ ନେଇ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏଫଏଟିଏଫ ର ବୈଠକରେ ସ୍ଥିର କରାଯିବ    

ଆଲେଖ୍ୟ : ଡଃ ଜୈନାବ ଅଖତର, ପାକିସ୍ତାନ ମାମଲାରେ ବିଶ୍ଳେଷକ